ପ୍ରବନ୍ଧ ଓ ଆଲୋଚନା




ଶାନ୍ତି କପୋତ

         ସେ ମଧ୍ୟ ଶାନ୍ତି, ଯେଉଁଠି ହଜାର ହଜାର ବର୍ଷର ସଭ୍ୟତା ପରେ ବି ମଣିଷର ପିଲା ପଶୁଭଳି ଗଛମୂଳେ ଜନ୍ମଲାଭ କଲେ, ଦେଖେ-ତା ପାଇଁ ନା ଅଛି ଖାଦ୍ୟ , ନା ଅଛି ଓଷଦ ଶିକ୍ଷା ତ ଦୂରର କଥା। ଯେଉଁଠି ଲକ୍ଷ ଲକ୍ଷ ଲୋକ ବେକାର ହୋଇ ବୁଲନ୍ତି ସେମାନଙ୍କର ମିହନ୍ତକୁ ଭଡ଼ା ଲଗାଇବା ପାଇଁ, ଯେଉଁଠି ଦେଶସାରା ହା ଅନ୍ନ, ହା ଅନ୍ନ ଚିତ୍କାର ପଡ଼ିଲା ବେଳେ ଅ୍ରାଙ୍ଗୁଠି ଆଗରେ ଗଣିଲା ଭଳିଆ କେଇଟା ଲୋକଙ୍କର ଲାଭ ପାଇଁ ଗହମ କ୍ଷେତରେ ନିଆଁ ଲଗାଇ ଦିଆଯାଏ।

         ସେ ମଧ୍ୟ ଶାନ୍ତି, ଯେଉଁଠି ଦେଶର ଜମିବାଡ଼ି ଓ କଳକାରଖାନା ସବୁ ଅପର ଦେଶର ଲୋକ କିଣିନେଇ ମେହନତକାରୀ ଜନତାକୁ ତଡ଼ିଦିଏ-ଆଉ ବର୍ଷପରେ ବର୍ଷ ପୁଞ୍ଜି ଜନ୍ମ କଲେ ମୁନାଫାର ଅସୁରଛୁଆ। ସେ ମଧ୍ୟ ଶାନ୍ତି, ଯେଉଁଠି ମଣିଷ ଯାହାକୁ ଘୃଣା କରେ, ସେ ତ’ର ଶାସକ ରୂପେ ଗାଦି ମାଡ଼ି ବସି ରହେ ନିଧୋକା ହୋଇ। ଯେଉଁଠି କର୍ମଚାରୀ ଲୋକଙ୍କ ଉପରେ ହଜାର ଅତ୍ୟାଚାର କଲେ ବି ଲୋକଙ୍କ ହାତରେ ନାହିଁ ତାକୁ ବରଖାସ୍ତ କରିବାର କ୍ଷମତା। ସେ ମଧ୍ୟ ଶାନ୍ତି, ଯେଉଁଠି ମଣିଷ ଅଳ୍ପାୟୁଷ ହୋଇ ମରେ ଅଥଚ ପଚାରେନାହିଁ ତାର କାରଣ ରୋଗରେ ସଢ଼େ ଅଥଚ ଅନୁସନ୍ଧାନ  କରିପାରେ ନାହିଁ, କାହିଁକି?… ମରେ, କଳ୍ପିତ କେଉଁ ଅଜ୍ଞେୟ ଶକ୍ତିକୁ ନିରର୍ଥକ ଅଭିଶାପ ଦେଇ।

