ପ୍ରବନ୍ଧ ଓ ଆଲୋଚନା




ବିପ୍ଳବୀ ଚେତନାରେ ବିଶୃଙ୍ଖଳାର ସ୍ଥାନ ନାହିଁ। ଏହା ସ୍ଥିତାବସ୍ଥାକୁ ଧୂଳିସାତ୍‌ କରିବାକୁ ଚାହେଁ ପ୍ରଚଳିତ ସମାଜ-ବ୍ୟବସ୍ଥା ବଦଳରେ ଉନ୍ନତତର ସମାଜ ବ୍ୟବସ୍ଥା ପ୍ରତିଷ୍ଠା କରିବା ଲାଗି। ସେହି ସୃଜନ ମୂଳକ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ରଖି ଯେଉଁ ସାହିତ୍ୟ ସୃଷ୍ଟି ହୁଏ, ତାହା ହିଁ ବିପ୍ଳବି ସାହିତ୍ୟର ମର୍ଯ୍ୟାଦା ଲାଭ କରିବାକୁ ହକ୍‌ଦାର। ଯେଉଁ ପରିମାଣରେ ଯେଉଁ ସାହିତ୍ୟ ଏହି ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସାଧନରେ ସହାୟକ ହୁଏ, ବିପ୍ଳବୀ ସାହିତ୍ୟ ହିସାବରେ ତା’ର ମର୍ଯ୍ୟାଦା ସେତେ ଅଧିକ।

      ଜନଗଣ ତାଙ୍କର ଈପ୍‌ସିତ ଅଧିକାରକୁ ସାବ୍ୟସ୍ତ କରିବା ଲାଗି ଯେଉଁ ଆନ୍ଦୋଳନ ସୁରୁ କରନ୍ତି, ବିପ୍ଳବୀ ସାହିତ୍ୟ ସେଇ ଯଜ୍ଞବେଦୀରୁ ଜାତ ହୁଏ। ଆନ୍ଦୋଳନର ଆଦର୍ଶକୁ ଆବେଗମୟ କରିବା ଏ ସାହିତ୍ୟର ଉଦ୍ଦେଶ୍ୟ ଓ କାର୍ଯ୍ୟ। ସାହିତ୍ୟ ମାଧ୍ୟମରେ ଈପ୍‌ସିତ ଆଦର୍ଶ ବୌଦ୍ଧିକ ସ୍ତରରୁ ପ୍ରାଣମୟ ସ୍ତରକୁ ଉନ୍ନୀତ ହୁଏ; ଫଳତଃ ଆନ୍ଦୋଳନ ଆହୁରି ସୁଦୃଢ଼ ଓ ପ୍ରଖର ହୁଏ। ଗଣ ଆନ୍ଦୋଳନ ବିନା ବିପ୍ଳବୀ ସାହିତ୍ୟର ସୃଷ୍ଟି ଏକ ଭିତ୍ତିହୀନ ପରିକଳ୍ପନା ମାତ୍ର-ଅବାସ୍ତବ କଳ୍ପନା ବିଳାସ ସାହିତ୍ୟ। ସ୍ଥିତାବସ୍ଥାର ଉପଭୋଗୀ ଶ୍ରେଣୀ ଏ ପ୍ରକାର ସାହିତ୍ୟର ବିରୋଧ ନକରି ଏହାକୁ ଉପଭୋଗ କରିଥାନ୍ତି, ପଳାତକ ସାହିତ୍ୟ ହିସାବରେ। ଅବାସ୍ତବ ସାମ୍ୟବାଦୀ ତତ୍ତ୍ବ ଉପରେ ଯେ ସମସ୍ତ ଗଳ୍ପ-ଉପନ୍ୟାସ ରଚିତ ହୋଇଥିଲା, ଶାସକଶ୍ରେଣୀ ତାହାର ବିରୋଧ କରି ନଥିଲେ, ଅଥଚ ପରବର୍ତ୍ତୀ କାଳରେ ବୈଜ୍ଞାନିକ ସାମ୍ୟବାଦକୁ ରୂପଦେଇ ଯେଉଁସବୁ ସାହିତ୍ୟ ସୃଷ୍ଟି ହେଲା, ରାଷ୍ଟ୍ରଶକ୍ତି ସେ ସକଳ ସାହିତ୍ୟକୁ ବେଆଇନ ଘୋଷଣା କଲା ଓ ତହିଁର ପରିପ୍ରଚାରର ପଥରୋଧ କରିବାକୁ ଆଗେଇ ଆସିଥିଲା।

