ଫରିଆଦ




କୋଚଟ କଳା ବସ୍ତି,

ଶାସ୍ତ୍ରୀବୁଢ଼ା ସାଥୀରେ ପରା

ଜମିଯାଇଛି ମିଆଁପୁଅର ଦୋସ୍ତି;

ହାଡିଆଭାଇ ବୁଲି ବିକୁଛି

ରାଗରାଗୁଆ ଚଣା;

ଆପାନ୍ନା ତେଣେ ମେଲି ଦେଇଛି

ମସ୍‌ଗୁଲିଆ ଗାନା,

ନର୍ଦ୍ଦମାର ପୋଚ ସାଥୀରେ

ତାଡିର ଖୁସ୍‌ବୁ ମିଶେ

ଲାଲ ଗୁଲାପି ଗିଲାସଟାରେ

(କ’ଣ କହିବି?)

ଚୌଦଭୁବନ ଦିଶେ।

 

ନେପଟା ଚାଳ

ବହଳ ଧୂଆଁ

ସନ୍ତିସନ୍ତିଆ ମାଟି,

ଭଣଭଣିଆ ଅଳିଆ ଗଦା

ଚାଞ୍ଚରା ଆଉତାଟି।

ତା ଭିତରୁ ଉକୁଟି ଉଠେ

କୁଙ୍କୁମ ବାଈ

ଘୁଂଘୁର ନାଈ

ଘାଘର ଘିରି ଘିରି;

ଢ଼ୋଲକୀ ବାଜେ

ବାଈଜୀ ନାଚେ;

ସରଗ ଛାଡି ଓହ୍ଲାଇ ଆସେ ପରୀ।

 

ଏ କଣେ ଶୁଏ ବକରୀଟାଏ

ସେ କଣେ ଶୁଏ ଗୋପିଆ ବଡବୋଲା;

ପଡିଶା ଘରେ ପାର୍ବତୀ ରହେ,

କୋଳରେ ତା’ର

ମା’ ନଥିବା ବାପା ନଥିବା ପିଲା।

 

ନେହି ସେ ଗଡେ ମରଦ ସିଂ

ବାଦଶାଟାଏ ଜାଣ;

ସେଠି ସେ ପାଏ

ସମାଜ ଯାହା ଦେଇନି ଭୁଲେ,

 

ମଣିଷ ହେବା ମାନ।




+ -

© Jataayu Charitable Trust
Site designed,developed & maintained by Tekons