ସଙ୍ଗମ




“ମାଗୁଣୀଭାଇ….ମାଗୁଣୀଭାଇ” ପଛରୁ ଡାକ ଆସିଲା  “ଏ ମାଗୁଣୀ ଭାଇ ଶୁଣୁନ କାହିଁକି ମ ମାଗୁଣୀଭାଇ ”….“ଓ” ରହିଥା ଯିବା ତ, କଅଣ ହେଲା କିଛି ? ହେଃ ମନପୂରା, କହିଥିଲି ୟେ କଅଣ ଇମିତି ସିମିତି ବାହାଘର ହୋଇଛି ? ହୀରାଲାଲ ର ସାଧ ମେଣ୍ଟିଗଲା। ସେ କାଇଁ ନଇଲେ ରାଜକୁମାରୀ କାଇଁ । ତୁ ଭଲା ବଢ଼େଇଲୁ ହାତ ଏ ଚନ୍ଦ୍ରକୁ ପାଇବ ? ଆମରି ଆଗରେ ତ ଏଇ ଚୁଟିଆ ଦୋକାନଖଣ୍ଡେ କରି ବସିଥିଲା । ଏଇ ଆମରି ଭଳି ଅବସ୍ଥା ଥିଲା ନା ତାର କୋଉ ଶ’ହଜାର ଥେଲା ।  ଏଇ ଯୁଦ୍ଧ ତାକୁ ଟେକିଦେଲା, କାହା କପାଳ କେତେବେଳେ ଖୋଲୁଛି ତାହା ଅସଲ୍‌ ନସିବ କଥା। ତୁ ଯେତେକଲେ ହବ- !କଅଣ କହୁଛୁ ଭାଇ?

  “ତା ନୁହେଁ ଆଉ କଅଣ?” ମାଗୁଣିଆ ସମ୍ମତ ହେଲା।“ରାଜକୁମାରୀ କାହା ଘର ଝିଅ? ସିଏ  ବାହାହେବାକୁ ମଙ୍ଗନ୍ତେ? ୟେ ହୀରାଲାଲ ବ୍ୟବସାୟ କାରବାରରେ ବେଳେବେଳେ ତାଙ୍କ ଘରକୁ ଯାଏ। ସେ ଝିଅ କିମିତିକା ୟାକୁ ଟିକିଏ ନଜରକୁ ଆଣିଥିଲା। ଯାଇଁଲୁ, ହଉ ହଉ ଭାବଲାବ ଟିକିଏ ବଢ଼ିଲା, ବୁଝିଲୁ ନା , ୟେ କଥା ବାପ କାନକୁ ଯେମିତି ଯାଇଛି ବୁଢ଼ା ବାଡ଼ି ଧରି ଗୋଡ଼ାଇଲା। ଆଉ ହୀରାଲାଲ ଦୁଆର ମାଡ଼ିଛି।  ଏଇଲାଗେ ତ ବୁଢ଼ାଭଳିଆ ଚାରିଟାଙ୍କୁ ହୀରାଲାଲ କିଣିନେବ-ଏତିକି ତା ସମ୍ପତ୍ତି । ଏଇଯୋଉ ଚୋରାବଜାର ଖୋଲିଲାନାହିଁ, ଭାଇ ସେଇଥିରେ  ଦିନକୁତ ହଜାର ହଜାର ଜାଣିଲୁ, ବୁଢ଼ା ତ ଦୁଆର ମଡ଼େଇ ଦଉନଥିଲା, ଏଥରକ ସେଇ ପୁଣି ବିଭାଘର କଥା ତା’ରି ଆଡ଼ୁ ଉଠେଇଲାଟି। ”

     “ତାରି ଆଡ଼ୁ?”

     “ଆଉ, ଯାଚିକରି ନା, ହୀରାଲାଲ କଅଣ ପଦେ କହିଛି କି”

     ବିନୋଦ ଆଉ ସହେ କେତେକେ? ପ୍ରତିବାଦ କରି କହିଲା “ସଚ୍ଚି, ତୋର ମତ୍‌ଲବ, ମୋର ନାୟକ ସଇତାନ”

  “ଠିକ୍‌ ସେଇଆ” ଖୁବ୍‌ ଜୋର୍‌ ଦେଇ ଅଥଚ ଅବିଚଳିତ ଭାବରେ ସଚ୍ଚି ଉତ୍ତର ଦେଲା।

  “ଆଉ ସେମାନଙ୍କ ବିବାହ ପ୍ରେମ ଓ ପ୍ରଣୟ ଲାଗି ନୁହେଁ?’”

