“ତୋ ଇଚ୍ଛା ଯାହା କର, କିନ୍ତୁ ଏଇଟାକୁ ଛାଡ଼ିଦେଲେ ଭଲ ହୁଅନ୍ତା। ସିଏ ଯାଇ ଚରିବୁଲି ପାରନ୍ତା। ଦେଖୁନୁ କିଭଳି ବୁଢ଼ା ହଡ଼ାଟାଏ ଏଇଟା”
ଜିଗ୍ଲେଗ୍ ତୁନିପଡ଼ିଲା କିନ୍ତୁ ତାହାର ଆଙ୍ଗୁଳି ଗୁଡ଼ାକ ଆହୁରି ଜଲ୍ଦି କାମରେ ଲାଗି ଗଲେ ।
ହୋପ୍ଫୁଲ୍ ପୁନର୍ବାର ଆରମ୍ଭ କଲା , କୋମଳ କଣ୍ଠରେ ଟାଣିଓଟାରି ହୋଇ କିନ୍ତୁ କଥାରେ ଥିଲା ଅଧିକ ଜିଦ୍-ଏଇଟାକୁ ନେଇ ଆମେ ପାଇବା ବା କେତେ? ଆଉ ଏଇଟା ହେଉଛି ସବୁଠୁ ଭଲ ବେଳା ଏଇଲାଗେ ତ ଅନ୍ଧାର ମାଡ଼ିଆସିବ।ଯେବେ ଆମେ ଏଇ ନାଳଟା କଡ଼େକଡ଼େ ଯିବା ତେବେ ଦୁବେଷ୍କାଠି ଯାଇ ପହଞ୍ଚିବା । ସେଠି ଆଉ କାମରେ ଲାଗିବା ଭଳି କିଛି ପାଇ ଯାଇପାରିବା ହୁଏତ।
ହୋପ୍ଫୁଲ୍ର ଏକଜିଦିଆ କଥା ଗୁଡ଼ାକ ଜଳଧାରାର କଳଧ୍ବନୀ ସହିତ ଜଡ଼ିତ ହୋଇ ନାଳଟା ଭିତରେ ଭାସିଭାସି ଚାଲିଥିଲା ଆଉ ଅଧ୍ୟବସାୟୀ ଜିଗ୍ଲେଗ୍କୁ କରୁଥିଲା ଅଧିକ ବିରକ୍ତ। ସେ ଚୁପ୍ କରି ରହିଥାଏ ।ତାହାର ଦାନ୍ତରେ ଫୁଟିଉଠିଲା ଦୃଢ଼ତାର ଚିହ୍ନ ଓ ଉତ୍ତେଜନାରେ ତାର ଆଙ୍ଗୁଳିଗୁଡ଼ିକର ମଟ୍ମଟ୍ ଶବ୍ଦ ଶୁଭିଲା ।
ଏତିକିବେଳେ ସ୍ତ୍ରୀ ଲୋକମାନେ ସେମାନଙ୍କର ଲୁଗା ପରିଷ୍କାର କରୁଛନ୍ତି।
ଘୋଡ଼ାଟା ସଶବ୍ଦେ ଦୀର୍ଘଶ୍ବାସ ଛାଡ଼ିଲା ଓ ଚଞ୍ଚଳ ହୋଇଉଠିଲା । ଅନ୍ଧକାରରେ ସେ ଦେଖାଗଲା ଆହୁରି କୁତ୍ସିତ ଓ କରୁଣ। ଜିଗ୍ଲେଗ୍ ତା ଆଡ଼କୁ ଅନେଇଲା ଓ ନିଆଁ ଭିତରକୁ ଛେପ ପକାଇଲା ।
ମାଇ ହଂସ ଗୁଡ଼ିକ ଏଇଲାଗେ ବାହାରକୁ ଆସୁଛନ୍ତି…ଗଭୀର ଜଳରେ ସେମାନେ ପହଁରୁଛନ୍ତି।
ହକ୍ କଥା କହୁଛି….“ମୋ ଉପରେ ରାଗିବ ନାହିଁ, ଷ୍ଟେପାନ୍, ସେହିଟାକୁ ଛାଡ଼ିଦେ ସତେ”
“ତୁ ଆଜି କିଛି ଖାଇବାକୁ ପାଇଛୁ? ”ଜିଗ୍ଲେଗ୍ ଚିତ୍କାର କଲା ।
ବନ୍ଧୁର ଚିତ୍କାରରେ ଲଜ୍ଜିତ ଓ ଭୀତ ହୋଇ ହୋପ୍ଫୁଲ୍ ଜବାବ ଦେଲା। “ନା”
“ତେବେ ତୁ ଏଇଠି ବସି ସୁଖିସୁଖି ମର ”
