ପ୍ରବନ୍ଧ ଓ ଆଲୋଚନା




ଯାହା ଏକ ପରିବେଶର ବସ୍ତୁ ବା ଅନୁଷ୍ଠାନକୁ ଧରି ରଖିପାରୁଥିଲା, ବସ୍ତୁ ବା ଅନୁଷ୍ଠାନର ମୌଳିକ ପରିବର୍ତ୍ତନ ଘଟିଲେ ତାହାର ରୂପାନ୍ତର ଗ୍ରହଣ କରିବା ସହିତ, ତାହାର ଧାରକଶକ୍ତି ହ୍ରାସ ପାଏ। ଫଳରେ ଧର୍ମ ଗ୍ଳାନି (Decadence of the order) ଘଟେ।

      ପ୍ରଚଳିତ ଧର୍ମ ଯେତେବେଳେ ସୃଷ୍ଟିକୁ ଧରି ରଖିବାର ଶକ୍ତି ହରାଇ ବସେ।ସୃଷ୍ଟିରେ ସଙ୍କଟ ଉଦ୍ଭବ ହୁଏ।ଫଳତଃ ସୃଷ୍ଟି ଲୋପ ପାଇଯିବାର ଆଶଙ୍କା ଦେଖାଦିଏ।

       ସତ୍ୟଦ୍ରଷ୍ଟା ସୁଦର୍ଶନପାଣି ଶ୍ରୀକୃଷ୍ଣ ମୋହାନ୍ଧ ଅର୍ଜୁନକୁ ସେ ପ୍ରକାର ଆଶଙ୍କା ପୋଷଣ ନ କରିବାକୁ ପ୍ରବର୍ତ୍ତାଇଛନ୍ତି। ସୃଷ୍ଟିର ଗୂଢ଼ ରହସ୍ୟ ପ୍ରକାଶ କରି ସେ ନିର୍ଭରବାଣୀ ଶୁଣାଇଛନ୍ତି ଯେ ଧର୍ମର ଗ୍ଳାନି ସତ୍ତ୍ବେ ସୃଷ୍ଟିର ଧାରା ବ୍ୟାହତ ହୁଏନାହିଁ। ସୃଷ୍ଟିର ପ୍ରବାହ ଏହି ଏକ ଶକ୍ତି ଯାହା ସ୍ବକୀୟ ଗତିଧାରାକୁ ଅବ୍ୟାହତ ରଖିବା ଲାଗି ଆପେ ଆପେ ସଜାଡ଼ି ହୋଇଯାଏ।

       ପ୍ରକୃତି ସ୍ବାମଧିଷ୍ଠାୟ ସମ୍ଭବାମ୍ୟାତ୍ମାୟା॥ ୪-୬

       ଯଦା ଯଦା ହି ଧର୍ମସ୍ୟ ଗ୍ଳାନିର୍ଭବତି ଭାରତ।

       ଅଦ୍ଭ୍ୟୁତ୍‌ଥାନମଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହମ॥ ୪-୭

       ପରିତ୍ରାଣାୟ ସାଧୁନାଂ ବିନାଶୟ ଚ ଦୁଷୃତାଂ।

       ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ॥୪-୮

     ଯୁଗେ ଯୁଗେ ସୃଷ୍ଟି-ପ୍ରବାହରେ ଏ ପ୍ରକାର ସଙ୍କଟ ଦେଖାଦିଏ। ସୃଷ୍ଟିର ଧାରାକୁ ଅବରୁଦ୍ଧ କରିବାର ଯେଉଁ ପରିବେଶ ସୃଷ୍ଟି ହୁଏ, ତାହାହିଁ ଅଧର୍ମ। ଯେତେବେଳେ ବିକାଶ ପଥରେ ଯେପରି ଅନ୍ତରାୟ ଘଟେ, ସେପ୍ରକାର ଅଧର୍ମର ଅଭ୍ୟୁତ୍‌ଥାନକୁ ହଟାଇ ସୃଜନର ମହାଶକ୍ତି ସ୍ବକୀୟ ବଳରେ ଧର୍ମ ସଂସ୍ଥାପନ କରେ । ବିନାଶ ଲାଗି ଯେଉଁ ବସ୍ତୁ, ପ୍ରାଣୀ ବା ଅନୁଷ୍ଠାନ ବ୍ୟାପୃତ ଥାଆନ୍ତି, ସେମାନଙ୍କୁ ନିପାତ କରି ଓ ବିକାଶ ମାର୍ଗରେ ଯେଉଁମାନେ ସହାୟକ ହୁଅନ୍ତି, ସେହି ସାଧୁମାନଙ୍କୁ ରକ୍ଷାକରି ସୃଷ୍ଟି ତା’ର ଧାରା ବଜାୟ ରଖେ।

