ଅଗଷ୍ଟ ପନ୍ଦର ଆଜି।
ଆଜି-
ଦୀର୍ଘ ଅମାବ୍ୟାପୀ ମର୍ମନ୍ତୁଦ କରାଳ ଦୁଃସ୍ବପ୍ନ
ଯାଇଅଛି ଭାଜି।
ଶୁଣ
ବାଜି ଉଠେ ଲଳିତ ନିକ୍ବଣ,
ପ୍ରଭାତର ପାଦକ୍ଷେପେ… ଜ୍ୟୋତିର୍ମୟୀ କଲ୍ୟାଣୀ ପ୍ରଭାତ…
କଣ୍ଠୁ ତାର ଝରିପଡ଼େ ଶାନ୍ତିସୁଧା, ମଧୁ ଆଶୀର୍ବାଦ…
ଜନତାର ଜୟଟୀକା ଘେନି ଶୋଭା ପ୍ରଶାନ୍ତ ଲଲାଟ-
-ତା’ର!
ଏ ଶୁଭ ସକାଳ ବନ୍ଧୁ ଯୁଗେ ଯୁଗେ ରହିବ ବିରାଟ…।
ଭଲଲାଗେ ମୋତେ ଆଜି ଏ ସକାଳ… ଏ ବାୟୁମଣ୍ଡଳ…
ମନେହୁଏ ମୋର ଯେହ୍ନେ-
ଏ ଉଚ୍ଛଳ ଉଷାର ଗର୍ଭେ ହସିଉଠେ ଅୟୁତ ମଙ୍ଗଳ…
ଭଲଲାଗେ ମୋତେ ଏହି ଶୋଭାଯାତ୍ରା… ହର୍ଷ, ଜୟଧ୍ବନି…
ଆଜିଠାରୁ ଲେଖାଯିବ ଭାରତର ନୂତନ ଜୀବନ।
ଅତିପ୍ରିୟ ଲାଗେ ଜଗତର ବିପୁଳ ଜନତା।
ଅନ୍ଧାର ଯୁଗର ପରେ ଆସିଅଛି ମଙ୍ଗଳ ପ୍ରଭାତ
ଭାରତର ଉପକୂଳେ ତାହାରେ ମୁଁ ଜଣାଏ ସ୍ବାଗତ।