ବ୍ୟାଘ୍ରୋକ୍ତି




ମୁଁ ବିଚରଣ କରେ

ପ୍ରକୃତିର ବିଚିତ୍ର ଚିତ୍ରଶାଳାରେ।

 

ତୁମର ବିକୃତ ସଭ୍ୟତାଠାରୁ

ମୁଁ ଦୂରରେ ରହିବାକୁ ଚାହେଁ।

ମୁଁ ବୁଝିପାରେ ନାହିଁ

କାହିଁକି ତୁମେ ଏ ସୁନ୍ଦର ବନ ଭୂଇଁକୁ ଧ୍ବଂସ କର

ନିପାତ କର ସତେଜ ବୃକ୍ଷଲତାମାନଙ୍କୁ

ଆଉ ଶିକାର କର

ଅସହାୟ ଠେକୁଆଗୁଡାଙ୍କୁ

ନୃତ୍ୟରତ ମୟୂରପଲଙ୍କୁ।

ଘୃଣାର ବିଷାକ୍ତ ତୀରରେ

ଜର୍ଜରିତ ତୁମର ସଭ୍ୟତା

ରକ୍ତାକ୍ତ କରିଛି ତୁମରତ ପ୍ରାସାଦ

ଓ ପ୍ରାନ୍ତର

କୁତ୍ସିତ କରିଛି ସହର ଓ ବସ୍ତି

ସବୁଠାରେ ଖାଲି ଅଶାନ୍ତି ଓ ଅସ୍ବସ୍ତି

ହାହାକାର ଚିତ୍କାର।

ତୁମେ ବୀଭତ୍ସ କରିଛ

ସ୍ରଷ୍ଟାର ସୁନ୍ଦର ସଂସାର।

 

ତୁମେ ଘୃଣା କର ସବୁ କିଛି;

ସୃଷ୍ଟି ପ୍ରକୃତିର, ପ୍ରତିବେଶୀ, ସ୍ତ୍ରୀ, ପରିବାର ଆପଣାକୁ।

 

ତୁମର ବିଭୀଷିକାକୁ

ମୁଁ ବରଦାସ୍ତ କରିପାରେ ନାହିଁ।

ତେଣୁ ମୁଁ ତୁମ ଉପରକୁ ଲମ୍ଫ ଦିଏ

ଚାହେଁ ତୁମକୁ ଘାଉଲା କରିବାକୁ,

ଖତମ କରିବାକୁ

 

ତୁମର ଅଶ୍ଳୀଳ ସଭ୍ୟତାକୁ॥




+ -

© Jataayu Charitable Trust
Site designed,developed & maintained by Tekons