ସଚ୍ଚିଦାନନ୍ଦ ସ୍ବରୁପ

      ଏହା ସମ୍ଭବ ହୁଏ କାରଣ ଏହା ହିଁ ସୃଷ୍ଟିର ଛନ୍ଦ। ତମଃ-ରଜଃ-ସତ୍ତ୍ବ ଏହି ତ୍ରିଗୁଣକୁ ଆଶ୍ରାକରି ସମଗ୍ର ଜଗତ ଚାଲିଛି। ବସ୍ତୁ ଯେଉଁ ଅନ୍ଧାରରେ ଅବସ୍ଥାନ କରୁଥାଏ, ତହିଁରୁ ମୁକ୍ତି ଲଭି ଆଲୋକ ପ୍ରତି ଆକୃଷ୍ଟ ହେବ ତା’ର ସ୍ବାଭାବିକ ଧର୍ମ-ଏହା ପ୍ରକୃତିର ନିୟମ।ଅନ୍ଧାର ଭିତରେ ତେଣୁ ଆଲୋକର ଚେତନା ନିହିତ। ପରିବ୍ୟାପ୍ତ ଅନ୍ଧକାର ଏହି ଆଲୋକ ଚେତନାକୁ ଅବରୁଦ୍ଧ କରିବାକୁ ଚାହେଁ- ତେଣୁ ଉଭୟଙ୍କ ମଧ୍ୟରେ ସଂଘର୍ଷ ଅନିବାର୍ଯ୍ୟ ହୋଇପଡ଼େ। ବିକାଶୋନ୍ମୁଖ ଆଲୋକ ଚେତନା ଆପଣାର ମୁକ୍ତି ଲାଗି ଶକ୍ତି ସଂଗ୍ରହ କରିବାରେ ଲାଗିଯାଏ। ସୃଷ୍ଟିର ଧର୍ମ-ତମସୋ ମା ଜ୍ୟୋତିର୍ଗମୟ-ଏହାର ଅନୁକୂଳ ହେଉଥିବାରୁ ଅନ୍ଧକାର ଆଲୋକ ଚେତନାକୁ ଚିରକାଳ ବନ୍ଦୀକରି ରଖିପାରେନାହିଁ। ଆପଣାକୁ ଅନ୍ଧକାର କବଳରୁ ମୁକ୍ତ କରିବାରେ ଶକ୍ତି ଯେତେବେଳେ ଆଲୋକ ଚେତନା ଲାଭ କରେ, ତାହା ଅନ୍ଧକାର ଭେଦ କରି ଆପଣାର ସଂସ୍ଥାନ ଗଢ଼େ। ସମଗ୍ର ଜଗତର ବିକାଶଧାରା ଏହି ମୌଳିକ ନୀତି ଉପରେ ପର୍ଯ୍ୟବେସିତ। ଏହି ଦାର୍ଶନିକ ତତ୍ତ୍ବର ସରଳ ସୂତ୍ର ହେଲା ସଚ୍ଚିଦାନନ୍ଦ। ସତ୍‌ ହେଉଛି ସ୍ଥିତାବସ୍ଥା;ଉଜ୍ଜ୍ବଳତର ଅବସ୍ଥାର ପରିକଳ୍ପନାକୁ ଚିତ୍‌ ରୂପେ ଅଭିହିତ କରାଯାଇଛି। ପରିକଳ୍ପନା କାର୍ଯ୍ୟକାରୀ ରୂପ ନେଲେ ଆନନ୍ଦ ଉଦ୍‌ଗତ ହୋଇଥଏ। ସମଗ୍ର ବିଶ୍ବ ଏହି ନିୟମରେ ଚାଲିଥିବାରୁ ସାରା ଜଗତ ସଚ୍ଚିଦାନନ୍ଦମୟ ବୋଲି କୁହାଯାଏ। ପାଶ୍ଚାତ୍ୟ ଜଗତରେ ଐତିହାସିକ ବସ୍ତୁବାଦ (Historical Meterialism)ବୋଲି ଏହି ତତ୍ତ୍ବକୁ ପ୍ରଥମେ ଜର୍ମାନ୍‌ ଦାର୍ଶନିକ ହେଗେଲ୍‌ ପ୍ରକଟ କରିଥିଲେ ପ୍ରାଚୀନ ଭାରତର ସତ-ଚିତ୍‌-ଆନନ୍ଦ ହେଗେଲଙ୍କ ଦର୍ଶନରେ ଅସ୍ତି (Thesis), ନାସ୍ତି(Anti-thesis)ଓ ସମନ୍ବୟ(Synthesis) ହେଗେଲଙ୍କ ଏହି ବୈପ୍ଳବିକ ତତ୍ତ୍ବକୁ ପରବର୍ତ୍ତୀ କାଳରେ କାର୍ଲମାକ୍ସ ସମାଜନୀତି ଓ ରାଷ୍ଟ୍ରନୀତିରେ ପ୍ରୟୋଗ କରିଥିଲେ। ବୈଦିକ ସୃଷ୍ଟିରେ ବସ୍ତୁର ପ୍ରବାହଧାରା ଚୈତନ୍ୟମୟ ବୋଲି ସ୍ବୀକାର କରୁଥିବା ବେଳେ ଐତିହାସିକ ବସ୍ତୁବାଦ ଏହାକୁ ଚିନ୍ମୟ ବୋଲି ସ୍ବୀକାର କରିବାକୁ ପ୍ରସ୍ତୁତ ନୁହେଁ। ଆଧ୍ୟାତ୍ମବାଦ ଓ ବସ୍ତୁବାଦ ମଧ୍ୟରେ ବୈଷମ୍ୟ ଏହିଠି ଦେଖାଦିଏ।

