ମହାନାଟକ




-ଅଷ୍ଟମ ଅଙ୍କ-

ରୋଗ ଶୋକ ଜରା ମୃତ୍ୟୁ ଜର୍ଜରିତ ଜୀବନ ସାହାରା,

ଏ ଜଗତ ମିଥ୍ୟାମାୟା, ତୁଚ୍ଛଖାଲି କୁହୁଡି ପହଁରା;

ପଦେ ପଦେ ବାଧା ବିଘ୍ନ, ଦିଗେ ଦିଗେ ପୁରିଛି କଣ୍ଟକ;

ଖେଳାଲୀଳା କ୍ଷଣସ୍ଥାୟୀ, ବୃଥା ସବୁ, ସବୁ ନିରର୍ଥକ,

ଅସାର ସଂସାର।

ଧରାଧାମେ କାହିଁ ଶାନ୍ତି? କାହିଁ ମୁକ୍ତି? ଏ ତ କାରାଗାର।

କହ କହ ବିଷଣ୍ଣ ନାୟକ

ପୃଥିବୀର ରଙ୍ଗମଞ୍ଚେ

ଅହରହ ଅବିରାମ ଚଳେ ସତ୍ୟ ଯେ ମହାନାଟକ

କିଏ ତା’ର ସୂତ୍ରଧର?

କିଏ କର୍ତ୍ତା?

କେ ବା ନିର୍ଦ୍ଦେଶକ?

ମୋହଗ୍ରସ୍ତ ମଦୋନ୍ମତ୍ତ ଉଦ୍ଧତ ତୁ ଅହମିକା-ଅନ୍ଧ,

ହଜାଇଛୁ ଅନ୍ତର୍ଦୃଷ୍ଟି, ଆଗୋଚର ସୃଷ୍ଟିର ପ୍ରବନ୍ଧ;

ବ୍ରହ୍ମାଣ୍ଡର ବିବର୍ତ୍ତନେ ଜନ୍ମେ ଜଡ, ଜଡୁଁ ହେଲା ଜୀବ,

ତୋ ପିଣ୍ଡରେ ପ୍ରାଣ ସେ ତ, ସେ ତ ଶିଖା, ତୁ ତାଙ୍କ ପ୍ରଦୀପ;

ସାଧକର ଭଗବାନ, ବିଜ୍ଞାନୀର ଆଦିମ ପ୍ରକୃତି।

ସେହି ମହାଶକ୍ତି

ବ୍ୟାପ୍ତିମୟୀ ବିଶ୍ବ ଛାଇ ଘେନିଥାନ୍ତି ରୂପରୂପାନ୍ତର

ପଞ୍ଚଭୂତେ ନାନାକୃତି ନାନାବର୍ଣ୍ଣ ବିଭିନ୍ନ ପ୍ରକାର।

ମହାକଳୀ ମହାଲକ୍ଷ୍ମୀ ସେହି ପୁଣି ମହା-ସରସ୍ବତୀ ।

ସେ ପରମ ଜେହୋବା-ଆଲ୍‌ହା ମାତାମହୀ ଦେବୀ ଭଗବତୀ।

ସେ ପୁରୁଷ, ସେହି ନାରୀ, ଆପଣାର ଆପେ ପ୍ରତିଦ୍ବନ୍ଦ୍ବୀ;

ନିଜ ଗଢ଼ା ବନ୍ଦୀଶାଳେ ନିଜକୁ ସେ କରିଥାଏ ବନ୍ଦୀ;

ଅଣୁରେ ସେ ଅବସ୍ଥିତ, ବ୍ରହ୍ମାଣ୍ଡଠୁ ଆହୁରି ବିଶାଳ;

ସୂକ୍ଷ୍ମ ସ୍ଥୂଳ ଆଧାରିତ, ସେହି ପୁଣି ତହିଁରେ ଅଧାର;

ଏକ ବ୍ରହ୍ମ, ଅଦ୍ବିତୀୟ , ଜ୍ଞାନାତୀତ, ଅବ୍ୟକ୍ତ ଅଲେଖ,

ଘଟେ ଘଟେ ପ୍ରକଟିତ, ସର୍ବବ୍ୟାପୀ ସେ ପୁଣି ଅନେକ।

ଖୋଜି ଖୋଜି ବୃନ୍ଦାବନେ ନିଧୁବନେ ରାଧିକା ବିଧୁରା;

ତୋ କୁଞ୍ଜେ ଲୁଚିଛି କୃଷ୍ଣ, ମଥାପିଟୁ ଗଲା ଯେ ମଥୁରା।

ହେ ସଂଦିଗ୍ଧ,

ଜୀବନର ସୀମା ଆଙ୍କିଦିଅ କାଳାତୀତ ମହାକାଳେ,

ନିଜସତ୍ତା ଯୋଗକର ଅବିକଳ୍ପ ଅନନ୍ତ ସତ୍ତାରେ,

ମହାକାଶ ପ୍ରତିଛବି ଫୁଟିଉଠୁ ଶିଶିର ବିନ୍ଦୁରେ;

ବନ୍ଧନର ବନ୍ଧ୍ୟାଲତା ଗର୍ଭବତୀ ମୁକ୍ତିର ମୁକୁଳେ;

ବିକାଶର ଧାରା କେବେ ହଜାଇନି

 ସୃଷ୍ଟି ମହୋତ୍ସବ;

ମରଲୋକେ ଅମରତ୍ବ; ନର ଦେହେ

ଦେବତ୍ବ ସମ୍ଭବ;

ବିକଶିତ ତୋ ମାନସେ ଅତୀନ୍ଦ୍ରିୟ

ଦିବ୍ୟ ସେ ଆଲୋକ ।

ଯୋଗ ହେଉ ପୂର୍ଣ୍ଣ

ନମିଛି ଅତିମାନସ;

ବର ନର ହେବ ଅବତୀର୍ଣ୍ଣ।

ଈଶାବାସମିଦଂ ସର୍ବ ଯତ୍‌ କିଂଚ ଜଗତ୍ୟାଂ ଜଗତ୍‌;

ପରମୋଚ୍ଚ ପ୍ରଭୋ ସତ୍ୟ ନିତ୍ୟ ତ୍ବମେବ କେବଳମ୍‌।

 

ଓଁ ତତ୍‌ ସତ୍‌




+ -

© Jataayu Charitable Trust
Site designed,developed & maintained by Tekons