ସ୍ବରାଜ




ଛାଇ ନେଉଟା , ଗୋବିନ୍ଦା ସେଇ ପଟେ ପଖାଳ ଖାଇସାରି ଖରାକୁ ପିଠି କରି ବସି ଝୋଟ କେରାଏ ଧରିଚି ବାଣୀ କରିବ ବୋଲି, ମିଶ୍ରେ ଖବର କାଗଜଟା ଧରି ସବୁଦିନ ଭଳି ଗଳା ଖଙ୍କାରଟା ମାରି ଗୋବିନ୍ଦାକୁ ଡାକ ପକାଇଲେ।

    ଆରେ ଗୋବିନ୍ଦା, ଇଆଡ଼େ ଆ, ଇଆଡେ ଆ, ଶୁଣି ଯା- ସବୁ ହୋଇଗଲା। ଆଉ ବାକି ନାହିଁ କିଛି।

    ଗୋଟିକ ପରେ ଗୋଟିକ ଶ୍ରୋତା ଗଡିଲେ, କଣ ନୂଆ କଥା ହେଇଚି, ମିଶ୍ରେ ଡାକ ପକେଇଛନ୍ତି,ଶୁଣିବାକୁ । ଗୋବିନ୍ଦା ଆସିଲା, ଧନିଆ ଆସିଲା, ସାନ ହରିଆ ଆସିଲା , ଗାଁଟାରୁ ଅଧେ ଲୋକ ଜମିଗଲେ ।  ମିଶ୍ରେ ତାଙ୍କ ଶ୍ରୋତାମାନଙ୍କ ଆଗରେ ଗର୍ବ ପ୍ରକାଶ କରି କହିଲେ ଯେ ସେ ଯାହା ଏତେ ଦିନ ଆଗରୁ ଭବିଷ୍ୟତ ବାଣୀ କରି ଆସୁଥିଲେ, ତାହା ଆଜି ସତ ହେଇଚି , ଆଜି କଂଗ୍ରେସ  ଦେଶକୁ ସ୍ବାଧୀନ କରି ଦେଇଛି।

  ଏଡ଼େ ବଡ଼ ଶୁଭ ଖବରଟା ଶ୍ରୋତାମାନେ ଏତେ ଆକସ୍ମିକ ଭାବରେ ପାଇ ହଜମ କରିପାରିଲେ ନାହିଁ।  କାହିଁ, ସ୍ବାଧୀନତା କାହିଁ?  ଆମର ଚାଳ ଯୋଉ ନୂଆଣିଆକୁ ତ ସେଇ ନୂଆଣିଆ, ଆମ ପେଟରେ ଯୋଉ ଭୋକକୁ ତ ସେହି ଭୋକ, ଗାନ୍ଧିମୂଲକ ହେଲା କୁଆଡୁ?  ମିଶ୍ରେ ଖବରକାଗଜର ପୃଷ୍ଠା ଓଲଟାଇ ଫେର୍‌ ଶୁଣାଇ ଦେଲେ ଓଡ଼ିଶାର ପ୍ରଧାନମନ୍ତ୍ରୀ ମାନ୍ୟବର ହରେକୃଷ୍ଣ ମହତାବ ଖୋଦ୍‌ ଲାଟସଭାରେ କହିଛନ୍ତି,  ମିଛ ହୋଇନପାରେ ।  ଭାରତ ସ୍ବାଧୀନ ହୋଇଗଲାଣି। ଗାଁର ଲୋକେ ମୁଣ୍ଡ ନୁଆଇଁ ସବୁ ଶୁଣିଗଲେ ।  ହେଇଥାଇପାରେ , ଆମ ଗାଁକୁ ସ୍ବରାଜ ପହଞ୍ଚୁ ପହଞ୍ଚୁ ଦିନେ ଓଳିଏ ଡେରି ହୋଇଯିବ, କଚା ରାସ୍ତା , ବିଲଖାଲ , କାଦୁଅପଙ୍କ ବାଟ।

