ହୋପ୍ଫୁଲ୍ ନମ୍ର ଭାବରେ ସ୍ବୀକାର କଲା “ସତ,ମୋ ଦେହ ଖରାପ ଯୋଗୁଁ ” ତା’ପରେ ଟିକିଏ ରହି ପୁଣି କହିଲା “ହେଇପାରେ , ମୋ ମନଟା ବଡ଼ ନରମିଆ।”
ଜିଗ୍ଲେଗ୍ ତାକୁ ସ୍ପଷ୍ଟ ଭାବରେ କହିଦେଲା“ବେରାମ ଯୋଗୁଁ ତୋର ମନଟା ନରମ ହୋଇଯାଇଛି।”
ହୋପ୍ଫୁଲ୍ ଦୃଢ଼ ଭାବରେ କହିଲା, “ମୁଁ ପୂରା ସୁସ୍ଥ ଅଛି ସେଥିପାଇଁତ ମୁଁ ୟା କରୁନାହିଁ ”
ଘୋଡ଼ାଟା ଗୋଟାଏ ପାଦ ବଦଳାଇ ଅନ୍ୟ ପାଦରେ ଛିଡ଼ାହେଲା, ଗୋଟାଏ ଛୋଟ ଡାଳ ମଟ୍ କରି ଶବ୍ଦ କଲା, ଉପରୁ ତଳେ ନାଳର ପାଣିରେ ଛେଲାଏ ମାଟି ଝପ୍ କରି ପଡ଼ିଲା । ତାହାର ସୁମଧୁର ଧ୍ବନୀ ଧାରା ସଙ୍ଗେ ଏକ ନୂତନ ସୁର ଯୋଡ଼ି ହୋଇଯାଇଥିଲା । ତାପରେ କୁଆଡ଼ୁ ଦୁଇଟି ଛୋଟ ପକ୍ଷୀ ଆସି ନାଳଟା ଉପରେ ଉଡ଼ିଗଲେ ଅଶାନ୍ତ ଭାବେ ଡାକିଡାକି । ହୋପ୍ଫୁଲ୍ ସେମାନଙ୍କ ଆଡ଼କୁ ଅନାଇଲା ଓ ସେମାନଙ୍କର ଗତିପଥକୁ ଅନୁସରଣ କରି ଧୀର ଭାବରେ କହିଲା-“ଏ ଦି’ଟା କି ପକ୍ଷୀ? ଏମାନେ ଯେବେ ଷ୍ଟାର୍ଲିଂ ହୋଇଥାନ୍ତି ତେବେ ଏମାନଙ୍କର ବଣରେ ରହିବା କଥା ନୁହେଁ। ପକ୍ଷୀ ଦୁଇଟି ନିଶ୍ଚୟ ୱାକ୍ସ ଉଇଙ୍ଗ୍ ।”
ଜିଗ୍ଲେଗ୍ କହିଲା , “କ୍ରୁସ୍ବିଲ୍ ହୋଇଥାଇପାରେବି”।
“କ୍ରୁସ୍ବିଲ୍ ବି ଏଡ଼େ ଜଲ୍ଦି ଆସିବେ ନାହିଁ। ତାପରେ କ୍ରୁସ୍ବିଲ୍ ଗୁଡ଼ାକ ଦେଖିବାକୁ ଏଭର୍ଗ୍ରିନ୍ ଭଳି। ସେମାନେବି ଏଠିକି ଆସନ୍ତି ନାହିଁତ। ୱାକ୍ସ ଉଇଙ୍ଗ୍ ଛଡ଼ା ୟେ କିଛି ନୁହେଁ।
“କିଏ ଜାଣିଛି କଅଣ? ”
“ଠିକ୍ କଥା”। ହୋପ୍ଫୁଲ୍ ତା କଥାରେ ତାଳ ଦେଇ କାହିଁକି କେଜାଣି ଗଭୀର ନିଃଶ୍ବାସଟିଏ ଛାତିଭିତରକୁ ଟାଣିନେଲା।
