ପ୍ରବନ୍ଧ ଓ ଆଲୋଚନା




ବିପ୍ଳବୀ ସାହିତ୍ୟ

 

       ବିପ୍ଳବ ଦୃଷ୍ଟିକୋଣୁ ବିପ୍ଳବ ସଂଗଠନ ଲାଗି ଯାହାକିଛି ଲେଖା (ତା’ର ମୂଳଗ୍ରନ୍ଥ ଠାରୁ ସାଂଗଠନିକ ଲିଫ୍‌ଲେଟ୍‌, ଚିଠିପତ୍ର ଆଦି)ସବୁ ବିପ୍ଳବୀ ସାହିତ୍ୟ। ବିପ୍ଳବକୁ ବିରୋଧ କରୁଥିବା ରାଷ୍ଟ୍ର ଓ ତା’ର କର୍ତ୍ତୃପକ୍ଷ ମଧ୍ୟ ସେ ସବୁକୁ ବିପ୍ଳବୀ ସାହିତ୍ୟ କହିଥାନ୍ତି। କିନ୍ତୁ ସାହିତ୍ୟିକ ବିଚାରରେ ସେ ସବୁକୁ ବିପ୍ଳବୀ ସାହିତ୍ୟ ଆଖ୍ୟା ଦିଆଯାଇନପାରେ।

       ସାହିତ୍ୟିକ ମୂଲ୍ୟ ବିବର୍ଜିତ ଲେଖାକୁ ବିପ୍ଳବୀ ତଳେ ଗଣିବା ନିତାନ୍ତ ହାସ୍ୟାସ୍ପଦ କଥା। ଏହା ହେଲେ ସାଙ୍ଗଠନିକ ହିସାବଖାତା ବି ବିପ୍ଳବୀ (‘ସାହିତ୍ୟ’)ସାହିତ୍ୟ ତଳେ ଯିବ। ବିପ୍ଳବୀ ସାହିତ୍ୟ, ସାହିତ୍ୟର ଏକ ବିଭାଗ; ତେଣୁ ସାହିତ୍ୟ ଗୁଣର ଏହା ଭୂଷିତ ହୋଇଥିବା ସର୍ବାଦୌ ଆବଶ୍ୟକ।

     କାବ୍ୟ ରସାପ୍ଳୁତଂ ବାକ୍ୟଂ। ବାକ୍ୟ ରସାପ୍ଳୁତ ନ ହେଲେ ତକୁ ସାହିତ୍ୟର ମର୍ଯ୍ୟାଦା ମିଳେନାହିଁ । ବାକ୍ୟ ରସାୟତ ହେଲେ ପାଠକର ହୃଦୟତନ୍ତ୍ରୀକୁ ସ୍ପର୍ଶ କରିବାର କ୍ଷମତା ତାଠାରେ ସଂଚରେ; ଏହା ଶ୍ରୋତା ବା ପାଠକକୁ  ବୌଦ୍ଧିକ ସ୍ତରରୁ ଆବେଗମୟ ସ୍ତରକୁ ନେଇଯାଏ, ତା ପ୍ରାଣରେ ଭାବାଲୋଡ଼ନ ସୃଷ୍ଟି କରି ତା’ର ଚିନ୍ତାଧାରାକୁ ଅଭିଭୂତ କରେ। ଏହି ଚମତ୍କାରିତାରେ ହିଁ ସାହିତ୍ୟର ବୈଶିଷ୍ଟ୍ୟ ପ୍ରତିପାଦିତ ହୁଏ।