 “ପ୍ରେମ ଆଉ ପ୍ରଣୟ ସେ ମିଳନ ପଛରେ ନ ଥିଲା। -ଥିଲା ଧନର ଜୁଆଖେଳ-ତମ ଦୁନିଆର ସବୁ ବିବାହରେ ସେଇଟା ଥାଏ।”

  ତୋଠି ଦେଖୁଛି ଅସୂୟାର ମାତ୍ରା ବଡ଼ ପ୍ରବଳ। ବିନୋଦ ମୃଦୁ ଭର୍ତ୍ସନା ଦେଲା ।ରାଜୁ ତା ସାଙ୍ଗରେ ଯୋଗଦେଲା । “ଗୋଟିଏ ମାଛିତ, ଖୋଜିବୁଲୁଛି କେଉଁଠି ଘା, କୋଉଠି ପଚାସଢ଼ା ନରକ”

 “ସେ ଦୋଷ ମୋର ନୁହଁ, ଭାଇ” ଇଷତ୍‌ ହସ ମିଶାଇ ସଚ୍ଚି କହିଲା;- ତାପରେ ମୁହଁରୁ ତାର ସ୍ମିତ ଲିଭିଗଲା। ପରିବର୍ତ୍ତରେ ଦେଖାଗଲା ଦୃଢ଼, ଶକ୍ତିମାନ , ସ୍ପଷ୍ଟ କେତେଟା ରେଖା,ଦୃଷ୍ଟିହେଲା ତୀକ୍ଷ୍ଣ ତେଜମୟ,“ ଯଦି ଦେହମୁଣ୍ଡ ଘା, ଓ ପୂଜରେ ଭରଭର ହୋଇଥାଏ ତେବେ ତନୁର ଲାବଣ୍ୟ ବର୍ଣ୍ଣନା କରିବା ଭଣ୍ଡାମିଛଡ଼ା ଆଉ କଅଣ? ମାଛି ବସିଲେ ଦୋଷ ମାଛିର ନୁହେଁ, ନିଜର ଦେହକୁ ସୁସ୍ଥ କରିବାରେ ”।

  ମୁଁ ଦେଖିଲି ଏ ଯୁକ୍ତି ଛିଣ୍ଡିବନାହିଁ। ଖାଲି କଥାରୁ କଥା ବଢ଼ିବ। ଶେଷକୁ ହୁଏତ ଅପ୍ରିୟ ହୋଇପାରେ । ଅବସ୍ଥାଟିକୁ ସୁଧାରି ନେବାପାଇଁ ମୁଁ ସଚ୍ଚିକୁ ବାଧା ଦେଲି। “ରସଭଙ୍ଗ ହେଲା- ଗଳ୍ପଟା ଆଗ ସରୁ ତାପରେ-”

  “ତେବେ ତୁ ଏଇଠି ରହିବୁ-ସେଇ ଗଛମୂଳରେ, ନାଇଁ-ହଉ, ଆମେ ଖଣ୍ଡେ ଯାହାହେଉ ଭଲ ଥାନ ପାଇପାରିଛୁ, କଂସେଇ ଦୋକାନ ପଛପଟ ଚାଳିଟା ।”

  “ଆମପାଇଁ ସେଠି ଟିକିଏ ଥାନ ହେବନି?” ମାଗୁଣି ପଚାରିଲା।

  “ଆମେ ସେଠି ଛୁଆ ବଡ଼ ମିଶି ତେର। ଆଉ କୁକୁର ପିଲାଟିକୁବି ଜାଗା ନାହିଁ। ହଉ ଥା ଭାଇ, ମୁଁ ଯାଉଛି। ଝିଅ,ତା ମା’ତ ଫେରିନାହାନ୍ତି। ଛାଡ଼ିକରି ଟିକିଏ ଆସିବେ ବୋଲି କହିଲେ। ପଛକୁ କଅଣ ଥିବ ସାଉଁଟି ଗୋଟେଇକରି ଆଣିବେ” ।




+ -

© Jataayu Charitable Trust
Site designed,developed & maintained by Tekons