ଜିଗ୍ଲେଗ୍ କାମ କରୁଥିଲା, ଖୁବ୍ ଜଲ୍ଦି ଜଲ୍ଦି। ଝୁଡ଼ିର ତଳଟା ବୁଣିସାରି ସେ ଦକ୍ଷତାର ସହିତ ତାହାର କଡ଼ଗୁଡ଼ାକ ବୁଣିବାରେ ଲାଗିଯାଇଥାଏ। ଡାଳଗୁଡ଼ାକ ସେ ଛୁରି ଲଗାଇ କାଟୁଛି, ଦାନ୍ତ ଲଗେଇ ଚିରୁଛି, ଆଉ ଆଙ୍ଗୁଠିରେ ତାକୁ ଚଟାପଟ୍ ବଙ୍କେଇଦେଉଛି ଓ ବୁଣୁଛି ଓ ନିଶ ଦି’ପଟା ଫୁଲେଇଦେଇ ମଝିରେ ମଝିରେ ଫସ୍ କରି ନିଃଶ୍ବାସ ଛାଡ଼ୁଛି ।
ହୋପ୍ଫୁଲ୍ ତା ଆଡ଼କୁ ଅନାଇ ରହିଲା। ସେହି ଅବସନ୍ନ ନିଶ୍ଚଳ ଘୋଡ଼ାଟା ଆଡ଼େ ଓ ଅନ୍ଧକାରରେ ଆଚ୍ଛନ୍ନ ପ୍ରାୟ ନକ୍ଷତ୍ରହୀନ ସେହି ଆକାଶ ଆଡ଼େ।
ହଠାତ୍ ସେ ଅଦ୍ଭୁତ କଣ୍ଠରେ କହିଲା “ଜମିଦାର ଘୋଡ଼ାଟିକୁ ଖୋଜିବ;…ଉଠି ପାଇବ ନାହିଁ …ଇଆଡ଼େ ସିଆଡ଼େ ସେ ଖୋଜିବ…ମୋ ଘୋଡ଼ା କାହିଁ? ”
ଜିଗ୍ଲେଗ୍ କଠୋର କଣ୍ଠରେ ତାକୁ ପଚାରିଲା “ତୁ ଭାବୁଛୁ ବସି ? ” ହୋପ୍ଫୁଲ୍ ଅପରାଧୀ ପରି କହିଲା “ଗୋଟାଏ କଥା ମୋର ମନେ ପଡ଼ିଗଲା ।”
“କି କଥା ?”
“କଥାଟା କଅଣ କି…ଥରେ ଗୋଟାଏ ଘୋଡ଼ା ଚୋରି ହୋଇଯାଇଥିଲା ମୋର ଗୋଟିଏ ସାଇପଡ଼ିଶା ଘର। ତା ନାଁ ହେଉଛି ମାଇଖେଲା…ଡ଼େଙ୍ଗା ଲୋକଟା…ମୁହଁରେ ବସନ୍ତ ଦାଗ ଅଛି…”
‘‘ତାପରେ ?”
“ତାପରେ ତ ଘୋଡ଼ାଟା ଚୋରିହେଲା ।ପଡ଼ିଆରେ ଘାସ ଚରୁଥିଲା, ତାପରେ ସେଇଟା ଆଉ ମିଳିଲା ନାହିଁ ଖୋଜାଖୋଜି ପରେ ଯେତେବେଳେ ମାଇଖେଲା ବୁଝିଲା ଯେ, ତା’ ଘୋଡ଼ାଟା ହଜିଲା ଆଉ ମିଳିବ ନାହିଁ ସେତ ଭୂଇଁରେ ଭୁସ୍କରି ପଡ଼ି ପାଟିକରି କାନ୍ଦିଲା ତ କାନ୍ଦିଲା । ସେ ଏଭଳି କଚାଡ଼ି ହୋଇ ପଡ଼ିଲା ସେତେବେଳେ, ସତେ ଯେମିତି ତା ଗୋଡ଼ ଦି’ଟା ଭାଙ୍ଗିଗଲା।”
“ତାପରେ”
“ତାପରେ …ଏହିପରି ଅନେକ ଦିନ ଗଡ଼ିଗଲା”
“ସେଥିରେ ତୋର କଅଣ ହେଲା?”
