ସାଥୀ




ଶୀତଦିନେ ଦି’ବନ୍ଧୁ ବଡ଼ କଷ୍ଟ ପାଆନ୍ତି । ପୁଲିସ୍‌ ଆଖିରେ ସେମାନେ ଯେପରି ନ ପଡ଼ନ୍ତି ସେଥିଲାଗି ସେମାନେ ପ୍ରାୟ ପ୍ରତିଦିନ ସନ୍ଧ୍ୟାବେଳେ ଲୁଚାଚୋରା ବାଟରେ ଭିକ୍ଷା କରି ରୁହନ୍ତି। ସେ ସମୟରେ ଚୋରି କରିବା ସମ୍ଭବ ହୁଏ ନାହିଁ ।ଶୀତଦିନ, ସେଦିନ ଗାଁକୁ ଯିବା ମହା ମୁସ୍କିଲ୍‌, ଗଲେ ବରଫ ଉପରେ ଖୋଜ ରହିଯାଏ।  ତା’ଛଡ଼ା ଶୀତରେ ସମସ୍ତେ ଘରଦୁଆର କିଳି ଦେଇଥାଆନ୍ତି। ବରଫ ଭିତରେ ସେମାନେ କଏଦୀ ସାଜିଥାନ୍ତି। ଶୀତଦିନେ ଭୋକରୁ ରକ୍ଷା ପାଇବା ଲାଗି ଦୁଇବନ୍ଧୁଙ୍କୁ ଘୋର ସଂଗ୍ରାମ କରିବାକୁ ପଡ଼େ। ବୋଧହୁଏ ସେମାନଙ୍କଠାରୁ ଅଧିକ ଆକୁଳ ଆଗ୍ରହରେ ଆଉ କେହି ବସନ୍ତର ଆଗମନ ପ୍ରତୀକ୍ଷା କରନ୍ତି ନାହିଁ। ଶେଷରେ ବସନ୍ତ ଆସେ। ଦି ବନ୍ଧୁ ଶାନ୍ତ ଓ କ୍ଳିଷ୍ଟ ହୋଇ ସେମାନେ ସେମାନଙ୍କର ଗିରିସଙ୍କଟରୁ ବାହାରି ପଡ଼ନ୍ତି, କ୍ଷେତ ଉପରେ ଆନନ୍ଦ ଉତ୍‌ଫୁଲ୍ଲିତ ଆଖି ପକାନ୍ତି। ଦେଖନ୍ତି, ତା ଉପରେ ଜମା ହୋଇଥିବା ବରଫ ଝଟପଟ ତରଳି ଯାଉଛି, ମଝିରେ ମଝିରେ ଭୂଇଁର ବାଦାମୀ ରଙ୍ଗ ଦେଖାଯାଇଛି, ଛୋଟ ଛୋଟ ଗାଡ଼ିଆଟିମାନ ଆଇନା ପରି ଚକ୍‌ ଚକ୍‌ କରୁଛି ଆଉ ନଈ ସବୁ ଆନନ୍ଦରେ କୁଳୁକୁଳୁ ଶବ୍ଦ କରୁଛନ୍ତି। ସୂର୍ଯ୍ୟ ପୃଥିବୀର ଛାତି ଉପରେ ଢାଙ୍କି ଦେଉଛି ତା’ର ଅହେତୁକ ସୋହାଗର ଧାରା। ଦୁଇ ବନ୍ଧୁ ତାହାରି କିରଣରେ ଦେହକୁ ତପ୍ତ କରୁ କରୁ କଳ୍ପନା କରନ୍ତି, ମାଟି ଶୀଘ୍ର ଶୁଖିଯିବ ଓ ଆଉ ଅଳ୍ପଦିନ ପରେ ସେମାନଙ୍କ ପକ୍ଷରେ ଗାଁକୁ ଯାଇ ‘କାମ କରିବା’ ସମ୍ଭବପର ହେବ। ହୋପ୍‌ଫୁଲ୍‌ର ଥିଲା ଅନିଦ୍ରା ରୋଗ। ସେଇ ଯୋଗୁ ସେ ଖୁବ୍‌ ସକାଳୁ ତାର ବନ୍ଧୁକୁ ଉଠେଇ ଦେଇ ଆନନ୍ଦରେ କହି ପକାଏ, “ହେ! ଉଠ୍‌! କାଉ ଫେରିଆସିଲାଣି।”

  -“ ସେମାନେ ଫେରିଆସିଲେଣି?”

