ପ୍ରବନ୍ଧ ଓ ଆଲୋଚନା




ମେକ୍‌ସିମ୍‌ ଗର୍କୀ

         ପେଭେଲ ଧୀର କିନ୍ତୁ ଦୃଢ଼ ସ୍ବରରେ କହିଲା, “ମୁଁ ଯେଉଁ ବହି ପଢ଼ୁଛି, ସେ ବହି ପଢ଼ିବା ମନା। ଏ ବହି ବେଆଇନ, କାରଣ ଏଥିରେ ଶ୍ରମିକମାନଙ୍କର ଜୀବନର ଖାଣ୍ଟି ଛବି ଅଙ୍କା ହୋଇଛି। ଏ ବହି ଲୁଚେଇ କରି ଛପା ହୁଏ।…ଆଉ ମୋ ହାତକୁ ଏ ବହି ଆସେ, ଏକଥା ଯଦି ଜଣାପଡ଼େ, ତାହେଲେ ମୋତେ ଜେଲ୍‌ ହେବ। ମୋର ଅପରାଧ,ମୁଁ ସତ କଥା କହିବାକୁ ଚାହୁଁଛି।”

        ଏ କଥା ବି ଯେଉଁ ବହିରେ ଲେଖାହୋଇଥିଲା ସେ ବହି ବହୁବର୍ଷ ଧରି ବେଆଇନ ଥିଲା, ତାହା ଲୁଚେଇକରି ଛପା ହେଉଥିଲା, ଆଉ ସେ ବହି କେହି ରଖିଥିବାର ଜଣାପଡ଼ିଲେ ତାକୁ ଳେଲ୍‌ ହେଉଥିଲା। ଯେଉଁ ସତକଥା କେବଳ ଜାର୍‌ ସରକାରକୁ ନୁହେଁ, ପୃଥିବୀର ବହୁ ସରକାରକୁ ଆତଙ୍କିତ କରିଥିଲା, ତାହା କେବଳ ନିର୍ଭୀକ ଭାବରେ ବର୍ଣ୍ଣନା କରିଥିଲା ଜନସାଧାରଣଙ୍କର ଜୀବନ, ସେମାନଙ୍କର ଦୁଃଖ ଦୁର୍ଦ୍ଦଶା…ଆଉ ପ୍ରଶ୍ନ କରିଥିଲା ଏ କୁତ୍ସିତ ବାୟୁମଣ୍ଡଳ କାହାର ସୃଷ୍ଟି, ଆଉ ବି ସଂଧାନ ଦେଇଥିଲା ସମାଜର ସବୁରି ପାଇଁ ଉଜ୍ଜ୍ବଳତର ଜୀବନର ପନ୍ଥା।

