କବନ୍ଧର କବିତା




ଗଣତନ୍ତ୍ର ଚାଲୁହେଲା ବିଲ୍‌କୁଲ୍‌ କଞ୍ଚା;

ଦି’ ବୋତଲ ଦେଶୀମାଲ୍-ଆଉ ଦୁଇ ଟଙ୍କା ଅଣ୍ଟା ଗୁଞ୍ଜା;

ସମାଜବାଦ ଲାଗିରେ ଭାଇ ସମାଜବାଦୀ ଢ଼ାଞ୍ଚା

ତେଲ ଲୁଣ ପାଇଁ କି ଆଇନ ହେଲା ଖଞ୍ଜା,

ଢ଼ୋଲକି ବଜାରେ, ଢ଼ୋଲକି ବଜାରେ ଭାଇ,

ଢ଼ୋଲକି ବଜା।୫।

 

ବନ୍ଦକର ପ୍ରଜନନ- ବନ୍ଦକର ପ୍ରଜନନ

ପ୍ରଜନନ ଲାଗି ଦେଶସାରା ହୁରିପଡେ,

ହା ଅନ୍ନ ହା ଅନ୍ନ;

ବନ୍ଦକର ପ୍ରଜନନ

ତ୍ରିକୋଣ ଯୋଜନା, ଚାହଁ ମିତ ତ୍ରିକୋଣୀ

ଯୋଜନା, ଆହା ଆହା-

ଚାଲ ତାକୁ ମଲ୍ଲୀମାଳେ କରିବା ବନ୍ଦନା;

ସେ ବନ୍ଦନାରେ ନିହିତ ଯେ ତୋର ସମୃଦ୍ଧି

ପେଗେ ରସ ଲୋଡା ଭାଇ,

କରିନିଅ ଆଗେ ଚିତ୍ତଶୁଦ୍ଧି-।୬।

 

ଦ୍ରାବିଡ ଉତ୍କଳ ବଂଗ,

ଚାଲ ଆମେ ଗଢ଼ବା-ସ୍ବାଗତିକା ସଂଘ;

ସ୍ବାଗତ କରିବା ଆମେ ପୂର୍ବେ ଓ ପଶ୍ଚିମେ

ପଞ୍ଜାବେ ଆସାମେ

ଦକ୍ଷିଣେ ଓ ବାମେ;

ସ୍ବାଗତ କରିବା ତାଙ୍କ ବଚନ ଓ ବାଣୀ,

 

କହିବାର ଠାଣୀ ଏବଂ ନିର୍ବାକ୍‌ ଚାହାଣୀ।

ସ୍ବାଗତ କରିବା

ତାଙ୍କ ସଙ୍ଗ,

ତାଙ୍କ ଅଙ୍ଗ,

ତାଙ୍କ ଢ଼ଙ୍ଗ,

ଗଢ଼ିବା ଚାଲ ସ୍ବାଗତିକା ସଂଘ।

 

ଦେବାରେ ସ୍ଲୋଗାନ୍‌:

ତୁମେ ସର୍ବଶକ୍ତିମାନ,

ତୁମେ ଜଗଦୀଶ୍ବର,

ତୁମେ ହେ ମହାନ୍‌,

ସ୍ବୟଂ ଭଗବାନ୍‌।

 

ଆମେ ତ କବନ୍ଧ

କରୁ ଜୟଗାନ:

ଜନ-ଗଣ-ମନ-ଅଧିନାୟକ ଜୟ ହେ,

ଜୟ ହେ ଜୟ ହେ ଜୟ ହେ

 

ଜୟ ଜୟ ଜୟ ଜୟ ହେ।୭।




+ -

© Jataayu Charitable Trust
Site designed,developed & maintained by Tekons