ପ୍ରବନ୍ଧ ଓ ଆଲୋଚନା




  ମୌଳିକତା କାହାକୁ କହିବା?

          “ଉଚ୍ଚାଙ୍ଗ ସାହିତ୍ୟର ଗୋଟିଏ ଗୁଣ ହେଉଛି ଅପୂର୍ବତା, ଅରିଜିନାଲିଟି। ସାହିତ୍ୟ ଯେତେବେଳେ ଆକ୍ଳାନ୍ତ ଶକ୍ତିମାନ୍‌, ସେତେବେଳେ ସେ ଚିରନ୍ତକୁ ହିଁ ନୂତନ କରି ପ୍ରକାଶ କରିପାରେ। ଏହା ତା’ର କାର୍ଯ୍ୟ। ଏହାକୁ କୁହାଯାଏ ଅରିଜାନାଲିଟି।” (ସାହିତ୍ୟେ ନବତ୍ବ ରବୀନ୍ଦ୍ରନାଥ)

            ଏ ମାନଦଣ୍ଡରେ ଅଧ୍ୟାପକ ରାୟ ମହାକବିମାନଙ୍କର ରଚନାବଳୀକୁ ମାପିନେଇ ସେଗୁଡ଼ିକ ଅପହୃତ କି ମୌଳିକ ତାହା ବିଚାର କରନ୍ତୁ।

           “କବି ମନରେ ଏହି ରଙ୍ଗପୂର୍ଣ୍ଣ ରସାବେଶ ବିଶ୍ବର ବହିର୍ଭୂମିର ଛବି ଓ ଘଟଣାକୁ ଅଭିନବ ସୃଷ୍ଟିରେ ରୂପାନ୍ତରିତ ଓ ରସାପ୍ଳୁତ ନ କଲେ, ତାହା ସାହିତ୍ୟ ହେବନାହିଁ। କବି ନକଲ-ନବିସ ନୁହେଁ। ନକଲ କରିବାର ପ୍ରବୃତ୍ତି ତା’ର ନ ଥାଏ। ସେ ସ୍ରଷ୍ଟା । ସୃଷ୍ଟିକାରୀର ହୃଦୟରେ ମୌଳିକ ପ୍ରତିଭା ଆତ୍ମଗୋପନ କରି ରହିଛି।…ବାସ୍ତବ ସତ୍ୟ ସାହିତ୍ୟ ସୃଷ୍ଟିର ଉପାଦାନ ମାତ୍ର। ସାହିତ୍ୟର ସତ୍ୟ ଏହି ସତ୍ୟର ସହଯୋଗରେ ଗଠିତ। ଉପାଦାନ ଓ ସୃଷ୍ଟି ଏକ ପଦାର୍ଥ ନୁହେଁ। ସାହିତ୍ୟରେ ତାହା ଗୋଟିଏ ରସାଦର୍ଶ ବଶୀଭୂତ, ଅନୁଗାମୀ ଓ ଅନୁଚର ମାତ୍ର।”

          ସ୍ବରଚିତ (?) ସାହିତ୍ୟ ଓ ସାହିତ୍ୟ-ତତ୍ତ୍ବ ପୁସ୍ତିକାରୁ ଉଦ୍ଧୃତ ଉପରୋକ୍ତ ଉକ୍ତିର ତାତ୍ପର୍ଯ୍ୟ  ଅଧ୍ୟାପକ ରାୟ ହୃଦୟଙ୍ଗମ କରିଥିଲେ କାଳିଦାସ ‘ବାଲ୍ମିକୀ ରାମାୟଣ’ରୁ ‘ମେଘଦୂତ’ଲାଗି ପ୍ରେରଣା ପାଇଛନ୍ତି,ତେଣୁ ‘ଚୋର’ ଏ ପ୍ରକାର ଯୁକ୍ତି ବାଢ଼ିନଥାନ୍ତେ।