 ଅବତାର 

      ଯେଉଁ ବ୍ୟକ୍ତିଠାରେ ବିଶ୍ବଚେତନା ପ୍ରକଟିତ ହୁଏ, ସେ ଅନନ୍ତ ଅସୀମ ଜୀବନ ପ୍ରବାହକୁ ଅଖଣ୍ଡ ଦୃଷ୍ଟିରେ ବିଚାର କରେ। ହିନ୍ଦୁମାନେ ଏକପ୍ରକାର ବ୍ୟକ୍ତି ଓ ବିଶ୍ବର ସ୍ରଷ୍ଟା ଏକ ବୋଲି ମନେ କରନ୍ତି-ଉଭୟଙ୍କଠାରେ ଅସୀମତ୍ବର ପରିପ୍ରକାଶ-ତେଣୁ ଉଭୟ ଭଗବାନ୍‌। ପର୍ଶୁରାମ ,ରାମ,ଶ୍ରୀକୃଷ୍ଣ ,ବୁଦ୍ଧ,ଅରବିନ୍ଦ, ସାଇବାବା ପ୍ରଭୃତିଙ୍କୁ ଭଗବାନ ଆଖ୍ୟା ଦିଆଯାଏ। ଏହା ବୈଦିକ ଚିନ୍ତାଧାରା ଅନୁଗାମୀ।

      ବୈଦିକ ସାହିତ୍ୟରେ କିନ୍ତୁ ଅବତାର ପରିକଳ୍ପନା କୁତ୍ରାପି ଅବତାରଣା କରାଯାଇନାହିଁ। ବେଦଭ୍ୟାସ ବୈଦିକ ସାହିତ୍ୟକୁ ଲୋକପ୍ରିୟ କରିବାକୁ ଯାଇ ଶ୍ରୀମଦ୍‌ଭାଗବତ ଗୀତାରେ ଯାହା ବ୍ୟକ୍ତ କଲେ ପରବର୍ତ୍ତୀ କାଳରେ ତହିଁର ଲୌକିକ ବିବେଚନା କରାଯାଇ ତତ୍ତ୍ବକୁ ବିକୃତ କରାଯାଇଛି। କୁହାଯାଇପାରେ ବୈଦିକ ସୃଷ୍ଟିତତ୍ତ୍ବ ଓ ଲୌକିକ ମୋହନ୍ଧକାର ସମନ୍ବୟରୁ ଅବତାରବାଦର ଉଦ୍‌ଭବ। ଅସୀମକୁ ସସୀମରେ ରୂପାନ୍ତରିତ କରିବାର ଅପଚେଷ୍ଟା।