        ମଣିଷ କିନ୍ତୁ ସନ୍ଧାନ ପାଇଚି ଅନ୍ୟ ଏକ ଶାନ୍ତିପଦର, ଯେଉଁଠି ଚାଷୀ ଯେଉଁ ମାଟିରେ ଲଙ୍ଗଳ ଗାର ଟାଣେ ସେ ମାଟି ତା’ର; ଯେଉଁ ଫସଲ ଉଠାଏ, ତହିଁରେ ସେ ଷୋଳପଣରେ ମାଲିକ; ଯେଉଁଠି କଳକାରଖାନା ଚଳାଇବା ଭାର ଶ୍ରମିକ ଉପରେ, ଯେଉଁଠି ଭ୍ରୂଣ ସଂଚାର ହେବା ପରେ ସରକାର ତାଲାଗି ଡାକ୍ତର ଖଞ୍ଜେ, ଯେଉଁଠି ଶିଶୁକୁ ସମାଜରେ ମଣିଷ କରି ଛିଡ଼ା କରିବାର ଦାୟିତ୍ବ ରାଷ୍ଟ୍ରର, ଯେଉଁଠି ମଣିଷ ଜନ୍ମତାର ଅଧିକାର- ସେ କର୍ମକ୍ଷେତ୍ର ପାଇବ ଓ ଆପଣାର କର୍ମ ଅନୁଯାୟୀ ଫଳ ଭୋଗିବ। ସଭ୍ୟତାରେ ପ୍ରଥମ ଥର ପାଇଁ ମଣିଷ ଏହି ନୂତନ ଅବସ୍ଥାରେ ନୂ଼ଆ ଜୀବନର ଆସ୍ବାଦ ପାଇଛି- ସେଠି ପ୍ରତ୍ୟେକ ଜାତିର ଅଧିକାର ଅଛି ନିଜର ଅର୍ଥନୀତି, ରାଜନୀତି ଓ ସମାଜ ନୀତିକୁ ନିୟନ୍ତ୍ରଣ କରିବାର, ନିଜର ଭାଷା ଓ ସାଂସ୍କୃତିକ ରକ୍ଷା କରିବାର । ସେଠି ଦେଶବାସୀ ପାଞ୍ଚ ବର୍ଷକେ ଥରେ ଭୋଟ୍‌ବାକ୍ସରେ ଟିକଟ୍‌ ଗଳେଇ ଭକୁଆ ହୋଇ ବସନ୍ତି ନାହିଁ, ସେମାନଙ୍କର ଯେପରି ଅଧିକାର ଅଛି ନିଜର ପ୍ରତିନିଧି ଓ କର୍ମଚାରୀକୁ ନିର୍ବାଚନ କରିବାର, ସେପରି କ୍ଷମତା ଅଛି ସେମାନଙ୍କର କାମର ହିସାବ ରଖିବା ଓ ଦରକାର ପଡ଼ିଲେ ସେମାନଙ୍କୁ ବରଖାସ୍ତ କରିବାର।

       ଏହି ଦୁଇ ବ୍ୟବସ୍ଥା ନେଇ ପୃଥିବୀ ଆସି ଦୁଇ ଶିବିରରେ ବିଭକ୍ତ।ଦଳେ ଚାହାନ୍ତି ପୁରୁଣା ସଂସ୍ଥାକୁ ଚାଲୁ ରଖିବାକୁ, ଆଉ ଦଳେ ଚାହାନ୍ତି ନୂଆ ସମାଜ ଗଢ଼ିବାକୁ। ଏକ ଦିଗରେ ପୁଞ୍ଜିବାଦର ଗଣ୍ଡି ମଧ୍ୟରେ ନ୍ୟସ୍ତସ୍ବାର୍ଥ ମାଡ଼ିମକଚି ତା’ର ସୁବିଧା ଓ ସ୍ବାର୍ଥକୁ ବଜାୟରଖିବାକୁ ଚାହେଁ, ଅପର ଦିଗରେ ଜନସାଧାରଣ ସାମ୍ୟବାଦର ଧ୍ବଜା ତଳେ ମେଣ୍ଟ ବାନ୍ଧିଛନ୍ତି କାହିଁ ବା ସେମାନଙ୍କର ରାଷ୍ଟ୍ର ଛିଡ଼ା କଲେଣି, ଅନ୍ୟତ୍ର ସେଥିପାଇଁ ତୁମୁଳ ଆନ୍ଦୋଳନ ଚଳାଇଛନ୍ତି। ନ୍ୟସ୍ତସ୍ବାର୍ଥ ଓ ଜନତାର ସ୍ବାର୍ଥର ସଂଘର୍ଷ ସୃଷ୍ଟି କରିଛି ଦୁଇ ଚିନ୍ତାଧାରାର ସଂଘାତ। ତା’ ମଧ୍ୟରେ ନିରପେକ୍ଷ ରହିବାର ଅଭିନୟ ଏକ ପ୍ରହସନ, ପୂରାପୂରି ଧୂଆଁବାଣ। ଗତାନୁଗତିକ ପ୍ରଣାଳୀ, ତା ନୂଆରାସ୍ତା? ଏହାହିଁ ପ୍ରଶ୍ନ। ଏଥିରେ ଆଉ ତୃତୀୟ ପନ୍ଥାର ଅବସ୍ଥାନ କାହିଁ? ଯେଉଁମାନେ ବିଶ୍ବବ୍ୟାପୀ ଏ ଘନଘଟା ଭିତରେ ନିରପେକ୍ଷ ରହିବା ଲାଗି କହନ୍ତି, ସେମାନେ ପୁରୁଣା ସଂସ୍ଥା ଚାଲୁ ରଖିବାର ପକ୍ଷପାତୀ, ଅଥଚ ଜନତାର କ୍ରୋଧ ଏଡିବା ପାଇଁ ମଧୁର ଶବ୍ଦ-କବଚ ଧାରଣ କରିଛନ୍ତି ମାତ୍ର। ପୁଞ୍ଜିବାଦ ଓ ସାମ୍ୟବାଦ ମଧ୍ୟରେ ତୃତୀୟ ପନ୍ଥା ଖାଲି ଏକ ଫିସାଦ।

