ପ୍ରବନ୍ଧ ଓ ଆଲୋଚନା




କୋରୋଲେନ୍‌କୋଙ୍କର ପ୍ରଚେଷ୍ଟାରେ ଗର୍କୀ ସ୍ଥାନୀୟ ଗୋଟିଏ ଖବରକାଗଜର ଲେଖକ ମଣ୍ଡଳୀରେ ସ୍ଥାନ ପାଇଲେ। ଏହିଦିନଠାରୁ ଲେଖନୀ ହେଲା ଗର୍କୀଙ୍କର ଏକମାତ୍ର ଆଶ୍ରୟ, ସାହିତ୍ୟ ସାଧନା କରିବାକୁ ତାଙ୍କୁ ସୁବିଧା ଓ ସୁଯୋଗ ମିଳିଲା।ଅଳ୍ପକାଳ ମଧ୍ୟରେ ଗର୍କୀ ରୁଷ୍‌ର ବିଶିଷ୍ଟ ଲେଖକଙ୍କ ମଧ୍ୟରେ ଅନ୍ୟତମ ବୋଲି ପରିଗଣିତ ହେଲେ। ଗର୍କୀଙ୍କର ଏହି ଗଳ୍ପଗୁଡ଼ିକ ଅତିରଞ୍ଜିତ ନ ଥିଲା, ଥିଲା ଜୀବନର ସଚ୍ଚୋଟ ନିଖୁଣ ଛବି। ନିର୍ଯ୍ୟାତିତ ମାନବ-ଶୋଷଣପିଷ୍ଟ ନରର କରୁଣ ନିତ୍ୟ ଅନୁଭୂତି, ତାହାକୁ ସରଳ ଭାଷାରେ ଗର୍କୀ ପ୍ରକାଶ କରୁଥିଲେ। ଆଉ ଏହାକୁ ପଢ଼ି ପାଠକ ପହି ଉଠୁଥିଲା, ‘ୟେ ତ ମୋରି ଜୀବନ!’ ଏହି ଗଳ୍ପ ଜରିଆରେ ଚଳନ୍ତି ସମାଜର ଦୋଷ ଦୁର୍ବଳତା ଓ ଅମାନୁଷିକତା ପ୍ରାଞ୍ଜଳ ଭାବରେ ଫୁଟି ଉଠୁଥିଲା; କାହିଁପାଇଁ ଯେ ମନୁଷ୍ୟ ତା’ର ମନୁଷ୍ୟତ୍ବ ହରାଇ କୁତ୍ସିତ କଦାକାର ହୋଇଉଠୁଛି, ସେଥିପ୍ରତି ପାଠକମାନଙ୍କର ଆଖି ଖୋଲି ଯାଉଥିଲା। କେବଳ ସେତିକି ନୁହେଁ, ଗର୍କୀ ଖବରକାଗଜ ଜରିଆରେ ଜାର ଓ ଜାରତନ୍ତ୍ରକୁ ନିର୍ଭୀକ ଭାବରେ ରୀତିମତ ସମାଲୋଚନା କଲେ।