      ଶ୍ରୀକୃଷ୍ଣଙ୍କୁ ଏକ ବ୍ୟକ୍ତି ଜ୍ଞାନରେ ‘ତଦାତ୍ମାନଂ ସୃଜାମ୍ୟହମ୍‌’ର ଅର୍ଥ ଭଗବାନ୍‌ ଜନ୍ମଗ୍ରହଣ କରି ଲୋକଙ୍କୁ ଅଧର୍ମ କବଳରୁ ଉଦ୍ଧାର କରିବେ ବୋଲି ବୁଝାଇ ଦିଆଗଲା। ସମ୍ୟକ୍‌ ତତ୍ତ୍ବଜ୍ଞାନ ଅଭାବରେ ଲୋକେ ଏପ୍ରକାର ଉକ୍ତିର ଏହା ସ୍ବାଭାବିକ ଅର୍ଥ ବୋଲି ଗ୍ରହଣ କଲେ।

      ଯେଉଁ ମହାପୁରୁଷମାନେ ସାମାଜିକ ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନମାନ ଆଣିଥିଲେ ଓ ଯେଉଁମାନଙ୍କ ସ୍ମୃତି ଲୋକେ ପୁରୁଷାନୁକ୍ରମେ ସାଇତି ରଖିଥିଲେ, ସେମାନେ ଗୋଟିଏ ଗୋଟିଏ ଅବତାର ହେଲେ। ପରଶୁର ବ୍ୟବହାର ଦ୍ବାରା ମନୁଷ୍ୟ ଯେତେବେଳେ ଉଦ୍ଭିଦଙ୍କ ଉପରେ ତାହାର ଏକାଧିପତ୍ୟ ବିସ୍ତାର କଲା, ପର୍ଶୁରାମ ହେଲେ ସେହି ସାମାଜିକ ବିପ୍ଳବର ପ୍ରତୀକ। ଧନୁର୍ବିଦ୍ୟା ବଳରେ ଇତର ପ୍ରାଣୀମାନଙ୍କ ଉପରେ ମନୁଷ୍ୟ ପ୍ରଭୁତ୍ବ ପ୍ରତିଷ୍ଠା କରିପାରିଥିଲା, ରାମ ତେଣୁ ଏକ ଅବତାର। ସେହିପରି ଗୋଚାରଣ ବିଦ୍ୟା କୃଷ୍ଣଙ୍କୁ ଅବତାର କରିଥିଲା। ସମାଜକୁ ବ୍ରାହ୍ମଣ୍ୟ ଧର୍ମର ଅତ୍ୟାଚାରରୁ ମୁକ୍ତ କରିଥିବା ହେତୁ ବୁଦ୍ଧଙ୍କୁ ମଧ୍ୟ ଅବତାର ବୋଲି ଲୋକେ ସ୍ବୀକାର କଲେ। ଶ୍ରେଣୀବିଭକ୍ତ ସମାଜରୁ ମୁକ୍ତି ଲାଗି କଳ୍‌କୀ ଅବତାରର ପରିକଳ୍ପନା କରାଯାଇଛି। ଏ ପୃଥିବୀ ପୃଷ୍ଠରେ ପ୍ରାଣୀ ବିବର୍ତ୍ତନରେ ଯେଉଁ ଯେଉଁ ବୈପ୍ଳବିକ ପରିବର୍ତ୍ତନମାନ ଘଟିଯାଇଛି, ତାହାକୁ ଅନୁସରଣ କରି ପ୍ରତ୍ୟେକର ପ୍ରତୀକକୁ ଏକ ଏକ ଅବତାର ଆଖ୍ୟା ଦିଆଯାଇଛି। ମତ୍ସ୍ୟ, କଚ୍ଛପ, ବରାହ, ନୃସିଂହ ଓ ବାମନ ଅବତାର ଏହିପରି ସୃଷ୍ଟି ହେଲା ବୋଲି ମନେ କରିବା ସଙ୍ଗତ ଅଟେ।