         ଗର୍କୀଙ୍କ ଯେତେବେଳେ ଜନ୍ମ (ଖ୍ରୀ ୧୮୬୮ଷ୍ଟାବ୍ଦ) ରୁଷ ଦେଶର ରୂପ ସେତେବେଳେ ଅନ୍ୟ ପ୍ରକାର ଥିଲା। ରୁଷରେ କାର୍‌ଙ୍କର ଏକଛତ୍ର ଶାସନ, ଏକ ଦିଗରେ ରାଜପ୍ରାସାଦରେ ଅୟସର ଅନ୍ତ ନାହିଁ, ଅପର ଦିଗରେ ଜନସାଧାରଣ ମାନବତାର ସ୍ତରରେ ଆଉ ନଥିଲେ। “ହଜାର ହଜାର ଲୋକ ଗୋରୁଗାଈ ଭଳି ଜୀବନ କାଟି ବି ଗର୍ବ କରନ୍ତି, ସେମାନେ ଅୟସରେ ଅଛନ୍ତି ବୋଲି”। କିନ୍ତୁ ଜୀବନରେ ଆରାମ କାହିଁ ବା ସେମାନଙ୍କର? ଆଜି ପାଇଟି ସାରିବେ, ଯାହା ଗିଳିବେ। କାଲି ପାଇଟି ସାରିବେ ଯାଇ ଗିଳିବେ ପଅରଦିନ ଠିକ୍‌ ସେଇ କଥା। ଦିନ ପରେ ଦିନ, ବରଷ ପରେ ବରଷ,ସେଇ ଏକା ରୁଟିନ… କାମ କରିବ ଖାଇବେ, ଖଟିଲେ ଖାଇବେ। ଏଥିସଙ୍ଗେ ଅଣ୍ଡାବଚ୍ଚା କରି ଦଳେ ଆମଦାନି, ଦି’ ଦିନ ତାଙ୍କୁ ଘେନି ଆମୋଦ। ତା’ପରେ ରୁଟିନ୍‌ରେ ପେଷି ହୋଇ ପିଲାପିଚିକାଙ୍କ ଉପରେ ରାଗ ଝାଡ଼ିବା, ‘ଖାଲି ବସି ଅସୁର ଭଳି ଗିଳୁଛନ୍ତି, ହେଲା ଝଟଝଟ  ବଡ଼ ହୋଇଯାଆନ୍ତେ ମଣିଷକୁ ପାଇଟି ପାତିରେ ଟିକିଏ ସାହାଯ୍ୟ ହୁଅନ୍ତେ, ତା’ ନାହିଁ। ପିଲାଛୁଆଙ୍କୁ ସେମାନେ ଭାରବାହୀ ପଶୁକରି ଗଢ଼ନ୍ତି। ପେଟ ପାଇଁ ଖଟନ୍ତି, ଜୀବନକୁ ପେଚା ଝାଡ଼ନ ପରି ଘୋଷାରି ଘୋଷାରି ଦିନା କେତେ ଟାଣନ୍ତି। ଆନନ୍ଦ ଉଚ୍ଛ୍ବାସରେ କେବେ ସେମାନଙ୍କ ପ୍ରାଣ ଚଞ୍ଚଳ ହୋଇଉଠେ ନାହିଁ, ହୃଦୟ-ଦ୍ରାବୀ ଭାବ ଆବେଗରେ କେତେବେଳେ ସେମାନଙ୍କର ବୁକୁର ସ୍ଫନ୍ଦନ ଦ୍ରୁତ ହୁଏ ନାହିଁ।କିଏ ବା ଫକୀର ଭଳି ଭିକ୍ଷାର ସମ୍ବଳ କରି ବଞ୍ଚେ, କିଏ ବା ଜୀବନ କଟାଏ ଚୋର ଭଳି ଅପରର ଦ୍ରବ୍ୟ ଅପହରଣ କରି। ଚୋରି କରିବାର ନ୍ୟାୟ ଓ ଆଇନ କର୍ତ୍ତୃପକ୍ଷ ଗଢ଼ିଛନ୍ତି, ଲାଠିଧରି ଫଉଜ ଗଢ଼ି ସେମାନଙ୍କୁ କହିଛନ୍ତି-“ଆମେ ଯେଉଁ ଆଇନ ଗଢ଼ିଛୁଁ, ତାକୁ ରକ୍ଷାକର। ଅତି ସୁବିଧାଜନକ ଆଇନ ଏହି ସବୁ। ଜନସାଧାରଣଙ୍କର ରକ୍ତ ଶୋଷି ନେବାର ଅଧିକାର ଲାଗି ଏ ନ୍ୟାୟର ଗ୍ରନ୍ଥ ସଂକଳିତ।”(ଗର୍କୀ-ମା’)

         ଆପଣା ଜୀବନରେ ପଦେ ପଦେ ଯେଉଁ କ୍ରୁର ଅଭିଜ୍ଞତା ଦେଇ ଗର୍କୀ ତାଙ୍କର ଜୀବନ କଟାଇଥିଲେ, ଏହାହିଁ ତାହାରି ସଚ୍ଚୋଟ ଛବି। ଗର୍କୀ ଶ୍ରମିକ ଓ କୃଷକମାନଙ୍କର ଦୁଃଖ ଦୁର୍ଦ୍ଦଶାର ଛବି ଆଙ୍କି ଅସନ୍ତୁଷ୍ଟ ନଥିଲେ। ତାହାକୁ ପରିବର୍ତ୍ତନ କରିବାରେ ସେ ତାଙ୍କର ସମସ୍ତ ଶକ୍ତି ନିୟୋଜିତ କରିଥିଲେ। ଗର୍କୀଙ୍କ ସମୟରେ ରୁଷର କୃଷକ ଓ ଶ୍ରମିକମାନଙ୍କର ଜୀବନ ଅନ୍ଧକାରଚ୍ଛନ୍ନ ଥିଲା, ତାହାର ନିଷ୍ଠୁରତା ଅସହ୍ୟ ହୋଇ ଉଠୁଥାଏ, ଲୋକେ ପ୍ରତିଷ୍ଠିତ ସମାଜକୁ ଭାଙ୍ଗି ନୂଆ ନୀତି ଉପରେ ସମାଜକୁ ପୁନର୍ଗଠନ କରିବାର କଳ୍ପନା କରୁଛନ୍ତି…କାର୍ଲମାର୍କ୍ବଙ୍କର ଦର୍ଶନ ଜନସାଧାରଣଙ୍କ ମଧ୍ୟରେ ନୂତନ ସତ୍ୟର ଆଲୋକପାତ କରିଥାଏ…ରୁଷ ମାଟିରେ ବିପ୍ଳବର ନିଆଁ କୁହୁଳି ଉଠୁଥାଏ।