          ଅପହରଣ ତେବେ କାହାକୁ କୁହାଯିବ? ଇଂଲଣ୍ଡର ପ୍ରସିଦ୍ଧ ଭାଷାବିତ୍‌ ଓ ସମାଲୋଚକ ଜନସନ୍‌ଙ୍କ ଭାଷାରେ ସାହିତ୍ୟ କ୍ଷେତ୍ରରେ ସେହିମାନଙ୍କୁ ଚୋର କୁହାଯିବ, ଯେଉଁମାନେ ଆମର ଯାହା ଥିଲା ପୁଣି ତାକୁ ହିଁ ଆମର ଦିଅନ୍ତି’(Who gives us again what we had before)ଏ ସଂକ୍ରାନ୍ତରେ ରଚନାଧିକାର (Copy right)ଆଇନର ସଂଜ୍ଞା ଓ ନିର୍ଦ୍ଦେଶ ଗ୍ରହଣ କଲେ ବାଦାନୁବାଦର ଅବସର ନଥିବ। ଅପହରଣ କାହାକୁ କୁହାଯିବ, ସେ ବିଷୟରେ ଧାରଣା ସ୍ପଷ୍ଟ କରେ, ୧୯୧୧ ମସିହା ରଚନାଧିକାର ଆଇନ (1&2 Geo V Ch.46) ର ୧ ଧାରା ୨ ଉପଧାରାରେ ଉଲ୍ଲିଖିତ ‘ରଚନାଧିକାର’ର ଅର୍ଥ, ‘ରଚନା ବିଶେଷର ବା ତହିଁର କୌଣସି ବିଶିଷ୍ଟ ଅଂଶକୁ ଅନ୍ୟ ଯେ କୌଣସି ରୂପରେ ପରିବେଷଣ ବା ପୁନଃ ପରିବେଷଣ କରିବାର ଏକାଏକ ସ୍ବତ୍ବ…’ ଏବଂ ଉକ୍ତ ଆଇନର ଧାରା ୨ ଓ ଧାରା ୩୫ରେ ଲଘଂନ (Infringement)ଦୋଷର ବର୍ଣ୍ଣନାରେ ଥିବା ‘ମୂଳ ରଚନାର ବସ୍ତୁତଃ ପୁନରାବୃତ୍ତି ବା ବାହାର କଲେଇକରା ଅନୁକରଣ’ (Colourable immitation)।

       ପୁଣି ୧୯୨୮ ମସିହାରେ ରୋମରେ ବସିଥିବା ରଚନାଧିକାର ସଭା ଦ୍ବାରା ନିର୍ଦ୍ଧାରିତ ଆନ୍ତର୍ଜାତିକ ନିୟମର ଆର୍ଟିକ୍ଳ ୧୨ ଅନୁସାରେ- ‘ ବିଶେଷ ଭାବେ ନିମ୍ନୋକ୍ତ ବିଷୟଗୁଡ଼ିକ ବେଆଇନ ପୁନଃ ପରିବେଷଣର ଅନ୍ତର୍ଭୁକ୍ତ ଅଟେ। ଅନୁମତି ନ ନେଇ ସାହିତ୍ୟିକ ରଚନାକୁ ପ୍ରକାରାନ୍ତରେ ନିଜସ୍ବୀକରଣ, ଯଥା-ଛାୟାବଲମ୍ବନ, ସଙ୍ଗୀତ ଯୋଜନା,ଅଥବା ଉପନ୍ୟାସ,ଗଳ୍ପ ବା କବିତାରେ ରୂପାନ୍ତରୀକରଣ ପ୍ରଭୃତି, ଯେବେ ମୌଳିକ ପରିବର୍ତ୍ତନ ସଂଯୋଜନ ବା ସଂକୋଚନ ବିନା (Without essential alterations additions or abridgments)ଏହା ମୂଳ ରଚନାକୁ ସମାନ ରୂପରେ ବା ଅନ୍ୟ କୌଣସି ରୂପାଶ୍ରୟରେ କେବଳ ପୁନଃ ପରିବେଷଣ କରିଥାଏ ଏବଂ ଏହା ଯେ ‘ନୂତନ ମୌଳିକ ରଚନା, ଏକଥା ପ୍ରତିଭାତ ହେଉନଥାଏ।’

