ମୃଗୁଣୀ ସ୍ତୁତି


ବ୍ୟାଧ ଯେ ବ୍ୟାଧ । ବ୍ୟାଧ ପଡିଛି ତା ଜାଲ

ସେ କରେ ତ ମାଂସ ବେଉସା, ବିକେ ହରିଣର ଛାଲ।

 

ମୃଗୁଣୀର ସଦ୍ୟ ମାଂସେ ପ୍ରଲୁବ୍ଧ ଲୁବ୍‌ଧକ

କରିଛି ସେ ହତ୍ୟା ଲାଗି ଯୋଜନା ବ୍ୟାପକ

ଉତ୍ତରରେ ଜଗାଇଛି ମାରତ୍ମକ ଶ୍ବାନ,

ଦକ୍ଷିଣେ ଜଳୁଛି ବହ୍ନି ଜିହ୍ବା ଲେଲିହାନ;

ନିରନ୍ଧ୍ର ଛନ୍ଦିଛି ଜାଲ ସମଗ୍ର ପଶ୍ଚାତେ,

ସମ୍ମୁଖେ ଜାଗ୍ରତ ବ୍ୟାଧ ଧନୁର୍ବାଣ ହାତେ;

ଲକ୍ଷ୍ୟଭେଦୀ ତୀକ୍ଷ୍ଣ ତୀରେ ଭରା ତାର ତୂଣୀ,

ଶାବକ ସଙ୍ଗତେ ମୁହିଁ ଗର୍ଭବତୀ ପୁଣି;

ଗତି ମୋର ନାହିଁ ଆନ, ପଶିଲି ଶରଣ

ହରିଣୀରେ ରଖ ରଖ ଆହେ ଆର୍ତ୍ତତ୍ରାଣ।

 

ସେ ଡାକ ଶୁଣିଲେ ପ୍ରଭୁ ଗୋଲକବିହାରୀ;

ରଖ ରଖ ହରିଣୀକୁ କହନ୍ତି ହକାରି,

ଚଉମେଘ ଘୋଟିଯାଏ ଇନ୍ଦ୍ରଙ୍କ ଆଜ୍ଞାରେ

ବରଷିଲା କଳା ମେଘ ମୂଷଳ ଧାରାରେ

ଶ୍ବାନ ମଲା ବଜ୍ରାଘାତେ, ବହ୍ନି ଯେ ଲିଭିଲା,

ଜାଲମାନ ଛିନ୍ନଭିନ୍ନ ବତାସେ ଛିଡିଲା;

ବ୍ୟାଧିକୁ ଖାଇଲା ସର୍ପ, ହରିଣୀ ଉଲ୍ଲାସେ

ପ୍ରଭୁଙ୍କୁ ସ୍ମରଣ କରେ ପରମ ସନ୍ତୋଷେ।

 

ତୁହି ତ ସେ ହରିଣୀ ଜନତା

ବାକ୍ୟେ ଯା’ର ନ ସ୍ଫୁରଇ ହୃଦୟର ବ୍ୟଥା।

ତୋତେ ତ ଛକିଛି ବ୍ୟାଧି ଦିଗ ଦିଗ ଘେରି,

ତୋର ରକ୍ତ ମାଂସ ହାଡେ ତ’ର ସୌଦାଗରୀ

ଶୁଣରେ ନିରନ୍ନ!

ଅସହାୟ ଜନତାର ନାହିଁ ଗତି ଅନ୍ୟ;

ପ୍ରାଣ ଭରି ଡାକେ ଥରେ ପ୍ରଭୁଙ୍କୁ ତୋହରି,

ତୋ ପ୍ରଭୁ ଶୁଣିବେ ନିଶ୍ଚେ ଆର୍ତ୍ତର ଗୁହାରି।

 

ତୋ ପ୍ରଭୁ ନାହାନ୍ତି ଜାଣ ଆକାଶ ସେପଟେ,

ସେ ଅଛନ୍ତି ପାଖେ ପାଖେ ଅତ୍ୟନ୍ତ ନିକଟେ

ଖୋଲି ଦେ’ ରେ ଖୋଲି ଦେ’ରେ,

ତୋ ରୁଦ୍ଧ କବାଟ,

ଦୀର୍ଘଶ୍ବାସ, ହା’ ହୁତାଶ ତପ୍ତ ଅସନ୍ତୋଷ,

ବ୍ୟର୍ଥ ଯେତେ ଅଶ୍ରୁଧାରା, ପୁଞ୍ଜିଭୂତ ରୋଷ

ଛୁଟିଯାଉ ଘୂର୍ଣ୍ଣିବାତ୍ୟା ପ୍ରଳୟ ଘଟାଇ

ଅନିବାର୍ଯ୍ୟ ପଥେ ତା’ର-

 

ସେ ତୋଫାନ ଉଠିବନି ବଙ୍ଗୋପସାଗରୁ

ସେ ଝଟିକା ଆସିବନି ହିମାଳୟପାରୁ,

(ଅବା ରୁଷିଆରୁ)।

 

ଜାଗ ହରିଣୀ-ଜନତା ଜାଗ-

ଅନ୍ତର ଆସ୍ଥାନ ଟଳେ;

ଆତ୍ମାର ନିର୍ଦ୍ଦେଶ ମାଗ;

 

ଜାଗ ତୁ ଜନତା ଜାଗ।




+ -

© Jataayu Charitable Trust
Site designed,developed & maintained by Tekons