ହୋପ୍ଫୁଲ୍ ତା ଆଡ଼କୁ ନୀରବରେ ଦୃଷ୍ଟିପାତ କଲା ଆଉ ଓସିଆର ଡାଳଗୁଡ଼ିକ ଏକାଠ ଗଦା କରି ସେଥିରେ ଗୋଟିଏ ବାନ୍ଧି ଘୋଡ଼ା ଭଳି କ୍ରୋଧରେ ନାକରେ ଗୋଟାଏ ଶବ୍ଦ କଲା। ମୁଛବାଲା ତାର ମୁହଁ ଉପରେ ନିଆଁରେ ତାତି ପଡ଼ିଲା;ମୁହଁଟା ଦେଖାଗଲା ଲାଲ ଆଉ କ୍ରୁଦ୍ଧ।
ହୋପ୍ଫୁଲ୍ ମୁହଁ ବୁଲେଇ ପକେଇଲା ଆଉ ଦୀର୍ଘଶ୍ବାସ ଛାଡ଼ିଲା ।
ଜିଗ୍ଲେଗ୍ କ୍ରୁଦ୍ଧ ଓ କର୍କଶ କଣ୍ଠରେ କହିଉଠିଲା , “ ଶୁଣ୍ ତୋ ଇଚ୍ଛା ଯାହା ,ତୁ ତା କର, ମୋର…। ହେଲେ, ତତେ ଏଣିକି କହି ଦେଉଛି, ତୁ ଯେବେ ଏହିଭଳିଆ ଚଳୁ,ମୁଁ ଆଉ ତୋର ସାଥୀ ହୋଇପାରିବି ନାହିଁ। ବେଶ୍ ହେଲା, ମୁଁ ତୋତେ ଜାଣେ,ସେଥିଲାଗି…।”
-“ ତୁ ଗୋଟାଏ ଅଦ୍ଭୁତ ଲୋକ…”
-“ଆଉ କିଛି ଶୁଣିବାକୁ ମୁଁ ଚାହେଁ ନାହିଁ।”
ହୋପ୍ଫୁଲ୍ ସଂକୁଚିତ ହୋଇ ବସିରହି କାଶିବାକୁ ଲାଗିଲା। ତା’ପରେ ତା’ର କାଶ ବନ୍ଦ ହେଲାରୁ ସେ ଧଇଁ ପେଲିଲା ପରି ହୋଇ କହିଲା…“ମୁଁ କାହିଁକି ତତେ ବାରମ୍ବାର ଏ କଥାଟା କହୁଛି । କାରଣ ହେଉଛି, ଏଥିରେ ବିପଦ ଅଛି।”
-“ଆଚ୍ଛା” ଜିଗ୍ଲେଗ୍ ରାଗରେ ଚିତ୍କାର କରିଉଠିଲା।
ହୋପ୍ଫୁଲ୍ ଛିଡ଼ାହେଲା ତା’ର ବନ୍ଧୁ ଆଡ଼କୁ ଚାହିଁ ସେ ଶାନ୍ତ ଭାବରେ ଆଗେଇ ଗଲା ଘୋଡ଼ାଟା ପାଖକୁ ।
-“ଏଇ ଭଗବାନ ତୋତେ ରଖନ୍ତୁ । ଭୟନାହିଁ ”ତା’ର ଶୂନ୍ୟ କଣ୍ଠସ୍ବର ନାଳଟା ଭିତରେ ପ୍ରତିଧ୍ବନୀତ ହେବାକୁ ଲାଗିଲା।
ହେଇ !ହେଇ! ଛିଡ଼ା ହ ଚାଲ୍…ଚାଲ୍ ରେ ଏ ବୋକା।ଜିଗ୍ଲେଗ୍ ଲକ୍ଷ୍ୟ କରୁଥାଏ , ତା’ର ବନ୍ଧୁ କିପରି ଘୋଡ଼ାନେଇ ବ୍ୟସ୍ତ ହୋଇପଡ଼ିଚି;ତା’ର ମୁହଁରୁ ଛିଣ୍ଡା କପଡ଼ାଟା କାଢ଼ୁଛି। ତା ନିଜର ନିଶ ଦିପଟା ସଂକୁଚିତ ହୋଇଆସିଛି।
ଆଗେଇ ଯାଉ ଯାଉ ସେ କହିଲା “ଚାଲ୍ ଯିବା”
“ଚାଲ୍” ହୋପ୍ଫୁଲ୍ ତାକୁ ସମର୍ଥନ କଲା ସେମାନେ ନୀରବରେ ଚାଲିଲେ ନାଳ ଭିତରେ ଭିତରେ ,ନାଳଟାରେ ସେତେବେଳେ ଅନ୍ଧକାର ଭରି ରହିଥାଏ ଦି କୂଳ ପୁରାଇ।
ଘୋଡ଼ାଟା ତାଙ୍କର ପଛେପଛେ ଚାଲିଥାଏ । ଟିକିଏ ପରେ ସେମାନେ ପଛରୁ ଶୁଣିପାରିଲେ ପାଣିରେ କଅଣ ଗୋଟାଏ ପଡ଼ିବାର ଶବ୍ଦ। ଶବ୍ଦଟା ଜଳଧାରାର ନିରବଚ୍ଛିନ୍ନ କଳତାନରେ ବାଧା ଘଟାଇଲା ।