ବଣ ଭିତରେ ଗଭୀର ନାଳତଳଟା ଅନ୍ଧାର , ଆର୍ଦ୍ର ଓ ସ୍ତବ୍ଧ ।ସେହି ସ୍ତବ୍ଧତା ମଧ୍ୟରେ ବହିଚାଲିଛି ଗୋଟିଏ ସ୍ରୋତସ୍ବିନୀର କଳତାନ, ବିଳାପଧ୍ବନି ପରି କରୁଣ ଓ ବୈଚିତ୍ରହୀନ । ନାଳଟାର ତୀକ୍ଷ୍ଣ ଅତଡ଼ି ଉପରୁ ଝୁଲି ପଡ଼ିଛି ହେଜେଲ୍ , ସ୍ନୋବଲ୍, ଓ ହନିସାକଲ୍ ନଟିର ପତ୍ରବିହୀନ ଡାଳଗୁଡ଼ାକ। ବସନ୍ତର ଧାରାରେ ଧୋଇ ଯାଇ ଏଠି ସେଠି ଗଛଗୁଡ଼ାକର ଚେରଗୁଡ଼ିକ ଦିଶୁଛି- ଅସହାୟତାର ଛବି ଆଙ୍କି। ବଣ ଏବେ ବି ସଜୀବ ହୋଇ ଉଠିନାହିଁ;ସନ୍ଧ୍ୟାର ଧୂସରତା ତାହାର ବୈଚିତ୍ରହୀନ ଜଡ଼ ପାଂଶୁତାରେ ଓ ଚତୁର୍ଦ୍ଦିଗରେ ଲୁକ୍କାୟିତ ବିଷାଦମୟ ସ୍ତବ୍ଧତାରେ ଯୋଗ କରିଦଉଛି ସମାଧିଭୂଇଁର ନିରାନନ୍ଦମୟ ପ୍ରଗାଢ଼ ଶାନ୍ତି।
ଅନେକ ବେଳଯାଏଁ ଦୁଇ ବନ୍ଧୁ ବସିରହିଲେ ଆର୍ଦ୍ର ଓ ଶାନ୍ତ ସେହି ସନ୍ଧ୍ୟାର ଅନ୍ଧକାରରେ ନାଳତଳେ ଆଶେପେନ୍ ବୁଦା କଡ଼େ। ବୁଦାଟା ବଡ଼ ଗୋଟାଏ ମାଟି ଟେଳାର ଚାପରେ ଉପରୁ ତଳକୁ ଗଡ଼ିପଡ଼ିଥିଲା। ତାଙ୍କ ସାମନାରେ ନିଆଁ ଜଳୁଛି; ଦିହେଁ ସେଥିରେ ହାତ ସେକୁଚନ୍ତି ଆଉ ତା’ପରେ ମଝିରେ ମଝିରେ ଛୋଟ ଛୋଟ ଜାଳ ଖଣ୍ଡେ ଲେଖା ପକାଉଛନ୍ତି; ସେଥିରୁ ଯେପରି ଧୂଆଁ ନ ଉଠେ, ନିଆଁଟା ଯିମିତି ସମାନ ଭାବରେ ଜଳେ ସେଥିଲାଗି ସେମାନେ ବି ସାବଧାନତା ଅବଲମ୍ବନ କରୁଛନ୍ତି।