     ବିପ୍ଳବୀ ସାହିତ୍ୟର ସୃଷ୍ଟି ଘଟିଥାଏ ବିପ୍ଳବର ଆହ୍ବାନରେ। ଏ ସାହିତ୍ୟର ସ୍ରଷ୍ଟାଠାରେ ଆନେକ କ୍ଷେତ୍ରରେ ସାହିତ୍ୟ ସୃଷ୍ଟିଲାଗି ଯେଉଁ ପ୍ରତିଭା ଓ ପ୍ରସ୍ତୁତି ଆବଶ୍ୟକ, ତା’ର ଏକାନ୍ତ ଅଭାବ ପରିଲକ୍ଷିତ ହୋଇଥାଏ। ଉପଭୋଗୀ ସାହିତ୍ୟ ଓ ବିପ୍ଳବୀ ସାହିତ୍ୟ ମଧ୍ୟରେ ଏ କ୍ଷେତ୍ରରେ ପାର୍ଥକ୍ୟ ସ୍ପଷ୍ଟଭାବେ ପରିଲକ୍ଷିତ ହୁଏ। ଉପଭୋଗୀ ସାହିତ୍ୟ ସ୍ରଷ୍ଟା ଆଳଙ୍କାରିକ ରୀତିନୀତି ପ୍ରତି ତୀଷ୍ଣ ଦୃଷ୍ଟି ରଖି ତା’ର ସାହିତ୍ୟ ସୃଷ୍ଟି କରିଥାଏ। କବି ଯଶପାର୍ଥୀ ଏହି ସାହିତ୍ୟିକମାନଙ୍କୁ ଏଥିଲାଗି ସାଧନା କରିବାକୁ ପଡ଼ିଥାଏ। ବିପ୍ଳବୀ ସାହିତ୍ୟର ସୃଷ୍ଟି ବିପ୍ଳବର ତାଡ଼ନାରେ; ଆଳଙ୍କାରିକ ଦୃଷ୍ଟିରୁ ତହିଁର ମର୍ଯ୍ୟାଦା ପ୍ରତି ଧ୍ୟାନ ଦେବା ସ୍ରଷ୍ଟା ବିଚାରରେ ନଥାଏ। ତାହାର ବୈପ୍ଳବିକ ନିବେଦନ ଥିଲେ ତାହାହିଁ ସ୍ରଷ୍ଟାପକ୍ଷେ ଯଥେଷ୍ଟ। ବୈପ୍ଳବିକ ସାହିତ୍ୟର ସ୍ରଷ୍ଟାମାନଙ୍କ ମଧ୍ୟରେ ତେଣୁ ଏପରି ବହୁ କବି-ଲେଖକ ଦେଖିବାକୁ ମିଳନ୍ତି, ଯେଉଁମାନେ କେବେ କବି ଲେଖକ ହେବା ଲାଗି ଆକାଂକ୍ଷା ପୋଷଣ କରି ନଥିଲେ ଓ ସେଥିଲାଗି କୌଣସି ସାଧ୍ୟ ସାଧନା କରିନଥିଲେ। କ୍ରମାଗତ ସାହିତ୍ୟ ରଚନା ଲାଗି ତାଙ୍କଠାରେ ସ୍ଫୃହା ବା ନିଷ୍ଠାନାହିଁ। ଆଳଙ୍କାରିକ ବିଚାରରେ ଏ ସାହିତ୍ୟର ନାନା ଦୋଷ ଦୁର୍ବଳତା ଥିଲେ ମଧ୍ୟ ତତ୍କାଳୀନ ସମାଜରେ ଏହାର ବୈପ୍ଳବିକ ନିବେଦନ ହିଁ ଏହାକୁ ସାହିତ୍ୟିକ ମର୍ଯ୍ୟାଦାରେ ଭୂଷିତ କରିଥାଏ। ବିପ୍ଳବୀ ସାହିତ୍ୟର ମୂଲ୍ୟାୟନ ତେଣୁ ନିଚ୍ଛକ୍‌ ଆଳଙ୍କାରିକ ଦୃଷ୍ଟିରୁ କରାଯିବା ଉଚିତ୍‌ ନୁହେଁ। ସେ ସାହିତ୍ୟର ମୂଲ୍ୟ ନିରୂପଣ କରିବାକୁ ହେଲେ ସମସାମୟିକ ସାମାଜିକ ଜୀବନ ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ, ତହିଁର ଘାତ ପ୍ରତିଘାତ ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ, ସେ ପଟ୍ଟଭୂମିରେ ସଂଘଠିତ ସାମାଜିକ ସଂଘର୍ଷ କି ରୂପ ନେଇଥିଲା, ତାହା ବିଚାର କରିବାକୁ ପଡ଼ିବ। ତେବେ ଯାଇ ସେ ସାହିତ୍ୟ ସୃଷ୍ଟିର ଆବଶ୍ୟକତା ଓ ସମାଜ ଉପରେ ପଡ଼ିଥିବା ତା’ର ପ୍ରଭାବ କରିବା ସମ୍ଭବପର ହେବ।

       ସାହିତ୍ୟିକର ବିପ୍ଳବ ପ୍ରତି ଆଦର୍ଶଗତ ନିଷ୍ଠା ତା’ର ବାକ୍ୟରେ ଶକ୍ତି ସଞ୍ଚାର କରିଥାଏ। ତହିଁରୁ ହିଁ ତା’ର ସାହିତ୍ୟିକ ମୂଲ୍ୟ ନିର୍ଦ୍ଧାରିତ ହୁଏ। ମଧୁସୂଦନ ଦାସ (ମିଃ ଦାସ)‘ମାଆ ମାଆ ବୋଲି କେତେ ମୁଁ ଡାକିଲି…’ ପରି ସରଳ କେତେ ଧାଡ଼ିର କବିତା ଲେଖି ଓଡ଼ିଆ ପ୍ରାଣକୁ ଅଦ୍ଭୁତ ଭାବେ ଆନ୍ଦୋଳିତ କରି ଜାତୀୟ ଏକତା ପ୍ରତିଷ୍ଠା କରିବାରେ ସମର୍ଥ ହୋଇଥିଲେ। ସେ ସାହିତ୍ୟକୃତିର ସାର୍ଥକତା କାବ୍ୟ ପରିପାଟୀର ସୌଷ୍ଠବରେ ନାହିଁ। କାବ୍ୟରଚନା କରିବା ଲାଗି ସ୍ଫୃହା ବା ସେଥିଲାଗି ସାଧନା ତାଙ୍କର ନଥିଲା।ବିପ୍ଳବର ଦାୟରେ ରଚନା, ଆଦର୍ଶ ପ୍ରତି ତାଙ୍କର ଏକାନ୍ତ ନିଷ୍ଠା ପ୍ରାଣବନ୍ତ ହୋଇ ମୃତ୍‌ବତ୍‌ ଜାତୀୟ ଜୀବନରେ ସଂଜୀବନୀ ଶକ୍ତି ସଂଚାର କରିବାରେ ସମର୍ଥ ହୋଇଥିଲା। ସେହି ବିପ୍ଳବୀ ସାହିତ୍ୟର ମୂଲ୍ୟାୟନ ଅଳଙ୍କାର ଶାସ୍ତ୍ର ଦ୍ବାରା କରାଗଲେ ବିଚାର ବିଡ଼ମ୍ବନା ହେବ ସିନା! ଏହି ପ୍ରକାରର ବିଚାର ବିଡ଼ମ୍ବନା ହେତୁ ଉଚ୍ଚକୋଟୀର ରୁଚି-ସମ୍ପନ୍ନ ସାହିତ୍ୟର ସ୍ରଷ୍ଟା ଉପେନ୍ଦ୍ର ଭଞ୍ଜଙ୍କୁ କୁରୁଚିପୂର୍ଣ୍ଣ ସାହିତ୍ୟର ଦୁଷ୍ଟ ନାୟକ ବୋଲି କେତେକ ସମାଲୋଚକ ନିନ୍ଦା କରିଥାନ୍ତି। ସେହି ସମାଲୋଚକମାନେ ଭୁଲିଯାଇଥାନ୍ତି ଯେ କେବଳ ସଂସ୍କୃତ ଭାଷାରେ ଗୂଢ଼ାର୍ଥ ବ୍ୟଞ୍ଜକ ସାହିତ୍ୟ ସମ୍ଭବ ବୋଲି ପ୍ରୋଢ଼ିକରି ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ଅବଜ୍ଞା ପ୍ରଦର୍ଶନ କରୁଥିବା ରାଜାଶ୍ରୟୀ ପଣ୍ଡିତମାନଙ୍କର ଗର୍ବଗଞ୍ଜନ କରି ମାତୃଭାଷାର ଗୌରବ ପ୍ରତିଷ୍ଠା କରିବା ଦାୟରେ ସେ ‘କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ’, ‘ବଜାର ବୋଲି’ ପରି ଆଦିରସାତ୍ମକ ସାହିତ୍ୟ ବି ରଚନା କରିବାକୁ ଦ୍ବିଧାବୋଧ କରିନଥିଲେ। ସଂସ୍କୃତ ସାହିତ୍ୟ ଓ ମାତୃଭାଷା ମଧ୍ୟରେ ତତ୍କାଳୀନ ସଂଘର୍ଷରେ ମାତୃଭାଷାକୁ ଗୌରବ ମଣ୍ଡିତ କରିବା ଲାଗି ତାହା ଆବଶ୍ୟକ ହୋଇଥିଲା। ସେହି ବୈପ୍ଳବିକ ଚେତନାର ବଶବର୍ତ୍ତୀ ହୋଇ କବିସମ୍ରାଟଙ୍କୁ ସେ ପଦକ୍ଷେପ ନେବାକୁ ପଡ଼ିଥିଲା-ଓଡ଼ିଆ ସାହିତ୍ୟର ମର୍ଯ୍ୟାଦା ବୃଦ୍ଧି ଲାଗି । 

      ବିପ୍ଳବୀ ସାହିତ୍ୟର ରୀତି ଓ ଚିନ୍ତାଧାରାକୁ ଅନୁସରଣ କରି ପୁଲିସ ଗୁଇନ୍ଦା ଯେବେ କାବ୍ୟ କବିତା ଗଳ୍ପ ବା ପ୍ରବନ୍ଧ ଲେଖେ,ତାହା ବିପ୍ଳବୀ ସାହିତ୍ୟର ମର୍ଯ୍ୟାଦା ପାଇବା ଲାଗି ବିବେଚିତ ହେବା ଯୋଗ୍ୟ କି? ବିପ୍ଳବକୁ ଉତ୍ସାହିତ କରିବା ପୋଲିସ ଗୁଇନ୍ଦାର ଅଭିପ୍ରାୟ ନୁହେଁ। ଛଦ୍ମବେଶୀ ବିପ୍ଳବୀ ସାଜି ଜନଗଣଙ୍କୁ ବିପ୍ଳବ ପଥରୁ ବିଚ୍ୟୁତ କରିବା, ବିପ୍ଳବୀଙ୍କ ମନରେ ନିଜପ୍ରତି ମିଥ୍ୟା-ପ୍ରତ୍ୟୟ ସୃଷ୍ଟି କରିବା ପ୍ରଭୃତି ମନ୍ଦ ଅଭୀପ୍‌ସା ପ୍ରାଣୋଦିତ ଏ ସାହିତ୍ୟ ବିପ୍ଳବୀ ସାହିତ୍ୟ ହିସାବରେ ପରିଗଣିତ ହେବା ସମିଚୀନ ନୁହେଁ।