      ଏହି ବିପଜ୍ଜନକ ଲେଖକକୁ ଜବତ କରିବାକୁ ପୋଲିସ୍‌ ଓ ଗୋଇନ୍ଦା ଗର୍କୀଙ୍କ ଘର ଚାରିକଡ଼େ ଚକ୍‌କର ଦେବାକୁ ଲାଗିଲେ। ଏକାଧିକ ବାର ଗର୍କୀଙ୍କୁ କାରାଗାରରେ ଅବରୁଦ୍ଧ କରାହୋଇଛି, ନିର୍ବାସନରେ ରହିବାକୁ ହୋଇଛି। କିନ୍ତୁ ପ୍ରତ୍ୟେକ ଥର ଗର୍କୀଙ୍କର ଅସଂଖ୍ୟ ପାଠକଙ୍କର ତୀବ୍ର ପ୍ରତିବାଦରେ ସରକାର ଭୟଭୀତ ହୋଇ ତାଙ୍କୁ ଖଲାସ କରିଦେଇଛି। ଜନତାର ମୁକ୍ତି ଅଭିଯାନର ସେ କେବଳ ଦର୍ଶକ ନଥିଲେ, ଲେଖନୀ ବଳରେ ବିପ୍ଳବକୁ ସାହାଯ୍ୟ କରୁଥିଲେ।ପ୍ରତ୍ୟକ୍ଷ ଭାବରେ ଶ୍ରମିକମାନଙ୍କୁ ସଂଗଠିତ କରିବା, ସେମାନଙ୍କୁ ଉତ୍ତେଜିତ କରିବା, ସେମାନଙ୍କ ଭିତରେ ବିପ୍ଳବର ବୀଜବପନ କରିବା ଥିଲା ତାଙ୍କ ଜୀବନର ପବିତ୍ର ବ୍ରତ।

      ମସ୍କୋରେ ଶ୍ରମିକମାନଙ୍କ ଦ୍ବାରା ପରିଚାଳିତ ଆର୍ଟ-ଥିଏଟର ଦେଖି ଗର୍କୀ ଅତିଶୟ ମୁଗ୍ଧ ହୋଇଯାଇଥିଲେ। ଧନିକମାନଙ୍କ ପ୍ରିୟ ମସ୍କୋ ଥିଏଟର୍‌ ପ୍ରଭୃତି ରଙ୍ଗମଞ୍ଚର ସୁନେଲି ରୂପସଜ୍ଜା ଏଠି ନଥିଲା। କିନ୍ତୁ ଏଠିକାର ଅଭିନେତା ବା ନାଟ୍ୟକାର ଅର୍ଥ ଲୋଭରେ କଳାଚର୍ଚ୍ଚା କରୁନଥିଲେ। ଜନସାଧାରଣଙ୍କ ଜୀବନକୁ ଘେନି ଚେକଭ୍‌ ତାଙ୍କର ଯେଉଁ ଉଚ୍ଚକୋଟୀର ନାଟକମାନ ମଞ୍ଚସ୍ଥ କରାଉଥାନ୍ତି, ତାକୁ ଦେଖି ଗର୍କୀ ରଙ୍ଗମଞ୍ଚ ପ୍ରତି ଆକୃଷ୍ଟ ହେଲେ ଓ ଆର୍ଟ ଥିଏଟର ଲାଗି ଏକ ନାଟକ ଲେଖି ବସିଲେ। ଗର୍କୀଙ୍କ ପ୍ରଥମ ଅବଦାନ-‘ଅର୍ଥପିପାସୁ’ରେ ଗର୍କୀ ତାଙ୍କର ଆବାଲ୍ୟ ପରିଚିତ ନିମ୍ନ ମଧ୍ୟବିତ୍ତ ସମାଜର ଚିତ୍ର ଆଙ୍କିଛନ୍ତି, ନିମ୍ନ ମଧ୍ୟବିତ୍ତ…ଯେଉଁମାନେ ସହରରେ ଛୋଟ ଛୋଟ ଘରଟି ମାନଙ୍କରେ ବାସ କରନ୍ତି, ସମ୍ପତ୍ତି ଭିତରେ ଥାଏ କେତୋଟି ବାସନ, କଡ଼େଇ ଓ ମାଠିଆ, ଆଉ ଗୋଟିଏ ସିନ୍ଧୁକ, ଯେଉଁଥିରେ ସେମାନେ ସେମାନଙ୍କର ସ୍ବଳ୍ପ ସଞ୍ଚୟକୁ ଯତ୍ନରେ ସମ୍ପାଦି ରଖନ୍ତି।

