ଅଗଷ୍ଟ ପନ୍ଦର ଆଜି-
ପାଦେ ଏ ଯେ ସ୍ପର୍ଶ ଲାଗେ ଅଭିନବ-ନୂତନ ସୋପାନ।
ଏହା ତଳେ ରହିଗଲା ଇତିହାସ-ଦୀର୍ଘ ଅଭିଯାନ…
ରହିଗଲା-
ତିନି ଶହ ବର୍ଷ ବ୍ୟାପୀ ମଣିଷର ଲହୁ ଆଉ ଲୁହ
ସତ୍ୟାଗ୍ରହ ମୁକ୍ତିକାମୀ ଜନତାର ଆଗ୍ନେୟ ବିଦ୍ରୋହ।
ରହିଗଲା-
ବିଲାତର ପ୍ରାଣହୀନ ପୁଞ୍ଜିପତି ଲୁବ୍ଧକ କୌଶଳ…
ଉତ୍ତମାଶା ଅନ୍ତରୀପ… ପଣ୍ୟପୋତ… କମ୍ପାନୀ ଅମଳ…
କ୍ଲାଇବ୍ର କୂଟନୀତି-ବଣିକର ସୁନେଲୀ ଚକ୍ରାନ୍ତ…
ମିର୍କାସିମ୍… ପାନିପଥ…ହେ ନବାବ, ହେ ଶିଖ ଦୁର୍ଦ୍ଦାନ୍ତ
ବାହଶାହା ଓ ପେଶବା। କର ସନ୍ଧି, ନତକର ଶିର,
ଅର୍ଘ୍ୟ ଦିଅ ସିଂହାସନେ ଭାରତର ମାଂସ ଓ ରୁଧିର।
ରହିଗଲା-ପଦଲେହୀ କୁକୁରର ଜମିଦାର ପଦରେ ଲାଳସା,
ନାଲିସ୍…କ୍ରୋକି… ନିଲାମ ଚକ୍ରବୃଦ୍ଧି କ୍ରମେ ସୁଧକଷା
ଦୁର୍ଭିକ୍ଷ ଓ ଅନଟନ… ମହାମାରୀ… ଅନ୍ଧାର ଅନ୍ଧାର,
କଙ୍କାଳ,କାଙ୍ଗାଳ ଆର୍ତ୍ତ କୋଟି କୋଟି କଣ୍ଠେ ହାହାକାର।
ଅସହାୟେ ଗ୍ରାମବାସୀ କାନ୍ଦେ ଯେବେ, ଯେବେ ଛାଡ଼େ ରଡ଼ି
ତା ଲାଗି ସଜିଲ ଥିଲା ଲାଲ ଆଖି, ନାଲିଆ ପଗଡ଼ି।
ହେ ଲାଟ, ହେ ଜଙ୍ଘିଲାଟ, ହେ ସାହେବ, ହାକିମ ଓ ବାବୁ।
ୟାକୁ କି ଶାସନ କହି? ମଣିଷକୁ କରିବାକୁ କାବୁ
ଯେତେ ନାଗଫାଶ!
ସୁନାର ଏ ଦେଶ ହେଲା ଛାରଖାର, ହେଲା ସର୍ବନାଶ!
ସର୍ବହରା ଆମେ ସର୍ବେ-ଲୁଟିଛି ତ ଧନ ମାନ ଶ୍ରମ-
ଜୀବନେ ସମ୍ବଳ ମାତ୍ର-ପ୍ରିୟ ଅତି-ବିଶ୍ବାସର ଧର୍ମ।
ସକଳ ଦେଇଛୁଁ ବଳି, ଧର୍ମେ କିନ୍ତୁ କରିବୁନି ତ୍ୟାଗ-;
ହେ ସିପାହୀ… ଧର୍ମ୍ମରଣେ ଉଠ ମାତି, ଜାଗ ବୀର ଜାଗ!
ରହିଗଲା-
କେତେ ଗୁଳି, ବର୍ଚ୍ଛାମୁନ, ଲାଠିମାଡ଼, ହତ୍ୟା ଆଉ ଫାଶୀ,
ଥାନା ଜେଲ୍… ଦେଶାନ୍ତର, ଅର୍ଡ଼ିନାନ୍ସ, ବାଆ ଓ ବତାସୀ,
ରଖିଗଲା ଦାଗ…
ଚୌରିଚୌରା ଓ ଇଞ୍ଚୁଡ଼ି, ଦାଣ୍ଡିଯାତ୍ରା, ଜାଲିଆନାବାଗ।
ଜନତାର ଯାତ୍ରାପଥେ ବିଜୟର ବରମାଲ୍ୟ ତାହା-
ମୁକ୍ତିର ମଶାଲ ଜାଳି ତେଜିଉଠେ ଗାଆଁ ପରେ ଗାଆଁ
କଙ୍କାଳ କରିଛି ଦାବି, ବଂଚିବାର ନ୍ୟାଯ୍ୟ ଅଧିକାର…
ଆମରକ୍ତେ କେତେ କାଳ ରଞ୍ଜା ହେବ ତୁଚ୍ଛ ଦରବାର?
ଚଉପାଶେ ଆଇନର ଜାଲଛନ୍ଦା ଦାସତ୍ବ ଶୃଙ୍ଖଳ…
ଅମଙ୍ଗଳ ଏ ଶାସନ ଚାଲୁ ରଖେ ଶୋଷଣ କଳ।
ଏହା ସାଥେ ନାହିଁ ସହଯୋଗ-
ଏକଜୁଟ ହୁଅ ଭାଇ ଭାରତର ତ୍ରିଂଶକୋଟି ଲୋକ!!
ତ୍ରିଂଶକୋଟି ଭାରତୀୟ ଅନ୍ନହୀନ ସର୍ବହରା ଭାଇ,
କାଙ୍ଗାଳ ହୋଇଛି ଦେଶ-; ମୁଠେ ଲୁଣ ବଂଚିବାର ପାଇଁ
ଚାହୁଁ ଆମେ! ପ୍ରାଣ ଥାଉଁ ଖୋଲିବୁନି ଏ ମୁଠାର ଜାବ!
ବନ୍ଧୁକ ଆବାଜ୍ ଆଗେ ବକ୍ଷ ଖୋଲି ଦିଅଇ ଜବାବ
ଭାରତର ମୁକ୍ତି ସେନା-ସତ୍ୟାଗ୍ରହୀ-ତିଳେ ନାହିଁ ଭୟ;
ଉଲ୍ଲଙ୍ଗ ଫକୀର ଜଣେ ଆଗେ ଚାଲେ। ‘ଜୟ ଜୟ ଗାନ୍ଧିଜୀର ଜୟ”।
* * *