ଫଗୁଣମାସ। ଗଛରେ ସବୁଜପତ୍ର ନୂଆ ହୋଇ ଦେଖାଦେଉଛି। ବନଭୂମିକୁ ଆବୃତ କରି ରଖିଛି ନୀଳାଭ କୁଜ୍ଝଟିକା। ପିଙ୍ଗଳ, ଉର୍ବର,ରୌଦ୍ରପ୍ଳାବିତ ପ୍ରାନ୍ତରରେ ଘାସର ନବାଙ୍କୁର। ଏହି ସମୟରେ ଦୁଇ ମିତ ଶସ୍ତା ଦାମର ସିଗାରେଟ୍ ଟାଣିଟାଣିକା ଓ ଗପ କରି କରି ଚାଲିଛନ୍ତି ରାସ୍ତାରେ । ସିଗାରେଟ୍ମାନ ସେମାନେ ନିଜ ହାତରେ ମୋଡ଼ିଛନ୍ତି।
“ତୋର କାଶଟା ଦିନକୁ ଦିନ କିମିତି ଶୁଖିଲା କାଶଭଳି ହୋଇଯାଉଚି…”ଜିଗ୍ଲେଗ୍ ଶାନ୍ତ ଭାବରେ ତା’ର ବନ୍ଧୁକୁ ସତର୍କ କରିଦେଲା।
“ମୋର ସେଥିପାଇଁ ପରବାୟ ନଥାଏ। ଖରାରେ ସିଝିବି, ଆଉ ମୋ ଦେହ ଭଲ ରହିବ।”
“ହଁ, ମୋର ମନେହୁଏ, ତୋର ହାସପାତାଳକୁ ଯିବା ଉଚିତ୍।”
“ବାଜେ କଥା! ହାସପାତାଳକୁ ଯିବାରେ ମୋର କି ଲୋଡ଼ା? ଯେବେ ମରିବାକୁ ଥିବ, ଯିମିତି ହେଲେ ତ ମରିବି।”
ସେମାନେ ବଣ ଭିତରେ ଚାଲିଥାନ୍ତି, ଗଛଗୁଡ଼ିକର ସରୁଡାଳ ଓ ପତ୍ରର ଛାଇ ନକ୍ସା କାଟିଲା ପରି ତାଙ୍କ ଦେହରେ ପଡୁଥାଏ । ଦଳଦଳ ପକ୍ଷୀ ଆନନ୍ଦରେ ରାବିରାବି ବାଟରେ ଏଠୁ ସେଠିକି ଉଡ଼ିଯାଇଥାନ୍ତି।
କିଛି ସମୟ ଚୁପ୍ ରହିବା ପରେ ଜିଗ୍ଲେଗ୍ ମନ୍ତବ୍ୟ ପ୍ରକାଶ କଳା, “ତୁ ଆଗେ ଯିମିତି ଚାଲିପାରିଥିଲୁ, ଏଣିକି ସିମିତି ପାରୁନାହିଁ।”
ହୋପ୍ଫୁଲ୍ କହିଲା, “ତା’ର କାରଣ ମୋର ଦମ୍ ଫାଟି ପଡ଼ୁଛି। ଏ ସମୟଟାରେ ପବନଟା ଭାରି କିମିତିକା ଆଉ ଓଦାଳିଆ ପବନଟା ବି। ମୁଁ ତ ଢ଼ୋକି ପାରୁନାହିଁ।”
ସେ ଛିଡ଼ା ହୋଇଯାଇ କାଶିବାକୁ ଲାଗିଲା।
ଜିଗ୍ଲେଗ୍ ତା ପାଖରେ ଛିଡ଼ା ହୋଇ ସିଗାରେଟ୍ ଟାଣୁ ଟାଣୁ ତା ଆଡ଼କୁ ଅଶାନ୍ତ ମନରେ ଅନାଇ ରହିଥାଏ। ହୋପ୍ଫୁଲ୍ କାଶୁ କାଶୁ ଥରିବାକୁ ଲାଗିଲା। ତା’ ଦି ହାତରେ ଛାତିକୁ ଧରି ବସି ପଡ଼ିଲା। ମୁହଁଟା ତା’ର ନେଳିଆ ପଡ଼ିଗଲା।
କାଶ ଟିକିଏ ବନ୍ଦ ହେବା ପରେ ସେ କହିଲା, “ଟିକିଏ କାଶିଦେଲେ ମୋର ଫୁସ୍ ଫୁସ୍ ଦି’ଟା ପରିଷ୍କାର ହୋଇଯାଏ।”
