ପ୍ରବନ୍ଧ ଓ ଆଲୋଚନା




‘ସାହିତ୍ୟିକ ଅପରାଧ’ର ବିଚାର

 

       ଅଧ୍ୟାପକ ଶ୍ରୀ ଗୋପାଳଚନ୍ଦ୍ର ମିଶ୍ର ‘ସହକାର’ ରେ ଗୋଟିଏ କବିତା ପ୍ରକାଶ କରିଥିଲେ, ଯାହା ବିଶ୍ବକବି ରବୀନ୍ଦ୍ରନାଥଙ୍କର ସୁବିଦିତ କବିତା ‘ଅସମାପ୍ତ’ରୁ ଅପହରଣ କରାଯାଉଛି ବୋଲି ଆଜକୁ ବର୍ଷକ ତଳେ ସେହି ପତ୍ରିକାରେ ମୁଁ ଅଭିଯୋଗ ଆଣିଥିଲି।ଅଧ୍ୟାପକ ମିଶ୍ରେ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିବା ଦୂରେ ଥାଉ, ଅଦ୍ୟାପି ତହିଁର ପ୍ରତିବାଦ ବି କରିନାହାନ୍ତି। ଅଧ୍ୟାପକ ମିଶ୍ରଙ୍କ ସହଯାତ୍ରୀ, ସହକର୍ମୀ ଓ ସହଧର୍ମୀ ଅଧ୍ୟାପକ ଶ୍ରୀ ରାଜକିଶୋର ରାଏ ଅଧ୍ୟାପକ ମିଶ୍ରଙ୍କ  ଲାଗି (? )ସଫେଇ ବାଢ଼ି ଝଙ୍କାରରେ “ସାହିତ୍ୟିକ ଅପରାଧ” ଶୀର୍ଷକ ଏକ ଆଲୋଚନା ପ୍ରକାଶ କରିଛନ୍ତି। ସାହିତ୍ୟିକ ପରମ୍ପରା ଦୃଷ୍ଟିରୁ ଅଧ୍ୟାପକ ରାଏ ଆଲୋଚନାଟି ସହକାରକୁ ନ ପଠାଇ ‘ଝଙ୍କାର ’ର ଦ୍ବାରସ୍ଥ ଯେ କାହିଁକି ହେଲେ ଏବଂ ‘ଝଙ୍କାର’ ର ସମ୍ପାଦକ ମଣ୍ଡଳୀ ଯେ କାହିଁକି ଏହାକୁ ପ୍ରଶ୍ରୟ ଦେଲେ, ତାହା ଅନ୍ୟାନ୍ୟଲେଖକ, ପାଠକ ଓ ସମ୍ପାଦକମାନଙ୍କ ନିକଟରେ ଏକ ରହସ୍ୟ ହୋଇ ରହିବ।