        ଭାରତର ଜାତୀୟ ମୁକ୍ତି ଆନ୍ଦୋଳନ ସମୟରେ ଏହିପରି ବହୁ କାବ୍ୟ-କବିତା ରଚିତ ହୋଇଛି, ଯାହାର ରଚୟିତା କିଏ ଜାଣିବା ସମ୍ଭବପର ନୁହେଁ। ସାହିତ୍ୟିକ ମର୍ଯ୍ୟାଦା ଲାଭ କରିବାକୁ ବିପ୍ଳବୀ କବି ଓ ଲେଖକ ଯେ ଲାଳାୟିତ ନୁହେଁ- ଏଥିରୁ ତାହା ସ୍ପଷ୍ଟ ହୁଏ। ସାହିତ୍ୟିକ ଭାବେ ମର୍ଯ୍ୟାଦା ଲାଭ କରିବା ତା’ର ଧ୍ୟେୟ ନୁହେଁ, ତା’ର ଏକମାତ୍ର କାମ୍ୟ ଆଦର୍ଶର ଉପାସନା। ବିପ୍ଳବୀ ସାହିତ୍ୟିକ ପକ୍ଷେ ତା’ର ସାହିତ୍ୟ ଏକ ନୈବେଦ୍ୟ, ଏକ ନିବେଦନ, ଏକ ଆତ୍ମୋତ୍ସର୍ଗ। ଏଥିଲାଗି ସେ କୋଣାର୍କର ମୁଣ୍ଡିମାରି ସମୁଦ୍ରରେ ଝାସଦିଏ।ବିପ୍ଳବର ପରବର୍ତ୍ତୀ କାଳରେ ବିପ୍ଳବ ସାହିତ୍ୟ ସାହିତ୍ୟିକକୁ ଯେଉଁ ମର୍ଯ୍ୟାଦା ଦିଆଯାଏ, ସେ ଯଶ ଲାଳସାରେ ତା’ର ସୃଷ୍ଟି ବୋଲି ବିବେଚନା ତହିଁର ବୈପ୍ଳବିକ ଚେତନା ପ୍ରତି ଅବିଚାର ହୁଏ ସିନା । ଅପର ପକ୍ଷରେ ଆପଣାର କବି ପ୍ରତିଭାର ପ୍ରତିଷ୍ଠା ଲାଗି ଯେଉଁମାନେ ବ୍ୟାକୁଳ, ଆଦର୍ଶ ପ୍ରତି ସେମାନଙ୍କର ଅନୁରକ୍ତି ଗୌଣ-ହୁଏତ ଛଳନା ମାତ୍ର, ଯାହାର ମୁଖା ପିନ୍ଧି ସେମାନେ ଦାବି କରନ୍ତି ସାମାଜିକ ମର୍ଯ୍ୟାଦା, ରାଷ୍ଟ୍ରୀୟ ସ୍ବୀକୃତି ଓ ପୁରସ୍କାର ଏବଂ ଭତ୍ତା।

        ଆଦର୍ଶ ପ୍ରତି ଏକନିଷ୍ଠତା ଅଭାବରୁ ଏ ଶ୍ରେଣୀର ସାହିତ୍ୟିକଙ୍କ ଠାରେ ବିଚ୍ୟୁତି ଦେଖାଦିଏ ଏବଂ ଏହି ବିଚ୍ୟୁତି ସେମାନଙ୍କୁ ଟାଣିନିଏ ରାଷ୍ଟ୍ର ଶକ୍ତିର ହାତବାରିସୀ  ହେବାଲାଗି, ଏପରିକି ଗୁପ୍ତ ପୁଲିସର ଗୁଇନ୍ଦା ସାଜିବାକୁ। ଏ ପ୍ରକାର କବି ଲେଖକ ବିପ୍ଳବର ଆଦର୍ଶ ପ୍ରତି ତାଙ୍କର ଆନୁଗତ୍ୟ ପ୍ରକାଶ କରୁଥିଲେ ହେଁ, ତାହା ଛଳନା-ବିପ୍ଳବୀ ସଂଗଠନକୁ ଭାଙ୍ଗିବାକୁ, ବିପ୍ଳବୀମାନଙ୍କୁ ବିପଥଗାମୀ କରିବା ଲାଗି ବିପ୍ଳବକୁ ଭଣ୍ଡୁର କରିବା ଲାଗି, ବିପ୍ଳବୀମାନଙ୍କୁ ପୁଲିସ ହାତରେ ଧରାଇ ଦେବାଲାଗି ଆଦି ପ୍ରତି ବିପ୍ଳବୀ କାର୍ଯ୍ୟ ଲାଗି ରାଷ୍ଟ୍ରଶକ୍ତି ଦ୍ବାରା ବ୍ୟବହୃତ ହୋଇଥାନ୍ତି। ଏହି ବଂଶମରା ଡାହୁକଙ୍କୁ ବିପ୍ଳବୀ ସାହିତ୍ୟର ସ୍ରଷ୍ଟା ବୋଲି ବିଚାର କରିବା ବିଚାର ବିଡ଼ମ୍ବନା ମାତ୍ର। ବିପ୍ଳବୀ ସୁଲଭ ଭାଷା, ଭାବ ଓ ଭଙ୍ଗୀ ବିପ୍ଳବୀ ସାହିତ୍ୟର ପରିମାପକ ନୁହେଁ, ବିପ୍ଳବୀ ଆଦର୍ଶ ପ୍ରତି ଏକନିଷ୍ଠତା ତା’ର ଏକମାତ୍ର ପରିମାପକ। ବିପ୍ଳବୀ ସାହିତ୍ୟର ରଚୟିତା ଶ୍ରେଣୀ-ଚରିତ୍ର ପ୍ରତି ଦୃଷ୍ଟିପାତ ନ କରି ଲିପିବଦ୍ଧ ଭାଷା ଓ ଭାବରୁ ତା’ର ବିଚାର କଲେ ବିଚାରକ ସିଦ୍ଧାନ୍ତ ଭ୍ରାନ୍ତି ପୂର୍ଣ୍ଣ ହେବାକୁ ବାଧ୍ୟ।

      ସମାଜ ଅଧିକରୁ ଅଧିକ ଜଟିଳ ହୋଇଉଠୁଛି। ପୋଲିସ ପୋଷାକ ପିନ୍ଧି ଚୋର ଚୋରି କରିବାକୁ ବାହାରୁଛି। ପୁଲିସ ବିପ୍ଳବୀ-ସାହିତ୍ୟରେ ତାଲିମପ୍ରାପ୍ତ ବ୍ୟକ୍ତିଙ୍କୁ ତା’ର ଗୋଇନ୍ଦା ଭାବେ ରଣସଂଗଠନମାନଙ୍କରେ ଅବସ୍ଥାପିତ କରି ଗଣସଙ୍ଗଠନର ସମସ୍ତ ସମ୍ବାଦ ସଂଗ୍ରହ କରିବାରେ ଚେଷ୍ଟିତ। ଏହି ଜଟିଳ ପରିସ୍ଥିତିରେ ସାହିତ୍ୟ ସମୀକ୍ଷକ କୌଣସି ସାହିତ୍ୟ ବିପ୍ଳବୀ ସାହିତ୍ୟ ରୂପେ ଅଭିହିତ କରିବା ଲାଗି ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ଦରକାର ଏବଂ ଏଥିଲାଗି ପରୀକ୍ଷା ନିରୀକ୍ଷା ଓ ସୂକ୍ଷ୍ମ ବିଚାର କରିବାର ଆବଶ୍ୟକତା ଦେଖାଦେଇଛି। ଅଳ୍ପକେ କହିବାକୁ ଗଲେ, ଆଙ୍ଗିକରୁ ବିପ୍ଳବୀ ସାହିତ୍ୟକୁ ବିଚାର କରାଯାଇନପାରେ। ତହିଁର ଆତ୍ମୀକ ଛଳନାପୂର୍ଣ୍ଣ ବା ସଚ୍ଚୋଟ, ତାହାକୁ ବିଚାର କରି ସମୀକ୍ଷକ ତହିଁର ମୂଲ୍ୟାୟନ କରିବା ଉଚିତ୍‌।




+ -

© Jataayu Charitable Trust
Site designed,developed & maintained by Tekons