ଆଜିଠାରୁ ବେଖାତିର କରିବି ମୁଁ ସବୁ ଜମିଦାରେ;
ମାଲିକ ଶୋଷକ ଆଉ ଅତ୍ୟାଚାରୀ ରାଜା ଓ ନବାବ
ନ ରହିବ ସେ ମୁଲକ, ନଥିବରେ ଉପାସ ଅଭାବ,
ପୁଲିସର ଲାଲ ଆଖି, ହାକିମର ଅନ୍ଧ ବୁଝାମଣା,
ଗାରଦର ଅନ୍ଧକୂପ ଆଉ ଫୌଜ ମଣିଷ ମାରଣା।
… ସେ ଦୁଃସ୍ବପ୍ନ ରଖି ଦୂରେ ସେଠି ଆମେ ଭାଇ ଆଉ ଭାଇ
ସୁଖରେ କାଟିବା ଦିନ ଶାନ୍ତିମୟ, ହିଂସା ଦ୍ବେଷ ନାହିଁ
ଖଟିବା ଖାଇବା ନୀତି, ଜୀବନେ ତ ନୋହୁକାର ଦାସ…
ଚାଷୀ ଓ ମୂଲିଆ ରାଜ୍ୟ- ପରସ୍ପର ଏକାନ୍ତ ବିଶ୍ବାସ।
ମନେପଡ଼େ ସବୁ ଆଜି; ଆଉ ତ୍ରୀବ ପ୍ରତିହିଂସା ଜାଗେ;
ପ୍ରାଣ ମୋର ଦଗଧ୍ ହୁଏ କ୍ଷୋଭ ଭରେ, ତିକ୍ତତମ ରାଗେ;
ଇଚ୍ଛାହୁଏ-
ଉଲ୍କା ସମ ଜଳିବି ମୁଁ, ଜାଳିଦେବି ଯେତେ ଅମଙ୍ଗଳ,
ନିଶ୍ଚିହ୍ନ କରିବି କ୍ଲୀବ ମାରାତ୍ମକ ପଙ୍ଗପାଳଦଳ;
ଚିତ୍ତ ! ଦୁର୍ଜୟ ସେ ବଳ ଆଣ ପ୍ରାଣେ, ଶକ୍ତ କର ବାହା
ସାଥେ ଶପଥ ଘେନ ଏ ଦେଶର ହାତୁଡ଼ି ଓ ଦାଆ।
ମନେପଡ଼େ-
ମୁମୂର୍ଷ ପ୍ରାଣେ ସେ ଯା ଜାଗିଥିଲା ଦୀପ୍ତ ଉଦ୍ଦୀପନା-
ଆଜି ତା’ର ଦେଖ ଭସ୍ମ। ସବୁ ମିଥ୍ୟା, କ୍ରୁର ପ୍ରବଞ୍ଚନା-
ଶତ୍ରୁର ସେ ଥିଲା ଚାଲ୍। ଖାଲି ଗୋଟେ ମସ୍ତ ଧପ୍ପାବାଜି।
ସ୍ପଷ୍ଟ ହୁଏ ଆଜି।
ସ୍ପଷ୍ଟତର ହୁଏ ଆଜି-
ବ୍ରିଟିଶ ସାମ୍ରାଜ୍ୟବାଦୀ ଲୁବ୍ଧକର କୂଟଚକ୍ରୀ ଫନ୍ଦି
ଭାରତୀୟ ପୁଞ୍ଜୀ ସାଥେ ସର୍ବଗ୍ରାସୀ ଡ଼ୋଲରର ସନ୍ଧି
ଧରାପଡ଼େ ଜାଲ
ନଗ୍ନ ରୂପେ ଦେଖାଦିଏ ଶୋଷକର ଉଦ୍ଧତ ଦଲାଲ୍।
ସ୍ବଧୀନ ଭାରତ ବର୍ଷେ
ଏକବର୍ଷ ଗଲା ପୂରି। ପୋଥିପତ୍ରେ ରହିଗଲା ଲାଭ।
ଜନତାର ରକ୍ତଧାରେ ଲିଖିତ ଯେ ହାନିର ହିସାବ।
ହାଟେ ବାଟେ ପଲ୍ଲୀପ୍ରାନ୍ତେ କୃଷ୍ଣତାର ବିସ୍ତୃତ ଫରଦ
ଦିଏ ଛାଇ…
ଶୁଣ ଶୁଣ- ଏଇ ଶୁଭେ ତାକାରଡ଼ା ଗ୍ରାମେ
ଶାନ୍ତିର ପର୍ବାନା ଆଜି ଖୋଜିବୁଲେ ଲକ୍ଷାଧିକ ନାମେ
ଆଶ୍ରୟପ୍ରାର୍ଥୀରେ ଦିଏ ଆଶ୍ବାସନା ଲୁହବୁହା ଗ୍ୟାସ୍,
କାରଖାନା କୁଲି ଦେହେ ହିଂସା ହୀନ ବେଟନ୍ ପରାସ।
ମହାରାଜା, ଜମିଦାର, ପୁଞ୍ଜିପତି – ଏ ଦେଶ ତୁମରି।
ସୁରକ୍ଷିତ ସିଂହାସନ, ଜମି, ପୁଞ୍ଜି, ମୁନାଫା ଫେକ୍ଟରୀ
ଶଳା କୁଲି, ଆବେ ଚଷା! ଅଧିକ ତୁ ଉତ୍ପାଦନ କର,
ଆଉ ମର; ଶାନ୍ତି ଆଉ ଅହିଂସାର ଫୁଲାଇ ଉଦର।
ନିଅଣ୍ଟ ନ ପୂରେ କାହିଁ ଜୀବନଟା ଅରଜି ଅରଜି-
ଅଗଷ୍ଟ ପନ୍ଦର ସ୍ମୃତି ତାହା ମଧ୍ୟେ କେଣେ ଗଲା ହଜି!