ସ୍ବରାଜ




ଏହିପରି ଆଶା ଓ କଳ୍ପନାରେ ବରଷ ପରେ ବରଷ ଗଡ଼ିଲା, ସପନ ନାଏକ କେତେ ଥର କହିଚି “ ସ୍ବରାଜ ହୁଅନ୍ତା କି ସେ ଟିକିଏ ଦେଖି କରି ମରନ୍ତା” ହେଲେ ନାହିଁ। ନବୀନ ସାହୁର କଳା ବାଳ ଧଳା ହେଲା, ସେ ଦିନ ଯିଏ ବୋହୂ ହେଇ ଗାଁ କୁ ଆସିଥିଲେ ସେ ପୁଣି ତାଙ୍କ ପୁଅ ପାଇଁ ବୋହୂ ଖୋଜିଲେଣି, ସ୍ବରାଜ ନାହିଁ!

“ ସରକାର କଣ ସତେ ମୁଲକ ଛାଡ଼ିବ‍?”

          ଏହି ନୈରାଶ୍ୟବୋଧ କଥା କେତେ ଲୋକ ତୁଣ୍ଡ ଖୋଲି କହିବାର ଶୁଣାଯାଉଥିଲେ ମଧ୍ୟ, ମନୁଷ୍ୟର ଆଶା ଏପରି ଅଠାଳିଆ ଯେ ଥରେ ମନରେ ବୋଳି ହୋଇଗଲେ, ଯେତେ ମାଜୁଥିଲେ ବି ସେ ଛାଡ଼େ ନାହିଁ। ଲୋକେ ପୁଣି ଆଗକୁ ଅନେଇ ଅଛନ୍ତି, ଦିନେ ପୁଣି ଗାନ୍ଧି ମୂଲକ ହବ, ଏ ସାଲ ନ ହେଲେ, ଆର ସାଲ।

          ଲୋକଙ୍କର ଏହି ମଧୁର କଳ୍ପନାରେ କଠୋର ଆଘାତ କରି ୟା ଭିତରେ ବହୁ ଘଟଣା ବାଆ ବତାସ ବହି ଯାଇଛି। ନେପଟିଏ ମଥାଣ ଉପରେ-ଜରମାନୀ ଯୁଦ୍ଧ ଲାଗିଲା,କଙ୍ଗରେସ ଗାଦି ଛାଡ଼ଲା, ଦରବପାତିର ଭାଉ ବଢ଼ିଲା, ଜାପାନ ମାଡ଼ି ଆଇଲା, ଗାନ୍ଧିଙ୍କୁ ସରକାର ବାନ୍ଧି ନେଲା, ଦେଶରେ ମହରଗ ପଡ଼ିଲା, ବାଟରେ ଘାଟରେ ମଣିଷ ମୁଣ୍ଡ ଗଡ଼ିଲା।

          ଭୋକ ଓ ଉପାସ, ଅଭାବ ଓ ଦୈନ୍ୟ, ନୈରାଶ୍ୟ ଓ ହାହାକାର କୁହୁଡ଼ି ଭିତରେ ସ୍ବରାଜ୍ୟ ସତେ ଯେପରି ଦୂରକୁ ଦୂରକୁ ଅପସରି ଗଲା। ତା’ର ରୂପରେଖା ଝାପ୍‌ସା ହୋଇ ଗହୀର ଓ ପହଡ଼ରେ ଆରପଟେ କୁଆଡ଼େ ମିଳେଇ ଗଲା ପରି ବୋଧ ହେଲା। ଆମେ ଏ ଗାଁ ବାଲା ଏହିପରି  ଡ଼ହଳ ବିକଳ ମରିବା, ପେଟକୁ ଦାନା ନାହିଁ, ପିନ୍ଧିବାକୁ କନା ନାହିଁ, ସାରା ପୃଥିବୀଟା ଯାକ ସେହିପରି ମରିବା। ଗାନ୍ଧି ମୁଲକ ହେବା ମିଛ। ବେଳୁବେଳ ଅଧିକ ନରକ, ଅଧିକ ଦୁଃଖ ଯନ୍ତ୍ରଣା, ଯିଏ ଚାଲିଗଲା ସେହି ଏକା ସୁଖୀ।          

