ସଙ୍ଗମ




ଆମ ସମସ୍ତଙ୍କର ଧାରଣା ସଚ୍ଚିଟା ଆଡ଼ପାଗଳା, ଆଡ଼ପାଗଳା ଠିକ୍‌ ନ ହେଲେ ବି ତା’ର ଚିନ୍ତାଧାରା ବିକୃତ, ତା’ର ଚାଲିଚଳଣ, ଢଙ୍ଗଢାଙ୍ଗ, କଥାବାର୍ତ୍ତା ସବୁ ଅଦ୍ଭୁତ ରକମ-ପୋଷାକପତ୍ରବି । ରାସ୍ତା କରରେ ଭିକାରୀ ମେଳରେ , ରିକ୍ଦାବାଲାଙ୍କ ଚା’ଖଟିରେ, ମାଳିଙ୍କ ସଂଜବେଳିଆ ସଙ୍ଗୀତରେ ଏପରିକି ବାବାଜିଙ୍କ ଗହଣରେ ତାକୁ ଅନେକଥର ଦେଖିଛୁ।  ସେ ଲୋକଗୁଡ଼ାକଙ୍କ ସାଙ୍ଗରେ ତ ବେଶ୍‌ ଜମେଇଥାଏ, ସୁଖଦୁଃଖ,ହସକୌତୁକ। ଆମେ ତା’ର ଏସବୁ ସଂସର୍ଗ ବିଷ଼ୟରେ ପ୍ରଶ୍ନ କଲେ ସେ ଉତ୍ତର ଦିଏ,“ମୁଁ ତାଙ୍କ ଭିତରେ କାମ କରେ।” ଆମେ ଉପହାସ କରୁ। ସେ ବି ଖୁବ୍‌ କମ୍‌ କଥା କହେ, ଯାହା ବି କହେ ତାହା ସବୁ ରହସ୍ୟମୟ, ଆମର ଅବୋଧ୍ୟ। ଆମର ଏ ସାହିତ୍ୟିକ ମଜଲିସ୍‌ରେ ତାକୁ ଭର୍ତ୍ତି କରିବା କାରଣ ନୁହେଁ, ତା’ର ସାହିତ୍ୟ କାର୍ଯ୍ୟରେ ପାରଗତା ବା ଆଗ୍ରହ-ଆମେ ତା’ଠାରୁ କେବେ ବୋଲି କେବେ କୌଣସି ରଚନା ପାଇନାହୁଁ-ଆମେ ବି ଭଲ ରକମ ଜାଣୁ ତା’ ଦେଇ ସାହିତ୍ୟ ହେବନାହିଁ। ତେବେ ବି ସେ କହେ ଯେ ସେ ରୀତିମତ ଲେଖାଲଖି କରେ, କିନ୍ତୁ ଲେଖି ସାରି ସବୁ ଚିରିପକାଏ, କାରଣ “ରଙ୍ଗଟା  ଗାଢ଼ ହୋଇପାରିଲା ନାହିଁ”, କାରଣ ‘ଝାପ୍‌ସା ହୋଇଗଲା, “କାରଣ ଜୀବନଠୁ କମ୍‌ତି ପଡ଼ିଗଲା” । କିନ୍ତୁ ସାହିତ୍ୟ ବିଷୟରେ ତା’ର ଉତ୍ସାହ କମ୍‌ ନୁହେଁ-ସାହିତ୍ୟର ଉପାଦେୟତା ବିଷୟରେ ସେ ଅନେକ ସମୟରେ ଆମ ଆଗରେ ଛୋଟ ବକ୍ତୃତା ଦିଏ କିନ୍ତୁ ସେ ଗୁଡ଼ାକ ସବୁ ଆମ ପକ୍ଷରେ ରହସ୍ୟମୟ, ଦୁର୍ବୋଧ୍ୟ।

ମୋର ନଜର ଯେତେବେଳେ ସଚ୍ଚି ଉପରେ ପଡ଼େ ସେତେବେଳେ ସେ ଝରକା ଦେଇ ବାହାରକୁ ରାସ୍ତା ଉପରେ ଆଖି ରଖିଚି, ତା’ର ସ୍ବାଭାବିକ ଏକାଗ୍ର ଅନ୍ୟମନସ୍କ ଭାବରେ ।  ରାସ୍ତାରେ ଜନପ୍ରାଣୀ କେହି ନାହିଁ।  ତା’ର କୁତୁହଳ ପାଇଁ ଗୋଟିଏ ବୋଲି ଭିକାରୀର ଦର୍ଶନ ନଥିଲା।  ମୁଁ ଟିକିଏ ଆଶ୍ଚର୍ଯ୍ୟ ହେଲି କାହାକୁ ସେ ଏତେ ନିରିଖେଇ ଅନେଇଛି। ଭାବିଲି ଆଜି ସଚ୍ଚି ବୋଧହୁଏ କଥାଟାରେ ମଜ୍ଜିଯାଇଛି। ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କଲାଭଳି ସ୍ବରରେ କହିଲି ‘ବିନୋଦ! ତୋର ଗଳ୍ପର ସବୁଠାରୁ ବଡ଼ ପ୍ରଶଂସା ତୁ ଆଜି ପାଇଲୁ ଏଇଠୁ।  ଦେଖ୍‌ ତ, ସଚ୍ଚିକୁ ତୁ ମଜ୍ଜେଇ ଦେଇଛୁ, ଆଉ ନ ପାରିଛୁ କ’ଣ ?” ସମସ୍ତଙ୍କ ଆଖି ସଚ୍ଚି ପ୍ରତି ଆକୃଷ୍ଟ ହେଲା । ସବୁଆଡ଼ୁ କୌତୂହଳପୂର୍ଣ୍ଣ ପ୍ରଶ୍ନ  ଆସିଲା ଦରଉପହାସମୟ ଭାଷାରେ-“ସଚ୍ଚିର ମନ୍ତବ୍ୟ କ’ଣ?”

