ମୀଡ଼ାସ


ରାସ୍ତାରେ ରାସ୍ତାରେ ମର୍କରୀଲାଇଟ୍‌ ପଲଟନ:

-ସେମାନେ ପାଳୁଛନ୍ତି

ଅନ୍ଧାରକୁ କବର ଦେବାର ମହୋତ୍ସବ।

କାନ୍ଥରେ କାନ୍ଥରେ ଆଲୋକର ଆତସବାଜୀ,

ପ୍ରତି ପ୍ରକୋଷ୍ଠ ଧପ୍‌ ଧପ୍‌ କରି ଉଠୁଛି

ସଭ୍ୟତାର ବିଜୟୋଲ୍ଲାସରେ।

…ଜହ୍ନ ଯାଇଛି ହଜି;

…ଜ୍ୟୋତ୍ସ୍ନା ଯାଇଛି ଲିଭି।

 

ଜେଟ୍‌ ବିମାନରେ ଘୁମୁରାରେ ଆକାଶ ଆଚ୍ଛନ୍ନ

କାରଖାନାର ହୁଟୁ ହୁଟୁ ଶବ୍ଦ

ବାୟୁମଣ୍ଡଳରେ ଖେଳାଇ ଦେଇଛି କର୍ମତତ୍ପରତା;

ତାଳ ମିଳାଇ ଏକମୁଖୀ ସଂଖ୍ୟାହୀନ ପାଦ ଧାବମାନ।

 

ନଗରକୁ ପ୍ଲାବି

ବିସ୍ତାରିତ ଯାଇଛି ଦୁରନ୍ତ ପଲ୍ଲୀକୁ-

ଶ୍ରେଷ୍ଠ ଗାୟିକାର କଣ୍ଠେ ମତାଣିଆ ଆମନ୍ତ୍ରଣ

ପରଦେଶୀ ପଥଚାରୀକୁ ଇଙ୍ଗିତ ଦିଏ

ମୋଗଲୀ ପରିବେଶରେ ସଜ୍ଜିତ ଷ୍ଟଲ୍‌ରେ

ନିଜକୁ ହଜାଇ ଦେବା ଲାଗି।

ହୋଟଲର ପ୍ରତିଟି କୋଠରୀ

ଗୁଞ୍ଜରି ଉଠିଛି ପରୀପୁରୀ ସଂଗୀତ ମୂର୍ଚ୍ଛନାରେ।

…କାକଳୀ ହୋଇଛି ସ୍ତବ୍ଧ;

…ନିଶବ୍ଦ ହାହାକାର

ଚିତ୍କାର କରୁଛି

ଶୂନ୍ୟତାର ପ୍ରାଣକେନ୍ଦ୍ରରୁ।

 

ଯୋଜନାର ନଗରୀ ୟେ ନଗରୀରେ ନଂ ୧;

୨୮୯ ଅଟ୍ଟାଳିକା, ପ୍ରତିଟି ୨୨ ତାଲା,

ପ୍ରତିଟି ତାଲାରେ ୧୩୫ ସୁଟ,

ସବୁଥିରେ ମଡର୍ଣ୍ଣ ସରଞ୍ଜାମ୍‌;

ଲନ୍‌, ସ୍ବିମିଙ୍ଗପୁଲ, ପାର୍କ, ଷ୍ଟାଡିଅମ୍‌,

କିଣ୍ଡରଗାର୍ଟନ, ସ୍କୁଲ, କଲେଜ, ୟୁନିଭର୍ସିଟି,

ନର୍ସରୀ, ଡାକ୍ତରଖାନା, ଲାଇବ୍ରେରୀ, ମ୍ୟୁଜିୟମ୍;

କିଛି ପଡି ନାହିଁ ବାଦ।

ସଭିଙ୍କ ଲାଗି କର୍ମସଂସ୍ଥାନ, ନିରାପତ୍ତା ବ୍ୟବସ୍ଥା;

ଜନ୍ମଠାରୁ ଶବାଧାର ସବୁ ନିୟନ୍ତ୍ରିତ;

ସମୃଦ୍ଧିର ମାଷ୍ଟର ପ୍ଲାନ

ନିର୍ଭୁଲ କମ୍ପ୍ୟୁଟର ଭଳି।

ପ୍ରାଣ ଯାଇଛି ଶୁଖି;

 

ମୁଁ ଯାଇଛି ମରି।




+ -

© Jataayu Charitable Trust
Site designed,developed & maintained by Tekons