       ସେ ଯାହାହେଉ, ଅଧ୍ୟାପକ ମିଶ୍ରଙ୍କର କବିତା ବିଶେଷ ଅପହୃତ ରଚନା କି ନୁହେଁ , ସେ ପ୍ରଶ୍ନକୁ ଗୌଣ କରି ଅଧ୍ୟାପକ ରାୟ ଗୁରୁତର ନୀତିଗତ ପ୍ରଶ୍ନର ଅବତାରଣା କରିଛନ୍ତି। ‘ବିଶ୍ବରେ ଏପରି କେହି କବି ଅଛନ୍ତି, ଯେ ଚୌର୍ଯ୍ୟ  ଅପରାଧରେ ଅପରାଧୀ ନୁହନ୍ତି?’ ରଚନା ଅପହରଣର ଏହି ଦର୍ଶନ (Phylosophy of plagiarism) ର ପରିପୋଷକତାରେ ଶାସ୍ତ୍ରୋକ୍ତି ଉଦ୍ଧାର କରି ନଜିର ମଧ୍ୟ ଦିଆଯାଇଛି। ଅଧ୍ୟାପକ ରାୟଙ୍କର ଯୁକ୍ତି ଯେହେତୁ ‘ଜଗତର ଯେ କୌଣସି ମହାକବି ତାହାଙ୍କର ପୂର୍ବବର୍ତ୍ତୀ କବିଗଣଙ୍କର ସାରସ୍ବତ ସମ୍ପାଦର ଉତ୍ତରାଧିକାରୀ’, ଓ ‘ପୂର୍ବଗାମୀଗଣଙ୍କର ରଚନା ସମ୍ପଦ ନିକଟରେ ଅପରିମେୟ ଗଣରେ ଆବଦ୍ଧ’, ତେଣୁ ସାହିତ୍ୟିକ ମାତ୍ରେ ଚୋର। ପୁଣି,ଯେହେତୁ ରବୀନ୍ଦ୍ରଙ୍କ ‘ଅଧରେର ରାଙ୍ଗା କିଶଳୟପାତେ’ କାଳୀଦାସଙ୍କର ‘ଅଧର-କିଶଳୟ ରାଗଃ’ଓ ନିରୁଦ୍ଦେଶଯାତ୍ରା’ ର ସନ୍ଧ୍ୟା ବର୍ଣ୍ଣନା, କାଦମ୍ବରୀର ସନ୍ଧ୍ୟା ବର୍ଣ୍ଣନା ସ୍ମରଣ କରାଇଦିଏ, ରବୀନ୍ଦ୍ରନାଥ ନିଶ୍ଚୟ ଚୋରି କରିଛନ୍ତି । କୁଳଟା ଆପଣା ଗ୍ଳାନିର ଗୁରୁତ୍ବ ହ୍ରାସ ଲାଗି, ‘ଏ ଦୁନିଆରେ ସତୀ କିଏ?’ ବୋଲି କହିଥାଏ। ଅଧ୍ୟାପକ ରାୟ ଯେ ସାହିତ୍ୟରେ ସେହି କଳା କୌଶଳ ପ୍ରୟୋଗ କରିବେ, ଏହା ମୋର ଧାରଣାତୀତ ଥିଲା। ଓଡ଼ିଆ ସାହିତ୍ୟରେ ସର୍ବୋଚ୍ଚ ଶିକ୍ଷାଦାନର ଗୁରୁଦାୟିତ୍ବ ସମ୍ପନ୍ନ ସାହିତ୍ୟାଚାର୍ଯ୍ୟଙ୍କ ବ୍ୟତୀତ ଯେବେ ଅନ୍ୟ କେହି ଏ ପ୍ରକାର ଉକ୍ତି ବା ଯୁକ୍ତି ଉପସ୍ଥାପନ କରିଥାନ୍ତେ, ତା ଉପରେ କୌଣସି ଗୁରୁତ୍ବାରୋପ କରି ମୁଁ ନିଜର ବା ପାଠକଙ୍କର ସମୟ ନଷ୍ଟ କରିବା ସମୀଚୀନ ବୋଧ କରି ନଥାନ୍ତି।