ସଚ୍ଚି ଧୀରେ ରାସ୍ତାଆଡ଼ୁ ଆଖି ଫେରାଇ ଆଣି ଆମକୁ ସ୍ଥିର ଭାବରେ ଅନାଇ ରହିଲା । ତା’ର ଦୃଷ୍ଟିରୁ ଆମେ ବୁଝିପାରିଲୁ, ସେ କୌଣସି ବିଷୟରେ ବଡ଼ ପ୍ରତିଜ୍ଞାବଦ୍ଧ, ହୁଏତ ସେ କିଛି ଗୋଟିଏ କଥା କହିବାକୁ ଯାଉଛି ଯାହାକୁ ଆମେ ହସି ଉଡ଼େଇ ଦେଇପାରିବୁ ନାହିଁ। ସତକୁ ସତ, ତା’ର ଚାହାଣୀରେ କ’ଣ ଗୋଟିଏ ଶକ୍ତି ଥିଲା। ଆମେ ଟିକିଏ ଶଙ୍କିଗଲୁ, ପରିହାସର ମାତ୍ରା ଥମିଗଲା। ସେ କହିଲା, ସ୍ଥିର ଓ ଦୃଢ଼ ସ୍ବରରେ-“ମୁଁ ଆଉ ଏକ କାହାଣୀ ଶୁଣାଇବି-ଆଉ ଏକ ପ୍ରେମର ।” ଅସୀମ ଉତ୍କଣ୍ଠା ବହୁଗୁଣ।

ଚଉକି ଖଣ୍ଡେନେଖା ଟାଣି ତା’ର ଚାରିପାଖ ମାଡ଼ି ବସିଗଲୁଁ। 

“ମୋର କାହାଣୀର ଆରମ୍ଭ, ବିନୋଦର ଯୋଉଠି ଶେଷ ହୋଇଛି, ସେଇଠୁ।”

“ବାଃ” …“ଆଚ୍ଛା !...” “ଚାଲୁ-, ମଜାଦାର”

ସେଇ ନର୍ମଦାର ତଟ, ଉଚ୍ଛୃଙ୍ଖଳ ସ୍ରୋତ ଓ ଶରତର ସେଇ ଜ୍ୟୋତ୍ସ୍ନା ଉଚ୍ଛଳ ରାତି। ବାସର ଘରେ ହୀରାଲାଲ ରାଜକୁମାରୀର କପାଳରେ ଟାଣିଲା ସରମର ରେଖା ।

ସେହି ପ୍ରାସାଦରେ ନେଳି ନାଲି ଆଲୁଅକୁ ପଛ କରି ଫେରୁଛି ମାଗୁଣି, ହାତରେ ତା’ର ଛେଲୁଆଏ ଭୋଜିଭାତର ଅଇଁଠା। ନିଜର ସୌଭାଗ୍ୟରେ ସେ ଏତେ ଖୁସି ଯେ ଆଗରେ ପଛରେ ତା’ର ସାଙ୍ଗସାଥୀ ଯେଉଁମାନେ ଚାଲିଛନ୍ତି,ସେମାନଙ୍କ କଥାରେ ସେ ଆଉ ଯୋଗ ଦେଇପାରୁନାହିଁ। ଏହି ଭିକାରୀ ପିଲା, ମାଇପି, ମରଦମାନେ ଫେରିଲା ବାଟରେ ଆନନ୍ଦରେ ଏମିତି ଅଶ୍ଳୀଳ କୋଳାହଳ କରୁଥାନ୍ତି ଯେ, ବାଟକରରେ ଥିବା ତେନ୍ତୁଳି ଗଛରୁ କାଉଗୁଡ଼ାକ ରାବି ପଲକୁ ପଲ ଉଡ଼ିଯାଉଥାନ୍ତି ନର୍ମଦାର ମଝିଯାଏ। ଫେର୍‌ ଚକ୍‌କର ଦେଇ ଫେରିଆସୁଥାନ୍ତି ନିଜର ଆଶ୍ରିତ ଶାଖାକୁ।




+ -

© Jataayu Charitable Trust
Site designed,developed & maintained by Tekons