       ଭାରତୀୟ ରଚନାଧିକାର ଆଇନ ଉପରୋକ୍ତ ନୀତି ଓ ବିଧାନକୁ ଗ୍ରହଣ କରିଯାଇଛି।

       ରଚନାଧିକାର ଆଇନର ପ୍ରସିଦ୍ଧ ଗ୍ରନ୍ଥକାର କୋପିନ୍‌କର୍‌ଙ୍କ ମତରେ “କେତେକ କ୍ଷେତ୍ରରେ ମୂଳ ରଚନାର ବିଷୟବସ୍ତୁର କିୟଦଂଶ ଅନ୍ୟ ରଚନା ମଧ୍ୟରେ ମିଶେଇ ଦିଆଯାଇପାରେ। ଏପରି ଭାବେ ମିଶିଥିବ ଶେଷୋକ୍ତ ରଚନାର ଅବୟବ ମଧ୍ୟରେ ଏହା କୌଣସି ସ୍ବାତନ୍ତ୍ର୍ୟ ବା ତହିଁରୁ କିଛି ପାର୍ଥକ୍ୟ ନ ଥିବ । ପୁଣି ଶେଷୋକ୍ତ ରଚନା ମୂଳ ରଚନାଠାରୁ ପ୍ରକାଶ୍ୟ ଓ ସ୍ପଷ୍ଟ ରୂପେ ଭିନ୍ନ ଉଦ୍ଦେଶ୍ୟ ନେଇ ରଚିତ ହେବା ଆବଶ୍ୟକ; ତେବେ ଏହାକୁ ଅପହରଣ କହିବା ସମୀଚୀନ ହେବନାହିଁ” ଏବଂ ବିଚିତ୍ର ଅଂଶ ରୂପେ ଖଞ୍ଜାହୋଇ ତହିଁର ବିଶିଷ୍ଟ ଚମତ୍କାରିତାରେ ପରିଣତ ହୋଇପାରେ, ତେବେ ସ୍ପଷ୍ଟରୂପେ ଅପହରଣ ବୋଲି ଗଣ୍ୟ ହେବ।

       ରଚନା ଅପହରଣ ପରିସର ରଚନାଧିକାର ଲଘଂନଠରୁ ଅଧିକ ବ୍ୟାପକ। ‘ଅପରର ଭାବନା’ ଲେଖା ବା ଆବିଷ୍କାର ଅପହରଣ କରି ନିଜର ବୋଲି ଚଳେଇ ଦେବାକୁ ରଚନା ଅପହରଣ ବୋଲି କୁହାଯାଇପାରେ। (O.E.D.)ସାହିତ୍ୟ ବା କଳାରେ ଅପରର ରଚନାରୁ ଆତ୍ମସାତ୍‌ କରିବା ବା ଉତ୍ତାରିବା ଏବଂ ତାହାକୁ ନିଜର ମୌଳିକ ରଚନା ବୋଲି ଚଳେଇଦେବା ହିଁ ରଚନାପହରଣ। (Encyclopadia Brittannica)ଏ ପ୍ରକାରର ସ୍ପଷ୍ଟ ସଂଜ୍ଞା ଥିବାସ୍ଥଳେ ତହିଁପ୍ରତି ଆଖି ବୁଜି ଦେଲେ ମନୁଷ୍ୟକୁ ଓଡ଼ିଆ ଭାଷାରେ ବିଲେଇ ସହିତ ଏବଂ ଇଂରେଜୀ ଭାଷାରେ ଓଟପକ୍ଷୀ ସହିତ ତୁଳନା କରାଯାଇଥାଏ।