         ପୁଞ୍ଜିବାଦର ସଂକୀର୍ଣ୍ଣ ପରିସର ମଧ୍ୟରେ ଜନସାଧାରଣଙ୍କର ଜୀବନ ସମସ୍ୟାର ସମାଧାନ ଅଯୌକ୍ତିକ, ଅସମ୍ଭବ। ଯେଉଁଠି ଦଶଜଣଙ୍କ ପେଟରୁ କାଟି ଜଣକର ଗନ୍ତାଘର ପୂର୍ଣ୍ଣ କରିବାର ବ୍ୟବସ୍ଥା, ସେଠି ସମାଜର ସମୂହ କଲ୍ୟାଣର ପ୍ରଶ୍ନ ଉଠିନପାରେ । ଅଧିକ ଉତ୍ପାଦନ ହେଲେ, ଦରଦାମ୍‌ ଶସ୍ତାହେଲେ ଶିଳ୍ପପତିର ମୁନାଫାରେ ହାନି ଘଟେ, ସମସ୍ତଙ୍କୁ କାମ ଯୋଗାଇ ଦେଲେ ଅଳ୍ପ ଦରମାରେ ଆଉ ଶ୍ରମିକ ମିଳନ୍ତି ନାହିଁ, ରୋଗକୁ ନିର୍ମୂଳ କରିଦେଲେ ଔଷଧ କମ୍ପାନି ଦୁଆରେ ତାଲା ପଡ଼ିଯାଏ। ଯାହା ଜନତାକୁ ସୁହାଏ, ତାହା ନ୍ୟସ୍ତସ୍ବାର୍ଥକୁ ପୋଷାଏ ନାହିଁ। ଦୁଇ ବିରୁଦ୍ଧ ସ୍ବାର୍ଥ ଦ୍ବାରା ବିଭକ୍ତ ହୋଇ ପୁଞ୍ଜିବାଦୀ ସମାଜ, ତେଣୁ ଆଜି ଅଗ୍ରଗତି କରିବାକୁ ଅସମର୍ଥ। ଜୀବନକୁ ଉନ୍ନତ କରିବାକୁ ହେଲେ ଲୋଡ଼ା ଦୁଇ ବିରୋଧାତ୍ମକ ଶ୍ରେଣୀ ମଧ୍ୟରୁ ଗୋଟିକର ବିଲୋପ ସାଧନ (ଶ୍ରେଣୀଗତ ଲୋକଙ୍କର ହତ୍ୟା ନୁହେଁ,ଶ୍ରେଣୀସ୍ବାର୍ଥର ମୁଳୋତ୍ପାଟନ)। ପୁଞ୍ଜିପତି ଓ ମେହନତକାରୀ ଜନତା, ଏ ଦୁଇ ଶ୍ରେଣୀ ମଧ୍ୟରୁ ମେହେନତକାରୀମାନଙ୍କୁ ବାଦ ଦେଇ କୌଣସି ସମାଜ ନୀତି ତିଷ୍ଠି ରହିନପାରେ। ପୁଞ୍ଜିପତି ବିନା ଚାଷୀ ଓ ଶ୍ରମିକକୁ ତା’ର କର୍ମକ୍ଷେତ୍ରର ମାଲିକ ବା ପରିଚାଳକ କରି କିପରି ନୂଆ ଏକ ସମାଜ ଗଢ଼ାଯାଇପାରେ ତାହା କାର୍ଲମାର୍କସ ଦିନେ ପ୍ରତିପାଦନ କରିଥିଲେ। ଲେନିନ୍‌ ଓ ଷ୍ଟାଲିନ୍‌ କାର୍ଯ୍ୟତଃ ପୃଥିବୀର ଜନସାଧାରଣଙ୍କ ଆଗରେ ତାହାର ଚାକ୍ଷୁଷ ପ୍ରମାଣ ଦେଲେ। ଆଜି ପୃଥିବୀର ଲୋକସଂଖ୍ୟାର ଅର୍ଦ୍ଧେକ ପ୍ରାୟ ସେହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଦ୍ବାରା ସେମାନଙ୍କ ଦେଶରେ ବିସ୍ମୟକର ଉନ୍ନତି କରିପାରିଛନ୍ତି।