      ଆହରଣ ଓ ଅପହରଣ ଶବ୍ଦଦ୍ବୟ  ଯେ ଭିନ୍ନାର୍ଥବୋଧକ, ଓଡ଼ିଆ ସାହିତ୍ୟର ଅଧ୍ୟାପକଙ୍କୁ ସୂଚାଇ ଦେବା ମୋ ପକ୍ଷରେ ଏକ ଦୁଃଖକରବ୍ୟାପାର। ଅନ୍ୟଠାରୁ ଋଣକରି ବଣିକ ବେପାର କରିଥାଏ,ଅପରର ସଞ୍ଚିତ ଧନକୁ ପୁଞ୍ଜିକରି ଶିଳ୍ପପତି କାରଖାନା ଛିଡ଼ା କରେ,ଗରାଖଠାରୁ ସୁନା ନେଇ ବଣିଆଗହଣା ଗଢ଼େ। ପୁଞ୍ଜି ବା ଉପାଦାନ ଅନ୍ୟଠାରୁ ସଂଗ୍ରହ କରିଥିଲେ ହେଁ ସଂଗୃହୀତ ପଦାର୍ଥକୁ ନେଇ ନିଜର ମସ୍ତିଷ୍କ ବା ହସ୍ତର ଶ୍ରମ ଓ କୌଶଳ ଖଟେଇ ସେମାନେ ତହିଁରୁ ନୂତନ ପଦାର୍ଥମାନ ଉତ୍ପାଦନ କରନ୍ତି। ସମାଜ ସେମାନଙ୍କର ଉତ୍ପାଦନକୁ ଉପଭୋଗ କରେ ଓ ସେମାନଙ୍କୁ ଆଶୀର୍ବାଦ କରେ। ଏହି ଉପାଦାନ ସେମାନଙ୍କ ହସ୍ତରେ ଚୋରାମାଲ୍‌ ନୁହେଁ; ସେମାନେ ଚୋର ନୁହନ୍ତି। ଚୋର ଅନ୍ୟଠାରୁ ଧନ ସଂଗ୍ରହ କରେ, କିନ୍ତୁ ତା’ର ଶ୍ରମ ସୃଜନ ଅଭିମୁଖୀ ନୁହେଁ। ପରଧନ ଆତ୍ମସାତ କରିବାରେ ହିଁ କେବଳ ସେ ତା’ର ଶ୍ରମ ଓ କୌଶଳ ନିୟୋଜିତ କରିଥାଏ। ତେଣୁ ତା’ର କର୍ମ ସମାଜରେ ଗର୍ହିତ,ନୀତି ଦୃଷ୍ଟିରୁ ନିନ୍ଦନୀୟ ଓ ଆଇନରେ ଦଣ୍ଡନିୟ।ଜ୍ଞାନ ଓ ଭାବ ସମ୍ପଦ ବିଷୟରେ ଠିକ୍‌ ସେହି କଥା। କେବଳ କବି ନୁହନ୍ତି, ବୈଜ୍ଞାନିକ , ଦାର୍ଶନିକ, ଐତିହାସିକ ,ଜ୍ଞାନ ଓ ଭାବ ଜଗତର ପ୍ରତ୍ୟେକ କାରିଗର ପୂର୍ବାଚାର୍ଯ୍ୟଙ୍କର ଜ୍ଞାନ ଓ ଭାବକୁ ଆହରଣ କରି ନୂତନ ଆଲୋକର ସନ୍ଧାନ ଦିଅନ୍ତି, ନୂତନ ଭାବର ସ୍ରଷ୍ଟା ହୁଅନ୍ତି। ସାମନ୍ତ ଚନ୍ଦ୍ରଶେଖର, ବରାହମିହିରଙ୍କଠାରୁ, କାଳିଦାସ ବାଲ୍ମିକିଙ୍କ ଠାରୁ  , ମେହେର କାଳଦାସଙ୍କ ଠାରୁ ଜ୍ଞାନ ଓ ଭାବ ଆହରଣ କରିଛନ୍ତି ସତ; ଏହା ନିନ୍ଦନୀୟ ନୁହେଁ। ଜ୍ଞାନ ଓ ଭାବ ଭଣ୍ଡାରର ଅଭିବୃଦ୍ଧି ଲାଗି ଏହା  ଏକାନ୍ତ ଆବଶ୍ୟକ। ଏଥିରେ ସମାଜର ପ୍ରଗତି  ନିହିତ। ଏମାନେ ସମାଜର ପୂର୍ବାର୍ଜ୍ଜିତ ଜ୍ଞାନକୁ କେବଳ ଉପାଦାନ ରୂପେ ବ୍ୟବହାର କରିଛନ୍ତି। ଯାହା ଆହରଣ କରିଛନ୍ତି, ତା’ଠାରୁ ଅଧିକ ଦାନ କରିଛନ୍ତି। ଏହି ନୂତନତ୍ବ  ସେମାନଙ୍କୁ ସମାଜରେ ବରେଣ୍ୟ କରିଛି। କେହି କବି ପୂର୍ବବର୍ତ୍ତୀ କଥାବସ୍ତୁକୁ ନେଇ ତାହାରି ଉପରେ ନୂତନ ଭାବାଧାରାର ସୃଷ୍ଟି କରେ, ଆଉ କେହି ଛନ୍ଦ ବା ଶୈଳୀ ଆହରଣ କରି ନୂତନତା ଦେଖାଇଥାଏ।

       ଏହା ଦୋଷାବହ ନୁହେଁ। ଅନ୍ୟଠାରୁ ଉପାଦାନ ସଂଗ୍ରହ କରୁଥିବା ବଣିକକୁ ଯେଉଁ ଅର୍ଥରେ ଚୋର ବୋଲି କୁହାଯାଇପାରେ, ଅନ୍ୟ କବିଙ୍କଠାରୁ କାବ୍ୟର କଥାବସ୍ତୁ ସଂଗ୍ରହ କରୁଥିବା କବିକୁ ସେହି ଅର୍ଥରେ କେବଳ ଚୋର ବୋଲି କୁହାଯାଇପାରେ (ଅର୍ଥାତ୍‌ ଏହା ଗର୍ହିତ ନୁହେଁ)। ଏକଥା କହିଲା ପରେ ସଂଗୃହୀତ ଉପାଦାନ କେଉଁ କବିଦ୍ବାରା କିପରି ଭାବେ ବ୍ୟବହୃତ ହୁଏ, ତଦନୁସାରେ କାବ୍ୟ ମୀମାଂସା କବିଙ୍କର ଚାରିବିଭାଗ କରିଯାଇଛି, ହେଲେ ବି କବିତ୍ବ ଲାଗି ଯାହା ନିତାନ୍ତ ଆବଶ୍ୟକ-“ଶବ୍ଦାର୍ଥୋକ୍ତିଷୁ ଯଃ ପଶେଦିହ ନୂତନମ୍‌ ଉଲ୍ଲିଖେତ୍‌ କିଞ୍ଚିନ୍ନପ୍ରାଚ୍ୟଂ”ତାହା ସ୍ପଷ୍ଟ ଉଲ୍ଲେଖ କରାଯାଉଥିବାରୁ ଏହାର ଅଭାବରେ କବିତ୍ବର ଅଭାବ, ଚୌର୍ଯ୍ୟର ପ୍ରାଚୁର୍ଯ୍ୟ କେବଳ। ଅଧ୍ୟାପକଙ୍କ ଅନ୍ୟ ନଜିର ମଧ୍ୟ ଠିକ୍‌ ସେହି କଥା କହେ।

           “These are dead thoughts to catlalouge compile and arrange them is in the power of any competent literary workman,but to raise them to blood-heat again, to breathe upon them and vitalise them is the sign that proclaims a poet.’’