       ଅଧ୍ୟାପକ ରାୟଙ୍କ ଅନ୍ୟ ଯୁକ୍ତିଧାରା-ଦୁଇ କବିଙ୍କର ମାନସଲୋକରେ ଯେ ଭାବ ସମନ୍ବୟ (ସମାନ ଭାବ?)ଜାଗ୍ରତ ନ ହେବ ଏପରି କିଏ କହିପାରିବ? ଇଂରେଜୀ ଭାଷାରେ ‘ବିଜ୍ଞବଚନ ମହାଚେତାମାନେ ଅନେକ ସମୟରେ ଏକାଭଳି ଭାବିଥାନ୍ତି’ ପ୍ରତି ମୁଁ ସଚେତ ଅଛି। ରବୀନ୍ଦ୍ର ବା ଅନ୍ୟ ଯେକୌଣସି କବି ବା ଲେଖକଙ୍କଠାରୁ ଅଧ୍ୟାପକ ମିଶ୍ର ବା ଅଧ୍ୟାପକ ରାୟ ଯେ ପ୍ରତିଭାରେ ନ୍ୟୂନ, ଏପରି ପୂର୍ବ ସିଦ୍ଧାନ୍ତ ଧରି ମୁଁ ସେମାନଙ୍କର ରଚନା ମୌଳିକତା ବିଚାର କରିବାକୁ ଯାଉନାହିଁ। ପୂର୍ବ ପ୍ରକାଶିତ ଅନ୍ୟ ଲେଖକଙ୍କର ଗଳ୍ପର ଉପକାବ୍ୟ ଚିନ୍ତା, ଚରିତ୍ରାବଳୀ, ଘଟଣାବଳୀର କ୍ରମ ,କ୍ରମନୁଯାୟୀ ଭାବଦ୍ୟୋତନା ତଥା ଉପସଂହାର ଅଧ୍ୟାପକ ରାୟଙ୍କ ଗଳ୍ପର ଯଥାକ୍ରମେ ସେହି ସେହି ବିଭାଗ ସହିତ ସର୍ବୋତାଭାବେ ସମାନ ହୋଇନଥିଲେ, ଅଭିଯୁକ୍ତ କବିତାର କେବଳ ଭାବ ନୁହେଁ, ଭାବବାହକ ତିନୋଟିଯାକ ରୂପକ ସହିତ ଭାବ ପ୍ରକାଶକ ଭାଷା ବି ରବୀନ୍ଦ୍ର କବିତା ସହିତ ଏକବାରେ ମେଳ ଖାଉନଥିଲେ, ଏଗୁଡ଼ିକୁ ଅପହୃତ ବୋଲି ହୁଏତ କହିନଥାନ୍ତି। ଯଶକାତର ହୋଇ ଶ୍ରୀ ରାଧାମୋହନ ଗଡ଼ନାୟକ ବା ମୁଁ ଅଧ୍ୟାପକ ରାୟ ବା ଅଧ୍ୟାପକ ମିଶ୍ରଙ୍କ ମୌଳିକତା ବା ପ୍ରତିଭା ପ୍ରତି ଯଥେଷ୍ଟ ସମ୍ମାନ ଦେଖାଉନାହୁଁ ବୋଲି ତାଙ୍କର ଧାରଣା ହୋଇପାରୁଥାଏ। କିନ୍ତୁ କେଉଁ କ୍ଷେତ୍ରରେ ଏହା ଅପହରଣ ବୋଲି ସିଦ୍ଧ ହେବ, ତାହା ନିମ୍ନୋକ୍ତ ବିଜ୍ଞୋପ୍ତିରୁ ବିଚାର୍ଯ୍ୟ।

         କୋପିନ୍‌କର;-‘ପ୍ରତ୍ୟେକ ବ୍ୟକ୍ତିର ବ୍ୟବହୃତ ଶବ୍ଦାବଳୀର କ୍ରମତାର ବୈଶିଷ୍ଟ୍ୟ, ଠିକ୍‌ ତାହାର ଚେହେରା ଯେପରି ଅନ୍ୟଠାରୁ ପୃଥକ୍‌,ସେହିପରି।’ ଯେବେ ଦୁଇଜଣ ଲେଖକ ଶବ୍ଦାବଳୀର ଏକାକ୍ରମରେ ଦୁଇଟି ମୌଳିକ ରଚନା ସୃଷ୍ଟି କରନ୍ତି, ତେବେ ନିଜର ରଚନା ସେହି ବ୍ୟକ୍ତିର ସମ୍ପଦ ହେବ ଅବଶ୍ୟ। ନିଆରା କରି ବାଛି ନହେବ, ଏଭଳି ଦୁଇଟି ଚେହେରା ସମ୍ଭବିବା ଯେତେଦୂର ସଂଗତ, ଏଭଳି ଘଟଣା ଘଟିବା ତାହାଠାରୁ କମ୍‌।’

