ନାଗଭୂଷଣ


ଟେବୁଲ ଉପରେ ବିଡାବନ୍ଧା ପାଞ୍ଚଶହ ଟଙ୍କା ଭେଟି;

ଦାରୋଗା ପଢ଼ୁଛି ଚିଠି:

ପଠାଇବା ପ୍ରାନ୍ତଲୁଗାରୁ ଚିନାରା ରେଡି-

କାଲି ରାତି ଅଧରେ ପାଖ ଗାଁରେ

ଚାଲିଥିଲା ତାଙ୍କ ଗୁପ୍ତ ବୈଠକି।

ଧାର୍ଯ୍ୟହେଲା; ନିପାତ କରିବେ ଗୋତି

ଓ ଗୋତିଦାରଙ୍କୁ,

ମହାଜନି ଓ ମହାଜନଙ୍କୁ,

ମୁନାଫା ଓ ମୁନାଫାଖୋରଙ୍କୁ।

ବାବୁ ବଞ୍ଚାଅ ଏମାନଙ୍କ ଆତଙ୍କୁ।

ସେମାନେ ବାନ୍ଧିଛନ୍ତି ମେଣ୍ଟ;

କାହାକୁ ମୁଁ ବିଶ୍ବାସ କରିପାରୁ ନାହିଁ,

କୋଠିଆ ଚାକର, ଭଣଜା ପର୍ଯ୍ୟନ୍ତ।

 

ଦାରୋଗା ଲେଖିଛି ରିପୋର୍ଟ

ନାଗଭୁଷଣ ମସ୍ତବଡ ଡାକୁ;

ଲୋଡା ପାଞ୍ଚଶହ ରାଇଫଲ୍‌

ସେମାନଙ୍କୁ କାବୁ କରିବାକୁ।

 

ଡ଼ାକୁ ନାଗଭୂଷଣ ଫଟୋ

ଥାନାର କାନ୍ଥରେ ଝୁଲେ;

ପାଞ୍ଚସହ ରାଇଫଲ ମୁନ

ଘେରାଉ କରେ ଆଦିବାସୀ ପଲ୍ଲୀ;

ପାହଡୁ ପାହାଡେ ଘୁରିବୁଲେ।

 

ଆସାମୀ ଗ୍ରେପ୍ତାର ହୁଏ

ବିଚାର ଚାଲେ ମାସ ମାସ

ରାୟ ହୁଏ ଫାଶି

ଦୋଷ ତା’ର ଗୁରୁତର

ସେ ଚାହିଁଥିଲା ଶୋଷଣର ଶେଷ;

ଏ ଜଗତେ ରହିବେନି କେହି ଉପବାସ।

 

ଉକ୍‌ଲା ପରଜା ଜମି ମାଣେ ଦୁଇପାଆ

ମାଣକେ କରେ ଲଙ୍କା ବିରି,

ବାକିତକ କରେ ମାଣ୍ଡିଆ;

ହସି ସେ ଦେଲା ଶୁଣି ସେ ରାୟ,

 ହସିଦେଲା ସେ ବେପର ବାଏ।

 

କହିଲା: ସରକାରଟା ବୋକା,

କାରଣ,

ସେ ନାଗଭୂଷଣ

କଦାପି ନୁହେଁ;ନାଗଭୂଷଣ ପକ୍‌କା।

 

ଅସଲି ଯିଏ ଅସଲି ପକ୍କା

ହଳଦିମଖା ନାଗର ବଚ୍ଚା,

ତାକୁ ଧରି କେଳାର ପୁଅ ଜନମି ନାହିଁ ନାହିଁ-

ସିଏ ରହିଛି ବିଲମାଳରେ ପାହଡ ବନ ଛାଇ

ସିଏ ରହିଛି ପାଣି ପବନେ ବିଜୁଳି ପରି ଗତି,

ଶୋଷଣ   ଶିରେ ମରଣେ ଚୋଟ

ମାରିବ ସେ ତ, ଯିବନି କେବେ ହଟି।

 

 ସେ ରହିଛି ଚାଳିଆ ଘରେ ଅଳିଆ ତଳେ ତଳେ

କାଳିଆ ଦେହ ମସିଆ ଲୁଗା ଜନତା ମେଳେ ମେଳେ;

ନାଗଭୂଷଣ ନୁହେଁରେ କେହି-ଆମରି ମୂକ ଭାଷା

ତା’ଠାରେ ଫୁଟେ ଦଳିତ ପ୍ରାଣ ଦଳିତ ଜନ ଆଶା।

ନାଗର ବଚ୍ଚା ଲହୁରେ  ଆମ ନାଚେ

ଗହୀର ବିଲୁ ଚେରରୁ ଟାଣି ଅବୀଜ ଯେତେ ବାଛେ।

 

ବାଳୁଙ୍ଗା ବଛା ଚାଲିବ ଏଥି ସାଗର ଢ଼େଉ ଭଳି

ବାନ୍ଧୁଥା ଯେତେ ଆଇନ୍ ବାଡ , ଆଣୁଥା ମିଳିଟାରି

ବାଲୁଙ୍ଗାବଛା ଚାଲିବ ଏଥି ସାଗର ଢ଼େଉ ଭଳି।

ମକ୍‌ରାମ୍‌। ରାତିରେ ଟେବୁଲ୍‌ ଭାଙ୍ଗେ,

ଦିନରେ ବିକେ ରୁଟି;

ରାସ୍ତା ପରେ ଅକସ୍ମାତେ ମୋତେ ସିଏ ଭେଟେ

ପଚାରିଲା, ‘କମ୍ରେଡ ନାଗକୁ ହୁକୁମୁ ହେଲା ଫାଶି?’

 

ଉତ୍ତର ତା’ର ଲୋଡା ନଥିଲା;

କ୍ଷୁବ୍‌ଧ ଛାତି ପଡୁଥିଲା ଫାଟି।

ସେ କହିଲା ଇଛାହୁଏ ବାବୁ,

ଭାଙ୍ଗି ଜେଲ୍‌ ଭାଙ୍ଗି ସେଲେ

ୱାର୍ଡର ମୁହେଁ ବସାଇ ଶକ୍ତ ମୁଥି

 

ଛିନ୍‌ଲିଅନ୍ତି ହାମ୍‌ର ନେତା, ହାମ୍‌ର ସାଥୀ।




+ -

© Jataayu Charitable Trust
Site designed,developed & maintained by Tekons