ମହାନାଟକ




-ପଞ୍ଚମ ଅଙ୍କ-

ବଡ ଆଉ ସାନ

ସବୁ ବିଧି ଭିଆଣ

ସମ୍ରାଟ ସାମନ୍ତ

ସେ ତ ପ୍ରଭୁଙ୍କ ସିଦ୍ଧାନ୍ତ।

ରାଜପଦ:

ଦେବଦତ୍ତ ସ୍ବତ୍ବ

ପକ୍ବ ଶ୍ମଶ୍ରୁ ଧର୍ମରାଜ ବଖାଣୁଛି ବାଇବେଲ-ତ୍ବତ୍ତ

ଅଶ୍ରୁସିକ୍ତ ଭୂମିଦାସ ଆଗେ;

ଅସରନ୍ତି ଜୀବନଟା ପରିପୂର୍ଣ୍ଣ ଦୈନ୍ୟ ଦୁର୍ବିପାକେ।

ଏ ହାତରେ ସୃଷ୍ଟି କଲା ଯାହାକିଛି ସୁନ୍ଦର ସରସ,

ସେ ସବୁ ତ ସାମନ୍ତର;

ଭାଗ୍ୟେ ତା’ର ନିତ୍ୟ ହା଼-ହୁତାଶ

ବୁଭୁକ୍ଷିତ ଭୂମିଦାସ ଦୀର୍ଘଶ୍ବାସେ ପ୍ରଶ୍ନ ତୋଳେ:

-ଏହାର କି ନାହିଁ ଶେଷ, ନାହିଁ ସୀମା

ଦେଶବ୍ୟାପୀ ଅତ୍ୟାଚାର, ଅବିଚାର ଅତିଷ୍ଠ ଅନ୍ୟାୟ?

ଆଶ୍ବାସଇ ବିଶ୍ବାସର ଗୀର୍ଜାଗୁରୁ :

‘ପ୍ରଳୟାନ୍ତେ ନିଶ୍ଚେ ପ୍ରଭୁ ଦେବେ ତାଙ୍କ ରାୟ଼’।

ଜର୍ଜରିତ ଜନଗଣ

ଗର୍ଜିଉଠେ ବଜ୍ରକଣ୍ଠେ-

ଆମେ ଚାହୁଁ  ମୁକ୍ତି!

ଆନ କଥା ସବୁ ମିଥ୍ୟା,

ସତ୍ୟ ଏକା ରୁଷୋ ଉକ୍ତି-

‘ଏ ବନ୍ଧନ ସାମାଜିକ ଚୁକ୍ତି।’

 

ଷୋଡଶ ଲୁଇ ଯେ ଆମ୍ଭେ,

ଦେବଦତ୍ତ ଆମ୍ଭ ଅଧିକାର,

ଆମ୍ଭେ ମେରୀ,

ମହାମାନ୍ୟା ରାଜେଶ୍ବରୀ

ସାମ୍ରାଜ୍ଞୀ ତୁମ୍ଭର।

 

ଆତଲାନ୍ତା ଉପକୂଳେ ବହିଯାଏ ଆଗ୍ନେୟ ତୋଫାନ-

ଲେଲିହାନ ଶିଖାରେ ତା’ ମଧ୍ୟଯୁଗେ ଲଭେ ଅବସାନ।

ପଡେ ଗିଲୋଟିନ୍‌।

ଆମେ ମୁକ୍ତ ଆମେରେ ସ୍ବାଧୀନ।

ଛିଡିପଡେ ଯୁଗାନ୍ତର କଳଙ୍କିତ ସାମନ୍ତ-ବନ୍ଧନ;

ମୁକ୍ତ ଆମେ ଭୁମିଦାସ, ମୁକ୍ତ ପୁଞ୍ଜି, ମୁକ୍ତ ଜନଗଣ।

ପ୍ୟାରୀ ରାଜଧାନୀ

ସମ ଅଧିକାର ଆଉ ଭ୍ରାତୃତ୍ବର ତୋଳେ ମହାଧ୍ବନି।




+ -

© Jataayu Charitable Trust
Site designed,developed & maintained by Tekons