       ପୁନଶ୍ଚ –‘ମୂଳ ରଚନାର ଶବ୍ଦାବଳୀ କେବଳ ପରିବର୍ତ୍ତନ କରି ଦେଇ ଅଭିଯୁକ୍ତ ବ୍ୟକ୍ତି ଯେ ଆଇନର ବିଧାନକୁ ଫାଙ୍କି ଦେବ’, ଏ କଥା କସ୍ମିନ୍‌ କାଳେ ଅଦାଲତ ବରଦାସ୍ତ କରିବ ନାହିଁ।(Copinger on Law Copyright)

         ‘ନକଲ ତାହାକୁ କହିବ, ଯାହା ପୂର୍ବ ରଚନାର ଏତେ ସନ୍ନିକଟ (ଲେଃ-ସାମଞ୍ଜସ୍ୟପୂର୍ଣ୍ଣ) ଯେ ଏହାକୁ ଦେଖିଲେ ସେହି ମୂଳ ରଚନାଟି ସୂଚିତ ହୋଇଯିବ।’(Encyclopadia Britannica)

         ‘ଭାଷା-ଚୋର ସବୁଠୁ ନିକୃଷ୍ଟ ସାହିତ୍ୟ- ଚୋର ମଧ୍ୟରେ ପରିଗଣିତ।’(Hazlitt)ମୌଳିକ ରଚନାକୁ ଯେତେ କୌଶଳ ସହକାରେ କଲେଇ କଲେ ମଧ୍ୟ ତାହା ଅପୂର୍ବତାରେ ପୁନର୍ଜୀବନ ଲାଭ ନକରିଥିଲେ, ଚୌର୍ଯ୍ୟ ବୋଲି ଜଣାଯାଏ।

          ‘କେହି କୌଶଳୀ ସାହିତ୍ୟ-ଚୋର ମୋର ଟ୍ରାଜିଡିର କେତେଗୁଡ଼ିଏ ଚମତ୍କାର ଅଂଶ ଉଠେଇ ନେଇ ନିଜର କମେଡ଼ିରେ ଭର୍ତ୍ତି କରି ଦେଇପାରେ।’(Sheridan)

          ବିଶିଷ୍ଟ ଅଂଶ (Substiantial part) ବୋଲି, ପରିମାଣ ଦିଗରୁ ନୁହେଁ, ଅପହୃତ ଅଂଶର ସାରବତ୍ତା ଦୃଷ୍ଟିରୁ ବିଚାରକମାନେ ବିଚାର କରିଥାନ୍ତି।

          କେଲୀ (ବନାମ୍‌ ମରିସ୍‌) ତଥା ପାଇକ୍‌ (ବନାମ୍‌ ନିକୋଲାସ୍‌)ମକଦ୍ଦମାରେ ବିଚାରପତିମାନେ କହିଛନ୍ତି, ‘ ବିଲ୍‌କୁଲ ମୌଳିକ ରଚନା ମାନଙ୍କରେ ବାକ୍ୟାଂଶରେ ସ୍ଥଳ ବିଶେଷରେ ସାମଞ୍ଜସ୍ୟ ହିଁ ନକଲର ଯଥେଷ୍ଟ ପ୍ରମାଣ।’

          ଯୁକ୍ତରାଷ୍ଟ୍ର ବିଚାରାଳୟର ଡ଼ାଲି (ବନାମ ପାମର) ମକଦ୍ଦମାର ରାୟ ଏ ସଂକ୍ରାନ୍ତରେ ବିଚାର ଧାରା ଲାଗି ଚମତ୍କାର ନିର୍ଦ୍ଦେଶ ଦିଏ। ନିମ୍ନରେ ସଂଗତ ଅଂଶ ଉଦ୍ଧାର କଲି। ବିଚାରପତି ବ୍ଲାଚ୍‌ଫୋର୍ଡ।

