ଘଣ୍ଟା


ପେଣ୍ଡୁଲମ୍‌ ଦୋଳେ

ବାଏଁ ଡାଏଁ, ଡାଏଁ ବାଏଁ…।

ଘଣ୍ଟା ଚାଲେ ଟିକ୍‌, ଟିକ୍‌ ଟିକ୍‌…।

ଇଏ କହୁଛି : ସେ ଭୁଲ୍‌ , ଆପେ ଠିକ୍‌।

ସେ କହୁଛି: ଇଏ ଭୁଲ୍‌, ସେ ଠିକ୍‌।

ଘଣ୍ଟା ଚାଲେ ଟିକ୍‌, ଟିକ୍‌ ଟିକ୍‌।

 

ପେଣ୍ଡୁଲମ୍‌ ଦୋଳେ ଦୋଳେ

ବାଁରୁ ଡାଏଁ, ଡାଁରୁ ବାଏଁ;

ପାଞ୍ଚ ସାଲେ ଭୋଟ ପାଲା

ଆମେ ତହିଁ ଦେଇଥାଉଁ ରାୟ।

 

 

ଇଏ କହେ ଗରିବ ହଟାଓ! ଦୃଢ଼ ଆମ

ନୀତି,

ସିଏ କହେ ଆମେ ଆଣିଦେବୁ ଦେଶର

ପ୍ରଗତି।

ବସିଛି ଅନେକ ସଭା ବହୁତ ସମିତି;

କିଏ ତୁମେ ବନ୍ଧୁ କୁହ। ବାଘ ଅବା ଭାଲୁ?

ସମୟର ଗତି ତାଳେ ଆମେ ଗଡିଚାଲୁ।

 

ମନେହୁଏ ଏ ସବୁ ଭେଳିକିଲଗା ଟ୍ରିକ୍‌

ଘଣ୍ଟା ଚାଲେ ଟିକ୍‌, ଟିକ୍‌ ଟିକ୍‌…।

ପେଣ୍ଡୁଲମ୍‌ ଦୋଳେ ଦୋଳେ

ଘଣ୍ଟ ଚାଲେ ଏକ ଦୁଇ ତିନି..

ବାର ବାଜେ ତେର ନାହିଁ,

ଗଣୁଥାଏ ମୂଳଠାରୁ ପୁଣି।

 

ଆଖିରେ  ବାନ୍ଧିଛ ତୁମେ ଯେ

ଅନ୍ଧପୁଟୁଳି,

ମେରିଆ ବଳଦ ଭଳି ଚାଲିଛୁଁ ତ ଘୂରି

ସତ ପରି ଲାଗେ ତୁମ ଇନ୍ଦ୍ରଜାଲ ମେଜିକ୍‌

ଘଣ୍ଟା ଚାଲେ ଟିକ୍‌, ଟିକ୍‌ ଟିକ୍‌…।

ଯାଦୁକର ଇତିହାସ ତୁମେ ଗଲ ଭୁଲି,

ଆମେ ରୋମୀୟ ପ୍ରଭୁଙ୍କ ସବୁ ଘଣ୍ଟା ଚୂରି

ଗତିପଥ କରିଥିଲୁ ଏକାନ୍ତ ତୀର୍ଯ୍ୟକ୍‌;  

ଯାତ୍ରପଥେ ଆଣିଥିଲୁ ଅଭିନବ ଦିଗ

ପୁଣିଥରେ

ଆମେ ଯେବେ ଫିଙ୍ଗିଲୁ ଦୁର୍ଦ୍ଦମ

ପ୍ୟାରୀ ପ୍ରାସାଦ ଶିଖରୁ ଲମ୍ବେ ପେଣ୍ଡୁଲମ୍‌;

ଭାଙ୍ଗୁଛି ତ ଏ ଘଣ୍ଟାକୁ କ୍ରେମ୍‌ଲିନ୍‌ ଶିରେ

ରକ୍ତସ୍ନାତ ଶକ୍ତ ହାତେ ମସ୍ତ ହାତୁଡିରେ।

 

ଯାଦୁଗର ଜାଣିରଖ,

ଜନତା ନୋହିଛି ବନ୍ଧା ଘଣ୍ଟା

ଇନ୍ଦ୍ରଜାଲେ।

ପୁଣି-

ତୁମକୁ ଭେଟିବୁ ଆମେ ରକ୍ତାକ୍ତ

ସକାଳେ।

 ତୁମ ଘଣ୍ଟାରେ ସେବେ ବାଜିଥିବ ଛ’ଟା;

ତୁମେ କିନ୍ତୁ ନ ଥିବ;

 

ଥିବ ଖାଲି ଜାଗ୍ରତ ଜନତା॥




+ -

© Jataayu Charitable Trust
Site designed,developed & maintained by Tekons