       ବାଲ୍ୟରୁ ପିତୃହୀନ ହୋଇ ଗର୍କୀ ତାଙ୍କର ବାଲ୍ୟଜୀବନ ମାମୁଁଘରେ (ନିଜନିନୋଭ୍‌ଗ୍ରାଡ଼୍‌ ସହରରେ) କାଟିଥିଲେ। ମାମୁଁଘର ଥିଲା ନରକ, ସବୁବେଳେ ଗାଳିମନ୍ଦ,ମାଡ଼ପିଟ ଓ ପରସ୍ପର ପ୍ରତି ବିଦ୍ବେଷ ଭାବ। ଏହି କୁତ୍ସିତ ପରିସର ଭିତରେ ଆଈମାଆଟି ଥିଲା ତାଙ୍କର ଏକମାତ୍ର ଆଶ୍ବାସନା ଓ ଆନନ୍ଦ। ଏଲୋଶା ପେଶ୍‌କଭକୁ ଭଲଲାଗେ ଆଈ ମାଆର ବାତ୍ସଲ୍ୟ, ସ୍ନେହ ଓ ଗଳ୍ପ।

         ପିଲାଦିନେ ଏଲୋଶା ତା’ର ମାଆକୁ ବି ହରାଇଲା। ମାମୁଘର ଅବସ୍ଥା ବି ସେତେବେଳେ ସ୍ବଚ୍ଛଳ ନଥିଲା। ଦଶବର୍ଷର ପିଲା, ତାକୁ ଏ ସଂସାରରେ ଜୀବନ ସଂଗ୍ରାମ ଚଳାଇବାକୁ ପଡ଼ିଲା। କାହିଁ ବା ଟହଲଟୁକୁରା କାମ କରି, କାହିଁ ବାସନପାତି ମାଜି, କେତେବେଳେ ବା ଚଡ଼େଇୟା ହୋଇ ସେ ଆପଣାର ଜୀବନଟା କୌଣସି ପ୍ରକାରରେ ବଞ୍ଚେଇରଖିଲା। ଏହିପରି ପିଲାଦିନରୁ ଗର୍କୀ ଜୀବନର କୁତ୍ସିତତମ ଅଧ୍ୟାୟ ସହିତ ଘନିଷ୍ଠଭାବେ ପରିଚିତ ହେବାକୁ ଲାଗିଲେ। ଜୀବନର ମରୁରେ ଟିକିଟିକି ମରୁଦ୍ବୀପ ଭଳି ବହିପତ୍ର ଗର୍କୀଙ୍କ ଆଖିରେ ହଠାତ୍‌ ପ୍ରତିଭାତ ହୋଇଉଠିଲା। ବହିପତ୍ର ଗର୍କୀଙ୍କର ମନ ଧାଇଁଲା,ୟାଠୁ ତାଠୁ ମଗାମଗି କରି ଯେତେବେଳେ ଯୋଉ ବହି ମିଳିଲା , ଗର୍କୀ ପଢ଼ିବସନ୍ତି ଏପରି କି କାମ କଲାବେଳେ ଆଗରେ ଖଣ୍ଡେ ବହି ମେଲାକରି ରଖିଥାଆନ୍ତି ପଢ଼ିବାକୁ।