          ‘ଅଭିଯୋଗକାରୀଙ୍କର ରେଳପଥ ଦୃଶ୍ୟରେ ଯାହା କିଛି ମୂଲ୍ୟବାନ (Substantila) ଏବଂ ଉଲ୍ଲେଖଯୋଗ୍ୟ ସେ ସମସ୍ତ ବନ୍‌ସିକଲ୍‌ଟ (ଲେ:ନିଜ ନାଟକରେ) ବ୍ୟବହାର କରିଛନ୍ତି। ଘଟଣାବଳୀରର ଏକାକ୍ରମ ଓ ପରଂପରା ରକ୍ଷା କରାଯାଇଛି ଓ ସେଗୁଡ଼ିକ ଏପରି ଭାବରେ ପରିବେଷଣ କରାଯାଇଛି ଯେ, ଅଭିଯୋଗକାରୀଙ୍କ ନାଟକ ଦେଖିଲେ ଯେଉଁ ଭାବାନୁଭୂତି ଓ ଧାରଣା ଜନ୍ମିବ, ବନ୍‌ସିକଲ୍‌ଟଙ୍କ ନାଟକ ଦେଖିଲେ ସେହି ଏକାଭଳି ଭାବାନୁଭୂତି ଓ ଧାରଣା ଜନ୍ମିବ। ବନ୍‌ସିକଲ୍‌ଟ ପ୍ରକୃତରେ ନିଜର ନାଟକର ଆଖ୍ୟାନ ମଧ୍ୟରେ ଅଭିଯୋଗକାରୀଙ୍କର (ଦୃଶ୍ୟର)ଘଟନା ନିଚୟକୁ ଖଞ୍ଜି ଦେଇଛନ୍ତି ଏବଂ ଏହା କରିବାକୁ ଯାଇ ସେ ତହିଁରେ କୌଶଳ ଓ କଳାର ପରିଚୟ ଦେଇଛନ୍ତି ସତ:କିନ୍ତୁ ଉଭୟ ନାଟକରେ ଏକା ଘଟନାବଳୀର ପରିବେଷଣ କରାଯାଇଛି, ଯାହା ପ୍ରଦର୍ଶିତ ହେଲେ , ଏକା କ୍ରମରେ ଏକା ଭାବର ଉଦ୍ରେକ ହେବ।  ଆଇନ ଦୃଷ୍ଟିରୁ ଅଭିଯୋଗକାରୀଙ୍କ ରେଳପଥ ଦୃଶ୍ୟରେ ଯାହା ଅଛି, ବନ୍‌ସିକଲ୍‌ଟଙ୍କ ନାଟକରେ ତାହା ବାଦ ନୂଆ କିଛି ପ୍ରୟୋଗ କରାଯାଇନାହିଁ।’

