ପଦ୍ମତୋଳା


କାଳିନ୍ଦୀର ଜଳେ ଖେଳେ ବିଷକନ୍ୟା

ବିଷକନ୍ୟା ଖେଳେ ଖେଳେ

କାଳିନ୍ଦୀର ଜଳେ।

 

ଆବାଳ ବନିତା

ନର ବା ଦେବତା

ଯିଏ ତହିଁ ଝାସେ

ଜଳିଯାଏ ତା ଖର ନିଃଶ୍ବାସେ।

 

ତା କ୍ରୂର ନିଃଶ୍ବାସେ 

ଜଳେ ଚର୍ତୁଦିଗ,

ଜଳ ସ୍ଥଳ ଓ ଆକାଶ

ଜଳେ ହା ହୁତାଶ

ଜଳେ ତପ୍ତ ଅସନ୍ତୋଷ।

 

ବିଷକନ୍ୟା ହୋରିଖେଳେ

ହଳାହଳେ

କାଳିନ୍ଦୀର ଜଳେ।

ସେ ତ ଖେଳି ଥିଲା ଏହି ଖେଳ

ଦ୍ବାପରେ,

ପୁଣି ଖେଳେ କଳିକାଳେ;                                                                                                                                                                                                                                                                                                                                                                                                                                                                                                                                      

କାଳେ କାଳେ

ବିଷକନ୍ୟା ଖେଳେ

ହଳାହଳେ।

 

ଅଶୋକା ହୋଟଲ

ରାତିସାରା

କାବାରେଟ୍‌ ଗାର୍ଲ ନାଚେ;

ଟ୍ରେ-ଭରା ରଙ୍ଗୀନ ବୋତଲ,

ଗ୍ଲାସରେ ଗ୍ଲାସ ବାଜେ-

ଟିଂ ଟାଂ ଟିଂ ଟାଂ…

ମଧୁର ସେ ଧ୍ବନି।

ତୋରା ଆଲୁଅରେ

ଭରା ଗ୍ଲାସ ପୁଣି-

ଦିଲ୍‌ଖୁସ ଆସ୍‌ମାନି।

 

ନିଶୀଥ ପ୍ରହରେ

ବିଷକନ୍ୟା ମଜଗୁଲ୍‌

ଅଶୋକା ହୋଟେଲେ

ସମ୍ଭ୍ରାନ୍ତ ମହଲେ

ମସିଅଁ ମାଁ ମାଁ ଦଳେ ଦଳେ

ନାଗ-ନାଗୁଣୀ ହଳେ ହଳେ

ବଲ୍‌ ଡାନ୍‌ସ ଚାଲେ।

ଗ୍ଲାସେ ଆଉ-

ଜାଜ୍‌ ଗାନା ସେ ଗାଉଛି-

ଗାଉ ଗାଉ;

ମୋ ବେକରେ

ଜଡିଗଲା କା’ର ବାହୁ!

ନାହିଁ ପରିଚୟ;

କ୍ଷତି କଣ?

ଜୀବନ ତ

ମୁହୂର୍ତ୍ତର ଢ଼େଉ।

 

ରାତିକର ସାଥୀ

ସାର୍ଥକ ହେଉ

ଏଇ ରାତି,

ଆମର ଏ

ନାଇଟ୍‌-କ୍ଲବ-ପାର୍ଟି

ଜାଜ୍‌ ଗାନା ସେ ଗାଉଛି

 ଗାଉ ଗାଉ,-

ଏ ଜୀବନ ମୁହୂର୍ତ୍ତକ ଢ଼େଉ।

ନିଶାର୍ଦ୍ଧରେ କାବାରେଟ୍‌ ନାଚେ;

ମଧ୍ୟାହ୍ନରେ କ୍ୟାବିନେଟ୍‌ ବସେ;

ସମସ୍ୟା ଅନେକ

ଭାବୀ ନିର୍ବାଚନ

ରଖି ଆଖି ଆଗେ

ଆଙ୍କିବାକୁ ହେବ

ଯୋଜନାର

ସୁଚିନ୍ତିତ ରୂପରେଖ।

ସମସ୍ୟା ଅନେକ।

ଲକ୍ଷ୍ୟ ଆମ ସାମ୍ୟବାଦ;

ଧ୍ବନି ତୋଳ ‘ଗରିବୀ ହଟାଅ’

ଜିଣିବାକୁ ହେବ ଜାଣ

ଆଗାମୀ ଚୁନାଓ।

ନାଗକନ୍ୟା ଜାଲ ଦେଲା ପାତି;

ଗୋକୁଳରେ ନାହିଁ କେହି

ଯିବ ଚାଲି ସେ ଜାଲକୁ କାଟି

ବିଷକନ୍ୟା ଖେଳେ ଖେଳେ

କାଳୀନ୍ଦିରେ ଅବହେଳେ।

 

ମୁଖେ ତାର ସୃଜନର ମଧୁଛନ୍ଦ,

ଆଶୀର୍ବାଣୀ ଶୁଭଙ୍କରୀ,

ମାରଣର ନାରାକୀୟ ଲୀଳା ଯେତେ

ଗର୍ଭେ ଅଛି ଭରି।

ସୁସୁ ଡାକ ସେଇ ଉଦ୍‌ଗାରୁଛି ବିଷ;