         ବିଦ୍ୟାନୁରାଗ ଗର୍କୀ ନିଜନି-ନୋଭଗ୍ରାଡ଼ରୁ ପନ୍ଦରବର୍ଷ ବୟସରେ ଚାଲିଲେ କଜନ ସହରକୁ, ସେଠାରେ ରାଜକୀୟ ବିଶ୍ବବିଦ୍ୟାଳୟରେ ବିଦ୍ୟାର୍ଜନ କରିବାକୁ। କପର୍ଦ୍ଦକହୀନ ବାଳକର ଆସ୍ପର୍ଦ୍ଧା। ଗର୍କୀ ସେଠି ପ୍ରବେଶ କରିବାକୁ ବହୁମତେ ଚେଷ୍ଟା କଲେ, କିନ୍ତୁ ସବୁ ଚେଷ୍ଟା ବିଫଳ ହେଲା। ଅନ୍ୟ ଏକ ବିଶ୍ବବିଦ୍ୟାଳୟ କିନ୍ତୁ ଗର୍କୀଙ୍କୁ ଜ୍ଞାନ ପ୍ରଦାନ କରିଥିଲା, ତାହା ପୁସ୍ତକଗତ ବିଦ୍ୟା ନୁହେଁ,ଅନୁଭୂତିଗତ ବିଦ୍ୟା। ପୁଝାରୀ ,ପକେଟ୍‌ମାରୁ, ଭିଖାରୀ ଓ ଶ୍ରମିକମାନଙ୍କ ସହିତ ଏକତ୍ର ବାସ କରି ଗର୍କୀ ସେମାନଙ୍କର ଜୀବନ ପଙ୍ଖାନୁପଙ୍ଖ ଭାବେ ଅନୁଧ୍ୟାନ କରିବାର ସୁଯୋଗ ପାଇଲେ। ଏମାନେ ସମାଜର ତଥାକଥିତ ଆବର୍ଜନା-ଏହି ଲୋକମାନଙ୍କ ଭିତରେ କିନ୍ତୁ ଗର୍କୀ ଉଦାର ହୃଦୟବତ୍ତା ଓ ମାନବିକତା ଲକ୍ଷ୍ୟ କରିପାରିଥିଲେ। ଏ ଲୋକଗୁଡ଼ାକ ମଦ ପିଅନ୍ତି, ଗାଳିମନ୍ଦ, ମାଡ଼ ଫଉଜଦାରୀ କରନ୍ତି ସତ;ହେଲେ ସେମାନେ ଅର୍ଥପିଶାଚ ନୁହନ୍ତି , ଅର୍ଥ ସେମାନଙ୍କର ଜୀବନକୁ ନିୟନ୍ତ୍ରିତ କରି ନଥାଏ।

        ଏହିଠାରେ ଅବସ୍ଥାନ କରୁଥିବା ସମୟରେ ଗର୍କୀ ବିପ୍ଳବପନ୍ଥୀ ଯୁବକ ବିଶେଷତଃ ଛାତ୍ରମାନଙ୍କ ସଂସର୍ଗରେ ଆସିଲେ। ଏହି ବିପ୍ଳବୀମାନଙ୍କର ଗୁପ୍ତ ସଂଘଥାଏ। ସେମାନେ ଇତିହାସ, ଅର୍ଥନୀତି, ବିଜ୍ଞାନ ପ୍ରଭୃତି ବିଷୟ ପଢ଼ନ୍ତି, ଆଲୋଚନା ଓ ଯୁକ୍ତିତର୍କ କରନ୍ତି। ଏହିମାନଙ୍କ ସଂସର୍ଗରେ ଆସି ଗର୍କୀ ପୃଥିବୀର ବଡ଼ ବଡ଼ ଚିନ୍ତାବିତ୍‌ମାନଙ୍କର ନାମ ଶୁଣିବାକୁ ପାଇଲେ, ସେମାନଙ୍କର ଗ୍ରନ୍ଥ ଅଧ୍ୟୟନ କଲେ। ଜୀବିକା ନିର୍ବାହ କରିବା ଲାଗି ଗର୍କୀଙ୍କୁ ନାନା କାମ କରିବାକୁ ପଡ଼ିଥିଲା। କେତେବେଳେ ରୁଟି ତିଆରି କରିବା, କେତେବେଳେ ବା ଦୋକାନରେ କାମ କରିବା, କେବେ ବା ରେଳବାଇ ଗୋଦାମରେ ପହରା ଦେବା। ଅବସର ସମୟରେ ଗର୍କୀ ନାନାଦି ପୁସ୍ତକ ଅଧ୍ୟୟନ କରୁଥିଲେ ଓ ବିପ୍ଳବୀମାନଙ୍କର ଗହଣରେ ଯୋଗଦେଇ ଆଲୋଚନା କରୁଥିଲେ। ପୁଲିସ ଗର୍କୀଙ୍କୁ ସନ୍ଦେହ କରିବାକୁ ଲାଗିଲା।

