ପ୍ରବନ୍ଧ ଓ ଆଲୋଚନା




ସମ୍ଭବାମି ଯୁଗେ ଯୁଗେ

 

ଶ୍ରୀମଦ୍‌ଭଗବତ୍‌ ଗୀତା। ଚତୁର୍ଥ ଅଧ୍ୟାୟ।କର୍ମଯୋଗ।

    କର୍ମଯୋଗର ନିଗୂଢ଼ ତତ୍ତ୍ବର ଅବତାରଣା ପୂର୍ବରୁ ଶ୍ରୀକୃଷ୍ଣ କହିଲେ,“ଏହି ତତ୍ତ୍ବ ଏଥିପୂର୍ବରୁ ମୁଁ ସୂର୍ଯ୍ୟଙ୍କୁ ଶିକ୍ଷା ଦେଇଥିଲି, ସେ ତାଙ୍କ ପୁତ୍ର ମନୁଙ୍କୁ ଶିକ୍ଷା ଦେଲେ;ମନୁଙ୍କ ପୁତ୍ର ଈକ୍ଷ୍ବାକୁ ପିତାଙ୍କଠାରୁ ଏହା ଶିକ୍ଷା କରିଥିଲେ। ରାଜର୍ଷିମାନେ ଏହା ପରମ୍ପରାକ୍ରମେ ଶିକ୍ଷା କରୁଥିଲେ କିନ୍ତୁ ଏହି ତତ୍ତ୍ବ କାଳକ୍ରମେ ବିସ୍ମୃତ ହୋଇଯାଇଛି।”

    ଅର୍ଜୁନଙ୍କୁ ଏହା ପରିହାସ ପରି ମନେ ହେଲା। ପ୍ରତିବାଦ କରି ଅର୍ଜୁନ ପଚାରିଲେ, “ଈକ୍ଷ୍ବାକୁ ପୁରାଣ ଯୁଗର ରାଜା, ମନୁ ତ ଆଦି ମନୁଷ୍ୟ, ସୂର୍ଯ୍ୟଙ୍କଠାରୁ ଏ ସୌରଜଗତ ସୃଷ୍ଟି ହୋଇଛି। ତୁମେ ତ ଏବକାର ଲୋକ। ତୁମେ ସେମାନଙ୍କୁ ଶିକ୍ଷା ଦେଇଛ, ଏହା କ’ଣ ବିଶ୍ବାସଯୋଗ୍ୟ।”

     ତହିଁର ଉତ୍ତରରେ ଶ୍ରୀକୃଷ୍ଣ କହିଲେ, “ତୁମେ ଓ ମୁଁ ଜନ୍ମ ଜନ୍ମାନ୍ତର ଲାଗି ଏବେ ଏହି ରୂପରେ ବିକାଶ କରିଛୁଁ। ପୂର୍ବଜନ୍ମମାନଙ୍କ ବିଷୟ ତୁମର ବିସ୍ଫରଣ ହୋଇଛି, ମୁଁ କିନ୍ତୁ ସେ ସମସ୍ତ ବିଷୟରେ ସଚେତନ।”

     ସୂର୍ଯ୍ୟ ପାର୍ଥିବ ଜଗତକୁ ସୂଚାଏ, ମନୁ ମନୁଷ୍ୟ ସମାଜର ପ୍ରତୀକ, ଈଷ୍ବାକୁ ରାଷ୍ଟ୍ର ସଂଗଠନ ପ୍ରତୀକ। କର୍ମଯୋଗ ନିବନ୍ଧରେ ପ୍ରକୃତି, ମନୁଷ୍ୟ ସମାଜ ଓ ରାଷ୍ଟ୍ର ଯେ ବନ୍ଧା, ପ୍ରାରମ୍ଭିକ ପାଞ୍ଚୋଟି ଶ୍ଳୋକରେ ତାହା ସ୍ପଷ୍ଟ ସୂଚିତ। ପ୍ରାରମ୍ଭିକ କଥୋପକଥନ ଛଳରେ ଶ୍ରୀକୃଷ୍ଣ ଓ ଅର୍ଜୁନ ଯେ ଦୁଇ ପୃଥକ୍‌ ପୃଥକ୍‌ ଚେତନାର ପ୍ରତୀକ ତାହା ସୂଚାଇ ଦିଆଯାଇଛି। ଶ୍ରୀକୃଷ୍ଣ ସମଗ୍ର ସୃଷ୍ଟିପ୍ରକ୍ରିୟା ବିଷୟରେ ସଚେତନ; ଅର୍ଜୁନଙ୍କ ଚେତନା କିନ୍ତୁ ବ୍ୟକ୍ତିଗତ ଅଭିଜ୍ଞତାକୁ ଜୀବନର ପରିମାପକ ରୂପେ ଗ୍ରହଣ କରିଛି। ତେଣୁ ତାହା ମୋହାନ୍ଧ।

