କିଶାନର କଣ୍ଠେ ଗାନ, ଆଗେ ଚାଲ ଭାଇ,
ନାନ୍କିଙ୍ଗ୍ ରହିଲା ପଛେ , ଅତିକ୍ରମି ଉନ୍ମୁକ୍ତ ସାଂଘାଇ
ଚାଲ ଏବେ କାଣ୍ଟନ ପଥରେ।
କାଣ୍ଟନ ପଥରେ ଆଜି ଲକ୍ଷକୋଟି ଅଭିଯାତ୍ରୀ ଚଳେ
ବାଧାମୁକ୍ତ ଉଚ୍ଛ୍ବସିତ ପଦେ
ଉଷାର ଚମକ ହାଣି ତନ୍ଦ୍ରାଜଡ଼ ନିଃସ୍ପନ୍ଦ ଜଗତେ।
ମାଳୟର ଘୂର୍ଣ୍ଣିବାତ୍ୟା ଘୂରେ ଆଜି ଦୁର୍ନିବାର ଅତି
ଗୋଟିଏ ବିପ୍ଲବୀ ରକ୍ତେ ସୃଷ୍ଟି କରି କୋଟି ଗଣପତି,
ଇତସ୍ତତଃ କରି, କେତେ ଆତଙ୍କିତ ବେଲୁନୀ ନବାବ…।
କହ ବନ୍ଧୁ! ତୁମେ ବି ପାରିନ ଶୁଣି
ଝଡ଼ର ବେଦନା ତଳେ ସଞ୍ଜୀବିତ ରକ୍ତିମ ପ୍ରସ୍ତାବ
କୋଟିକଣ୍ଠେ ହୁଏ ଯା ଆଗତ?
କହ, ଶୁଣିଛ ଏଭଳି କାହିଁ କୋଟି ମୁଷ୍ଟି ନିବଦ୍ଧ ଶପଥ ?
ବର୍ମାର ଉତ୍ତ୍ୟକ୍ତ ଝଡ଼ ଛୁଏଁ ଆଜି ଇରାବତୀ ତଟ
ସାଇଁ ସାଇଁ ଗର୍ଜିଉଠେ ଆରାକାନ ଗହନ ପର୍ବତ…।
ଗରିଲାର ସମର ଆହ୍ବାନ
ଆତଙ୍କେ ସେଦିନ ଏଠି ଶୁଣିଗଲା ଫାସିଷ୍ଟ ଜାପାନ
ଆଉ ଥରେ ସେଇ ଡ଼ାକ ଶୁଣିଯାଅ ମୃତ୍ୟୁର ବଣିକ।
ଶୁଣିଯାଅ ଖଣିଗର୍ତ୍ତେ ଶ୍ରମଜୀବୀ ଅୟୁତ ସୈନିକ !
ନବଜାତ ଜୀବନର ଜୟନାଦ ତୋଳୁଛି ଗର୍ବରେ
ସାମ୍ୟର ସବୁଜ ଗାନ ଖେତେ ଖେତେ ଲହରୀ ପହଁରେ।
ଝଡ଼ ଯେ ଉଠିଛି ଫୁଲି ସିନ୍ଧୁଗର୍ଭେ, ଆଲ୍ପସ୍ର ଉଚ୍ଚେ
ଇନ୍ଦୋଚୀନ ଆଖୁଖେତେ, ଭେତ୍ନାମ ଘନ ବେତକୁଞ୍ଜେ।
ସ୍ଥାନେ ସ୍ଥାନେ ସ୍ଥାନେ
ମାନବ ଛୁଟିଚି ଆଜି ଦୃପ୍ତପଦେ ମୁକ୍ତିର ସଂଧାନେ;
ଅଦୂରେ ଯେ ଦେଖାଯାଏ ନୂଆ ସୀମା, ଶୋଷଣର ଶେଷ,
ବସ୍ତୁର ପ୍ରାଚୁର୍ଯ୍ୟ ମଧ୍ୟେ ଯହିଁ ହୁଏ ପ୍ରାଣର ଉନ୍ମେଷ।
****