     ରସ ପରିବେଷଣକାରିତା ଉପରେ ସାହିତ୍ୟ ପର୍ଯ୍ୟବସିତ ହୋଇଥିବା ହେତୁ ଏହାର ସାର୍ଥକତା ରସଗ୍ରହୀତାଙ୍କ ଉପରେ ନିର୍ଭର କରେ । ସମାଜରେ ରସଗ୍ରାହୀ ଲୋକେ ଏକ ଶ୍ରେଣୀର ନୁହନ୍ତି। ନିଜ ନିଜର ଶିକ୍ଷା, ଅଭିରୁଚି, ଦୃଷ୍ଟି ଭଙ୍ଗୀ ଆଦି ନେଇ ତାହା ନାନା ଶ୍ରେଣୀରେ ବିଭକ୍ତ। ଯାହା ଉଚ୍ଚ ଶିକ୍ଷିତ ମହଲରେ ମର୍ଯ୍ୟାଦା ସମ୍ପନ୍ନ ସାହିତ୍ୟ ବୋଲି ଆବୃତ ହୁଏ, ସମାଜର ସଂଖ୍ୟାଧିକ ଲୋକଙ୍କ ପାଖରେ ତାହା ମୂଲ୍ୟହୀନ ଅଟେ। ପୁଣି, ଯାହା ଶୁଣି ଶିକ୍ଷା ବିବର୍ଜିତ ବହୁ ସଂଖ୍ୟକ ଲୋକ ଏତେ ଅଭିଭୂତ ହୋଇପଡ଼ନ୍ତି ଯେ, ସେମାନେ ଅଶ୍ରୁ ସଂଚରଣ କରିପାରନ୍ତି ନାହିଁ; ଶିକ୍ଷିତ ସମାଜ ତାକୁ ତୁଚ୍ଛ ମନେ କରିଥାଏ। ଏଥିରୁ ସ୍ପଷ୍ଟ ଯେ ସମାଜର ବିଭିନ୍ନ ଶ୍ରେଣୀ ଲାଗି ବିଭିନ୍ନ ପ୍ରକାରର ସାହିତ୍ୟ ସୃଷ୍ଟି ହୋଇଥାଏ। ମଧ୍ୟବିତ୍ତ ଶିକ୍ଷିତ ଶ୍ରେଣୀର ପଠନଯୋଗ୍ୟ ସାହିତ୍ୟିକୁ ସାହିତ୍ୟ ମର୍ଯ୍ୟାଦା ଦେଇ ଅଶିକ୍ଷିତ ଚାଷୀ ମଜୁରିଆରେ ଗୀତ-ସୁଆଙ୍ଗ-ପାଲାକୁ ଅସାହିତ୍ୟ ବୋଲି ଅବଜ୍ଞା କରିବା ଅବାସ୍ତବ ଓ ଅଯୌକ୍ତିକ। ଗାଉଁଲି ସାହିତ୍ୟ ମଧ୍ୟ ସାହିତ୍ୟିକ ମର୍ଯ୍ୟାଦାର ପୂର୍ଣ୍ଣ ଅଧିକାରୀ।

       ବିଭିନ୍ନ ଶ୍ରେଣୀର ପାଠକକୁ ଅଭିଭୂତ କରିବା ଲାଗି ସାହିତ୍ୟକୁ ଭିନ୍ନ ଭିନ୍ନ ଶୈଳୀର ଆଶ୍ରୟ ନେବାକୁ ପଡ଼ିଥାଏ। କୌଣସି ବିଶିଷ୍ଟ ରୁଚିର ଭାଷା,ଶୈଳୀ,ରୀତି ବା ପ୍ରକାଶଭଙ୍ଗୀ ଦ୍ବାରା ଏହାକୁ ନିର୍ଣ୍ଣୟ କରିବା ଧୃଷ୍ଟତା ମାତ୍ର। ଏଥିଲାଗି ଅଳଙ୍କାର ଶାସ୍ତ୍ରର ପ୍ରୟୋଗ ବା ବ୍ୟାକରଣ ଜ୍ଞାନ ଅପରିହାର୍ଯ୍ୟ ନୁହେଁ। ଉଦ୍ଦେଶ୍ୟ ସାଧନାରେ ସଫଳତାହିଁ ଏହାର ମୂଲ୍ୟର ଏକମାତ୍ର ମାପକାଠି।

