ଗଲା ସାଲେ ଆଜ ଦିନେ
ଉଜାଗର ଥିଲି ମୁହିଁ କରିବାକୁ ତା’ର ସମ୍ବର୍ଦ୍ଧନା
ବର୍ଷ ବର୍ଷ ଧରି ଯା’ର
ଦେଖୁଥିଲି ମଧୁସ୍ବପ୍ନ, କରୁଥିଲି ଉତ୍ତୁଙ୍ଗ କଳ୍ପନା
ଗଲା ସାଲେ ଆଜ ଦିନେ
ମଣ୍ଡିଥିଲି କୁଟୀର ମୋ ଅତି ଯତ୍ନେ କୁସୁମ ପଲ୍ଲବେ,
ତ୍ରିରଙ୍ଗା ପତାକା ନେଇ ମାରିଥିଲି ଚୂଳୀପରେ ଗର୍ବେ,
ଦ୍ବାରେ ମୋର ଥାପିଥିଲି ପୂର୍ଣ୍ଣକୁମ୍ଭ… ଶୁଦ୍ଧ ଆବାହନ
ଲାଗି ତା’ର…।
ଆସନ୍ନ ହୋଇଲା ଏ ଯେ ଆକାଂକ୍ଷିତ ସେ ଶୁଭଲଗନ।
ସ୍ନାୟୁରେ ଛୁଟିଲା ମୋର ଦ୍ରୁତତରେ ପୁଲକର ସ୍ରୋତ;
ଭାରତର ଉପକୂଳେ
ଏହି ଆସେ, ଏହି ଆସେ, ଏହି ଆସେ ସଦ୍ୟ ମୁକ୍ତିପୋତ।
ସେ ଶୁଭଲଗନେ-
ଭାର୍ଯ୍ୟା ମୋର ଦେଇଥିଲା ହୁଳହୁଳି, ଫୁଙ୍କିଥିଲା ଶଙ୍ଖ
କଣ୍ଠେ ତା’ର ଶୁଣିଥିଲି ନବବାଣୀ, ନିର୍ଭୀକ ନିଃଶଙ୍କ
ଆନନ୍ଦ ଅଶ୍ରୁଳ ନେତ୍ରେ ଉତ୍ଫୁଲ୍ଲିତ ମୁହୂର୍ମୁହୂ ଚାହିଁ
ତ୍ରିରଙ୍ଗ ପତାକାଆଡ଼େ-(ଚାହିଁବାର ସତେ ତୃପ୍ତି ନାହିଁ)
ବାରମ୍ବାର କହୁଥିଲା, ‘ ଏଇ ଉଡ଼େ ମୁକ୍ତିର ନିଶାଣ,
ମୁକ୍ତ ଭାରତର ତ୍ରିଂଶକୋଟି ଶ୍ରମିକ କିଶାନ’।
ମନେପଡ଼େ ଆଜି ମୋର ସେ ଦିନର ବିପୁଳ ଉଚ୍ଛ୍ବାସ…
ତ୍ରିଂଶ କୋଟି ଶଙ୍ଖଧ୍ବନି… ଆଲୋକରେ ଉଜ୍ଜଳ ଆକାଶେ…
ମୁକ୍ତିର ମଦିରାସିକ୍ତ ଜନତାର ବିହ୍ବଳ ଚିତ୍କାର,
ଶତାବ୍ଦୀର ଅଭାବ ଓ ଯାତନା ଯା କରି ଅସ୍ବୀକାର
କରୁଥିଲା ଭବିଷ୍ୟତ ରୋମାଞ୍ଚକ ସ୍ପର୍ଦ୍ଧିତ କଳ୍ପନା-
ହଠାତ୍ ହାସ୍ୟର ମୁକ୍ତା ହେଲା ଯେହ୍ନେ ଦୁଃଖ ଅଶ୍ରୁକଣା।
ମନେପଡ଼େ ସେହି ଦିନ-
ମୁଖେ ମୁଖେ ନବଦୀପ୍ତି, ଲାସ୍ୟମୟୀ ହାସ୍ୟର ଲହର,
ପୂର୍ଣ୍ଣିମାରେ ସିନ୍ଧୁ ପ୍ରାୟ ଉଦ୍ବେଳିତ ପ୍ରତ୍ୟେକ ସହର,
ଗ୍ରାମେ ଗ୍ରାମେ ଉତ୍ସବର ସମାରୋହ… ଢ଼ୋଲ, ଖୋଳ, ତାଳ
ସଜୀବତା… ସତେ କିବା ଜୀବନ୍ୟାସ ପାଇଲା କଙ୍କାଳ।
ଅଙ୍କୁରିତ ଥିଲା ତେବେ କାମନାର ସହସ୍ର ତାଲିକା,
ଭବିଷ୍ୟର ମଧୁଭାଣ୍ଡ ସ୍ବପ୍ନାସକ୍ତ ଆଶାୟୀ ମକ୍ଷିକା
ଗୁଞ୍ଜରଣେ ଥିଲା ମତ୍ତ…
ମନେ ମନେ ଏ ଦେଶ କୃଷକ
ବାନ୍ଧୁଥିଲା ଦୃଢ଼ ଆଣ୍ଟ-ଆଜିଠାରୁ ନ ହେବ ଅରକ୍ଷ,
ଆଜିଠାରୁ ଅନ୍ତ ହେଲା ଅଭିଶପ୍ତ ଦୀର୍ଘ କାଳରାତ୍ରୀ,
ଆଜିଠାରୁ ପରିପୂର୍ଣ୍ଣ ହେବ ମୋର ଜୀବନର ପାତ୍ରୀ
ଧରିତ୍ରୀ ଉପହାରେ… ଫଳ ଆଉ ପୁଷ୍ପର ସମ୍ଭାରେ,