ଘୋଡ଼ାଟା ଟିକିଏ ଦୂରରେ ଛିଡ଼ା ହୋଇଛନ୍ତି। ହୋପ୍ଫୁଲ୍ କାନ୍ଧରେ ଯେଉଁ ଛିଣ୍ଡା କପଡ଼ା ଖଣ୍ଡେ ଥିଲା, ସେଥିରୁ ଖଣ୍ଡେ ଛିଣ୍ଡେଇ ସେମାନେ ଘୋଡ଼ାର ମୁହଁକୁ ବାନ୍ଧି ଦେଉଛନ୍ତି ଆଉ ତାକୁ ଗୋଟାଏ ଗଛର ଶିଆଳରେ ବାନ୍ଧି ରଖିଛନ୍ତି।
ହୋପ୍ଫୁଲ୍ ନିଆଁ ପାଖରେ ବସି ରହିଥାଏ, ସିଆଡ଼କୁ ଅନାଇ ଗମ୍ଭୀର ମୁହଁ କରି ଶୁଶୁରି ମାରୁଥାଏ ମଝିରେ ମଝିରେ । ତା’ର ସାଥୀ ସେତେବେଳେ ଓସିୟାର ଗଛରୁ ଡାଳ ଗୋଛାଏ କାଟି ସେଗୁଡ଼ିକ ନନେଇ ଗୋଟାଏ ଝୁଡ଼ି ତିଆରି କରୁଥାଏ। ଝୁଡ଼ି ତିଆରି କରିବାରେ ସେ ବ୍ୟସ୍ତ, ଆଉ କିଛି କଥାଭାଷା ନାହିଁ।
ଝରର କରୁଣ ଧ୍ବନି ଓ ସେହି ହତଭାଗ୍ୟର ମୃଦୁ ଶୁଶୁରି ଏକାସାଙ୍ଗରେ ସଂଯୁକ୍ତ ହୋଇ ସନ୍ଧ୍ୟା ଓ ବନଭୂଇଁର ସ୍ତବ୍ଧତା ଉପରେ କ୍ରନ୍ଦନର ରାବ ଭଳି ଭାସି ବୁଲୁଛି।
“ଆମେ କଅଣ ବେଗେ ଯିବା?”ହୋପ୍ଫୁଲ୍ ପଚାରିଲା।
ଜିଗ୍ଲେଗ୍ ତା କାମରେ ଲାଗିଥାଏ । ସେଥିରୁ ମୁଣ୍ଡ ନ ଟେକି ସେ ଜବାବ ଦେଲା “ଦିନ ଏବେ ବି ଟିକିଏ ଅଛି ପୁରା ଅନ୍ଧାର ଘୋଟିଲା ପର୍ଯ୍ୟନ୍ତ ଆମେ ଯିବା”।
ହୋପ୍ଫୁଲ୍ ଦୀର୍ଘନିଃଶ୍ବାସ ପକାଇ କାଶିବାକୁ ଲାଗିଲା।
“ହଣ୍ଡା ମାଲୁମ୍ ହଉଛି ନାହିଁ”।ତା’ର ବନ୍ଧୁ ଅନେକବେଳ ଯାଏଁ ଚୁପ୍ ରହିବା ପରେ ୟେ ପ୍ରଶ୍ନଟା ପଚାରିଲା।
“ନା, ମୋ ଦେହଟା ପୁରା ଭଲ ନାହିଁ”।
“ଏମିତି କଥା!” ଜିଗ୍ଲେଗ୍ ମୁଣ୍ଡ ହଲେଇଲା।”
“ମୋ କଲିଜା ଭିତରେ କେମିତି କଷ୍ଟ ହେଉଛି। ”
“ବେରାମ, ଆଏଁ?’’