      ବ୍ୟକ୍ତି ଚେତନାକୁ ବିଶ୍ବ ଚେତନାରେ ରୂପାନ୍ତରିତ କରିବା ସମ୍ଭବ-ଅର୍ଜୁନଙ୍କର ଏପରି ବିଶ୍ବାସ ଥିବାରୁ ଏବଂ ସେଥିଲାଗି ସେ ସଚେଷ୍ଟ ଥିବାରୁ ଶ୍ରୀକୃଷ୍ଣ ଭକ୍ତ ଓ ସଖା ଅର୍ଜୁନଙ୍କୁ କର୍ମଯୋଗର ନିଗୂଢ଼ ତତ୍ତ୍ବ ପ୍ରକାଶ କରିବାକୁ ଇଚ୍ଛୁକ।

       ପରବର୍ତ୍ତୀ ଶ୍ଳୋକମାନଙ୍କରେ ଯେଉଁ ନିଗୂଢ଼ ତତ୍ତ୍ବ ପ୍ରକାଶିତ, ଚେତନା ଭେଦରେ ତହିଁର ଅର୍ଥ ଅର୍ଥାନ୍ତର ହେବା ସ୍ବାଭାବିକ। ମୋହାନ୍ଧ ଅର୍ଜୁନ ଦେହ ବିନା ଦେହୀର ଅସ୍ତିତ୍ବ ସ୍ବୀକାର କରିବାକୁ ଅସମର୍ଥ। ଶ୍ରୀକୃଷ୍ଣ କିନ୍ତୁ ସୃଷ୍ଟିର ଅବିଚ୍ଛିନ୍ନ ଧାରା ଏକମାତ୍ର ସତ୍ୟ ବୋଲି ମନେକରନ୍ତି;ତାଙ୍କ ବିଚାରରେ ଦେହ-ଦେହାନ୍ତର ପ୍ରାପ୍ତି ସେହି ଅବିଚ୍ଛିନ୍ନ ଧାରାର ଅସ୍ଥାୟୀ ଅବସ୍ଥା-ମାୟା। ଶ୍ରୀକୃଷ୍ଣ ସେହି ଅବିଚ୍ଛିନ୍ନ ଧାରାର ପ୍ରତୀକ-ସଂୟଭୂ ସର୍ବବ୍ୟାପୀ ଏକୀଭୂତି ଶକ୍ତି।

      ଅଜୋପି ସନ୍ନବ୍ୟୟାତ୍ମା ଭୂତାନାମୀଶ୍ବରୋପି ସନ୍‌।

-ଶ୍ରୀମଦ୍‌ଭଗବତ୍‌ ଗୀତା-୪-୬

     ଗୀତାରେ ଅନ୍ୟତ୍ର ମଧ୍ୟ ସେହି କଥା ବାରମ୍ବାର ପାଠକଙ୍କୁ ଚେତାଇ ଦିଆଯାଇଛି-ଏପରି ଅର୍ଜୁନଙ୍କୁ ଶ୍ରୀକୃଷ୍ଣ ତାଙ୍କର ବିଶ୍ବରୂପ ଦର୍ଶାଇଛନ୍ତି। ଆର୍ଯ୍ୟଋଷିମାନେ ସୃଷ୍ଟିତତ୍ତ୍ବ ନେଇ ଯେଉଁ ତତ୍ତ୍ବରେ ଉପନୀତ ହୋଇଥିଲେ, ଶ୍ରୀକୃଷ୍ଣ ଉପଦେଶ ତହିଁର ପ୍ରତିଫଳନ ମାତ୍ର। ଈଶାବାସ୍ୟ ମିଦଂ ସର୍ବଂ ଯତ୍କି ଜଗତ୍ୟାଂଜଗତ। ଭଗବତ୍‌ ଶକ୍ତି ଏ ଜଗତର ସର୍ବତ୍ର ପୂରି ରହିଛି। ବିଶ୍ବସତ୍ତା ଈଶ୍ବରସତ୍ତା ଠାରୁ ଅଭିନ୍ନ। ପ୍ରତିଟି ଅଣୁ ପରମାଣୁରେ ସେ ବିଦ୍ୟମାନ । ଏହି ବିଚାରରେ ସୃଷ୍ଟି ଓ ସ୍ରଷ୍ଟା ଏକାତ୍ମ, ଏକାକାର ,ସୋହମ୍‌। ଏହା ଏକାକାର ହେଲେ ବି ସ୍ଥାଣୁ ନୁହେଁ- ଏହା ରୂପ ରୂପାନ୍ତର ଗ୍ରହଣ କରିଚାଲିଛି। ଏହି ଅସ୍ଥିରତା ହିଁ ସୃଷ୍ଟିର ପ୍ରକୃତିଗତ। ଅସ୍ଥିରତାକୁ ସ୍ଥିର ବୋଲି ମନେ କରିବା ଅନୃତ, ମାୟା,ମୋହାନ୍ଧତା , ଲୌକିକ ଦୃଷ୍ଟିଭଙ୍ଗୀ।

   ଲୌକିକ ବିଚାରରେ ପ୍ରଭୁ ଏ ବିଶ୍ବର ସ୍ରଷ୍ଟା, ନିୟାମକ। ସ୍ରଷ୍ଟା ହୋଇଥିବାରୁ ଏ ବିଶ୍ବ ପ୍ରଭୁଙ୍କ ଅଧୀନ, ଈଶ୍ବରଙ୍କଠାରୁ ଭିନ୍ନ। ପ୍ରଭୁଙ୍କର କୃପାଭିକ୍ଷା ବିନା ଦାସର ଅନ୍ୟ ଗତି ନାହିଁ।

    ଆର୍ଯ୍ୟଋଷିଙ୍କ ସୃଷ୍ଟି ତତ୍ତ୍ବକୁ ଜନସାଧାରଣରେ ଗ୍ରହଣୀୟ କରିବା ଲାଗି ମୁନିମାନେ ଯେଉଁ ଉଦ୍ୟମ ଚଳାଇଥିଲେ, ରାମାୟଣ, ମହାଭାରତ ଓ ଅଷ୍ଟାଦଶ ପୁରାଣ ତହିଁରୁ ଉଦ୍ଭବ। ମହାଭାରତରେ ସନ୍ନିବିଷ୍ଟ ଶ୍ରୀକୃଷ୍ଣଙ୍କ ମୁଖନିସୃତ ବାଣୀ ଶ୍ରୀମଦ୍‌ ଭାଗବତ୍‌ ଗୀତାରେ ଉପନିଷଦମାନଙ୍କରେ ଦୁର୍ବୋଧ୍ୟ ସୃଷ୍ଟି ତତ୍ତ୍ବକୁ ସରଳ ସାବଲୀଳ ଭାଷାରେ ପ୍ରକାଶ କରାଯାଇଛି। ମାତ୍ର-ଜନସାଧାରଣଙ୍କ ବୋଧଗମ୍ୟ ସାହିତ୍ୟ ରୂପରେ-ଲୋକହିତାୟ।

ଧର୍ମର ଗ୍ଳାନି

        ବିଶିଷ୍ଟ ଧର୍ମଗୁରୁଙ୍କ ପ୍ରଚାରିତ ବିଶ୍ବାସ,ବାଣୀ ଓ ଆଚରଣ ବିଧି, ଧର୍ମାନୁଷ୍ଠାନ ମାନଙ୍କରେ ଅନୁସୃତ ରୀତିନୀତିକୁ ଜନସାଧାରଣ ଧର୍ମ ବୋଲି ଗ୍ରହଣ କରିଥାନ୍ତି। ଆର୍ଯ୍ୟଋଷିମାନେ କିନ୍ତୁ କୌଣସି ନିର୍ଦ୍ଦିଷ୍ଟ ମତବାଦ ବା ଆଚରଣକୁ ଧର୍ମ ଆଖ୍ୟା ଦେଇନାହାନ୍ତି। ଯାହା ଧରି ରଖେ, ତାହାହିଁ ଧର୍ମ(ଧାରୟତି ଇତି ଧର୍ମଃ)। ଗୋରୁ ତୃଣ ଭକ୍ଷଣ ବିନା ନିଜକୁ ବଞ୍ଚାଇ ରଖିପାରିବ ନାହିଁ କି ବ୍ୟାଘ୍ର ଗୋବଧ ବିନା ବଞ୍ଚିପାରିବ ନାହିଁ। ତେଣୁ ତୃଣଭକ୍ଷଣ କରିବା ଗୋମହିଷାଦିଙ୍କ ଧର୍ମ; ଗୋମହିଷାଦିଙ୍କୁ ବଧ କରିବା ବ୍ୟାଘ୍ରର ଧର୍ମ। ବିଭିନ୍ନ ବସ୍ତୁ ବା ଅନୁଷ୍ଠାନର ଧର୍ମ କିନ୍ତୁ ଏକ ନୁହେଁ। ନିଜ ନିଜର ସ୍ଥିତି ଲାଗି ଏମାନେ ତାଙ୍କର ସ୍ବକୀୟଧର୍ମ ଆଚରଣ କରିଥାନ୍ତି। ବସ୍ତୁ ଓ ତା’ର ପରିସ୍ଥିତି ଭେଦରେ ଧର୍ମ ବି ଭିନ୍ନ ଭିନ୍ନ ରୂପ ଧାରଣ କରେ। ତେଣୁ ସ୍ବାଧର୍ମେ ନିଧନଃ ଶ୍ରେୟଃ, ପରଧର୍ମୋ ଭୟାବହଃ।