     ସୃଷ୍ଟି, ସ୍ଥିତି, ବିଲୟ ଏହି ତ୍ରିବିଧ କ୍ରିୟା ବସ୍ତୁ-ଜୀବନରେ ଅବିରତ ହୋଇ ରହିଛି। ସାମାଜିକ ଜୀବନ ଏହି ଦ୍ବନ୍ଦ୍ବାତ୍ମକ ପ୍ରକ୍ରିୟାରୂ ବାଦ୍‌ ପଡ଼ିନାହିଁ। ଶ୍ରେଣୀ ବିଭକ୍ତ ସମାଜରେ ଜୀବନକୁ ଉପଭୋଗ କରିବାକୁ ଉତ୍ପନ୍ନ ପଦାର୍ଥଗୁଡ଼ିକୁ ଶାସକ ଶ୍ରେଣୀ ଆତ୍ମସାତ୍‌ କରନ୍ତି;ଫଳତଃ ଜନଗଣ ତହିଁର ଉପଭୋଗରୁ ବଞ୍ଚିତ ହୁଅନ୍ତି। ଏହି ହେତୁ ଶାସକ ଶ୍ରେଣୀ ଓ ଜନଗଣଙ୍କ ମଧ୍ୟରେ ଦ୍ବନ୍ଦ୍ବ ଉପୁଜେ। ଜନଗଣ ଶାସକ ଶ୍ରେଣୀ ହାତରୁ ଉପଭୋଗ୍ୟ ସେହି ପଦାର୍ଥମାନ ଉଦ୍ଧାର କରି ଜନସାଧାରଣଙ୍କ ସ୍ବାର୍ଥରେ ଲଗାଇବାକୁ ଚାହାନ୍ତି। ଅନ୍ୟ ଭାଷାରେ ପ୍ରକାଶ କଲେ ଶାସକ ଶ୍ରେଣୀ ସ୍ଥିତାବସ୍ଥାର ସପକ୍ଷରେ ଓ ଜନସାଧାରଣଙ୍କ ଉଦ୍ୟମ ସ୍ଥିତାବସ୍ଥାର ଅବସାନ ଲାଗି। ଜନଗଣ ଚାହାନ୍ତି ଅନ୍ୟ ଲକ ଅବସ୍ଥାର ସୃଷ୍ଟି, ଯାହା ତାଙ୍କର ଇପ୍‌ସିତ କାମନାକୁ ଫଳବତୀ କରିବ। ଏ ପ୍ରକାର ଉଦ୍ୟମରୁ ବୀପ୍ଳବର ଉଦ୍ଭବ, ଯାହା ସ୍ଥିତାବସ୍ଥାକୁ ଓଲଟପାଲଟ କରି ଜନତାର କଳ୍ପିତ କାମ୍ୟକୁ ରୂପ ଦେଇ ଅଭିନବ ଅବସ୍ଥା ସୃଷ୍ଟି କରେ। ସାମାଜିକ ଜୀବନର ଏ ବିପ୍ଳବ ପ୍ରତିନିୟତ ଲାଗିରହିଥିଲେ ହେଁ ଏକ ସାମାଜିକ ବ୍ୟବସ୍ଥାର ମୌଳିକ ପରିବର୍ତ୍ତନ କରି ତା’ର ବିରୁଦ୍ଧଧର୍ମୀ ବ୍ୟବସ୍ଥା ଚାଲୁ କରିବାକୁ ଉଦ୍ୟମ କଲାବେଳେ ଜନଗଣଙ୍କୁ ବହୁ ବାଧାବିଘ୍ନର ମୁକାବିଲା କରିବାକୁ ପଡ଼େ; ସୁବିଧା ଉପଭୋଗୀଙ୍କ ସଂଗଠିତ ବିରୋଧର ସମ୍ମୁଖୀନ ହେବାକୁ ପଡ଼େ; ଆଦର୍ଶ ପ୍ରତି ନିଷ୍ଠା ସହକାରରେ କାର୍ଯ୍ୟ କରିବାକୁ ପଡ଼େ ଏବଂ ବଳିଷ୍ଠ ପଦକ୍ଷେପ ନେଇ ସ୍ଥିତାବସ୍ଥାକୁ ଭାଙ୍ଗିଦେଇ ତା’ ସ୍ଥଳରେ ନୂତନ ବ୍ୟବସ୍ଥାକୁ ପ୍ରତିଷ୍ଠା କରିବାକୁ ପଡ଼େ। ଏହା ହିଁ ପ୍ରକୃତିର ନିୟମ।