        କେହି କେହି କବି ପୂର୍ବ କବିମାନଙ୍କର ପ୍ରସିଦ୍ଧ ଶବ୍ଦନିଚୟକୁ ଝଙ୍କୃତ କରି ପାଠକ ମନରେ ତତ୍‌ସଂକ୍ରାନ୍ତୀୟ ଭାବର ଉଦ୍ରେକ କରାଇଛନ୍ତି, ପାଠକର କଳ୍ପନାକୁ ବିସ୍ଫାରିତ କରନ୍ତି। ଏହାକୁ ବି ଅପହରଣ କୁହାଯାଏ ନାହିଁ। ଏହା କବିର ଶୈଳୀ ବିଶେଷ। ଇଂଲଣ୍ଡର ପ୍ରସିଦ୍ଧ କବି ଟି.ଏସ୍‌. ଇଲିଅଟ୍‌ ଏହାର ବହୁଳ ବ୍ୟବହାର କରିଛନ୍ତି। ମିଲଟନ୍‌ଙ୍କ କାବ୍ୟରେ ବି ସେହ ଶୈଳୀ ପରିଲକ୍ଷିତ ହୁଏ। ଏହାର ବ୍ୟବହାର ପାଠକକୁ ତତ୍‌ବର୍ଣ୍ଣିତ ବିଷୟ ‘ସ୍ମରଣ’ କରାଇ ଦିଏ ସେହି ଭାବର ଛାୟାପାତ କରାଇବା ଉଦ୍ଦେଶ୍ୟରେ। ତେଣୁ ନିଜର ମୌଳିକ ରଚନା ମଧ୍ୟରେ କାହିଁ ‘ଅଧର କିଶଳୟ’ ବା ‘ଆଷାଢ଼ ପହିଲେ’ ବା ଭାଗବତ୍‌ ବା ନ୍ୟୁ ଟେଷ୍ଟାମଣ୍ଟରୁ ପଦେ ପ୍ରୟୋଗ କଲେ, ତାହାକୁ ଚୋରି ଆଖ୍ୟା ଦିଆଯାଏ ନାହିଁ; କାରଣ ଆହରଣ କରାହୋଇଥିବା ଶବ୍ଦ ନିଚୟର ଚୟନରେ ଏହି ରଚନାଗୁଡ଼ିକର ମୂଲ୍ୟ ସୀମାବଦ୍ଧ ନୁହେଁ। କାବ୍ୟ ଜଗତର ଏହି ପ୍ରସିଦ୍ଧ କଳାକୌଶଳକୁ ସାହିତ୍ୟଚାର୍ଯ୍ୟଙ୍କ ଦୃଷ୍ଟିରେ ଚୌର୍ଯ୍ୟ ବୋଲି ଧାରଣା ଜନ୍ମାଇବା ଏକ ଶୋଚନୀୟ ଅବସ୍ଥାର ସୂଚନା ଦିଏ।

         ବାଲ୍ମିକୀଙ୍କ ରାମାୟଣ ଓ ଦିଂନାଗଙ୍କ ‘କୁନ୍ଦମାଳା’ ରୁ ସଂଗୃହୀତ ଉପାଦାନ ଉପରେ ‘ଉପରେ ରାମଚରିତ’ର କାବ୍ୟକଳା ରଚିତ ହୋଇଛି ଏବଂ ‘ଉତ୍ତର ରାମଚରିତ’ଓ ବାଲ୍ମିକୀଙ୍କ ‘ରାମାୟଣ’ଉପରେ ମେହେରଙ୍କ ‘ତପସ୍ବିନୀ’ ଆଉ ଏକ ଅଭିନବ କଳା କଳ୍ପନା। ଏ କାବ୍ୟ ସମୂହର ଉପାଦାନ ଏକ ହେଲେ ବି ପ୍ରତ୍ୟେକଟିରେ ନୂତନତ୍ବ ପ୍ରତିଭାତ। ପ୍ରତ୍ୟେକଟିରେ ଚମତ୍କାରିତା ଫୁଟି ଉଠିଛି। ପ୍ରତ୍ୟେକଟି ମୌଳିକ ରଚନାର ବୈଶିଷ୍ଟ୍ୟରେ ଗୌରବାନ୍ବିତ।




+ -

© Jataayu Charitable Trust
Site designed,developed & maintained by Tekons