           ପ୍ରଗତିର ପ୍ରଥମ ଭୂମିକା, ସମାଜରେ ଏକ ସ୍ବାର୍ଥ ଶ୍ରେଣୀର ପ୍ରତିଷ୍ଠା-କେବଳ ମେହନତକାରୀ ଜନତା ଦ୍ବାରା ସମାଜର ଅର୍ଥନୀତି ଗଠନ। ଏହାର ଅର୍ଥ ବିରୁଦ୍ଧ-ସ୍ବାର୍ଥଶୋଷକ ଶ୍ରେଣୀର ଅସ୍ତିତ୍ବ ଉଚ୍ଛେଦ କରିବା, ସମସ୍ତ ଶୋଷଣକୁ ବେଆଇନ କରିବା, ସାମନ୍ତବାଦୀ ଓ ପୁଞ୍ଜିପତି ଶ୍ରେଣୀ ବିରୁଦ୍ଧରେ ସର୍ବହରାର ଏକ-ନାୟକତ୍ବରେ ରାଷ୍ଟ୍ର ଗଢ଼ିବା। ଅନ୍ତର୍ବିବାଦଶୂନ୍ୟ ସମାଜ ସେତେବେଳେ ଜନସାଧାରଣଙ୍କର ସମୂହ କଲ୍ୟାଣ ଦୃଷ୍ଟିରୁ ଅଧିକରୁ ଅଧିକ ଉତ୍ପାଦନ କରିବାକୁ ସମର୍ଥ ହେବ, ଉନ୍ନତିର ସୋପାନ ଗୋଟିକ ପରେ ଗୋଟିଏ ଡେଇଁ ଚାଲିବ ବାଧାହୀନ ଗତିରେ, କ୍ଷୀପ୍ର ଗତିରେ।