    “ହଁ ମ। ସେ ହେଇ ରାବୁଛନ୍ତି।”

    କୁଡ଼ିଆରୁ ବାହାରି ପଡ଼ି ଦୁଇବନ୍ଧୁ ଆକୁଳ ଆଗ୍ରହରେ ବହୁବେଳଯାଏ ଅନାନ୍ତି, ଦେଖନ୍ତି କିଭଳି ବସନ୍ତର କଳା ଦୂତମାନେ ବ୍ୟାକୁଳତାରେ ଆକାଶ ପରିପୂର୍ଣ୍ଣ କରି ସେମାନଙ୍କର ନୂଆ ନୀଡ଼ ରଚୁଛନ୍ତି ଓ ପୁରୁଣା ଜୀର୍ଣ୍ଣ ବସାକୁ ପୁଣି ସଜାଡ଼ୁଛନ୍ତି।

   ହୋପ୍‌ଫୁଲ୍‌ କହେ, “ଏଥର ଆସିବେ ଚାତକ।” ଏହା କହି ସେ ତାର ଅଧାଛିଣ୍ଡା ପକ୍ଷୀଧରା ଜାଲଟିକୁ ସଜାଡ଼ିବାରେ ଲାଗିଯାଏ।

  ଚାତକ ଦଳକୁଦଳ ଆସନ୍ତି। ଦୁଇବନ୍ଧୁ ଯାଇ ଖୋଲାପଡ଼ିଆ ଉପରେ ଯୋଉଠି ବାଦାମୀ  ରଙ୍ଗର ଢେରା ଖଣ୍ଡେଥାଏ, ସେଠି ତାଙ୍କର ଜାଲ ଖଣ୍ଡିକ ପାରିଦିଅନ୍ତି,କ୍ଷୁଧାର୍ତ୍ତ ଓ କ୍ଳାନ୍ତ ପକ୍ଷୀଗୁଡ଼ାକ ଯେତେବେଳେ ସଦ୍ୟ ତୁଷାରମୁକ୍ତ ମାଟିରେ ଯେମାନଙ୍କର ଖାଦ୍ୟ ଖୋଜି ବୁଲନ୍ତି, ସେତେବେଳେ ସେହି ଓଦା କାଦୁଆ ପଡ଼ିଆ ଉପରେ ଧାଇଁ ଧାଇଁ ପକ୍ଷୀଗୁଡ଼ାଙ୍କୁ ଉଡ଼େଇ ଉଡ଼େଇ ଶେଷରେ ଆଣି ଜାଲ ଭିତରେ ପକାନ୍ତି। ବହୁ ଦୂର ଦେଶରୁ ପକ୍ଷୀଗୁଡ଼ାକ ଉଡ଼ିଆସିଥାନ୍ତି; ସେଥିରେ ସେମାନଙ୍କର ଡେଣା ଗୁଡ଼ାକ ବଡ଼ ଅବଶ ହୋଇଯାଇଥାଏ। ପକ୍ଷୀଗୁଡ଼ାକ ଧରି ଦୁଇ ବନ୍ଧୁ ସବୁଯାକ ବିକି ଦିଅନ୍ତି- ପଣକୁ ଗୋଟିଏ କୋପେକ୍‌… ଏହି ଭାଉରେ। ତା’ପରେ… ଗଛ ଉଠେ। ସେଗୁଡ଼ିକ ତୋଳି ସେମାନେ ବଜାରକୁ ନିଅନ୍ତି, ଗଛପତ୍ରରେ ଯୋଉ ମାଇକିନା ଗୁଡ଼ାକ ବ୍ୟବସାୟ କରନ୍ତି ତାଙ୍କୁ ନେଇ ବିକନ୍ତି। ପ୍ରାୟ ପ୍ରତ୍ୟେକ ବସନ୍ତକାଳ ସେମାନଙ୍କ ହାତରେ କିଛି କିଛି ହେଇଯାଏ…ଅଧିକ ଦି’ ଚାରିପଇସା ଆୟ, ପ୍ରତ୍ୟେକ ଜିନିଷକୁ କିପରି କାମରେ ଲଗାଯାଇପାରେ, ସେ କଥା ସେମାନେ ବେଶ୍‌ ଜାଣନ୍ତି…ଉଇଲୋ, ଆମରୋଳ, ଛତୁ, ଟ୍ୟାପାରି…ଆଉ କିଛି ବାଦ ବାକି ନାହିଁ। ସୈନ୍ୟମାନେ ଆସନ୍ତି ବନ୍ଧୁକ ଲାଖ ଅଭ୍ୟାସ କରିବା ଲାଗି। ଗୁଳିମରା ଶେଷ ହୋଇଗଲେ ଦୁଇ ମିତ ବୁଲେଟ୍‌ ଗୁଳି ବାହାର କରିବାକୁ ମାଟି ଖୋଳି ପକାନ୍ତି ଆଉ ଗୁଳିଗୁଡ଼ିକୁ ପାଉଣ୍ଡ ବାର କୋପେକ୍‌ ଦରରେ ବିକନ୍ତି। ଏହିସବୁ ଛିଟୁକୁରା କାମ ଅବଶ୍ୟ ସେ ଦୁଇବନ୍ଧୁଙ୍କୁ ଅନଶନ ମୃତ୍ୟୁ କବଳରୁ ରକ୍ଷା କରୁଥିଲା; ହେଲେ ପେଟ ପୂରାଇ ଖାଇବାର ଯେଉଁ ଆନନ୍ଦ, ତା’ ସେମାନଙ୍କ କପାଳରେ କ୍ବଚିତ୍‌ ଜୁଟେ।

 

           *                            *                                         *                              




+ -

© Jataayu Charitable Trust
Site designed,developed & maintained by Tekons