ସାଥୀ




ହୋପ୍‌ଫୁଲ୍‌ କହିଲା, “ବୋକା ନଇରେ ପଡ଼ିଯାଇଛି”

   ଜିଗ୍‌ଲେଗ୍‌ ରାଗିଯାଇ ନାକପୁଡ଼ାରେ ଘୋଡ଼ାଭଳି ଶବ୍ଦ କଲା, କିନ୍ତୁ କିଛି କହିଲା ନାହିଁ , ନାଳଟାର ଅନ୍ଧକାର ଓ ବିଷର୍ଣ୍ଣ ସ୍ତବ୍ଧତା ମଧ୍ୟରେ ଛୋଟଛୋଟ ଡାଳ ଓ ପତ୍ରର ମୃଦୁ ଶବ୍ଦ ପ୍ରତିଧ୍ବନୀତ ହୋଇ ଉଠୁଥିଲା;ଶବ୍ଦ ଭାସି ଭାସି ବୁଲୁଥିଲା , ଯେଉଁଠି ମାଟିରେ ରାକ୍ଷସର ଚକ୍ଷୁପରି ହିଂସାଭରା ଓ ବିଦ୍ରୁପମୟ ସେହି ରକ୍ତିମ ଅଙ୍ଗାରସ୍ତୁପ ଜଳୁଥିଲା, ସେହିଠାରୁ ଚାନ୍ଦ ଉଠିଲା ।

  ତା’ର ସ୍ବଚ୍ଛ ଉଜ୍ଜ୍ବଳତା ନାଳଟାକୁ ପୂର୍ଣ୍ଣ କରିଦେଲା। କୁହେଳିକାମୟ ବିଷାଦରେ । ସମଗ୍ର ବନଭୂମିକୁ ଆହୁରି ଗଭୀରକରି ନୀରବତାକୁ ଆହୁରି ପୂର୍ଣ୍ଣ ଓ ଆହୁରି କଠୋର କରି ଚାରିଆଡ଼େ ପଡ଼ିଲା ଛାୟା । ବାର୍‌ଚେର ଗଛର ଧଳା ଗଣ୍ଡିଗୁଡ଼ାକ ଜ୍ୟୋତ୍ସ୍ନାରେ ରୂପେଲିମୟ ହେଇ ଓକ୍‌,ଏମ୍‌ ଓ ବ୍ରିସ୍‌ ଉଡ଼୍‌ ଗଛଗୁଡ଼ାକର କଳା ପଟ୍ଟଭୂମି ଉପରେ ଦେଖାଗଲା ମହମ ବତୀପରି । ଦୁଇବନ୍ଧୁ ନାଳଟାର ମଝିରେ ଚାଲିଛନ୍ତି ନୀରବରେ । ଚାଲିବାକୁ କଷ୍ଟ ହେଉଛି, କେତେବେଳେ କେତେବେଳେ ତାଙ୍କ ଗୋଡ଼ ଖସିଯାଉଛି ବା କାଦୁଅରେ ଲାଖି ଯାଉଛି ।ହୋପ୍‌ଫୁଲ୍‌ ମନେମନେ ନିଃଶ୍ବାସ ମାରୁଛି ଓ ତା’ର ଛାତି ଭିତରୁ ବାହାରି ଆସୁଛି ଶୁଶୁରି ଭଳି ଶବ୍ଦ,ସଁ ସଁ ଶବ୍ଦ ଓ ଘଡ଼୍‌ ଘଡ଼୍‌ ଶବ୍ଦ ଯେପରିକି ସେଠି ଗୋଟାଏ ବଡ଼ ଘଡ଼ି ଲୁଚାହୋଇ ରହିଛି ଯୋଉଟାକି ଅନେକ ଦିନ ହେଲା ପରିଷ୍କାର ହୋଇନାହିଁ। ଜିଗ୍‌ଲେଗ୍‌ ଆଗେଆଗେ ଚାଲିଛି ତାହାର ଦୀର୍ଘ ଓ ସରଳ ଦେହର ଛାୟା ପଡ଼ିଛି ହୋପ୍‌ଫୁଲ୍‌ ଉପରେ “ ଚାଲୁଛି, ସତ?”ସେ କହିଉଠିଲା କ୍ଷୁର୍ଣ୍ଣ ଓ ଅନୁତପ୍ତ ସ୍ବରରେ, “ ଯାଉଛି କୁଆଡ଼େ, ଆମେ କଅଣ ଖୋଜୁଛୁ? ଏଁ”