    ସ୍ଥିତାବସ୍ଥାକୁ ସୁହାଇଲା ଭଳି ସେ ସାହିତ୍ୟ ସୃଷ୍ଟି ହୁଏ,ତାହା ସ୍ଥିତାବସ୍ଥାରେ ଜୀବନର ସୁଖ ଦୁଃଖ, ଆଶା-ଆକାକ୍ଷ୍ୟା’ ଚିତ୍ରଣ କରେ ଏବଂ ଚିତ୍ରଣ ଦ୍ବାରା ପାଠକ ପ୍ରାଣକୁ ସ୍ପର୍ଶ କରେ। ଏହି ଶ୍ରେଣୀର ଲେଖକ ସମାଜର ପ୍ରାଣୀଙ୍କ ଜୀବନକୁ ଚିତ୍ର (Holding the mirror into life)କରିବାରେ ସନ୍ତୁଷ୍ଟ। ଏମାନେ ସ୍ଥିତାବସ୍ଥାକୁ ଉପଭୋଗ କରିବାର ପକ୍ଷପାତୀ, ତା’ର ସମସ୍ତ ଦୁଃଖ ଦୈନ୍ୟ ସତ୍ତ୍ବେ। ପ୍ରଚଳିତ ଜୀବନଧାରା ଭଗବତ୍‌ଦତ୍ ଓ ଏଥିରେ କୌଣସି ମୌଳିକ ପରିବର୍ତ୍ତନ ସମ୍ଭବ ନୁହେଁ ବୋଲି ଏମାନଙ୍କର ଅନୁଚ୍ଚାରିତ ବାଣୀ।

    ଏମାନଙ୍କ ମଧ୍ୟରୁ ଯେଉଁମାନେ ସ୍ଥିତାବସ୍ଥାର ଦୁଃଖ ଦୁର୍ଦ୍ଦଶାରେ ନିତାନ୍ତ କାତର ଓ ଭୀତଗ୍ରସ୍ତ, ସେମାନେ ବାସ୍ତବ ଜୀବନ ଚିତ୍ରଣ ନ କରି କାଳ୍ପନିକ ପରୀରାଇଜର କଳ୍ପନା କରିଥାନ୍ତି, ମନଗଢ଼ା ବିଷୟର ଅବତାରଣା କରି ପାଠକର ଉପଭୋଗ୍ୟ ସାହିତ୍ୟ ସୃଷ୍ଟି କରିଥାନ୍ତି। ଏ ଶ୍ରେଣୀର ସାହିତ୍ୟ ସ୍ଥିତାବସ୍ଥା ପ୍ରତି ନିରାପଦ, ଏହା ପକ୍ଷାନ୍ତରେ ତାକୁ ଉତ୍ସାହିତ କରେ, ଅଫିମ ନିଶାରେ ପାଠକକୁ ମସଗୁଲ କରି ରଖେ।