           ସମାଜରେ ଦୁଇ ବିରୋଧାତ୍ମକ ଶ୍ରେଣୀ ରଖିବାର ଅପଚେଷ୍ଟା କରି ଆମେରିକା ଯୁକ୍ତରାଷ୍ଟ୍ରରେ ଆଜି ୬୦ ଲକ୍ଷ ଲୋକଙ୍କର ବାସ ଓ ସଂସ୍ଥାନାହିଁ, ବ୍ରିଟେନ ଦେବାଳିଆ ହୋଇଛି, ଫ୍ରାନ୍ସ ଭିକାରୀ ସାଜିଛି, ଭାରତ ଶ୍ମଶାନରେ ପରିଣତ ହୋଇଛି। ପ୍ରତ୍ୟେକ ପୁଞ୍ଜିବାଦୀ ଦେଶର ଯୋଜନାମାନ ଫସରଫାଟି ଯାଇଛି। ପ୍ରତ୍ୟେକ ପଦରେ ସଂକଟ ଦେଖାଦେଉଛି। ଭବିଷ୍ୟତ ଆହୁରି ଅନ୍ଧକାରମୟ ଦିଶୁଛି। ସମାଜରେ ଏକସ୍ବାର୍ଥ ଶ୍ରେଣୀ ପ୍ରତିଷ୍ଠା କରି ସୋଭିଏତ୍‌ ରୁଷ ବିଗତ ଯୁଦ୍ଧ ପରେ ଏକ ଅତି ଅନୁନ୍ନତ ଦେଶରୁ ମାତ୍ର ପନ୍ଦରଟା ବର୍ଷରେ ସବୁଠାରୁ ଅଧିକ ସମୃଦ୍ଧ ଓ ଶକ୍ତିଶାଳୀ ଦେଶ ହୋଇପାରିଥିଲା। ଗତ ଯୁଦ୍ଧରେ ଅଠର କୋଟି ଲୋକଙ୍କ ମଧ୍ୟରୁ ଦୁଇକୋଟି ହରାଇ ମଧ୍ୟ ମାତ୍ର ଅତ୍ୟଳ୍ପ ସମୟ ମଧ୍ୟରେ ସେମାନେ ତ କେବଳ ଯୁଦ୍ଧ ପୂର୍ବ ଅବସ୍ଥା ଫେରାଇ ଆଣିପାରିନାହାନ୍ତି, ତାଙ୍କର ଅର୍ଥନୈତିକ , ସାମାଜିକ ଓ ରାଜନୈତିକ ଜୀବନର ବିକାଶ ଅଦ୍ଭୁତପୂର୍ବ ଗତିରେ ଆଗଉଛି। ଆଜି ଚୀନ୍‌ ନୂତନ ସଂସ୍କାର ଆଶ୍ରୟରେ ଲକ୍ଷ ଲକ୍ଷ ବେକାରଙ୍କୁ କାମ ଯୋଗାଉଛି, ମୁନାଫାଖୋର ଓ ଲାଞ୍ଚମିଛ କୁହୁଡ଼ି ପରି ଘଉଡ଼ାଇ ଦେଇଛି, ଦୁର୍ଭିକ୍ଷ ସମସ୍ୟାର ସ୍ଥାୟୀ ସମାଧାନ ମାତ୍ର ବର୍ଷକ ଭିତରେ କରିଦେଇପାରିଛି, ହୋୟାଂହୋକୁ ବନ୍ଧାଉଛି ଓ ଯୋଜନାକୁ ଟପି ଉତ୍ପାଦନ ବଢ଼ାଇ ଚାଲିଛି।

       ସଭିଏଁ ଶାନ୍ତିରେ ରହନ୍ତୁ, ଏହା କେତେ ଯୋଗୀଋଷି ଆଶୀର୍ବାଦ କରି ଆସିଛନ୍ତି, କେତେ ଧର୍ମ ପ୍ରଚାରକ କାମନା କରିଛନ୍ତି, କେତେ କବି ଓ ଲେଖକ କଳ୍ପନା କରିଛନ୍ତି; କିନ୍ତୁ ଏମାନଙ୍କ ମଧ୍ୟରୁ କେହି ହେଲେ ଶାନ୍ତିର ମାୟାମୃଗକୁ ଧରିପାରିନାହାନ୍ତି। ଜନସାଧାରଣଙ୍କ ଜୀବନରେ ପୂର୍ବପରି ଦୁର୍ବହ ନିଆଁ କୁହୁଳି କୁହୁଳି ଉଠିଛି। ଶାନ୍ତିର କାମନା କଲେ ଶାନ୍ତି ମିଳେ ନାହିଁ। ଯୋଗାଯୋଗ ଆରାଧନା ଦ୍ବାରା ତାହା ସାଧିତ ହୋଇନାହିଁ। ହଜାର ହଜାର ବର୍ଷର ଇତିହାସ ଏହାକୁ କେବଳ ବ୍ୟର୍ଥ ନିଷ୍ଫଳ ଦିବାସ୍ବପ୍ନ ବୋଲି ପ୍ରମାଣ କରିଦେଇଛି।