            ବିଚାରର ସ୍ବଚ୍ଛ ଦର୍ପଣ ଅଧ୍ୟାପକ ରାୟଙ୍କ ଆଗରେ । ଅଭିଯୁକ୍ତ କବିତାକୁ ‘ଅସମାପ୍ତ’କବିତା ସହିତ, ରୁଷ ଗଳ୍ପ ‘ଭେରା’କୁ ସ୍ବରଚିତ ‘ବିସର୍ଜନ’ଗଳ୍ପ ସହିତ, ଆବରକ୍ରମି ପ୍ରଭୃତି ଲେଖକଙ୍କର ପୁସ୍ତକାବଳୀର ଭାବ ଓ ଭାଷା ସହିତ ପୃଷ୍ଠା ପରେ ପୃଷ୍ଠା ମେଳ ଖାଉଥିବା ଅଧ୍ୟାପକ ରାୟଙ୍କର ମୌଳିକ ଲେଖାଗୁଡ଼ିକ ସହିତ ତୁଳନା କଲେ ବିଚାରକଙ୍କ ଦୃଷ୍ଟିରେ ଦୁଇ ଲେଖକଙ୍କର ଏହା ଖାଲି ଭାବ- ସାମଞ୍ଜସ୍ୟ ବୋଲି ବିବେଚିତ ହେବ ତ? ସେଗୁଡ଼ିକ ମୌଳିକ ଲେଖା ବୋଲି ଯଦି ଅଧ୍ୟାପକ ରାୟ ନିହାତି କହନ୍ତି, ତେବେ ଏହା ପୃଥିବୀର ଏକ ଅଭିନବ ଓ ଅପ୍ରୀତିକର ଘଟନା ବୋଲି ଜାଣିବାକୁ ହେବ। ଏପରି କରିବାରେ ଅଧ୍ୟାପକ ରାୟ ବା ଅଧ୍ୟାପକ ମିଶ୍ରଙ୍କର ଯେ କୌଣସି ଅସଦ୍‌ ଉଦ୍ଦେଶ୍ୟ ଥିଲା ବା ଅଛି, ତାହା ମୁଁ ବିଶ୍ବାସ କରିବାକୁ ପ୍ରସ୍ତୁତ ନୁହେଁ। ଅଧ୍ୟାପକ ରାୟ (ଅଧ୍ୟାପକ ମିଶ୍ର ତାଙ୍କର ଛାତ୍ର ଥିଲେ) ଏଥିପୂର୍ବରୁ ମହାକବିମାନେ ଏ ପ୍ରକାର ଚୋରି କରିଛନ୍ତି, ତେଣୁ ଏଥିରେ ଦୋଷ ନାହିଁ: ଏହି ଧାରଣାର ବଶବର୍ତ୍ତୀ ହୋଇ ବୋଧହୁଏ କେତେକ ଅନୁକରଣ ଓ ଅନୁବାଦ କରି ସ୍ବୀୟ ରଚନା ବୋଲି ଚଳାଇ ଦେଇଛନ୍ତି। ତାଙ୍କର ଆଲୋଚନାଟି ପଢ଼ିସାରିଲା ପରେ ମୋର ମନରେ ଧାରଣା ଜନ୍ମିଛି, କେତେକ ସାହିତ୍ୟ ସମାଲୋଚକଙ୍କର ଉକ୍ତିର ତାତ୍ପର୍ଯ୍ୟ ହୃଦୟଙ୍ଗମ କରି ନପାରି, ଭ୍ରମରେ ପଡ଼ି ଆହରଣ ଓ ଅପହରଣ ଏକାର୍ଥବୋଧକ ଜ୍ଞାନରେ ଅଧ୍ୟାପକ ମହୋଦୟ ଉଦ୍ଧାର କରୁଥିବା ସ୍ଥଳେ ଉଦ୍ଧୃତ ଚିହ୍ନ ଦେଉନାହାନ୍ତି, ମାଗି ଆଣିଲା ପଦାର୍ଥ ନିଜ ପଦାର୍ଥ ପରି ପରିବେଷଣ କରୁଛନ୍ତି;ଫଳରେ ପାଠକଙ୍କ ମନରେ ଭୂଲ ଧାରଣା ଜନ୍ମାଉଛନ୍ତି। ସେମାନଙ୍କର ଉଦ୍ଦେଶ୍ୟ ମହତ୍‌ ହେଲେ ବି ପାଠକେ ଭୁଲ୍‌ ବୁଝିବାର ଯଥେଷ୍ଟ ଅବସର ରହୁଛି।

