୧୯୪୭




ଯାତ୍ରୀ ସାବଧାନ

ତୋର ଏହି ଯାତ୍ରାପଥେ ନୁହେଁ ଯେ ଅନ୍ତିମ ସୋପାନ

ସଂଗ୍ରାମ ତୋ ସରିନି ଏବେ ବି;

ଏବେ ମଧ୍ୟ ଉର୍ଦ୍ଧ୍ବେ ତୋର ଜନତାର ରକ୍ତମାଂସ ଲୋଭୀ

ଗୁଧ୍ରପଲ ଚକ୍ରମାରେ; ଝାମ୍ପିନିଏ ଶ୍ରମିକର ଆୟୁ,

ଏବେ ମଧ୍ୟ ଭାତଥାଳୀ ଭାଗକରେ ମାଲିକ ସାହୁ!!

ଆଜି ମଧ୍ୟ ଭାରତର ଗ୍ରାମବାସୀ ଶୋଇଛି ଉପାସେ;

କାଲି ସେ ହୋଇବ ଛନ୍ଦି ପ୍ରାଣନାଶୀ କଳା ନାଗପାଶେ

ତାହାରି ଦଂଶନେ ପୁଣି ସମାଜେ ଜଳୁଥିବ ନିଆଁ

ଅତୃପ୍ତ ଧରଣୀ ପରେ ଉପୁଜାଇ ସହସ୍ର କଜିଆ

ଭାରତର ସିଂହାସନେ ଲାଳାୟିତ କଂସର ଦାୟାଦ

ଆଲୋକର ସଦ୍ୟଜାତ ଶିଶୁଟିର ରୋଧିବାକୁ ଶ୍ବାସ

ଚାଲିଛି ଚକ୍ରାନ୍ତ ଗୂଢ଼, ରୋଧିବାକୁ ଜୀବନ ବିକାଶ

ତେଣୁ ଯାତ୍ରୀ, ଆଗୁଁ ହୁସିଆର

ଜାଗ୍ରତ ଜନତା ମେଳେ ଚାଲ ବନ୍ଧୁ, ହୁଅ ଆଗୁସାର

ମୁକ୍ତିର ଦିଶାଣ ତୋଳ ଊର୍ଦ୍ଧ୍ବେ ନଭେ;

ରଙ୍ଗା ସକାଳ

ଜୀବନର ଅଧିକାରୀ ଯେତେ ଆମ ବଞ୍ଚିତ କଙ୍କାଳ

ମୁକ୍ତକଣ୍ଠେ ଗାଅ ସର୍ବେଜନତାର ଜୟ’;

 

ଜୀବନ ହେଉ ସତ୍ୟ, ହେଉ ପୁର୍ଣ୍ଣ, ହେଉ ଶାନ୍ତିମୟ




+ -

© Jataayu Charitable Trust
Site designed,developed & maintained by Tekons