“ସେଇଭଳିଆତ ମାଲୁମ୍ ହେଉଛି…ଆଉ କିଛି ବି ହୋଇପାରେ ।”
ଜିଗ୍ଲେଗ୍ କହିଲା,“ଦେଖ ଭାଇ ଚିନ୍ତା କରନାହିଁ”।
“କୋଉ କଥା ”
“ଏହି ସବୁ କଥା ”।
ହୋପ୍ଫୁଲ୍ ହଠାତ୍ ସଜୀବ ହୋଇଉଠିଲା। ଦେଖ ଭାଇ, ମୁଁ ନ ଭାବି ରହିପାରେ ନାହିଁ ।ସେଇଟା ଆଡ଼କୁ ଅନେଇଲୁ । କଅଣ, ସେ ଘର ଆଡ଼କୁ ଆଙ୍ଗୁଠି ବଢ଼େଇ ଦେଖେଇଲା । ମୁଁ ସିଆଡ଼େ ଅନେଇଲାରୁ ମୋର ମନେ ପଡ଼ିଯାଉଛି ମୋର ବି ଏହିପରି ଗୋଟେ ଘୋଡ଼ା ଥିଲା…ଏଇଟାକୁ ଅନେଇଲେ ଆଉ କିଛି ମୁଁ ଭାବେନାହିଁ, ହେଲେ ଚଷା ଘରେ ୟାର ମୂଲ୍ୟ ଅଛି ଖୁବ୍ । ବେଳେ ମୋର ବି ହଳେ ଥିଲେ… ସେବେ ମୁଁ ଭାରି ଖଟି ପାରୁଥିଲି ।
“ତୁ ସେଥିରୁ ପାଉଥିଲୁ କଅଣ? ତୋର ଏଇ କଥାଟା ମୁଁ ପସନ୍ଦ କରିପାରେ ନାହିଁ । ତୁ ଯେବେ ଥରେ ଗୋଟିଏ କଥା ଆରମ୍ଭ କରୁ ଆଉ ବନ୍ଦ ନ ହେଉ କାହିଁରେ । ସେଥିରୁ କି ଲାଭ ପାଉ ଭଲା? ”
ଟିକି ଟିକି କରି ଭଙ୍ଗା ହୋଇଥିବା ବେଜାଏ ଡାଳି ନେଇ ହୋପ୍ଫୁଲ୍ ନିଆଁରେ ପକେଇଦେଇ ସିଆଡ଼କୁ ଅନାଇ ରହିଲା-ଝୁଲଗୁଡ଼ାକ ନିଆଁରୁ ଉଠି ଥଣ୍ଡା ପବନରେ ଭାସି ଯାଉଛନ୍ତି। ସେ ଆଖି ମିଟିମିଟି କରୁଥାନ୍ତି ,ତା, ମୁହଁରେ ପଡ଼ୁଥାଏ ଛାଇ ତା’ପରେ ସେ ଘୋଡ଼ାଟା ଆଡ଼କୁ ମୁହଁ ଫେରାଇ ସିଆଡ଼େ ଅନେକ ବେଳଯାଏ ଅନାଇରହିଲା।
ଘୋଡ଼ାଟା ସ୍ଥିର ହୋଇ ଛିଡ଼ା ହୋଇଥାଏ ସତେ ଯେପରି ତାକୁ କିଏ ମାଟିରେ ପୋତି ଦେଇଛି । ତା’ ମୁଣ୍ଡରେ ଲୁଗାଟା ଗୁଡ଼ାହୋଇ ସେଇଟା ଦେଖାଯାଉଥାଏ ବଡ଼ ଅଦ୍ଭୁତ। ମୁଣ୍ଡଟା ତା’ର ତଳକୁ ନଇଁ ପଡ଼ିଛି ଅବସନ୍ନ ହୋଇ।
ଜିଗ୍ଲେଗ୍ କଠୋର କଣ୍ଠରେ ଦୃଢ଼ତାର ସହିତ କହିଲା “ସବୁ କଥାକୁ ଆମେ ଆହୁରି ସହଜ ଭାବରେ ଦେଖବା।ଆମର ଜୀବନ ହେଉଛି ଏଇ ରକମ…ଗୋଟାଏ ଦିନ, ଗୋଟାଏ ରାତି ଚବିଶ ଘଣ୍ଟା ଏବେ କଟିଗଲା। ଯେବେ ଖାଇବାକୁ ଅଛି…ଭଲ ଯଦି ନାହିଁ ବା ଟିକିଏ କେଁ କାଁ କର, ତାପରେ ରହ। କାନ୍ଦିଲେ ତ ଲାଭ ନାହିଁ କିଛି କିନ୍ତୁ ତୁ ଯେବେ ଥରେ ସୁର ଧରିଲୁ ଆଉ ତାର ବନ୍ଦ ନାହିଁ। ଶୁଣିବାକୁ ଆଗ ବିରକ୍ତ ଲାଗେ। ତୋ ଦେହ ଖରାପ ବୋଲି ସେମିତିକା ହେଉଛୁ। ”