୧୯୪୭




ହେ ଦୁରାତ୍ମା! ବଳର ଉପଳେ

ପାରିଛୁ କି ରୋଧି କେବେ ସତ୍ୟରଥ? ମିଥ୍ୟାର ଆଞ୍ଚଳେ

ବନ୍ଦୀ କରି କେ ରଖିଛି ତେଜସ୍ବାନ୍‌ ସତ୍ୟର ସ୍ଫୁଲିଙ୍ଗ?

ଗର୍ଜି ଯେବେ ଉଠେ ସୁପ୍ତ ସିଂହ

ଉର୍ଣ୍ଣନାଭ ଶତକୋଟି ବିଷଜାଲ ବନ୍ଧିପାରେ ତାକୁ?

ହିମାଚଳ ନାହିଁ ଟଳେ ବାତାବର୍ତ୍ତ ପ୍ରଖର ନିଶ୍ବାସେ।

ଆଲୋକର ଏକଶତ ଭେଦକରେ ଆଚ୍ଛନ୍ନ ଆକାଶେ,

…ଭସ୍ମ କରେ ବ୍ୟାପ୍ତ ଅନ୍ଧକାର;

ନ୍ୟାୟର ଭାସ୍ବାନ୍‌ ରବି ହସିଉଠେ… ମହାନ୍‌; ଉଦାର,

ଗୌରବ ଉନ୍ନତ,

ପାବକେ- ପବିତ୍ର, ଦୀପ୍ତ, ଉଦ୍ଦୀପକ, ଜୀବନ୍ତ, ଅକ୍ଷତ;

ସ୍ପର୍ଦ୍ଧା ଥିଲା ତା’ର

ଫୁତ୍କାରେ ଲିଭାଇ ଦେବ ଅଗ୍ନିଶିଖା ଏକ ପ୍ରଦୀପରେ,

ରୋଷଭରେ କ୍ଷେପି ଦେଲେ ଭୂମିପରେ ସତ୍ୟବୀଜ ଗୋଟି

ଲୁପ୍ତ ତାହା ହୁଏ ନାହିଁ, ଉତ୍ପାଦନ କରେ କୋଟି କୋଟି;

ସତ୍ୟ ଆଉ ନ୍ୟାୟ ଲାଗି ଭାରତର ସଂଗ୍ରାମ ଦୁନ୍ଦୁଭି

ବନ୍ଧୁକ ଆବାଜ ତଳେ ଡ଼ୁବି ନାହିଁ, ପାରିବନି ଡ଼ୁବି;

ତାହା ପାଞ୍ଚଜନ୍ୟ…

ବଜ୍ରକଣ୍ଠେ ଘୋଷେ ତାହା ମୁକ୍ତିବାର୍ତ୍ତା… ଦାସତ୍ବର ଦୈନ୍ୟ

କଙ୍କାଳରେ କରେ ସେ ଯେ ଆଶୀର୍ବାଦ, ଦିଏ ଜୀବନ୍ୟାସ,

ଦୁର୍ବଳରେ ବଳଦିଏ, ଅତ୍ୟାଚାରୀ ପ୍ରାଣେ ଆଣେ ତ୍ରାସ,

ପୁଣ୍ୟ ଏ ସଂଗ୍ରାମେ ସୈନ୍ୟ ନାହିଁ ମରେ-

ବର୍ଷୁ ଗୁଳି ବକ୍ଷେ ତାର, ସିଦ୍ଧ ସେ ଯେ, କେ କରିବ ବଳୀ

ମରି ଯେ ହୁଏ ଅମର, ସ୍ମୁତିଦୀପ୍ତ, ସେ ହୁଏ ସହୀଦ୍‌।

 

 

***




+ -

© Jataayu Charitable Trust
Site designed,developed & maintained by Tekons