କବନ୍ଧର କବିତା


ଆମ କାମ ତାଙ୍କ ହାତମୁଠା ଟାଣ କରିବା,

ଚାଲ ଆମେ ତାଙ୍କ ହାତମୁଠା ଠାଣ କରିବା।

ତାଙ୍କ ହାତମୁଠା ଟାଣ କର,

ତାଙ୍କ ବିଂଶବାହୁ ମଜବୁତ୍‌ କର;

ତାଙ୍କ ବିଂଶବାହୁ ମଜବୁତ୍‌ ହଉ,

ତାଙ୍କ କାର୍ଯ୍ୟକ୍ରମ ଆମ କର୍ମ ହେଉ,

ବିଂଶଦଫା ଆମ ଧର୍ମ ହେଉ।୧।

 

ଆମେ ସ୍ବାଧୀନ ହେଲୁ ତାଙ୍କ ଲାଗି

ସ୍ଲୋଗାନ ଦିଅ ଜୟହିନ୍ଦ୍‌।

ଆମେ ଗଣତନ୍ତ୍ର ପାଇଛୁ ତାଙ୍କ ଲାଗି;

ସ୍ଲୋଗାନ ଦିଅ ଜୟହିନ୍ଦ୍‌।

ଆମ ସମ୍ବିଧାନ ଗଢ଼ା ତାଙ୍କ ଲାଗି;

ସ୍ଲୋଗାନ ଦିଅ ଜୟହିନ୍ଦ୍‌।୨।

 

ତାଙ୍କ ଲାଗି ରାମରାଜ୍ୟ ଆରେ ଆସିଲା;

ତାଙ୍କ ଲାଗି ଘିଅ ମହୁ କେତେ ତ ଭାସିଲା;

ତାଙ୍କ ଲାଗି କଳକାରଖାନା ବସିଲା;

ତାଙ୍କ ଲାଗି ସବୁଜ ଖେତ ତ ହସିଲା;

କୀର୍ତ୍ତନିଆ ଭାଇ ବୋଲରେ ବୋଲ,

ପିଟରେ ଗିନି, କରତାଳି ଦେଇ

ପିଟ୍‌ ତୋ ଖୋଳ;

କୀର୍ତ୍ତନିଆ ଭାଇ ବୋଲରେ ବୋଲ।୩।

 

‘ଗରିବୀ ହଟାଓ’ ଆହା କି ମଧୁରବାଣୀ!

ଆମେ ଗରିବଙ୍କ ଲାଗି-

ତାଙ୍କର କି ଦରଦ,

କି ମେହରବାନି!

 

ଗରିବୀ ହଟିବ ଭାଇ, ଗରିବୀ ହଟାଓ,

ଗରିବୀ ହଟିବ ନିଶ୍ଚେ, ଗରିବୀ ହଟିବ,

ଗରିବୀ ହଟୁଛି ଜାଣ, ଗରିବୀ ହଟୁଛି,

 

ଗରିବୀ ଯାଇଛି ହଟି, ଗରିବୀ ହଟିଛି।୪।




+ -

© Jataayu Charitable Trust
Site designed,developed & maintained by Tekons