କପୋତୀ ଡ଼ାକୁଛି


ଫାଶୀଦିଅ ବାରେ        ଡାକୁଛି ଡାହୁକ;

ଆଖି ବାନ୍ଧିଦେଲା        କାଉଁରୀ କୁହୁକ;

    ଯେତେ ଥିଲା ପଥ

କଜଳ କଳାରେ                   ସବୁ ହେଲା ଏକ।

  ଉଠରେ ପୁତା, ଉଠ!

 

ଦଶଦିଗ ପାଳ            ହେଲେଣି ରେ ଅନ୍ଧ;

ମଶାଣି ବିଛୁଡେ                    ଫୁରୁକୁଟା ଗନ୍ଧ;

     ଚିତାଚଉପାଶେ

ବିଂଶବାହୁ ତୋଳେ      ନାଚୁଛି କବନ୍ଧ।

             ଉଠରେ ପୁତା, ଉଠ!

 

ପଲ୍ଲୀପୁରେ ଏବେ       ଘୋଟିଛି ଅନ୍ଧାର;

ବୁଢ଼ା ଦାଗୀ ବାନ୍ଧେ       ପାଗ ଚୌକିଦାର;

        ଡାହାଣୀ ହାତରେ

କଅଁଳା ଶିଶୁକୁ           ପାଳିବାର ଭାର।

            ଉଠରେ ପୁତା, ଉଠ!

 

ପିତ୍ତଳ ମାରୁଛି            ସୁର୍ବର୍ଣ୍ଣ ଝଟକ;

ଶୋଇ ରହିଲେ ତ      ଅନ୍ଧାରୀ ଅଟକ;

    ଯେତେ ଯାହା କଲେ

ନ ପୂରିଲା ତୋର        ଉଧାର ମାଣକ।

   ଉଠରେ ପୁତା, ଉଠ!

 

ଲକ୍ଷେ ଅକ୍ଷୌଣୀରେ    ସାଜିଛି ସେ ବଳ;

ତୋ ପକ୍ଷେ ସାରଥୀ     ନ୍ୟାୟର ପ୍ରବଳ,

     ନିର୍ମଳ ତୋ ଚିତ୍ତ,

ସତ୍ୟବାନ ତହିଁ           ଉଡେ ‍ଫର ଫର।

           ଉଠରେ ପୁତା, ଉଠ!

 

ଗରେଜେ ତୋ ପକ୍ଷେ   ଦୁର୍ନିବାର ଝଡ,

ଗଢ଼ିଛି ତୋ ବାହା        ଦଧୀଚିର ହାଡ;

        ମନ ଆଣ୍ଟ କଲେ

ଲଙ୍ଘିଯିବୁ ହେଳେ        ଆକାଶୀ ପାହାଡ

       ଉଠରେ ପୁତା, ଉଠ!

 

ତା ବୁକେ ଜଳୁଛି         ଅଲିଭା ସଳିତା;

ଅନ୍ଧାର ସେପଟେ        ଉକୁଟେ ସବିତା;

   ଲହୁ ଦେଇ ତୋତେ

ଲେଖିବାକୁ ହେବ        ଜୀବନ କବିତା।

 

  ଉଠରେ ପୁତା, ଉଠ!




+ -

© Jataayu Charitable Trust
Site designed,developed & maintained by Tekons