     ଏ ନାଟକ ଗର୍କୀଙ୍କ ମନକୁ ପାଇନଥିଲା। ଏହାପରେ ସେ ଲେଖିଲେ ‘ତଳିଆ ଜୀବନ’(Lower Depths)। ଏଥିରେ ସେ ଚିତ୍ରଣ କରିଥଥିଲେ ସର୍ବହରା ଜନତାକୁ। ଜଣେ ଧନିକ ଅବସ୍ଥା ଚକ୍ରରେ ଦରିଦ୍ର ହୋଇ ସାଧାରଣ ହୋଟେଲରେ ଆସି ବାସ କରୁଛି। ସେଠି ପ୍ରତ୍ୟେକ ଲୋକ ପ୍ରତ୍ୟେକଙ୍କୁ ଘୃଣା କରେ। ଶେଷରେ ବସନ୍ତର ଆବିର୍ଭାବରେ ଏହି କୁତ୍ସିତ ଦେଶକୁ। ଗର୍କୀ ଏହି ସର୍ବହରା ଜନତା ସହିତ ଅତି ଅନ୍ତରଙ୍ଗ ଭାବେ ପରିଚିତ ଥିଲେ, ସେମାନଙ୍କର ଆଚାର ବ୍ୟବହାର ଓ ଜୀବନ ପ୍ରଣାଳୀ ତାଙ୍କର ଅଙ୍ଗେ ନିଭାଇବା କଥା। ସେମାନଙ୍କର ଜୀବନର ସତ୍ୟମୂଳକ ଚିତ୍ର ବଳଶାଳୀ ଭାଷାରେ ଏହି ନାଟକରେ ଫୁଟି ଉଠିଛି। ଏହି ନାଟକରେ ଥିବା ବିପ୍ଳବାତ୍ମକ ବାକ୍ୟାବଳୀକୁ ସରକାର ଉଚ୍ଛେଦ କରିଦେଇଥିଲେ ବି ଏହାର ଅଭିନୟ ଦେଖି ଦର୍ଶକମଣ୍ଡଳୀ ମୁଗ୍ଧ ଚମତ୍କୃତ ହୋଇଯାଇଥିଲେ।

     ଏହାପରେ ରୁଷରେ ବିପ୍ଳବର ବାତ୍ୟା ବହିଲା ଅନବରତ। ଜନତାର ମୁକ୍ତି ଆନ୍ଦୋଳନ ତୀବ୍ରତର ହେଲା ଓ ଏହାକୁ ଦମନ କରିବାକୁ ଜାର୍‌ ହୁକୁମ ରହିଲା, “ଗୁଳି ଚଳାଅ, ସେନାପତି, ତୁମ ଅବିରାମ ଳି ଚଳାଅ”। ଏହି ରକ୍ତାକ୍ତ ମୁକ୍ତି ସଂଗ୍ରାମରେ ଜନତାର ନୈତିକ ବଳକୁ ସଂଗଠିତ କରିବା, ଦୃଢ଼ କରିବା ଓ ଜନସାଧାରଣଙ୍କୁ ଅଧିକ ଉତ୍ସାହିତ କରିବାରେ ହାତ ଯେତିକି ଥିଲା, ଅସ୍ତ୍ରଶସ୍ତ୍ର ଯୋଗାଇବା, ଶ୍ରମିକମାନଙ୍କୁ ତାଲିମ୍‌ କରିବା ଆଦି କାର୍ଯ୍ୟରେ ମଧ୍ୟ ସେ ସେତିକି ଲିପ୍ତ ଥିଲେ। ୧୯୦୫ ବିଦ୍ରୋହରେ ଯେତେବେଳେ ହଜାର ହଜାର ଲୋକ ଜାରର ସଙ୍ଗୀନ ମୁନରେ ପ୍ରାଣ ହରାଇଲେ, ଗର୍କୀଙ୍କର ବାଣୀ ପୁଣି ଜନତାର ପ୍ରାଣରେ ନବ ଆଶା ଓ ଉନ୍ମାଦନା ଆଣି ଦେଇଥିଲା।