ଚଢ଼େଇଗୁଡ଼ାକୁ ଉଡ଼େଇ ଉଡ଼େଇ ସେମାନେ ଆହୁରି ଦୂରକୁ ଗଲେ ବାହାରି। ସିଗାରେଟ୍ର ଅବଶିଷ୍ଟାଂଶକୁ ଫୋପାଡ଼ି ଦେଇ ଛେପ ପକାଇ ଜିଗ୍ଲେଗ୍ କହିଲା, “ଆମେ ଏଇଲାଗେ ମୁଖିନା ଚାଲିଚେଁ। ପଛପଟ ରାସ୍ତାରେ ଆମେ ସେଠିକି ଘୂରିକରି ଯିବା । କିଛି ମିଳିଯାଇପାରେବି। ତା’ ପରେ ସିସୋବା ଜଙ୍ଗଲ ଭିତରେ ପଶି ଯିବା କୁଜ୍ନେଚିଖାକୁ… ସେଠୁ ଲେଉଟିବା ମାର୍କୋରକାକୁ, ତା’ପରେ ଘରକୁ ଫେରିବା।”
ହୋପ୍ଫୁଲ୍ କହିଲା, “କୋଡ଼ିଏ ମାଇଲ୍ ବାଟ ପଡ଼ିବ।”
-“କିଛି ଯେବେ ମିଳିଯାଏ।”
ରାସ୍ତାର ବାଁ ପଟରେ ଗୋଟାଏ ବଣ ଥିଲା, ବଣଟା ଦେଖିବାକୁ କାଳିଆ,ଦୁର୍ଭେଦ୍ୟ; ତା’ର ନଗ୍ନ ଶାଖାଗୁଡ଼ାକ ଉପରେ ଦୃଷ୍ଟିକୁ ତୃପ୍ତ କରିବା ଲାଗି ସବୁଜପତ୍ର ଦି’ଟା ନଥିଲା । ବର କଡ଼ରେ ଚରିବୁଲୁଥିବା ଲୋମଶ, ଅତି କ୍ଷୀଣ ଓ ଖର୍ବକାୟ ଗୋଟିଏ ଘୋଡ଼ା । ପିପାଁର ଲୁହା ବେଢ଼ା ଭଳି ତା’ର ପଞ୍ଜରା ହାଡ଼ଗୁଡ଼ାକ ଅତି ସ୍ପଷ୍ଟ ଭାବରେ ଦେଖାଯାଉଥିଲା। ଦୁଇ ବନ୍ଧୁ ପୁଣି ଛିଡ଼ାହେଲେ, ସେମାନେ ଘୋଡ଼ାଟିକୁ ଅନେଇ ରହିଲେ ଅନେକ ବେଳଯାଏଁ । ଘୋଡ଼ାଟି ଗୋଟିଏ ଗୋଡ଼ ପରେ ଆଉ ଗୋଟିଏ ଗୋଡ଼ ଅତି ଆସ୍ତେ ପକାଉଛି,ଥୋମଣିଟା ଭୂଇଁରେ ଲଗେଇ ଦେଇ ଶୀର୍ଣ୍ଣ ଘାସଗୁଡ଼ାକ ପାଟିରେ ଚାପି ଧରି ହଳଦିଆ ଦାନ୍ତଗୁଡ଼ାକରେ ସାବଧାନରେ ଚୋବାଉଛି।
“ଘୋଡ଼ାଟା କି ରୋଗା ହୋଇଯାଇଚି” ହୋପ୍ଫୁଲ୍ କହିଲା।
“ହୈ,ହୈ” ଜିଗ୍ଲେଗ୍ ଘୋଡ଼ାକୁ ଘଉଡ଼ାଇବା ଲାଗି ପାଟିକଲା। ଘୋଡ଼ାଟା ତା’ଆଡ଼କୁ ଅନେଇଲା। ମୁହଁ ହଲାଇ ଫେର୍ ଭୂଇଁରେ ଥୋମଣି ମାଡ଼ିଦେଲା।
ହୋପ୍ଫୁଲ୍ ଘୋଡ଼ାର କ୍ଳାନ୍ତ ପଦକ୍ଷେପରେ ଅର୍ଥ କଲା, “ସେ ତତେ ପସନ୍ଦ କରୁନାହିଁ ମୋଟେ।”
-“ଚାଲ୍ ମ। ଯଦି ୟାକୁ ଧରି ତାତାରଙ୍କୁ ବିକିଦବା, ସାତଟଙ୍କା ମିଳିଯିବ।”
ଜିଗ୍ଲେଗ୍ ଗମ୍ଭୀର ଭାବରେ କହିଲା ।
“ନା, ସେମାନେ ଦେବେ ନାହିଁ। ଏଇଟା ତାଙ୍କର କୋଉ କାମକୁ ପାଇବ ଯେ?”