ଏହି ସିଧାସଳଖ ପ୍ରଶ୍ନରେ ହୋପ୍ଫୁଲ୍ ତାର ସାଥୀ ପାଖକୁ ଲାଗିଆସି ଉତ୍ତର ଦେଲା ଅତି ନିରୀହ ଭାବରେ“ନା, କିଛି ନାହିଁ…ହଠାତ୍ ଘଟଣାଟା କିଭଳି ମୋ ମୁଣ୍ଡକୁ ଆସିଲା କାହିଁକି ନା ଘୋଡ଼ାଗଲେ ଜମିଦାରର ସର୍ବନାଶ ହେଲା। ”
ହୋପ୍ଫୁଲ୍ ଆଡ଼କୁ ସିଧାସଳଖ ଅନାଇ ଜିଗ୍ଲେଗ୍ କଠୋର କଣ୍ଠରେ କହିଲା “ଏଭଳି କଥାବାର୍ତ୍ତାରେ ବିଲ୍କୁଲ୍ କିଛି ଲାଭ ନାହିଁ ବୁଝିଲୁ ସେଥିରେ ତୋର ମୁଣ୍ଡ ବଥେଇବାର କଥା ନୁହେଁ…ଯେଉଁକଥା ବୁଝିଲୁ ସେ ହେଉଛି ତୋର ପଡ଼ୋଶୀ ମାଇକିନାର ମୁଣ୍ଡ ବଥେଇବାର ବିଷୟ.।”
ହୋପ୍ଫୁଲ୍ କାନ୍ଧଟା ସଂକୁଚିତ କରି ଆପତ୍ତି କଲାଭଳି କହିଲା ,“କିନ୍ତୁ ଦୁଃଖର କଥା ଗୋଟାଏ”
“ ଦୁଃଖର! ଆମକୁ ଭଲା ଦୟା କରେ କିଏ।”
“ସେକଥା ସତ ”
“ତେବେ ଆଉ ପାଟି କର ନାହିଁ ଆମକୁ ଜଲ୍ଦି ଯିବାକୁ ପଡ଼ିବ”।
“ଜଲ୍ଦି ?”
“ହଁ”
ହୋପ୍ଫୁଲ୍ ନିଆଁ ପାଖକୁ ଲାଗି ବସିଲା, କାଠିଟାରେ ନିଆଁକୁ ଉସ୍କାଇଦେଲା । ଆଉ ଆଡ଼ ଆଖିରେ ଜିଗ୍ଲେଗ୍ କୁ ଚାହିଁ କୋମଳ ଓ ଅନୁନୟ ସ୍ବରରେ କହିଲା “ଘୋଡ଼ାଟାକୁ ଛାଡ଼ିଦେଲେ ଭଲ ହୁଅନ୍ତା ନାହିଁ ”।
ଜିଗ୍ଲେଗ୍ କ୍ଷୁର୍ଣ୍ଣ ମନରେ କହିଲା “ତୋ ସ୍ବଭାବଟା ନିଚ୍ଚ”
ହୋପ୍ଫୁଲ୍ କୋମଳ ଓ ନମ୍ର କଣ୍ଠରେ କହିଲା “ କିନ୍ତୁ ସତ କଥା ଭାବିକରି ଦେଖ୍ତ ଏଥିରେ ଭାରି ବିପଦ ଅଛି ୟାକୁ ଆମକୁ ଟାଣି ଟାଣି ନେବାକୁ ହେବ ଚାରି ପାଞ୍ଚ ମାଇଲ୍ ବାଟ…ଆଉ ତାତାର୍ ମାନେ ଯଦି ୟାକୁ ନବାକୁ ରାଜି ନ ହୁଅନ୍ତି ତେବେ ହେବ କଅଣ?”
“ସେ କଥା ଦେଖାଯିବ ”।