        ବାସ୍ତବ ଶାନ୍ତି ପ୍ରତିଷ୍ଠା ହେଲେ ଚଳନ୍ତି ସମାଜରେ ଅଶାନ୍ତି କେଉଁଠି କେଉଁଠି ଅଛି, ତାହା ନିରୂପଣ କରିବାକୁ ହେବ, ତାହାର କାରଣ ଅନ୍ବେଷଣ କରିବାକୁ ହେବ। ଉଦ୍ଦେଶ୍ୟ ସିଦ୍ଧି ଲାଗି ସେ ସମସ୍ତ କାରଣ ଦୂର କରିବାକୁ ପନ୍ଥା ଅନୁସରଣ କରିବା ବି ଆବଶ୍ୟକ। ଶାନ୍ତିକାମୀମାନେ ବିଶ୍ବଶାନ୍ତିର ତୁହା ତୋଳି ଯେଉଁ ଯଜ୍ଞ, ଉପାସନା ଆଦି ଲୋକଦେଖାଣିଆ କାଣ୍ଡ କାରଖାନା କରନ୍ତି, ତାହା ବୃଦ୍ଧ-ବ୍ୟାଘ୍ରର ତପସ୍ବୀ ବେଶ ମାତ୍ର।ଜନସାଧାରଣ କିପରି ସେମାନଙ୍କର ପ୍ରକୃତ ଶାନ୍ତିପଥ ଖୋଜି ନପାନ୍ତି, ସେଥିପାଇଁ ତାହା ଏକ ମାୟାଜାଲ। ସେଥିଲାଗି ତ ପରମାଣୁ ବୋମା ତିଆରି କରିବାରେ ତତ୍ପର ଟ୍ରୁମାନ ଗାନ୍ଧି ସ୍ମୃତି ମନ୍ଦିର ନିର୍ମାଣ ଲାଗି ବ୍ୟାକୁଳ।

         ଅପର ପକ୍ଷରେ ବିଶ୍ବର ସଚେତନ ଜନତା ଆଜି ଗଢ଼ି ତୋଳୁଛି ଶାନ୍ତିର ସୌଧ-ଚିରସ୍ଥାୟୀ, ଅଦ୍ଭୁତପୂର୍ବ, ବଳିଷ୍ଠ। ସେମାନେ ପୁଞ୍ଜିବାଦୀ ସମାଜର ଜୀବନଧାରାକୁ ବଦଳାଇବାକୁ ଚାହାନ୍ତି- ସାମ୍ୟବାଦ ପ୍ରତିଷ୍ଠା କରିବାକୁ ଚାହାନ୍ତି ବୈଜ୍ଞାନିକ ପନ୍ଥାରେ। ବିଶ୍ବର ଜନତା ଆଜି ସ୍ପଷ୍ଟ ଦେଖିପାରିଛି ଦୁନିଆରେ କାହିଁକି ଏ ଯୁଦ୍ଧବ୍ୟାଧି ଦେଖା ଦେଉଛି ଥରକୁ ଥର, କାହିଁକି ଲୋକ ଦୁଃଖ ଓ ଦୈନ୍ୟରେ ଜୀବନ କାଟୁଛି,କାହିଁକି ଏ ସୁନ୍ଦର ପୃଥିବୀ ନରକରେ ପରିଣତ ହେଉଛି। ସେମାନଙ୍କ ଆଖିରେ ଆଜି ସ୍ପଷ୍ଟ ହେଉଛି ସେହି ପନ୍ଥା, ଯାହାଦ୍ବାରା ଦେଶର ପ୍ରତ୍ୟେକ ଲୋକ ଜନ୍ମିବାଠାରୁ ମରଣ ପର୍ଯ୍ୟନ୍ତ ସୁଖ ସମୃଦ୍ଧିରେ କଟାଇପାରିବ,ଯାହାଦ୍ବାରା ଦେଶ ଦେଶ ମଧ୍ୟରେ ସୌହାର୍ଦ୍ଦ୍ୟ ଚିରସ୍ଥାୟୀ ହେବ। ସେ ପନ୍ଥା ପୁଞ୍ଜିବାଦର ବ୍ୟକ୍ତିକୈନ୍ଦ୍ରିକ ବ୍ୟବସ୍ଥା ମଧ୍ୟରେ ମିଳେନାହିଁ। ସେ ପନ୍ଥା କେବଳ ମିଳିବ ସେଠି, ଯେଉଁ ସମାଜର ଆଭିମୁଖ୍ୟ ବଦଳି ଯାଇଛି-ତା’ର ଆଦର୍ଶ ହୋଇନାହିଁ ବ୍ୟକ୍ତିର ଉତ୍କର୍ଷ, ତା’ର ଆଭିମୁଖ୍ୟ ସମଷ୍ଟିର କଲ୍ୟାଣ।