      “ରୁଷର ସର୍ବହରା ଆଜି ଆଗେଇ ଚାଲିଛି। ତାହାର ବିଜୟ ସୁନିଶ୍ଚିତ। ତା’ର କାରଣ କେବଳ ଏହି ଶ୍ରେଣୀ ନୈତିକ ବଳରେ ବଳୀୟାନ, ନିଜର ବୁଦ୍ଧିରେ ଚାଳିତ ଏବଂ ଆପଣାର ଆବଶ୍ୟାମ୍ଭାବୀ ଭବିଷ୍ୟତ ଉପରେ ଆସ୍ଥା ସ୍ଥାପନ କରେ। ମୋର ବାକ୍ୟ ସତ୍ୟ ଏବଂ ଏହି ସତ୍ୟକୁ ପ୍ରତ୍ୟେକ ସତ୍‌ ଓ ସ୍ବାଧୀନ ମତବାଦୀ ଐତିହାସିକ ଗ୍ରହଣ କରିବେ।”

       ଗର୍କୀଙ୍କ ନାମରେ ୱାରେଣ୍ଟ ପରୱାନା ବାହାରିଲା। ଗର୍କୀ ବନ୍ଧୁମାନଙ୍କର ଉପଦେଶ କ୍ରମେ ଆମେରିକା ଚାଲିଗଲେ। ଏହିଠାରେ ନିଭୃତ ଅବସ୍ଥାନ କାଳରେ ତାଙ୍କର ବିଖ୍ୟାତ ମା’ ଉପନ୍ୟାସ ଲେଖାହେଲା। ଏଥିରେ ଜନସାଧାରଣଙ୍କର ଜୀବନ ସେ ଯଥାଯଥ ଭାବର ଚିତ୍ରଣ କରିଛନ୍ତି ଏବଂ ତାହା ସଙ୍ଗେ କିପରି ରୁଷରେ ଜନତାର ମୁକ୍ତି ଆନ୍ଦୋଳନ ବିକାଶ ଲାଭ କଲା, କିପରି ବେଳୁବେଳ ସର୍ବହରା ବଳଶାଳୀ ହୋଇଉଠୁଛି ଓ ସରକାର ଏଥିରେ ଭୀତଗ୍ରସ୍ତହୋଇ ଅମାନୁଷିକ ଅତ୍ୟାଚାର କରୁଛି, ତାହାର ଚିତ୍ର ଫୁଟାଇଛନ୍ତି। ଗର୍କୀ ତାଙ୍କର ଯେଉଁ ଦରିଦ୍ର ସମାଜର ଚିତ୍ର ଦେଇଛନ୍ତି, ସହାନୁଭୂତି ସମ୍ପନ୍ନ ଲେଖକ ସାଧାରଣତଃ ସେ ସମାଜକୁ ସରଳ, ନିଷ୍କପଟ ଓ ସଦ୍‌ଗୁଣ ସମ୍ପନ୍ନ କରି ଆଙ୍କି ଥାଆନ୍ତି। ଗର୍କୀ କିନ୍ତୁ ସତ୍ୟର ଉପାସକ ଥିଲେ। ସେ ଏହି ସମାଜରେ ଯେ କି କୁତ୍ସିତା,କି ଆବିଳତା ଭରି ରହିଛି ତା ଟିକିନିଖି କରି ଦେଖାଇ ଦେଇଛନ୍ତି। “…ଯୁବକମାନେ ମଦ ପିଅନ୍ତି, ଆଉ ୟା ତା ଘରେ ଆଡ୍ଡା ମାରି ବୁଲନ୍ତି, ଅଶ୍ଳୀଳ ଗୀତ ବୋଲନ୍ତି, ନାଚନ୍ତି, କୁତ୍ସିତ କଥା ଉଚ୍ଚାରଣ କରନ୍ତି। ବହୁତ ରାତିରେ ଘରକୁ ଫେରନ୍ତି-ଫୁଙ୍ଗୁଳା ଦେହ, ଛିଡ଼ା ପୋଷାକ, ଆଞ୍ଚୁଡ଼ା ମୁହଁ-କାହାକୁ ମାଡ଼ ମାରିଛି ଯେ ତାରି ବଡ଼ାଇ କରୁଛି, କାହାଠୁ ପିଟୁଣି ଖାଇଚି ଯେ ସେଇ ଅପମାନରେ କାନ୍ଦୁଚି। କେବେ କେବେ ବେ ବାପ-ମାଆମାନେ ସେମାନଙ୍କୁ ରାସ୍ତାରୁ ନୋହିଲେ ତାଡ଼ିଖଟିରୁ ଟେକି ଆଣନ୍ତି ମାତାଲ ଅବସ୍ଥାରେ, କଟୁକଣ୍ଠରେ ଗାଳିମନ୍ଦ କରନ୍ତି- ସଞ୍ଜ ପରି ମଦସିକ୍ତ ଶରୀରରେ ଦି’ପୁଞ୍ଜା ଛେଚି ଦିଅନ୍ତି, ତାପରେ ବିଛଣାରେ ଗଡ଼ାଇ ଦିଅନ୍ତି, ପର ଦିନ ଭୋରରେ ନିଦରୁ ଉଠାଇ କାମକୁ ପଠାଇ ଦିଅନ୍ତି”।

