ସଙ୍ଗମ




ଅନତି ଦୂରରେ ନର୍ମଦାର ବିହ୍ବଳ ସ୍ରୋତ ହସିଉଠୁଥାଏ ଥରକୁଥର । କାର୍ତ୍ତିକ ଜହ୍ନର ନଗ୍ନ ଜୋତ୍ସ୍ନା ଦିଗନ୍ତ ପ୍ରସାରିତ ନିବିଡ଼ ଆଶ୍ଳେଷରେ ମାଟିର ଅଙ୍ଗେଅଙ୍ଗେ ଆଣିଥିଲା ଅବଶତା। ପବନର ଅଳସ ଶ୍ବାସରେ ଅର୍ଦ୍ଧନିମୀଳିତ କିଆର ମହକ ଆଉ ଧାନ ଫୁଲର ସିକ୍ତ ଶିଥିଳ ଗନ୍ଧ। ନଈ ଆରପାରିରୁ ଡାହୁକର ତୁହା ତୁହା ନିଶିଥ କାକଳି।

 ମାଗୁଣୀ ର ମନେ ହେଲା ଜୀବନଟାକୁ ସେ ଯେତେ ନିର୍ମମ ଭାବୁଥିଲା, ପ୍ରକୃତରେ ତାହା ସେତେଟା ନୁହେଁ।

 “ସୁଲି,ସୁଲି ମ, ଏ, ତୁ ଏବେ କେତେବେଳୁ ଆଇଲୁଣି ?”

  ଛେଲୁଆଟା ଓସ୍ତ ଗଛର ସିଅରେ ଡେରେଇଦେଇ ମାଗୁଣିଆ ସୁଲିର ମୁଣ୍ଡ ପାଖରେ ବସିଲା । “ପ୍ରଭୁ ହେ ଜଗନ୍ନାଥ”।

  ସୁଲି ତାର ଆଲୁରା ବାଳକୁ ସାଉଁଟି ଗୋଟିଏ ଗଣ୍ଠି ପକାଇଲା । “କଅଣ ଆଣିଛ? ମୁଁ କଅଣ ଏବେ ଯାଇଥିଲି କି?”

  “କାହିଁକି ଲୋ-ଇଏ ପରା ଦିନ ତୁ ହରେଇଲୁ ।କଅଣ ଦେହ ବ୍ୟସ୍ତ ହେଲା କିଲୋ”?

  “ନାଇଁମ”  “ଆଉ ତେବେ?ୟେ ପାଞ୍ଚ କୋଶରୁ ଯିଏ ଯେଉଁଠି ଥିଲେ ଆସିଥିଲେ । ”

“ମୁଁ ଯାଇନଥିଲି କି ? ଯାଇଥିଲି ଯେ , ମୁଁ ପରା ମାଇପି ନୋକ, କଅଣ ହେଲା ସେଇଠୁ-ନ ଅଣ୍ଟିଲାଠୁତ ଦାଣ୍ଡକୁ ବାହାରିଛେ। ଆଉ ତୋର ଦିନରାତି ଇଜତ ମହତ ଜଗି ପଡ଼ିରହିଲେ ଦୁଃଖ ଯିବ । ପେଟ ଦେଖାଇ ହାତ ପତେଇଲେ ମୁଠାଏ ମିଳିବ ନଇଲେ ନାଇଁ ।ଯାହା କଥା ଯାହାକୁ ଧରାଧରି।

   ତମେ ଜାଣିଛ କଅଣ। ଖାଲି ସେତିକିରେ ହଉଛି ! ଉଗୁଡ଼ା ହାଣ୍ଡି ଭିତରୁ ଗୋଟାଏ ନୂଆ ଲୁଗା ଆଣି ସୁଲି ମାଗୁଣି ହାତକୁ ବଢ଼ାଇଦେଲା। “ଜାଇଁଲ, ନୂଆ ଲୁଗା ଖଣ୍ଡେଲେଖା, ସାବିନି ମୁଣ୍ଡାଏ ,ବୟସ ଥିଲା ମାଇକିନିଆ ଦେଖି । କଣ୍ଟ, ଖିଆପିଆ ସରିଲାବେଳକୁ ଆସିବ। ବାସନା ତେଲ ନଗେଇବ, ଖାଇବ ପିଇବ ଅଣାଏ ଲେଖା ପଇସା ।ତିନି ତିନିଥର ତାଗିଦା ମାଆଲୋ। ନରିଣପଡ଼ା ମାଉସୀର ଦିଅର ତା’ଘରେ ରହିଛିମ, ମତେ କଅଣ ଚିହ୍ନିଲାକି? ମୋତେ କହୁଛି ଫେର ନା, ନେସେଡ଼ି ଗଲାଣି।”ନଈପଠାରେ ବିଲୁଆ ବାଡ଼ି ମୁର୍ଦ୍ଦାରର ମାଂସ ଖାଉ ଖାଉ ମଝିରେ ରଡ଼ି କରୁଥାନ୍ତି।

    “ଡିହ ବିକିଲି, ଶେଷକୁ ପୁଅମୁଣ୍ଡ ଖାଇଲି, ଝିଅକୁ ସାରୁ ବାଇଗଣ ଭଳିଆ ସାତ ସୁଉକାକୁ ବିକିଲି।ଫେର୍‌ ଦିହ ବିକିବି।”

   ଚନ୍ଦ୍ର ଖସିଆସିଚି ଡିମିରି ଗଛର ଆରପାଖକୁ, ମାଟି ଉପରେ ଲୋଟି ପଡ଼ିଛି ଦୀର୍ଘ ଅସମାପ୍ତ ଛାଇ- ଅତୀତ କ୍ଷତର ଦାଗ ଭଳି । ପାଉଁଶମିଶା ଶେଷ ଆଲୁଅ ଓସ୍ତ ଗଛର ଅଗି ପତରକୁ ବେଳେ କରୁଛି ଫିକା ହଳଦିଆ, ବେଳେ ଅନ୍ଧାରିଆ ।

  “ବାହାଘର ଦିନ କଥା ତୋର ସୁଲି ମନେଅଛି?”