          ଅନ୍ଧାରେ ଭିତରେ ଆଲୋକର କ୍ଷୀଣ ରେଖା ଦେଖାଗଲା, ଖବରକାଗଜ କହିଲା, ଯୁଦ୍ଧ ସରିଲା। ଗାଁ ଲୋକ ଭାବିଲେ ଏଣିକି ମଣିଷ ଟିକିଏ ନିଶ୍ବାସ ମାରିବେ, କିଛି ନ ହେଉ ଯୁଦ୍ଧ ହେବା ଆଗ ଅବସ୍ଥା ଲେଉଟି ଆସିଲେ କେଡ଼େ କଥା । ଦିନେ ପୁଣି ଯେତେବେଳେ  ଗ୍ରାମବାସୀ ଶୁଣିବାକୁ ପାଇଲେ ଯେ କଂଗ୍ରେସ ମୁକୁଳିଲାଣି, ସରକାର ନେତାଙ୍କୁ ସବୁ ଛାଡି ଦେଲେଣି। କାଳ ନେଉଟିଲା ବୋଲି ଲୋକ ମନରେ କିମିତି ଟିକିଏ ଦମ୍ଭ ଆସିଲା, କଙ୍ଗରସ ଲୋକଙ୍କ ଭଲକୁ କିଛି ଗୋଟାଏ କରିବ, ଏ ମହରଗ କାଳ ଆଉ ରହିବ ନାହିଁ, ଡ଼ିବି ତେଲ ପକେଇବା ମଣିଷକୁ ଆଉ ୟା ତା ଓଳିତଳେ ଆଣ୍ଠୁଭାଙ୍ଗି ଛିଡ଼ାହେବାକୁ ପଡିବନାହିଁ।

     କଙ୍ଗରସ ରାଜୁତି କରିବ, ସରକାର କଂଗ୍ରେସ ହାତରେ ରାଜ୍ୟ ଛାଡ଼ିଦେଇ ଚାଲିଯିବ ବୋଲି ବସିଛି; ଇମିତିକା କେତେ କଥା ଶୁଣାଗଲା- କେତେ ସତ, କେତେ ମିଛ ଭଗବାନଙ୍କୁ ଜଣା।“ହୁଅନ୍ତା ଭଲା” ଲୋକଙ୍କର ପୀଡ଼ିତ ଆତ୍ମା ଚିତ୍କାର କରି ଉଠିଲା- “ମଣିଷ ଆଉ ପାଞ୍ଚ ଦଶଟା ବରଷ ନିଶ୍ଚିନ୍ତରେ ପେଜ ପଖାଳ ଖାଇ ଜୀଇଯାଆନ୍ତା।” ମିଶ୍ରେ ପୁଣି ପଢି ଶୁଣେଇଲେ ଦେଶରେ କଂଗରେସ ମନ୍ତ୍ରୀ ହେଲେ। ଲୋକେ ଶୁଣିଲେ, ମୁହଁ ମୋଡ଼ି ଦେଲେ। କଂଗରସ ମନ୍ତ୍ରୀ ହେଲେ କେଉଥିକି ପାଏ ।ଗାଦି ମାଡ଼ି ତ ସରକାର ବସିଚି , ତା’ ରାଜୁତି ସିଏ ଚଳେଇବ, ମନ୍ତ୍ରୀ କ’ଣ କରିବ, କିଏ କ’ଣ କରିବ? ଲୋକଙ୍କର ଗଲାଥର କଂଗରସ ମନ୍ତ୍ରୀ ହବା କଥା ମନେଅଛି । ତେଣୁ ଏ ସମ୍ବାଦରେ ଆଶାନ୍ବିତ ହେବାର କିଛି ଦେଖିଲେ ନାହିଁ। ଲୋକଙ୍କର ଦୁଃଖମୋଚନ ହେବ ଯେବେ ଗାନ୍ଧି ରଜା ହୁଏ। 

 ଜହରଲାଲ କହିଲେ ଆଉ ବି ସାନ ବଡ଼ କଂଗ୍ରେସ ନେତା ସବୁ କହିଲେ, ମିଶ୍ରେ ପଢ଼ି ଶୁଣାଇଲେ , ଏଇଥର ଦେଶ ସ୍ବାଧୀନ ନ ହେଲେ ଦେଶର ଅବସ୍ଥା ବଦଳିବ ନାହିଁ,ଏଇଥର ଦେଶ ସ୍ବାଧୀନ ହେବ।

  “କେବେ?” ଲୋକେ ପଚାରିଲେ ; ଆଉ ଚାହିଁ ଚାହିଁ ତ ଯୁବା ବୟସରୁ ଆସି ବୁଢ଼ା ହେଲୁ। ଆଉ କେତେ କାଳ?

   ନେତା କହିଲେ ଆଉ ଡେରି ନାହିଁ। ଆମ ଦେଶ ସ୍ବାଧୀନତାର ଏରୁଣ୍ଡି ବନ୍ଧ ଉପରେ । ଆମେ ସ୍ବରାଜ୍ୟ ଭୋଗିପାରିବୁ ତ? ଉତ୍ସୁକ ଜନତା ପ୍ରଶ୍ନ କଲା।ଆଶବାଣୀ ଶୁଣି ଶୁଣି ତ ତାଙ୍କ ସାଙ୍ଗର କେତେ ଲୋକ ଟଳି ପଡ଼ିଲେଣି। ତେବେ- ବି ସ୍ବାଧୀନତାର ସୁନା ମୃଗ ଧରା ପଡ଼ିନାହିଁ।  ସ୍ବାଧୀନତା ଆଉ କେତେ ବାଟ? କେବେ? 




+ -

© Jataayu Charitable Trust
Site designed,developed & maintained by Tekons