        ବାଇଶ ବର୍ଷ ବୟସରେ ଗର୍କୀ ନିଜ-ନୋଭଗ୍ରାଡ଼କୁ ଫେରିଆସିଲେ। ଏହି ସମୟକୁ ସେ ରୁଷ ତଥା ଅନ୍ୟାନ୍ୟ ବହୁ ପ୍ରସିଦ୍ଧ ୟୁରୋପୀୟ ସାହିତ୍ୟିକଙ୍କର ରଚନାବଳୀ ଆୟତ୍ତ କରିସାରିଲେଣି ଓ ନିଜେ ଖଣ୍ଡେ କାବ୍ୟ ଲେଖିଥିଲେ-‘ବୃଦ୍ଧ ଓକ୍‌ବୃକ୍ଷର ଗୀତିକା’। ଏହି କାବ୍ୟଟି ସେ ରୁଷର ତତ୍କାଳୀନ ପ୍ରସିଦ୍ଧ କବି କୋରୋଲେନ୍‌କୋଙ୍କୁ ଦେଖାଇଥିଲେ। ଏହି କାବ୍ୟରେ ଗର୍କୀଙ୍କର କବି ପ୍ରତିଭାର ଆଭାସ ମିଳୁଥିଲେ ବି ବହୁ ସ୍ଥଳରେ ତାଙ୍କର ଭାଷା ଦୋଷଯୁକ୍ତ ଥିଲା। କୋରୋଲେନ୍‌କୋ କାବ୍ୟଟି ପଢ଼ି ତରୁଣ କବିଙ୍କ ପ୍ରତି ବିଶେଷ ସହାନୁଭୂତି ପ୍ରକାଶ କରି ତାଙ୍କର ଦୋଷାଦୋଷ ଦର୍ଶାଇ ଦେଇଥିଲେ। ଏହି ଘଟଣା ପରେ ଗର୍କୀ ବହୁଦିନ ଧରି ଆଉ କଲମ ଧରି ନାହାନ୍ତି। ଏହାପରେ ବିପ୍ଳବୀ ଓ କବିଙ୍କୁ ଆମେ ଦେଖିବାକୁ ପାଉଁ ଏକ ପରିବ୍ରାଜକ ବେଶରେ। ସମଗ୍ର ରୁଷ ଦେଶ ସେ ଘୂରି ବୁଲିଛନ୍ତି ଲକ୍ଷ୍ୟହୀନ ଭାବରେ, ପଦବ୍ରଜରେ। ଯେଉଁଠି ଯାହା ପାଇଟି ମିଳେ ତାହା  କରିଦେଇ ବାଟ ଖର୍ଚ୍ଚଟା କୌଣସିମତେ ଉଠାଇ ନେଉଥାଆନ୍ତି। ବହୁ ଗାଁଗଣ୍ଡା, ବହୁ କିସମର ଲୋକ, ବହୁତ କିମ୍ଭୁତ କିମାକାର ପ୍ରଥା, ନାନା ପ୍ରକାରର ଭାବଧାରା ସଂସ୍ପର୍ଶରେ ଆସିବାର ସୁଯୋଗ ସେ ପାଇଲେ ଏହିପରି ଭାବରେ। ଏହି ଦୀର୍ଘ ଭ୍ରମଣ ପରେ ଗର୍କୀ ଟିପ୍‌ଲିସ୍‌ ସହରରେ ରେଳବାଇ ମରାମତି କାରଖାନାରେ କିଛିଦିନ କାମ କଲେ। ଏଠି ପୁଣି ବିପ୍ଳବୀମାନଙ୍କ ସହିତ ତାଙ୍କର ସଂଯୋଗ ସ୍ଥାପିତ ହେଲା ଓ ସେମାନେ ରେଳବାଇ ଶ୍ରମିକମାନଙ୍କ ଭିତରେ ବିପ୍ଳବର ବାର୍ତ୍ତା ପ୍ରଚାରରେ ଲାଗିପଡ଼ିଲେ। ଏହି ବିପ୍ଳବପନ୍ଥୀ ସାଥୀମାନଙ୍କ ଭିତରେ କଲୁଜ୍ନୀ ବୋଲି ଜଣେ ଥିଲେ। ଗର୍କୀଙ୍କର ଲେଖାପଢ଼ା ସେ ତାଙ୍କର ପ୍ରତିଭାର ଆଭାସ ପାଇ ତାହାର ବିକାଶ ଲାଗି ଗର୍କୀଙ୍କୁ ନାନା ଉପଦେଶ ଦେଇ ଉତ୍ସାହିତ କରିଥିଲେ। ଗର୍କୀଙ୍କର ଅନୁଭୂତି ଥିଲା ବହୁତ;ଜୀବନର ବହୁ ଦିଗ ଦେଖୁଥିଲେ ସେ। କଲୁଜ୍ନୀଙ୍କ ଉପଦେଶ, “ତୁମେ ଲେଖ ତୁମର ଅଙ୍ଗେ ନିଭେଇଥିବା କଥା।” ପ୍ରଥମ କେତେକ ଗଳ୍ପରେ ଗର୍କୀ ଏହି ଉପଦେଶ ସଂପୂର୍ଣ୍ଣ କାର୍ଯ୍ୟକାରୀ କରିପାରିନଥିଲେ। କିନ୍ତୁ ଥରେ ଦଳେ ଯାଯାବରଙ୍କ ଠରୁ ଶୁଣିଥିବା ଗୋଟିଏ ଗଳ୍ପ ତାଙ୍କର ବନ୍ଧୁମାନଙ୍କ ଆଗରେ ଅତି ସରଳ ଭାରବେ ପ୍ରକାଶ କରି ସେମାନଙ୍କୁ ସେ ମନ୍ତ୍ରମୁଗ୍ଧ  କରିଦେଇଥିଲେ।  ଏହି ଗଳ୍ପଟି ଗର୍କୀ ସେହିପରି ସରଳ ଭାଷାରେ ପରେ ଲେଖିଥିଲେ। କଲୁଜ୍ନୀ ତାହା ପ୍ରକାଶ କରିବାକୁ ଦେଲେ କଭ୍‌କସ୍‌ ନାମକ ଗୋଟିଏ ସମ୍ବାଦପତ୍ରକୁ। ୧୮୯୨ ସେପ୍‌ଟେମ୍ବର ମାସରେ ଗର୍କୀଙ୍କର ଗଳ୍ପ ‘ମକର ଚଣ୍ଡା’ ପ୍ରଥମ ପ୍ରକାଶ ପାଏ ଲେଖକଙ୍କର ଏକ ଛଦ୍ମନାମରେ,‘ମେକ୍‌ସିମ୍‌ ଗର୍କୀ’ ଅର୍ଥାତ୍‌ ‘କଟୁ ନୀତି’। ଏହାପରେ ସେହି ଛଦ୍ମ ନାମରେ ନାନା ପତ୍ରପତ୍ରିକାରେ ତାଙ୍କର ଗଳ୍ପ ପ୍ରକାଶ ପାଇଲା। ଗର୍କୀ ଇତିମଧ୍ୟରେ ନିଜନି-ନୋଭଗ୍ରାଡ଼କୁ ଫେରିଆସି ମୋହରିରି କରୁଥାନ୍ତି। କବି କୋରୋଲେନ୍‌କୋ  ଗର୍କୀଙ୍କର ଏହି ଗଳ୍ପଗୁଡ଼ିକର ପଢ଼ି ମନେ ମନେ ସେ ସବୁକୁ ପ୍ରଶଂସା କରୁଥାନ୍ତି। ଦିନେ ପୁଣି ଗର୍କୀ ଯେତେବେଳେ କବିଙ୍କୁ ଦେଖା କରିବାକୁ ଗଲେ, ଗଳ୍ପଗୁଡ଼ିକର ଲେଖକ ତାଙ୍କର ପୂର୍ବ ପରିଚିତ ସେହି ଯୁବକ ଜାଣିପାରି ସେ ବିସ୍ମିତ ଓ ଆନନ୍ଦିତ ହୋଇଥିଲେ। କୋରୋଲେନ୍‌କୋ ଏହି ଦିନଠାରୁ ହେଲେ ଗର୍କୀଙ୍କର ସାହିତ୍ୟ ଗୁରୁ, ଗର୍କୀଙ୍କର ଲେଖନୀକୁ ମାର୍ଜିତ କରିବାରେ ତାଙ୍କର ହାତ ଥିଲା ବହୁ ପରିମାଣରେ।




+ -

© Jataayu Charitable Trust
Site designed,developed & maintained by Tekons