      ଆଉ ପ୍ରଶ୍ନ କରିଛନ୍ତି;ମନୁଷ୍ୟ ଆଜି କାହିଁକି ଏ ନରକରେ? ଏଥିପାଇଁ ଦାୟୀ କିଏ?

      ୧୯୦୭ ମସିହାରେ ଗର୍କୀ ଲେନିନ୍‌ଙ୍କ ସହିତ ପ୍ରଥମେ ପରିଚିତ ହୁଅନ୍ତି। ପ୍ରଥମ ପରିଚୟ ପରେ ଦୁହିଁଙ୍କ ଭିତରେ ଅନ୍ତରଙ୍ଗ ବନ୍ଧୁତା ସ୍ଥାପିତ ହେଲା, ପରସ୍ପର ପରସ୍ପର ପ୍ରତି ଶ୍ରଦ୍ଧା ଓ ସମ୍ମାନ ଆଜୀବନ ପୋଷଣ କରିଥିଲେ।ଉଭୟେ ଜନତାର ମୁକ୍ତି ସଂଗ୍ରାମରେ ଅଗ୍ରଣୀ ଥିଲେ, ରୁଷ୍‌ ମାଟିରେ ଜନତାର-ରାଜ ପ୍ରତିଷ୍ଠା କରିବାକୁ ଗଢ଼ିଥିଲେ। ୧୯୧୭ ଫେବୃୟାରୀ ମାସରେ ଲେନିନ୍‌ ଓ ଗର୍କୀଙ୍କର ନେତୃତ୍ବରେ ନୂଆ ଏକ ସମାଜ ଜନ୍ମଲାଭ କଲା-‘ସୋଭିଏଟ୍‌’।