     ହିନ୍ଦୁମାନେ ଯେଉଁ ଅବତାରବାଦ ଉଦ୍ଭାବନ କଲେ, ତାହା ଭାରତର ସୀମା ଟପି ପାଶ୍ଚାତ୍ୟ ଜଗତକୁ ମଧ୍ୟ ପ୍ରସରିଯାଇଛି। ରୋମ୍‌ ସମ୍ରାଜ୍ୟର ଶୋଷଣବାଦ ବିରୁଦ୍ଧରେ ଯୀଶୁ ସ୍ବରୋତ୍ତଳନ କରିଥିଲେ।ତାଙ୍କର ପ୍ରଚାରିତ ବିଶ୍ବପ୍ରେମ-ଧର୍ମ ହେତୁ ଜନସାଧାରଣ ପ୍ରଚଳିତ ଦାସତ୍ବରୁ ମୁକ୍ତିଲାଭ କଲେ। ପାପୀମାନଙ୍କୁ ଉଦ୍ଧାର କରିବା ଲାଗି ଈଶ୍ବର ତାଙ୍କ ପୁତ୍ରଙ୍କୁ ଏ ପୃଥିବୀକୁ ପଠାଇଥିଲେ ବୋଲି, ତେଣୁ ଖ୍ରୀଷ୍ଟିୟାନମାନେ ବିଶ୍ବାସ କରନ୍ତି। କଳହରତ,କୁସଂସ୍କାର ଜଡ଼ିତ, ହିଂସାପରାୟଣ ଆରବମାନଙ୍କ ମଧ୍ୟରେ ଅହମ୍ମଦଙ୍କ ଭ୍ରାତୃତ୍ବ-ବାର୍ତ୍ତା ଏକ ନୂତନ ଦିଗନ୍ତର ସନ୍ଧାନ ଦେଇଥିଲା। ତାଙ୍କ ବାଣୀ ଏକ ଶୃଙ୍ଖଳିତ ପ୍ରଗତିଶୀଳ ବଳିଷ୍ଠ ସମାଜ ଗଠନ ଦିଗରେ ଭିତ୍ତିପ୍ରସ୍ତର ରୂପେ କାର୍ଯ୍ୟ କରିଥିଲା। ତେଣୁ ମହମ୍ମଦଙ୍କୁ ଆରବ ଓ ପରେ ଅନ୍ୟାନ୍ୟ ମୁସଲମାନମାନେ ପୈୟଗାମ୍ବର ବା ଈଶ୍ବରଙ୍କ ଦୂତ ବୋଲି ବିଶ୍ବାସ ପୋଷଣ କରନ୍ତି।

     କିନ୍ତୁ ଶୋଷକ ଶ୍ରେଣୀ ତା’ର ଶୋଷଣ ବ୍ୟବସ୍ଥାକୁ କାୟମ ରଖିବା ନିମନ୍ତେ ଅବତାରବାଦକୁ ଚତୁରତାର ସହ ପ୍ରୟୋଗ କରିଆସିଛି। ନିର୍ଯ୍ୟାତିତ ଶୋଷିତ ଶ୍ରେଣୀ ଅନିର୍ଦ୍ଦିଷ୍ଟ କାଳ ଅପେକ୍ଷା କରିରହନ୍ତି-ଅବତାର କେବେ ଜନ୍ମ ନେବେ, ଲୋକଙ୍କ ଭାଗ୍ୟ ଫେରିବ। ଆପଣାର ସଂଘଶକ୍ତି ଯେ ତାଙ୍କ ଦୁଃଖଦୁର୍ଦ୍ଦଶା ଘୁଞ୍ଚାଇ ପାରିବ ସେ ଆସ୍ଥା ସେମାନେ ହରାଇଛନ୍ତି। ଫଳରେ ବୈପ୍ଳବିକ ଚେତନା ଆଉ ତେଜିୟାନ ହୁଏନାହିଁ। ସ୍ଥିତାବସ୍ଥା ଆସ୍ଥାନ ଜମାଇ ବସେ।

     ବେଳେ ବେଳେ ଅବତାର ସତକୁ ସତ ଜନ୍ମ ହୁଅନ୍ତି। କିନ୍ତୁ କିଛିଦିନ ପରେ ତାହା ଯେ ଧୋକାବାଜି ତାହା ଧରାପଡ଼େ। ଲୋକେ ଆହୁରି ହତୋତ୍ସାହା ହୋଇପଡ଼ନ୍ତି।

     ଅବତାରବାଦର ପରିକଳ୍ପନା ଯେପରି ସଂଘଟିତ ହୋଇଥାଉ ନା କାହିଁକି, ତାହା ଯେ ଶୋଷକ ଶ୍ରେଣୀର ଏକ ହାତବାରସୀ ରୂପେ ବ୍ୟବହୃତ ହେଉଛି, ଏଥିରେ ସନ୍ଦେହର ଅବକାଶ ନାହିଁ।




+ -

© Jataayu Charitable Trust
Site designed,developed & maintained by Tekons