ସ୍ବରାଜ




ନିମା ନଥ କରି ବସି ପଡିଲା, “ ସାଆନ୍ତେ ପ୍ରାଣ ପାଇଲୁ। ଗାଁ ମୁହଁ ଦେଖିବୁ ବୋଲି କୋଉ ଭରସା ଥିଲା ଆଉ।”

କଥା କ’ଣ ଜାଣିବାକୁ ସମସ୍ତେ ଉତ୍କଣ୍ଠିତ ହୋଇପଡିଲେ। ଥଙ୍ଗେଇ ମୁକୁନ୍ଦା କହିଲା, କିମିତି କଲିକତାର ବାଟଘାଟରେ ମୁର୍ଦ୍ଦାରର ପାହାଡ଼ ଜମା ହୋଇଛନ୍ତି, କିମିତି ଭଙ୍ଗା ଢ଼ାବଲ ଭିତରେ ସେମାନେ ଅଖିଆ ଅପିଆ ଲୁଚି ରହିଲେ, କିମିତି ପଠାଣ ଓଡ଼ିଆକୁ କାଟିଲେ, ଶିଖ ପଠାଣିଙ୍କୁ କାଟିଲେ, କିମିତି ରାସ୍ତାରେ ରକ୍ତ ପଚ ପଚ ହେଉଚି, ସହର ଅଧେ ନୋକ ପତଳା ହେଇଯାଇଛନ୍ତି।

କାହିଁକି?ଗାନ୍ଧି କହୁଚି, “ ମୁଁ ରାଜା ହେବି” ପଠାଣ କହୁଚି “ ମୁଁ ରଜା ହେବି।”

ଆପଣା ପ୍ରାଣ ଘେନି ଯେଝା ଖଞ୍ଜରେ ଯିଏ ପଳେଇ ଆସିଚି, କାହାକୁ କିଏ ନୋଡ଼ୁଚି। ପଠାଣି ଥିଲା-ପଡ଼ାରେ, ବାବୁଘର ବାଡ଼ିରେ । ଗାଡ଼ିରେ ଲୋକ କଥା ଭାଷା ହେଉଥିଲେ ସେ ପଡ଼ାରେ ଆଉ ବିଲେଇ ଛୁଆଟାଏ ବି ନାହିଁ-ସବୁ ପୋଛାପୋଛି।

          ବରକୋଳି ଗଛ ତଳ ଛପର କୁଡ଼ିଆର ତାଟି ଦୁଆର ଧଡ଼ାସ୍‌ କରି ବିଞ୍ଚାଡ଼ି ହୋଇପଡ଼ିଲା। ତା’ ଭିତରୁ ଝଡ଼ ପରି ଛୁଟି ଆସିଲା ପଠାଣି ବୋଉ, ମିଶ୍ରଙ୍କ ପଥର ପାହଚରେ ଢ଼ୁ ଢ଼ୁ କରି ମୁଣ୍ଡ ବାଡ଼େଇଦେଲା, ଭଲା। ମିଶ୍ରେ କଣ କଲିକତା ଗଣ୍ଡଗୋଳ ଭିଆଇଲେ ଯେ ତାଙ୍କ ଦୁଆରେ ବୁଢ଼ୀ ମୁଣ୍ଡ ବାଡ଼େଇବ? ନା,ହଣାମରା ହବ ବୋଲି କାହାକୁ କହି ଦେଲା? କିନ୍ତୁ ସାଆନ୍ତଙ୍କ ଗୋଡ଼ ଧରି ଲହୁ ଲୁହାଣ ହେଇ ବୁଢ଼ୀ ଯେତେବେଳେ ଭୂଇଁରେ ଲୋଟିଗଲା ମିଶ୍ରଙ୍କ ଛାତିଟା କାହିଁକି କେଜାଣି ଦବିଗଲା, ସତେ ଯେପରି ତାଙ୍କର ବିବେକ ତାଙ୍କୁ କାଇଲି କରୁଛି।