      ଏହି ନୂତନ ପ୍ରତିଷ୍ଠିତ ସରକାରକୁ ସଂଗଠିତ କରିବା ଓ ନୂଆ ଆଦର୍ଶକୁ ରୂପରେଖ ଦେଇ ବାସ୍ତବରେ ପରିଣତ କରିବାର ଗୁରୁ କର୍ତ୍ତବ୍ୟର ସମ୍ମୁଖୀନ ହେବାକୁ ପଡ଼ିଥିଲା ସୋଭିଏଟ୍‌ ନେତା କର୍ମୀମାନଙ୍କୁ। ବୃଦ୍ଧ ଗର୍କୀଙ୍କ ଉପରେ ଆସିଲା ଭାର, ସୋଭିଏଟ୍‌ର ସାହିତ୍ୟକୁ ପରିଚାଳିତ କରିବା। ଗର୍କୀଙ୍କୁ ଏହି ସମୟରେ ଅନେକ ପତ୍ରପତ୍ରିକାର ପରିଚାଳନା କରିବାକୁ ପଡ଼ିଲା, ବହୁ ଗ୍ରନ୍ଥ ସଂକଳିତ କରିବାକୁ ପଡ଼ିଲା । ଗର୍କୀ କିନ୍ତୁ କୌଣସି ସମୟରେ ତାଙ୍କର କର୍ତ୍ତବ୍ୟରେ ହେଳା କରିନଥିଲେ। ଫଳରେ ସୋଭିଏଟ୍‌ର ସାହିତ୍ୟିକମାନେ ଅଳ୍ପ ଦିନ ମଧ୍ୟରେ ଜାତୀୟ ଜୀବନର ପୁନର୍ଗଠନ ଲାଗି ଯେଉଁ ଅସମ୍ଭବ କାର୍ଯ୍ୟମାନ କରିଯାଇଥିଲେ, ସେଥିରେ ସମଗ୍ର ଜଗତ ଆଶ୍ଚର୍ଯ୍ୟାନ୍ବିତ ହୋଇଯାଇଥିଲା। କାମର ଏ ଚପଟ ସତ୍ତ୍ବେ ଗର୍କୀ ଅନେକଗୁଡ଼ିଏ ନାଟକ ଓ ରଚନା ଲେଖି ପାରିଥିଲେ। ତାଙ୍କର ଚମତ୍କାର ନାଟକ ‘ୟେପର ବୁଲିକ୍ଲଫ୍‌’ ଏହି ସମୟରେ ଲେଖା।

       ୧୯୩୬ ମସିହା ଜୁନ୍‌ ମାସରେ ଗର୍କୀ ହଠାତ୍‌ ବେମାର ପଡ଼ିଲେ। ଆହୁରି ନାଟକ ଲେଖିବାକୁ ତାଙ୍କର ବାସନା ଅପୂର୍ଣ୍ଣ ରହିଗଲା। ଅଚେତନ ଅବସ୍ଥାରେ ସେ ଯେଉଁ ପ୍ରଳାପ କରୁଥିଲେ ତହିଁରୁ ହିଁ ସୋଭିଏଟ୍‌ ପ୍ରତି ତାଙ୍କର କର୍ତ୍ତବ୍ୟନିଷ୍ଠା ପ୍ରକାଶ ପାଏ।

        “ଯୁଦ୍ଧ ଆସୁଛି… ଆମକୁ ସଜିଲ ହେବାକୁ ପଡ଼ିବ…ଅତର୍କିତ ଥାଇ ଆମେ ଯେପରି ଧରା ନ ପଡୁ।”

         ତାଙ୍କର ଶୋକସଭାରେ ମୋଲୋଟର କହିଥିଲେ, “ଲେନିନ୍‌ଙ୍କ ମୃତ୍ୟୁ ପରେ ଗର୍କୀଙ୍କର ବିୟୋଗ…ଆମ ଦେଶ ଓ ସମଗ୍ର ମାନବ ସମାଜ ପକ୍ଷରେ ସବୁଠାରୁ ଗୁରୁତର କ୍ଷତି।” ଏଥିରୁ ସୋଭିଏଟ୍‌ ସମାଜରେ ଗର୍କୀଙ୍କର ସ୍ଥାନ ନିର୍ଦ୍ଧାରିତ ହୋଇଥାଏ। ଗର୍କୀଙ୍କର ପ୍ରତିଭାର ପରିଚୟ ଦେବା ମୋ ପକ୍ଷରେ ଧୃଷ୍ଟତା ହେବ।




+ -

© Jataayu Charitable Trust
Site designed,developed & maintained by Tekons