     ଆଉ ଏକ ଶ୍ରେଣୀର ଲେଖକ ଅଛନ୍ତି, ଯେଉଁମାନେ ପ୍ରଚଳିତ ବ୍ୟବସ୍ଥାର ଅନ୍ୟାୟ ଅବିଚାର ବିରୁଦ୍ଧରେ ପ୍ରତିବାଦ ଜଣାଇଥାନ୍ତି। ସୃଶ୍ୟାସୃଶ୍ୟ  ଭେଦ,ବାଲ୍ୟ-ବିଧବା, ଲାଞ୍ଚମିଛ ଆଦି ସମସ୍ୟାରେ ଏମାନେ ବିବ୍ରତ ଓ ଏସବୁ କଳଙ୍କ ଦୂର କରିବା ଦିଗରେ ସେମାନେ ତାଙ୍କର ଲେଖନୀ ଚାଳନା କରନ୍ତି। ଏମାନେ କିନ୍ତୁ ସ୍ଥିତାବସ୍ଥାରେ ମୌଳିକ ପରିବର୍ତ୍ତନରେ ପକ୍ଷପାତୀ ନୁହନ୍ତି। ଏହି ସଂସ୍କାରପନ୍ଥୀ ସାହିତ୍ୟିକ ସ୍ଥିତାବସ୍ଥା ବିରୁଦ୍ଧରେ ବିଦ୍ରୋହୀ, କିନ୍ତୁ ସମାଜର ବୈପ୍ଳବିକ ପରିବର୍ତ୍ତନ ଲାଗି ଅଙ୍ଗୁଳି ନିର୍ଦ୍ଦେଶ କରିବାର ସାହାସ ଏମାନଙ୍କ ଠାରେ ନାହିଁ । ଏହି ବିଦ୍ରୋହ କିନ୍ତୁ ବିପ୍ଳବ ପଥରେ ବିପ୍ଳବୀକୁ କିୟତ୍‌ ପରିମାଣରେ ସାହାଯ୍ୟ କରେ।ସ୍ଥିତାବସ୍ଥାକୁ ଭାଙ୍ଗି ଧୂଳିସାତ୍‌ କରିବାର ଆହ୍ବାନ ଦେଇ ଯେ ସମସ୍ତ ସାହିତ୍ୟ ସୃଷ୍ଟି ହୁଏ, ତାହା ଆପାତତଃ ବିପ୍ଳବୀ ସାହିତ୍ୟ ପରି ମନେହେଉଥିଲେ ହେଁ, ବିପ୍ଳବୀ ସାହିତ୍ୟର ମର୍ଯ୍ୟାଦା ପାଇବାକୁ ତାହା ଯୋଗ୍ୟ ନୁହେଁ। ନାସ୍ତିବାଚକ ଚିନ୍ତାଧାରା ଉପରେ ପର୍ଯ୍ୟବେସିତ ସେ ସାହିତ୍ୟ ଏକ ବିଶୃଙ୍ଖଳ ସମାଜର ପରିକଳ୍ପନା କରେ। ତହିଁର ମୌଳିକ ଚିନ୍ତାଧାରା ଧ୍ବଂସାତ୍ମକ; ତେଣୁ ଅସାମାଜିକ। ତାହା ବିପ୍ଳବକୁ ପରିପୁଷ୍ଟ କରିବା ପରିବର୍ତ୍ତେ ସମାଜରେ ବିଶୃଙ୍ଖଳା ବିଭ୍ରାନ୍ତି ଆଣିବାରେ ସାହାଯ୍ୟ  କରେ। ବିପ୍ଳବ ତାହା ଦ୍ବାରା ପରାହତ ହୁଏ; ସ୍ଥିତାବସ୍ଥା ହିଁ ବଞ୍ଚିରହେ ସାମାଜିକ, ପରିସ୍ଥିତିକୁ ଆହୁରି ଦୁଃସ୍ଥ ଦୁର୍ଦ୍ଦଶାଗ୍ରସ୍ତ କରି।




+ -

© Jataayu Charitable Trust
Site designed,developed & maintained by Tekons