“ଚମଡ଼ାଟା…”
“ଚମଡ଼ାଟା? ଚମଡ଼ାଟା ଲାଗି ସେମାନେ କ’ଣ ଏତେଗୁଡ଼ାଏ ଟଙ୍କା ଦେବେ?ସେମାନେ ଏଥିଲାଗି ତିନିଟଙ୍କାରୁ ମୋଟେ ବେଶି ଦେବେ ନାହିଁ।”
“ତେବେ ବି । ତିନିଟଙ୍କା ଆସେକାହୁଁ।”
“କିନ୍ତୁ ଚମଡ଼ାଟା ଦେଖ ଭଲା। ସେ ତ ଚମଡ଼ା ନୁହେଁ, ବାରଛିଣ୍ଡା।”
ଜିଗ୍ଲେଗ୍ ତାର ବନ୍ଧୁଆଡ଼େ ଚାହିଁ କିଛି ସମୟ ଚୁପ୍ ହୋଇ ରହିଲା, “ଆଏ?”
ହୋପ୍ଫୁଲ୍ ସନ୍ଦେହ ସହିତ କହିଲା, “ବିପଦ ଅଛି…”
“କାହିଁକି?”
-“ଆମ ପାଦଚିହ୍ନ ରହିବ…ଓଦାମାଟି…ଲୋକେ ଠଉରେଇ ପାରବେ ଆମେ କୋଉଠିକି ଗଲୁଁ ବୋଲି।”
-“ଘୋଡ଼ା ଗୋଡ଼ରେ ଆମେ ଚମଡ଼ାର ଯୋତା ପିନ୍ଧାଇ ଦେବା।”
-“ହଁ, ହବ।”
-“ଚାଲ ତେବେ। ତାକୁ ଆଗ ବଣକୁ ତଡ଼ି ଦେବା, ଅନ୍ଧାର ହେଲା ଯାଏଁ ସେଠି ରହିବା, ରାତିକି ସେଇଟାକୁ ଧରି ତତାରଙ୍କ ପାଖକୁ ଯିବା । ଜାଗାଟା ଏଠୁ ବେଶୀ ବାଟ ନୁହେଁ।”
“ଚାଲ । ନାହିଁ ମାମୁଁଠାରୁ ମାମୁଁ-ତୁ ତ ଭାଇ ଜାଣୁ-କିଛି ଯେବେ…?”
“ନାଇଁ ମ । କିଛି ହବ ନାହିଁ।” ଜିଗ୍ଲେଗ୍ ସ୍ଥିର ବିଶ୍ବାସରେ କହିଲା।
ସେମାନେ ବାଟ ଛାଡ଼ି ଚାରିକଡ଼କୁ ଆଖି ପକେଇ ବଣ ଆଡ଼କୁ ଚାଲିଲେ । ଘୋଡ଼ାଟା ସେମାନଙ୍କ ଆଡ଼କୁ ଅନାଇଲା, ଲାଞ୍ଜଟା ହଲାଇଲା, ପୁଣି ଶୀର୍ଣ୍ଣ ଘାସଗୁଡ଼ାକୁ ଟୁଙ୍କିବାକୁ ଲାଗିଲା।
* * *