ମହାନାଟକ




-ଷଷ୍ଠ ଅଙ୍କ-

ମୁକ୍ତି ତ ସପନ-

ଆମ ଦୁନିଆଁରେ ଯେତେ ମେହେନତୀ ଜନସାଧାରଣ

କି ପାଇଛୁଁ କୁହ

ଶ୍ରମ ସ୍ବେଦ ରକ୍ତସ୍ନାନ ପରିବର୍ତ୍ତେ?

ଯୁଗ ଯୁଗାନ୍ତରେ

କେବେ ପ୍ରଭୁ କେବେ ରାଜା, କେବ ଅବା ବୁର୍ଜୁୟା ବେଶରେ ସେମାନେ କରନ୍ତି ଲୁଟ୍‌ ଆମ ରୁଟି, ଆମର ଅର୍ଜନ;

କାଳେ କାଳେ ଆମେ ଭାଲେ ଲେଖା ଖାଲି ଦାରିଦ୍ର୍ୟ-ଦଂଶନ।

ଆମ ରକ୍ତେ ଚଳେ କଳ,

ବିଲେ ଆମେ ଠେଲୁ ହଳ,

ସବୁରି ଜନକ ଆମେ,

 ସବୁଥିରୁ ଆମେତ ବଂଚିତ;

ହେମ ଶିହରଣ ଖେଳେ ଖେତେ ଖେତେ ; ଆମେ ବୁଭୁକ୍ଷିତ।

ସେମାନେ ଗଢ଼ନ୍ତି ରାଷ୍ଟ୍ର;

ଜୀବନ ମହୋତ୍ସବ ଆମର ସେ ଏକ ହିଁ ସମ୍ବଳ।

ଆମେ ସର୍ବହରା-

ସାରା ବିଶ୍ବେ ନିଃସ୍ବ ଆମ ଦେଶେ ଦେଶେ, ଗୋରା ଅବା କଳା;

ଜାଗ ଜାଗ ଜାଗରେ ଦଳିତ

ଏକତାହିଁ ଆମ ବଳ; ବିଶ୍ବବ୍ୟାପୀ ହୁଅସଂଗଠିତ

ଏକ ହୁଅ ମେହନତୀ ଜନତାର ଅଜେୟ ସେନାନୀ,

ଏକ ହୁଅ, ଏକ ହୁଅ, ହେ ଶୋଷିତ କଙ୍କାଳ ବହିନୀ।

ଏକପଟେ କୁରୁବଳ, ଅନ୍ୟ ଦିଗେ ଆମର ଛାଉଣୀ,

ଶ୍ରମିକ-କୃଷକ ଆଉ ବୁଦ୍ଧିଜୀବି-ଛାତ୍ର ଓ କିରାନୀ।

ଅବତୀର୍ଣ୍ଣ କର୍ଣ୍ଣଧାର କାର୍ଲମାର୍କସ୍‌ ବିପ୍ଳବ ବିଜ୍ଞାନୀ

ବଂଚିତର ମନ୍ତ୍ରଦାତା ସଖା କୃଷ୍ଣ ସୁଦର୍ଶନପାଣି:

ଆରେ ମୋହଗ୍ରସ୍ତ-

ବିଶ୍ବରୁପୀ ଦେଖ କୁରୁକ୍ଷେତ୍ର।

ଯୁଗାନ୍ତକ ରଣେ ମତ୍ତ କ୍ଷାତ୍ରଧାମେ ଅଗ୍ରଜ ଲେଲିନ୍‌,

ଧନୁର୍ଦ୍ଧର ମହୋତେଜା ମହାଚୀନ, ଭୀମ ହୋଚିମିନ୍‌,

ନକୁଳ ଯୁଗୋସ୍ଲାଭିଆ, କ୍ୟୁବା ସହଦେବ;

ରତ ଧର୍ମଯୁଦ୍ଧେ

ତୃଷାର୍ତ୍ତ ମେଦିନୀବକ୍ଷ ସିକ୍ତ କରେ ରକ୍ତ ବୈତରଣୀ,

ଦୁଃଶାର ରୁଧିର ମାଗେ ବିବସନା, ମୁକ୍ତ ଯେତେ ବେଣୀ,

ଅକୌରବା ହେବ ନିଶ୍ଚେ ଧରା,

ସମାଜର ମୁକ୍ତମାର୍ଗେ ନାୟକତ୍ବ କରେ ସର୍ବହରା

ଆସ ଆମେ ହେବା ସବୁ ସାଥୀ,

 

ଗାଅ ଇଣ୍ଟରନ୍ୟାସାନାଲ । ଏକ ହେବ ଏ ମାନବ ଜାତି॥




+ -

© Jataayu Charitable Trust
Site designed,developed & maintained by Tekons