ପତାକା


ବନ୍ଧୁ ତୋଳିଧର ତୋଳିଧର

ସେ ପତାକା

ଅଙ୍କେ ଯାର ସୂର୍ଯ୍ୟ ରାଜେ ପୂର୍ଣ୍ଣତେଜେ,

ଆରପଟେ ଶରତର କମନୀୟ ଇନ୍ଦୁ |୦|

 

ସଂଗ୍ରାମେ ଯେ ଅଗ୍ରଦୂତ, ଅବିନୀତ ଶିର

ପ୍ରାଣୀ ପୂର୍ଣ୍ଣ ଭକ୍ତି ଅର୍ପେ ଯାକୁ ବସ୍ତି ଓ କୁଟୀର,

କ୍ରୀତଦାସ ପଦଧୂଳି ମାଖି ତା କପାଳେ

ବରାଭୟ ଦିଏ ଯେହୁ ବିଶ୍ବଜନତାରେ

ଝରେ ଯାର ପଟୁଆରେ

ବିଦ୍ଧବକ୍ଷୁ ରକ୍ତ ବିନ୍ଦୁ ବିନ୍ଦୁ |୧|

 

ମିଥ୍ୟାର କୁହେଳି କାଟି ଆଲୋକସରଣୀ

ଶୋଷଣରୁ ଶାପମୁକ୍ତ ସୁଶାନ୍ତଧରଣୀ

 କରିବାକୁ ପଣ ଯା’ର ; ଆଦର୍ଶେ ଅଟଳ

ଘୋଷେ ଅଚଳ ବିଶ୍ବାସେ: ନିଶ୍ଚିତ ସକାଳ,

ତା’ର ସ୍ବାଗତିକା ଲାଗି

ଲଙ୍ଘି ଚାଲ ସପ୍ତ ମହାସିନ୍ଧୁ |୨|

 

ଦଗ୍ଧ ହୃଦେ ଲେପିଦିଏ ଶାନ୍ତିର ଚନ୍ଦନ,

ବନ୍ଧନକୁ ଛେଦି ଆଣେ ମୁକ୍ତିର ସନ୍ଧାନ,

ଚଣ୍ଡାଶୋକେ ଶିଖାଏ ଯେ ଅହିଂସାର ବାଣୀ

ଭୋଗଠାରୁ ତ୍ୟାଗ ବଡ, ଜୀବନର ଅମୃତ କାହାଣୀ

ମନ୍ତ୍ର ଗାଇ ବିତରେ ଯେ

 

ଭ୍ରାତୃତ୍ବର ସଂଜୀବନୀ ମଧୁ |୩|




+ -

© Jataayu Charitable Trust
Site designed,developed & maintained by Tekons