          ଜନତା ଫାଟିଲା, ବୁଢ଼ୀର ଚେତା ଆଣିବାକୁ  ତା’ ମୁହଁରେ ପାଣିଛାପ ଦଉ ଦଉ ମଦନ ପଧାନ କହିଲା, ‘ ମିଶ୍ରେ ଆଜ୍ଞା, କହୁଥିଲେପରା ଗାନ୍ଧି ରାଜ୍ୟ ଆଣିବ ସତ, ଚଳାଇପାରିବ ନାହିଁ। ଦେଖିଲ ତ ଆପଣ।” ମିଶ୍ରେ ଶୁଣିଗଲେ।

          ଯୁଆଳିରେ ବଳଦ ଯୋଚି କାନ୍ଧରେ ମଇ, ହାତରେ ପାଞ୍ଚଣ ଧରି ଆଗପଛ ହେଇ ଉଦିଆ ଆଉ ନବା ଯେତେବେଳେ ସାପେ ଆଡ଼କୁ ମୁହାଁଥାନ୍ତି, ଉଦିଆ ତା’ର ସମସ୍ତ ରାଜନୈତିକ ଅଭିଜ୍ଞତାକୁ ଭାଷା ଦେଲା, “ ବୁଝିଲୁ ନବାଭାଇ, ଯିଏ ରାଜା ହେବ ହେଉ ଆମ ଦୁଃଖ ଆଉ ଗଲା ନାହିଁ।”

          ନବା ଏକମତ। ସମସ୍ତେ ଏକାରେ ଭାଇ, ଇଏ ବାଘ ହେଲେ, ସି, ଭାଲୁ। ଆମ ଏ ମଳି ମଣ୍ଡିଆ ପ୍ରଜାଙ୍କ ମୁଣ୍ଡ ଚୋବେଇବାକୁ ସମସ୍ତେ ଆଗ। ରାଜ୍ୟ ଆଉ କେବେ ସୁସ୍ତି ପଡିଲା ନାହିଁ। ଉଦିଆ ଟିକିଏ ଖୁସ୍‌ ମାରି ଗଲା, ପଛରେ ଦାର୍ଶନିକ ଗମ୍ଭୀର ସ୍ବରରେ କହିଲା, “ ରାଜ୍ୟ ସୁସ୍ତି ପଡିବ ଯେବେ…” “… ଯେବେ ଉଦିଆ ଭାଇ ରାଜା ହେବ।” ଅଣଓସାରିଆ ଉଚ୍ଚା ପିଣ୍ଡା ଉପରୁ ଘନିଆ ପଦ ପୂରଣ କରିଦେଇ ଆପଣା କଥାରେ ଆପେ ହସି ଉଠିଲା।

          ଘନିଆ ରହସ୍ୟ ଉଦିଆକୁ ସ୍ପର୍ଶ କଲା ନାହିଁ। ଉଦିଆ ଛିଡ଼ା ହୋଇଯାଇ ଘନିଆର ମୁହଁକୁ ମୁଣ୍ଡ ଟେକି ଆନାଇଲା। ସତ କହିଲୁ ଭାଇ, ଯେବେ ଉଦିଆ ରାଜା ହେବ ତେବେ ଏ ଅଂରେଜ ନୁହେଁ କଂଗରସ ନୁହେଁ। ଉଦିଆ ଏକା ବୁଝେ ଉଦିଆ ଦୁଃଖ, ଘନିଆ ଦୁଃଖ, ନବାର ଦୁଃଖ, ଏ ହଜାର ଲୋକଙ୍କ ଦୁଃଖ। ଆଉ କେହି ନାହିଁରେ-ଆଉ ସବୁ ମିଛ।”

          ବଳଦ ଯାଇ ବିଲକୁ ଗଡ଼ୁଥିଲେ, କାଳେ ଗଜା ଧାନ ଗଛ ଗୁଡ଼ାକ ଖରାପ କରିଦେବେ, ଏହି ଆଶଙ୍କାରେ ହ ହ ଡ଼କା ପାରି ଉଦିଆ 

ଲମ୍ବା ଲମ୍ବା ପାଦ ପକାଇ ଧାଇଁଲା। ଘନିଆ ମନ ଭିତରେ ଉଦିଆର ଘଣ୍ଟାର ପେଣ୍ଡୁଲମ୍‌ ଦୋଳି ଖେଳିଲା, ‘ଉଦିଆ ତ କମ୍‌ କଥା କହି ନାହିଁ।”




+ -

© Jataayu Charitable Trust
Site designed,developed & maintained by Tekons