ପ୍ରବାଳଦ୍ବୀପରେ ଲବଙ୍ଗଲତା


ମୁଁ କୋମଳ କବି:

ଦୂରେ ରଖି ଜୀବନର ଜ୍ବାଳାମୟର କ୍ରୂର

ପରିବେଶ,

କୁଟିଳ ଜଟିଳ ତିକ୍ତ ହାତାହାତି ରକ୍ତାକ୍ତ ସଂଘର୍ଷ

‍‍ଭାବ ଓ ଭାଷାରେ ଫୁଟେ

ଚିତ୍ରକଳ୍ପ ଫୁଟାଏ କରବୀ।

ମୁଁ କୋମଳ କବି:

ରୁଦ୍ଧ କରି ବାତାୟନ ନିଭୃତ ପ୍ରକୋଷ୍ଠେ

ପ୍ରଗାଢ଼ କରେ ଚୁଂବନ ଅଧରେ ଓ ଓଷ୍ଠେ

ରୂପାନ୍ବିତ ରସମତୀ ତନ୍ବୀ ତରୁଣୀର;

(ଅବାସ୍ତବ କଳ୍ପନାମୁଣିରେ)

ଅଭିଶାପେ ଜର୍ଜରିତ ପରି        ବ୍ୟାପ୍ତ ସାତତାଳ ପଙ୍କ

ଫାଙ୍କି ଦେଇ ନୌକା ମୋର ଭାସିଯାଏ…

ଭାସିଯାଏ, ଭାସିଯାଏ

ଦୂରେ ବହୁଦୂରେ

ଯହିଁ ପୁଷ୍ପିତା ଲବଙ୍ଗ।

 

ଲବଙ୍ଗ ଦ୍ବୀପରେ-

ଜଳେ ଭଳି ଭଳି କେତେ ହୀରାନୀଳା ମାଣିକ ଓ ମୋତି।

ପ୍ରବାଳ ପାହାଚେ ମୋତେ ରାଜକନ୍ୟା ନିଏଟି

ପାଛୋଟି

ଶୃଙ୍ଗାରର ରାଣୀହଂସପୁରେ;

ବିଞ୍ଚିଦେଇ ସ୍ବେଦବିନ୍ଦୁ

ସ୍ବପ୍ନବୁଣା କୁଂଚିତ ଦୁକୂଳେ

ପୁଚ୍ଛେ ବାରମ୍ବାର ପ୍ରୀତି ସମାଚାର:

‘କହ ପ୍ରିୟା…’।

ଛିନ୍ନ ହୁଏ ଯତ୍ନେ ଗୁନ୍ଥା ହାର

ପୂର୍ଣ୍ଣ କରି କରପୁଟେ କୁଚର ସମ୍ଭାର।

X      X     X     X

ତୁମେ ୟାକୁ କହିପାର ତୁଚ୍ଛ ମିଥ୍ୟାଚାର।

ମୁଁ କୋମଳ କବି

ମନଗଢ଼ା ଛବି ନେଇ

ତୋଳେ ମୁଁ ସଂସାର;

କଳ୍ପନାପୁରୀର ମୁହିଁ ଧନୀ ସୌଦାଗର।

 

ତୁମର ଏ ପୃଥୀ ସତେ

କେଡେ ଭୟାନକ!!

ଧପ୍‌ପାବାଜ, ଜୁଆଚୋର, ଡାକୁ ,ଖୁନି,

ସାଧୁବେଶ ଠକ!!

ମୃତ୍ୟୁର ଦୁନ୍ଦୁଭି ଶୁଭେ କାନେ କାନେ

ଭୟଙ୍କର ଅତି;

ଜଳିଯାଏ ପଲ୍ଲୀପୁର, ଦିଗେ ଦିଗେ…

କ୍ଷୟ ଆଉ କ୍ଷତି।

ଜାଳିବାକୁ ଚାହେଁ ତାହା ସବୁ କିଛି।

 

ମୁଁ ନାଚାର, ନାଚାର

ସୃଷ୍ଟି ପଛେ ନାଶଯାଉ

ଆପାଣାକୁ କରିବି ଉଦ୍ଧାର!

 

ବୁଜିଦେଲେ ଆଖି।

ଦାରିଦ୍ର୍ୟ, ଶୋଷଣ, ଦ୍ବନ୍ଦ୍ବ, ସବୁ ମିଛ-

ଆପାଣାର ଆପେ ଆଛି ସାକ୍ଷୀ।

 

 




+ -

© Jataayu Charitable Trust
Site designed,developed & maintained by Tekons