  ହୋପ୍‌ଫୁଲ୍‌ ଦୀର୍ଘନିଃଶ୍ବାସ ପକାଇଲା କିଛି କହିଲା ନାହିଁ ।

  “ଏଇ ଦିନର ରାତିଗୁଡ଼ାକ ଚଢ଼େଇଥଣ୍ଟଠାରୁ ଛୋଟ। ଗାଁ ରେ ପହଞ୍ଚିବା ପୂର୍ବରୁ ସକାଳ ହୋଇଯିବ ଆମେ କି ରକମ ଚାଲିଛୁ? ସ୍ତ୍ରୀ ଲୋକଙ୍କ ପରି ଚାଲୁଛୁଁ”

   “ମୋ ଦେହଟା ଭଲ ଲାଗୁନାହିଁ ଭାଇ ” ହୋପ୍‌ଫୁଲ୍‌ ଶାନ୍ତ କଣ୍ଠରେ କହିଲା।

   ଜିଗ୍‌ଲେଗ୍‌ ଶ୍ଳେଷର ସହିତ କହିଉଠିଲା “ଭଲ ଲାଗୁନାହିଁ…କିନ୍ତୁ କେଉଁଥିପାଇଁ ”

    ଅସୁସ୍ଥ ଚୋରଟା ଉତ୍ତର ଦେଲା, “ନିଃଶ୍ବାସ ମାରିବାକୁ କଷ୍ଟ ହେଉଛି ।”

    “ନିଃଶ୍ବାସରେ?ନିଃଶ୍ବାସରେ କଷ୍ଟ ହୁଏ କାହିଁକି?”

    “ମନେ ହେଉଛି ଦେହ ଖରାପ”।

    “ତୁ ଭୁଲ୍‌ କରୁଛୁ ଏଇଟା ତୋର ବୋକାମି ”

    ଜିଗ୍‌ଲେଗ୍‌ ଛିଡ଼ାହେଲା , ତା’ର ବନ୍ଧୁ ଆଡ଼କୁ ମୁହଁ ବୁଲେଇଲା ଏବଂ ତାର ନାକ ତଳକୁ ଆଙ୍ଗୁଳି ହଲେଇ ପୁଣି କହି ଉଠିଲା “ ତୋର ନିର୍ବୁଦ୍ଧିଆ ପଣିଆ ପାଇଁ ତୋର ନିଃଶ୍ବାସରେ କଷ୍ଟ ହେଉଛି ହାଃ….. ହାଃ !ବୁଝିଲୁ ”ହୋପ୍‌ଫୁଲ୍‌ ମୁଣ୍ଡ ତଳକୁ କରି ଅପରାଧୀ ପରି କହିଲା-“ତୋ କଥା ଠିକ୍‌!”

   ସେ ଆହୁରି କ’ଣ କହିବାକୁ ଚାହୁଁଥିଲା, କିନ୍ତୁ କାଶର ଜୋର୍‌ରେ ବାଧା ପଡ଼ିଲା। ସେ କମ୍ପିତ ହାତ ଦୁଇଟା ଦ୍ବାରା ଗୋଟିଏ ଗଛର ଗଣ୍ଡିକୁ ଜାବୁଡ଼ି ଧରି ଗୋଟିଏ ଜାଗାରେ ଗୋଡ଼ ବାଡ଼େଇ ବାଡ଼େଇ, ମୁଣ୍ଡ ହଲେଇ ହଲେଇ ବହୁ ସମୟଧରି କାଶିଲା ।

  ଜିଗ୍‌ଲେଗ୍‌ ତା ମୁହଁ ଆଡ଼କୁ ମନୋଯୋଗ ଦେଇ ଅନେଇ ରହିଲା, ଜହ୍ନ ଆଲୁଅରେ ମୁହଁଟା ଦେଖାଗଲା ଅସୁନ୍ଦର, ମାଟିଭଳି ଶାଗୁଆ।

  ଶେଷରେ ସେ ରୁକ୍ଷ ସ୍ବରରେ କହିଉଠିଲା-“ତୁ ବଣ-ଦେବତାଙ୍କୁ ନିଦରୁ ଉଠେଇ ଦବୁ।” ଏବଂ କାଶ ଶେଷ କରି ମୁଣ୍ଡଟାକୁ ପଛକୁ ଝୁଙ୍କେଇ ହୋପ୍‌ଫୁଲ୍‌ ଯେତେବେଳେ ସହଜ ଭାବରେ ନିଃଶ୍ବାସ ନେବାକୁ ଲାଗିଲା, ସେତେବେଳେ ସେ କହିଲା-“ଟିକିଏ ବିଶ୍ରାମ କର। ଏଇଠି ବସ୍‌।”

ଗଛ-ନଟାର ଛାଇରେ ମାଟି ଉପରେ ଦିଜଣଯାକ ବସିଲେ। ଜିଗ୍‌ଲେଗ୍‌ ଗୋଟାଏ ସିଗାରେଟ ବଳି ସେଇଟା ଲଗାଇଲା।




+ -

© Jataayu Charitable Trust
Site designed,developed & maintained by Tekons