   ‘‘ଆମର ଫେର ଗୋଟିଏ ବାହାଘର।”, ସୁଲି ହସିପାରିଲା ନାହିଁ। ଓସ୍ତଗଛକୁ ଆଉଜି ମାଗୁଣିଆ ବସିଛି, ତା’ର କରରେ ସୁଲି-ମେଞ୍ଚାଏ ଆଲୁଅ ନଅଙ୍କିଆ ମରମର କୁକୁର ଭଳି ପଡ଼ିରହିଛି ସେମାନଙ୍କ ଗୋଡ଼ରୁ ଟିକିଏ ଛାଡ଼ି।

   ସୁଲି-

   ଏ କଅଁଳ,ଡାକରେ ଭିତରଟା ଥରି ଉଠିଲା । ଖରାଦିନ ଦିପହରେ ସୁଲି ମାଗୁଣିଆର ଗୋଡ଼ ମୋଡ଼ି ଦଉଥିଲା ବେଳେ ଆସକତିଆ ନିଦ ପରେ ମାଗୁଣିଆ ଠିକ୍‌ ଏଇଭଳି ସ୍ବରରେ ତାକୁ ସଂବୋଧନ କରେ।

   “ଟିକିଏ ଘଷିଦିଏଁ।” ମାଗୁଣିଆ ସୁଲିର ହାତ ଉଠାଇନେଲା- କିନ୍ତୁ ଆଉ ପକେଇଦେଇ ପାରିଲା ନାହିଁ- ସେ ଦୁଖର ଦିନ ଯାଇଛି। ମାଗୁଣିଆ ଭାବୁ ନଥିଲା ବର୍ତ୍ତମାନର କଥା ବା ଆଙ୍କୁ ନଥିଲା ଭବିଷ୍ୟତର ଛବି-ଅତୀତର ଛାଇଟା ମନର ତଳେ ତଳେ ବିସ୍ତାରିଥିଲା ତା’ର କାୟା । ମାଗୁଣିଆ ଅନ୍ୟମନସ୍କ ଭାବରେ ସୁଲିର ହାତ ପାପୁଲିର ସ୍ପର୍ଶ ଅନୁଭବ କରୁଥିଲା। ଟାଣ ଭାଙ୍ଗଭାଙ୍ଗିଆ ଚମଡ଼ା, ଚମଡ଼ା ତଳେ ଆଉ ମାଉଁସ ନାଇଁ-, ଶୁଖିଲା ଚମଡ଼ାଟା ଖାଲି, କେଡ଼େ ନରମ ଥିଲା। କେଡ଼େ ମାଉଁସିଆ ହାତ, ଆଙ୍ଗୁଠିର ସରୁ-ଲମ୍ବା ହାଡ଼ ମୋଟା ଗଣ୍ଠି, ଟାଣ ମୋଟା ଫୁଲିଲା ଶିରା, ହାଡ଼।

  ହାଡ଼ରେ ହାଡ଼ ବାଜିଲା । ମାଗୁଣିଆର ଦେହ ଶିତେଇ ଉଠିଲା । ମନର ଓ ଦେହର ସେହି ଅସ୍ଥିରତାରେ ମାଗୁଣିଆ ସୁଲିର ମୁଣ୍ଡକୁ ଶୋଇଦେଇଥିଲା ନିଜର ଜଙ୍ଘ ଉପରେ । ସୁଲିର ଫୁରୁକୁଟିଆ ଉଙ୍କୁଣିଖିଆ ଅଡ଼ୁଆ ତଡ଼ୁଆ ବାଳ ଗୁଡ଼ାକ ଭିତରେ ତାର ଆଙ୍ଗୁଠି ଚାଲୁ ଚାଲୁ ମାଗୁଣିଆ ଗୋଟାଏ ଦୀର୍ଘ ନିଃଶ୍ବାସ ପକାଇ କହିଲା“ମୁଁ  ତ ହିନି କପାଳିଆ , ମୋ ହାତ ଧରି ତୁବି ନାରଖାର ହୋଇ ମଲୁ ।”

  “ଦିଅଁତ ଦେଇନାହାନ୍ତି ଆମକୁ ସୁଖ, ମଣିଷ ହାତ କଥା ସେ ତମେ କଅଣ କରିଥାନ୍ତ”?

   ମାଗୁଣିଆ ତାର ଅଇଁଠାଲଗା ଓଠରେ ଛୁଇଁଲା ସୁଲିର ଧୂଳି ବହଳିଆ କପାଳ।

   “ଆଜ୍ ମେରି ନାଆ ଚଲିରେ ,ଚଲିରେ , ଚଲିରେ,

    କୋଇ କହେଁ ୟାହାଁ ଚଲି, କୋଇ କହେ ଉହାଁ ଚଲି , ମେ କହୁଁ ପ୍ରିୟାକା ଗାଁ ଚଲିରେ” 




+ -

© Jataayu Charitable Trust
Site designed,developed & maintained by Tekons