କୁକର୍ମର ଆଦି ପର୍ବେ

ଆଲ୍ଲାରେ କୁର୍ଣ୍ଣିସ୍‌।

ମଥାରେ ଝଟକେ

ମଣିର ମୁକୁଟ

ମୋହିନୀ ତା ରୂପ;

ଅତର୍କିତ ହତ୍ୟାରେ ସେ

ଘାତୁକ ଉତ୍କଟ,

ମୃତ୍ୟୁ ସରୀସୃପ

ମୋହିନୀ ତା ରୂପ।

 ଦେଶସାରା

ବିଛାଇଛି

ମୟାଜାଲ।

ତା ଖୁଣ୍ଟକୁ ଟାଣ କରେ

ଡେଭିଲ୍‌ ଦଲାଲ୍‌।

 

ମହୀୟସୀ ସେ ବିଷକନ୍ୟା

ମହାମାନ୍ୟା

ଦହିଛି ତ, ଦହିବ ଗରଳେ

ଗୋକୁଳ ଗୋପବାଳ

ସରଳ ସକଳେ।

 

କାଳିନ୍ଦୀରେ ଦେଖ ହେରାଫେରା ଖେଳ

ନାଚି ଛନ୍ଦେ ଉଦ୍‌ଗାରେ ଅନଳ।

ସେ ଅନଳେ ଜଳିଯାଏ ପଦ୍ମଯେତେ

କାଳିନ୍ଦୀ ହ୍ରଦରେ;

ସେ ଗରଳେ ଝାଉଁଳିଛି ତରୁଲତା

ଯେତେ ଗୋକୁଳରେ

ସେ ବିଷରେ ଝଡିପଡେ ହାଡୁଁ ମାଂସ,

ଶୁଖିଛି ରକତ

ଉପବାସେ ହାତପାତେ

ଶ୍ୟାମଳୀ ମା ହତଶ୍ରୀ ଭାରତ।

 

ଗୋକୁଳରେ ଘୋଟିଛି ଦୁର୍ଭିକ୍ଷ,

ଗୋପପୂରେ ଘୁରି ବୁଲେ ବାତ୍ୟା,

ଯମୁନାରେ କୁଳ ବୁଡା ବନ୍ୟା;

ଆନନ୍ଦରେ ତାଳିମାରେ ବିଷକନ୍ୟା।

 

 

ଅନାହାର,

ଅତ୍ୟାଚାର,

ଅବିଚାର,

ଭସ୍ମ ସର୍ବନାଶ;

ଦିଗେ ଦିଗେ

ବଢ଼ିଚାଲେ ପଚାସଢ଼ା

କୁଢ଼ କୁଢ଼ ଲାସ।

 

ମହୋତ୍ସବେ ମହୋଲ୍ଲାସେ ମହାମାନ୍ୟା

କାଳିନ୍ଦୀରେ ଖେଳୁଛି  ବିଷକନ୍ୟା

ତୋଳି ଶତ ଫେଣା;

ଘେନେ ଭୀତିର ବନ୍ଦନା।

 

ଖେଳୁଛି ସେ କାଳିନ୍ଦୀ ହ୍ରଦରେ

ନିର୍ଦ୍ବନ୍ଦ୍ବରେ।

ଖେଳୁ… ଖେଳୁ…

ଖେଳିବ ସେ ଏହିପରି,

ତୋଳିବ ଲହରି,

ଥରାଇବ ଗୋପପୁରୀ,

ମରାଇବ କୁଆଁର କୁଆଁରୀ

ଖେଳୁଛି ସେ, ଖେଳୁ ଖେଳୁ..

ହମଗିରି ଶିହରାଇ ବାଜୁଛି ଡମ୍ବରୁ…

ଆଚମ୍ବିତେ ଶୁଣୁ ଶୁଣୁ ଦେବବାଣୀ ଶୁଭୁଛି ଅମ୍ବରୁ

ଚିରି କ୍ରୂର ବନ୍ଦିଶାଳ,

ଅମା ଦେହୁ  ପୋଛି କଳା

ରୂପ ନେବ ଶ୍ୟାମ ତୋର

କୋମଳ କଠୋର

ବ୍ରଜଧୂଳି ଅଙ୍ଗେ ବୋଳି

ଗୋଷ୍ଠମେଳେ ଆସିବ ଗୋକୁଳେ;

ଛନ୍ଦା ତା ଚରଣ ବେନି

ଥାପିବ ସେ କଳାଦାଗ ଚୂଳ

ଥାପିବ ନିର୍ଭୟ

ଏକାନ୍ତ ନିର୍ଦ୍ଦୟ।

 

ରକ୍ତରଙ୍ଗା ଶକ୍ତପାଦେ ନାଚିବ ସେ, ରଚିବ ତାଣ୍ଡବ,

ବେଣୁ ତା’ର ଫୁଲି ଫୁଲି ତୋଳୁଥିବ ଗାନ ଅଭିନବ;

ଗାଉଥିବ ପଦ୍ମତୋଳା, ଅସଂଭବେ କରିବ ସମ୍ଭବ;

ଦୁଷ୍କୃତିର ପରାଜୟ, ଦୁର୍ଜୟର ଧ୍ରୁବ ପରାଭବ,

ସୃଜିବ ବିସ୍ମୟ।

ସେ ଜନ୍ମିବ, ସେ ଆସିବ, ସେ ନାଚିବ

 

ନିଶ୍ଚୟ ନିଶ୍ଚୟ।




+ -

© Jataayu Charitable Trust
Site designed,developed & maintained by Tekons