  ଗାନ୍ଧିମୂଳକ ହୋଇଯିବା ଶୁଣି ଗୋପାଳିଆ ଭାବୁଥିଲା କପିଳ ଓଝାଳି ପାଖେ ବନ୍ଧା ପଡ଼ିଥିବା  ନୋଥ ପଟକ କେବେ ସେ ମୁକୁଳେଇବ। ଭିକା ଭାରି ଖୁସି ହେଲା ଯେ ପରବକୁ  ଯେଉଁ ଲୁଗା କିଣିବ, ସେଥିକି ଉ ଭୋବନି ପୃଷ୍ଟିକୁ ଟଙ୍କା ମୁଣ୍ଡେ ଦିସୁକା କିଳାପୋତେଇ ଦେବାକୁ ପଡ଼ିବ ନାହିଁ। ପିତେଇ ଗୋଖା କଳ୍ପନା କରୁଥିଲା, ଏଥର ତା’ ଦାଣ୍ଡଘର ବଖରାକ ପୁଣି ମରାମତି କରି ଛିଡ଼ା କରିବ,  ନୀଳା ମନେ ମନେ ଠିକ୍‌ କଲା ଯେ ମଣି ବାରିକ ଜମିଦାର ସାଆନ୍ତଙ୍କ ହାତଗୋଡ଼ ଧରି ସାତପୁରୁଷ ଡିହରୁ ଉଡ଼େଇ ଦେଦ ବୋଲି ଯୋଉ ଚେଷ୍ଟା ଲଗେଇଚି,ଯେ ପାଠ ଆଉ ଏଣିକି ବୋଲ  କରିବ ନାହିଁ। ଗାନ୍ଧିମୁଲକରେ , ସ୍ବାଧୀନ ଭାରତରେ ଝାପ୍‌ସା ଛବି କାହା ମନରେ ରଙ୍ଗ ବେରଙ୍ଗ କେତେ ଛାପ ମାରି ଦେଇ ଯାଉଚି, ଏତିକିବେଳେ କଣା ବଳିଆ ସେମାନଙ୍କର କଳ୍ପନାରେ ବାଡ଼ ପକେଇଦେଲା। ଗହୀର ମଝି ଶୂଳିଆ ବରଗଛ ପାଖରେ କିଏ ଦି’ଜଣ ଆସୁଛନ୍ତି। ଯଦୁଆ ଠଉରେଇଲା, ନିମା ଆଉ ମୁକୁନ୍ଦା ହେବେପରା, ଚାଲିରୁ ଜଣାପଡ଼ୁଛି।  ଭୋବନା କଣା ବଳିଆକୁ ଭୁରୁଡ଼ିରେ ଉଡ଼େଇ ଦେଲା, “ଗୋଟାଏ ଆଖିରେ ତୋତେ ଚଉଦ ଭୁବନ ଦିଶୁଛି? କଲିକତା ଫେରନ୍ତା ଲୋକତ ନିଆରା ବାରି ହୋଇଯିବ। ହାତରେ ଛାଗ ନାହିଁ, ମୁଣ୍ଡରେ ବୋକଚା ନାହିଁ, ପୁଙ୍ଗୁଳା ଦିହେ ଦିହେ। ଭାରି ଚିହ୍ନିଲା।”

  ବେଙ୍ଗି ବୋଉ କହିଲା, “ମଲା, ମୁକୁନ୍ଦା ଗାଁକୁ ଫେରିବାରର ହୋଇଥିଲେ ଆଗରୁ ଭାଷା ଖଣ୍ଡେ ଦେଇନଥାନ୍ତା? ମୁକୁନ୍ଦା  ନୁହେଁ ମ- ଆଉ କୋଉ ଗାଁର କିଏ ହୋଇଥିବେ।”   

‍‍‍ଭଜନା ଅନୁମାନ କଲା ପଛଜଣକ ନିମା ଛଡା ଆଉ କେହି ନୁହେଁ, ସିମିତି ମୁଣ୍ଡକୁ ପୋତି ହାତକୁ ହଲେଇ ହଲେଇ ଚାଲୁଛି ସେ। ସେ ଦି’ ଜଣ କୁମ୍ଭାର ଘର ବିଲରେ ପଡ଼ି ସାତମରା ଖମାରେ ଗଡ଼ି ହିଡ଼େ ହିଡ଼େ ମାଁ ଆଡ଼କୁ ମୁହେଇଛନ୍ତି। ମଝିରେ ମଝିରେ କାଇଁକି ସେମାନେ ମୁହଁ ବୁଲେଇ ପଛକୁ ଚାହିଁଥାନ୍ତି, ପୁଣି ଚାଲିଥାନ୍ତି। ରୁଣ୍ଡ ହୋଇଥିବା ଲୋକଙ୍କର ଆଖି ସେଇ ଦି’ ଜଣଙ୍କ ଉପରେ। ବଡ଼ ପାଟିଆ ମଦନା କହିଲା, “ ହଇରେ, ଇଏ ତ ମୁକୁନ୍ଦା, ନିମା। ହେଲା ହେଲା। ମିଶ୍ରଙ୍କ କଥା ଠିକ୍‌ ଘଟିଲା। ଭଲା, ମୁଲକ ତ ସ୍ବରାଜ  ହେଲା। ଆଉ ଲୋକ ଘର ଦୁଆର ପୁଅ ମାଇପ ଛାଡି ବିଦେଶରେ ପଡି ରହିବେ କାହିଁକି? ହେଲା ହେଲା ଖବା କାଗଜ ଯାହା କରୁଥିଲା ସତ। ମନ୍ତ୍ରୀ ଯାହା କରୁଥିଲେ ସତ।ଆଃ”

ମୁକୁନ୍ଦା ଆଉ ନିମା ମିଶ୍ରଙ୍କ ଦୁଆରେ କୁଣ୍ଡ ତଳେ ଲଗେଇ ମାନ୍ୟ ଜଣାଇଲେ। ଗୋଟାକ ଉପରେ ଗୋଟାଏ କଲିକତା ହାଲଠୁ, ଦିହ ହାଲିଆ ହୋଇଯିବା ପର୍ଯ୍ୟନ୍ତ ଏତେଗୁଡ଼ାଏ ପ୍ରଶ୍ନ ତାଙ୍କ ଉପରେ ନଦି ହୋଇ ପଡିଲା ଯେ ଜଣେ ଲୋକକୁ ସବୁଯାକ ଉତ୍ତର ଦେବାକୁ ଲାଗିବ ଓଳିଏ। କୁମୁନ୍ଦା ଆଉ ନିମା ଭକୁଆ ଭଳିଆ ଛିଡ଼ା ହୋଇ ରହିଲେ, ତୁଣ୍ଡରେ ରାହା ନାହିଁ, ଆଖିରେ ପୁଆ ନାହିଁ। ଘଡ଼ିଏ ପରେ ମୁକୁନ୍ଦା କହିଲା, “ ମୁଁ ପିଇବି।”




+ -

© Jataayu Charitable Trust
Site designed,developed & maintained by Tekons