         ଆଭିମୁଖ୍ୟର ଏ ବୈପ୍ଳବିକ ପରିବର୍ତ୍ତନ ଆସିବ ନାହିଁ ଏକ ଆକସ୍ମିକ ଘଟଣା ରୂପେ। ସାମାଜିକ ଓ ଅର୍ଥନୈତିକ ସଂସ୍ଥା ହିଁ ସମାଜରେ ଏକ ନୂତନ ଆଦର୍ଶ ପ୍ରତିଷ୍ଠା କରିବ। ରାଷ୍ଟ୍ରଶକ୍ତି ଯେ ପର୍ଯ୍ୟନ୍ତ ବ୍ୟକ୍ତିସ୍ବାର୍ଥର ପହରାବାଲା ରୂପେ ରହିଛି, ସେ ପର୍ଯ୍ୟନ୍ତ ସାମାଜିକ ଓ ଅର୍ଥନୈତିକ ସଂସ୍ଥାରେ କୌଣସି ବୈପ୍ଳବିକ ପରିବର୍ତ୍ତନ ଆସିବା ସମ୍ଭବପର ନୁହେଁ। ତାହା ଆସିବ କେବଳ ସେହି ଶ୍ରେଣୀର ଅଧିନାୟକତ୍ବରେ, ଯେଉଁ ଶ୍ରେଣୀର ଏ ସମାଜରେ କୌଣସି ବ୍ୟକ୍ତିସ୍ବାର୍ଥ ନାହିଁ-ଯେ ସର୍ବହରା। ସର୍ବହରା ଶ୍ରେଣୀ ରାଷ୍ଟ୍ରଶକ୍ତିକୁ କରଗତ କରି ଯେଉଁ ସଂସ୍ଥା ପ୍ରତିଷ୍ଠା କରିବ, ସେଥିରେ ବ୍ୟକ୍ତିସ୍ବାର୍ଥ ବେଆଇନ ହେବ, ସର୍ବହରାର ଏକନାୟକତ୍ବରେ(Dictatorship of the proletariat)ରାଷ୍ଟ୍ରଶକ୍ତି ସମାଜ ଆଗରେ ନୂତନ ଆଦର୍ଶ ତୋଳି ଧରିବ-ସମଷ୍ଟିର କଲ୍ୟାଣ।ସେହି ଦୃଷ୍ଟିକୋଣରୁ ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥା ଚାଲୁ ହେବ, ଯାହାଫଳରେ କେତେଜଣ ମୁନାଫାରଖୋର ନୁହନ୍ତି-ପ୍ରତ୍ୟେକ ଶ୍ରମଜୀବୀ ସମୃଦ୍ଧିକାୟ ଜୀବନ ନିର୍ବାହ କରିପାରିବ।

           ସେ ଶାନ୍ତି ବ୍ୟାଧର ନୁହେଁ କପୋତର। 




+ -

© Jataayu Charitable Trust
Site designed,developed & maintained by Tekons