ସକଳ ହରାଇ ଏବେ ପଣ ରଖେ ଅପଣାର ବାହା।
ବ୍ୟଭିଚାର କରେ ଅଟ୍ଟହାସ…
-ଦ୍ବାପରର ଉପଖ୍ୟାନ ନୁହେଁ ଏହା,
ହାଲ ଏ ତ ସାଲ ଅଣଞ୍ଚାଶ।
ପୁରାଣର ମ୍ଲାନପତ୍ରେ ମ୍ଲେଚ୍ଛ ଯେତେ କ୍ରୂର ବିଭିଷିକା
ଜଳି ଉଠେ ଆଜି ପୁଣି ତେଜି ତା’ଣ ଜ୍ବାଳମୟୀ ଶିଖା
କାଳରାତ୍ରି କରେ କିବା ହଳାହଳୀ ଜ୍ବିହା ଲହ ଲହ-
ଦୁର୍ଲଭ ଜୀବନ ଆଜି ସପ୍ତତଳେ ନରକ ଦୁର୍ବହ।
ଆଜି ପୁଣି ବିବସନା ପାଞ୍ଚାଳୀର କରୁଣ ବିଳାପ
ପ୍ରାଣର ଗଭୀର କ୍ଷୋଭ ହାଣେ ତା’ର ବଜ୍ର ଅଭିଶାପ
ଦିଲ୍ଲୀ ଦରବାର ଶିରେ…
ଲକ୍ଷ୍ମୀ ସାଥେ କ୍ରୀଡ଼ାରତ ଆହେ।
ଆର୍ତ୍ତଜନ ନିବେଦନେ ରହିଲ ଯେ ସ୍ଥାଣୁ ବେପର୍ବାଏ
ଆଚମ୍ବିତେ ଦେଖ ଦେଖ ସିଂହାସନ ତୁମ ଥରି ଉଠେ,
ବେଦନା ପ୍ରାଣର ବାଣୀ ଘେନି ଏ ଯେ ପ୍ରଭଞ୍ଜନ ଛୁଟେ
ଏକାନ୍ତିକେ ଭୁବନ କମ୍ପାଇ,
ଏହାକୁ ରୋକିବ କିଏ? ଏହାଠାରୁ ପଳାୟନ କାହିଁ ?
ମୁକ୍ତ ବେଣୀ ଲୋଟିଛି ଆକାଶେ-
ସାବଧାନ! ସାବଧାନ! ଯୁଗାନ୍ତକ ଝଡ଼ ଘୋଟିଆସେ।
ଜନତାର ବୁକୁ ତଳେ ରୁଦ୍ଧ ଯେତେ ଉତ୍ତପ୍ତ ନିଃଶ୍ବାସ
ଯେତେ ବୃଥା ଅସନ୍ତୋଷ… ସବୁ ଆଜି ଥରାଇ ଆକାଶେ
ବହିଯାଏ ସତେ
ଆଗାମରୀ ଗାନ ତୋଳି ବିପ୍ଲବୀର ଆଗ୍ନେୟ ଶପଥେ;
ଚୀନ୍ର ଟର୍ଣ୍ଣାଡ଼ୋ ଛୁଟେ କ୍ଷୀପ୍ରଗତି, କ୍ଷୀପ୍ର ଅତିଶୟ
ପେକିଙ୍ଗ ବେତାରକେନ୍ଦ୍ର, ମାଓ-ସେ-ତୁଂ;
ଲାଲସେନା ଲାଲବାନା ଜାଣେ ନାହିଁ କେଉଁ ପରାଜୟ।