      ଅଜସ୍ର ସଂଘର୍ଷ ଭିତରେ ଚିରଚଞ୍ଚଳ ଜଗତ୍‌ ଯେ ତିଷ୍ଠି ରହିଛି, ତାହା କେବଳ ଧର୍ମବଳରୁ। ଧର୍ମ ହେଉଛି ସେହି ମୌଳିକ ପ୍ରବୃତ୍ତି ଯାହାକୁ ଅନୁସରଣ କରି ବସ୍ତୁ ବା ଅନୁଷ୍ଠାନ ଆପଣାର ଜୀବନ ବିତାଏ। ସୂର୍ଯ୍ୟ ଏ ନିୟମର ବଶବର୍ତ୍ତୀ ହୋଇ ନିତି ଯଥା ସମୟରେ ଉଦୟାସ୍ତ ହେଉଛି। ଧର୍ମ ହେତୁ ଶିଶୁ ଲାଗି ମାତୃସ୍ତନରେ ଖାଦ୍ୟ ଉତ୍ପନ୍ନ ହେଉଛି। ଧର୍ମହିଁ ଏହି ସୃଷ୍ଟିକୁ ଧରି ରଖିଛି। ପ୍ରଣବଠାରୁ ଆରମ୍ଭ କରି ପ୍ରଳୟ ପର୍ଯ୍ୟନ୍ତ ସବୁ ଧର୍ମ ଦ୍ବାରା ନିୟନ୍ତ୍ରିତ। ଧର୍ମ ହେଉଛି ବସ୍ତୁ ବା ସଂଗଠନକୁ କ୍ଷଣିକ ସ୍ଥିତି ଲାଗି ଶୃଙ୍ଖଳିତ ଆଚରଣ କରିବାରେ ପ୍ରବୃତ୍ତ କରେ, ଏହା ବସ୍ତୁ ବା ସଂଗଠନର ସ୍ବଭାବଗତ;ଶୃଙ୍ଖଳିତ ଆଚରଣ ଏହାର ବହିର୍ପ୍ରକାଶ।

    ସୃଷ୍ଟି ସ୍ଥାଣୁ ନୁହେଁ। ଆପଣାର ବିକାଶ ପଥରେ ନାନା ସ୍ତର ଦେଇ ତାହା ଗତି କରି ଚାଲିଛି। ବିକାଶୋମୁଖୀ ସୃଷ୍ଟି(ମାୟା) ନାନା ବସ୍ତୁ, ନାନା ଅନୁଷ୍ଠାନ ଗଢ଼ିଚାଲିଛି ଅଥଚ ସୃଷ୍ଟିର ଅଲଘଂନୀୟ ନିୟମାନୁଯାୟୀ ଜନ୍ମଲଭିବା ସହିତ ତାହା ଧ୍ବଂସ ପଥରେ ଅଗ୍ରସର ହୁଏ।

     ଜାତସ୍ୟ ହି ଧୃବୋ ମୃତ୍ୟୁ ଧ୍ରୁବଂ ଜନ୍ମ ମୃତସ୍ୟ ଚ।

     ତସ୍ମାଦପରିହାର୍ଯ୍ୟାର୍ଥେ ନ ତ୍ବଂ ଶୋଚିତୁମର୍ହସି॥

-ଶ୍ରୀମଦ୍‌ଭଗବତ୍‌ ଗୀତା ୨-୨୭

      ସୃଷ୍ଟି, ସ୍ଥିତି,ବିଲୟ ଏହି ତ୍ରିବିଧ ଧାରାର ସଂଗମସ୍ଥଳୀ ପ୍ରତିଟି ଅଣୁ, ପ୍ରତିଟି ବସ୍ତୁ, ପ୍ରତିଟି ଜୀବ ଓ ପ୍ରତିଟି ଅନୁଷ୍ଠାନ। ଏଠି କିଛି ସନାତନ ନାହିଁ, କେହି ଚିରସ୍ଥାୟୀ ନୁହେଁ।

        ଜନ୍ମଯୌବନ ଜରା ବା ସୃଷ୍ଟି-ସ୍ଥିତି-ବିଲୟର ନିୟମକୁ ଲଂଘିଯିବାକୁ କୌଣସି ବସ୍ତୁ ବା ଅନୁଷ୍ଠାନଗତ ଧର୍ମର ଶକ୍ତିନାହିଁ। ବସ୍ତୁ ବା ଅନୁଷ୍ଠାନଗତ ଧର୍ମ ଚିରସ୍ଥାୟୀ ନୁହେଁ,ତାହାର ରୂପ ରୂପାନ୍ତର ଅନିବାର୍ଯ୍ୟ।




+ -

© Jataayu Charitable Trust
Site designed,developed & maintained by Tekons