ଭାରତ ବନ୍ଦନା


ପବିତ୍ର ମୋ ସମ୍ବିଧାନ, ପବିତ୍ର ତ ଭୋଟ;

ସତ୍ୟ, ନ୍ୟାୟ, ଗଣତନ୍ତ୍ର ଲାଗି ପାସ୍‌ପୋର୍ଟ।

ସାର୍ବଭୌମ ପାର୍ଲାମେଣ୍ଟ, ମନ୍ତ୍ରିତ୍ବ ଜାହିର;

କଳିଯୁଗେ ରାମ ରାଜ୍ୟ ନୌକାରସାହିର।

 

ଗନ୍ଧମାର୍ଦ୍ଦନ ଥାପିଲା ପ୍ରାୟ ହନୁମାନ

ଆମ୍ବେଦକର ରୋପିଲେ ଆମ ସମ୍ବିଧାନ

ବ୍ରିଟେନର ବୀଜ ଆଉ ଆମେରିକା ସାର,

ତହିଁରୁ ଫୁଟିଲା ଛତୁ ମୌଳିକାଧିକାର।

ଆମ୍ବେଦକର ଯେ ଜାଣ ମନୁ କଳିକାଳେ;

ଆଧୁନିକ ଶାସ୍ତ୍ରକାର ବିଧାନବିଦ୍ୟାରେ;

ସୃଷ୍ଟିକଲେ ବ୍ରହ୍ମାଣ୍ଡ ସେ ଏ ଯୁଗର ବ୍ରହ୍ମା,

ଖଣ୍ଡ ଖଣ୍ଡ ହେଲା ଅଣ୍ଡା ନ ଧରେ ଉଷୁମା।

 

ଖଣ୍ଡିତ ଭାରତବର୍ଷେ ପଣ୍ଡିତ ନେହେରୁ

ବିଶ୍ବାମିତ୍ର ସୃଜିଲେ ଯେ ଧର୍ମଛଡା ତରୁ

ବିଂଶ ବର୍ଷେ ହେଲା ତା’ର ତ୍ରିଂଶ ସଂଶୋଧନ,

ମୌଳିକ ଯେ ଅଧିକାର ମୂଳରୁ ଛେଦନ।

 

ଏ ବୃକ୍ଷର ପତ୍ରେ ପତ୍ରେ ତକ୍ଷକର ବାସ

କଷି ଧରି ଅପର୍ଯ୍ୟାପ୍ତ, ଫଳେ ସର୍ବନାଶ;

ଡାଳେ ଡାଳେ ଲୋଟିଯାଏ ଯୋଜନା –କଳିକା;

ଫିଟିଲେ ଫାଟିଲେ ଜାଣ ବେଲୁନ୍‌ ଭଳିକା। 

 

ସଂଜୀବିତ ରାମରାଜ୍ୟେ ଶୁଦ୍ଧ ଗଣତନ୍ତ୍ର

ଦାରିଦ୍ର୍ୟ କବଚେ ଲେଖା ସାମ୍ୟବାଦ ମନ୍ତ୍ର,

ନିରାପତ୍ତା ଦାୟେ ଚାଲେ ଆଶ୍ରିବା ଗାରଦ

 

ନମୋ ନମୋ ଦାରୁଭୂତ ଇଣ୍ଡିଆ ଭାରତ।




+ -

© Jataayu Charitable Trust
Site designed,developed & maintained by Tekons