     ଅନ୍ୟ ରଚନାରୁ ଆହରଣ କଳା ପଦାର୍ଥରେ ମୌଳିକତା ‘ଫୁଟାଇ ନୂତନ ସୃଷ୍ଟି କରିବା ଯେଉଁମାନଙ୍କ ପକ୍ଷରେ ଏକାନ୍ତ ସମ୍ଭବପର ନହୁଏ, ଅଥଚ ସାହିତ୍ୟ ସେବା କରିବାକୁ ଅଭିଳାଷ, ସେମାନଙ୍କ ଲାଗି ଅନୁବାଦ ସାହିତ୍ୟର କ୍ଷେତ୍ର ଓଡ଼ିଆ ସାହିତ୍ୟରେ ଅଦ୍ୟାବଧି ପ୍ରଶସ୍ତ ଅଛି- ଅନୁବାଦ ବୋଲି ଖାଲି ଉଲ୍ଲେଖ କଲେ ହେଲା। ଋଣ କରି ଅନୃଣ ବୋଲି ପରିଚୟ ଦେବା  ଦେବାଳିଆ ମନୋଭାବର ପରିଚୟ ଦିଏସିନା! ଅଧ୍ୟାପକ ରାୟ ଓ ଅଧ୍ୟାପକ ମିଶ୍ରଙ୍କୁ ମୋର ବିନୀତ ଅନୁରୋଧ, ସେମାନେ ଯେବେ ସାହିତ୍ୟ ବିଷୟରେ ତାଙ୍କର ଭ୍ରମ ଧାରଣା ଦୂର ନ କରନ୍ତି ଓ ସାହିତ୍ୟ କ୍ଷେତ୍ରରେ ଅପହରଣ ଦୋଷ ଅପସାରଣ ଦିଗରେ ସହଯୋଗ ନ କରନ୍ତି,  ତେବେ ସୁନାମୁଦି ଓ ଯୋଡ଼ ଲୋଭରେ ବହୁ ଅକବି କବି ଯଶପ୍ରାର୍ଥୀ  ହୋଇ କେତେ ଅଲେଖକ ସେତେ ସାହିତ୍ୟିକ ଭଳି ବେଶ ପରିପାଟୀ ସାଜି ସାହିତ୍ୟରେ ବି ଚୋରା ବଜାର କାରବାରର ବହୁ ହାତ ସଫେଇ ଦେଖାଇଯିବେ। ଜାତିର ଆଦର୍ଶ ଗଠନର ପବିତ୍ର ପୀଠରେ ଅପହରଣ କରିବାକୁ ଯେଉଁମାନେ କୁଣ୍ଠାବୋଧ କରନ୍ତି ନାହିଁ, ସମାଜରେ ସେମାନଙ୍କୁ ଯେ କେବଳ ବିଦ୍ରୂପ କରାଯାଏ, ତାହା ନୁହେଁ,ଏ ଦେଶର ଆଇନ ସେମାନଙ୍କ ଲାଗି ଗାରଦର ବ୍ୟବସ୍ଥା ମଧ୍ୟ କରିଦେଇଛି। ମନେ ରଖିବାର କଥା, ତାହା କେବଳ ସାହିତ୍ୟିକ ଅପରାଧ ନୁହେଁ।

        ଆଲୋଚନାକୁ ନୀତି ବିଚାର ମଧ୍ୟରେ ସୀମାବଦ୍ଧ ରଖିଲି। ଅପରର ମୌଳିକ ରଚନାକୁ ଯେଉଁମାନେ ଓଡ଼ିଆ ସାହିତ୍ୟରେ କେବଳ ପୁନଃ ପରିବେଷଣ କରିଛନ୍ତି, ଆତ୍ମମର୍ଯ୍ୟାଦା ଦୃଷ୍ଟିରୁ ସେଗୁଡ଼ିକ ଯେ ଅନ୍ୟ ରଚନାକୁ ସଂଗୃହୀତ, ଏ ପ୍ରକାର ସ୍ବୀକାରୋକ୍ତି ସର୍ବସାଧାରଣ ବିଜ୍ଞପ୍ତି ଲାଗି ଏବେ ସେମାନେ ନିଜ ଆଡ଼ୁ ଅବିଳମ୍ବେ ପ୍ରକାଶ କରିଦେବା ବାଞ୍ଛନୀୟ। କାରଣ, ‘କୌଣସି ଲେଖକ ଚୋରି କରୁଥିବା ଥରେ ଧରାପଡ଼ିଲେ , ତା ପରଠାରୁ ରଚନାପହରଣର ସନ୍ଦେହ ତା ଉପରେ ସବୁବେଳେ ରହିବ।’(Lecture in Dramatic Literature-Hazlilt)

(‘ସହକାର’ ତ୍ରିଂଶଭାଗ ୩ୟ ସଂଖ୍ୟାରେ ପ୍ରକାଶିତ)




+ -

© Jataayu Charitable Trust
Site designed,developed & maintained by Tekons