ସବୁଜ ବିପ୍ଳବ




ବାବୁମାନଙ୍କ ସାଙ୍ଗରେ ଆସିଥାନ୍ତି ଜଣେ ସବୁଠୁଁ ଚଇନିଫିଟ୍‌ ବାବୁ-ଜ୍ଞାନବାବୁ; ଯାତ୍ରବାଲାଙ୍କ ପରି  ବବୁରୀ ବାଳ ସାଙ୍ଗରେ ଲମ୍ବ କଲି, ଆଖିରେ କଳା ଚଷମା, ଦେହରେ ଚକ୍‌ ଚକ୍‌ ଟେରିଲିନ୍‌ ସାର୍ଟ ଓ କୋର୍ଟ ସହିତ ନାହି ତଳକୁ ପିନ୍ଧା ନଳୀ ପ୍ୟାଣ୍ଟ, ଗୋଡ଼ରେ ଗୋଜିଆ ଜୋତା ଭାରି ଚିକ୍‌ଣ ହୋଇ ପାଲିସ୍‌ ହୋଇଛି, ଗୋଇଠିଟା ସରୁ ଓ ଉଚ୍ଚା। ସେ ବାବୁ କୌଣସି ହାକିମ ହୋଇଥିବା ଜଣା ନଥିଲେ ବି ବାବୁମାନଙ୍କ ସାଙ୍ଗେ ସାଙ୍ଗେ ସବୁଠି ବୁଲାବୁଲି କରନ୍ତି ଓ ନିଜକୁ ବି.ଏ. ପାସ୍‌ ବୋଲି ପରିଚୟ ଦିଅନ୍ତି। ଜ୍ଞାନବାବୁ ସରପଞ୍ଚଙ୍କ ଭଣଜା, ତେଣୁ ତାଙ୍କର ସେ ଅଞ୍ଚଳରେ ପରିଚୟ ଓ ପ୍ରତିପତ୍ତି ସମସ୍ତଙ୍କୁ ଜଣା। ଜ୍ଞାନବାବୁ ତାଙ୍କ ପୋଷାକ ଓ ଯୋତା ଅସନା ହୋଇ ଯିବା ଭୟରେ ଅନ୍ୟମାନଙ୍କ ଭଳି ବାଇଗଣ କିଆରିରେ ଏପଟ ସେପଟ ନ ଖେଦି ହୁସିଆରିରେ ପାଦ ପକାଉଥାନ୍ତି ଗୋଟିଏ ଗୋଟିଏ।

          ଜ୍ଞାନବାବୁ ବେକରେ ଲମ୍ବାଇଥିବା କ୍ୟାମେରାଟା ବାହର କରି ଆଖି ଆଗରେ ଧରିଲେ। ସରପଞ୍ଚବାବୁ ବଡ଼ ପାଟିରେ ମିର୍ଜାକୁ ଡ଼ାକି କହିଲେ –“ ମିର୍ଜା ଦେଖେ ଦେଖେ ତୋ ବାଇଗଣ କିଆରିର ଫଟୋ ଉଠା ହେଲା।” ମିର୍ଜା ନିଜକୁ ଧନ୍ୟ ମନେ କଲା । ବାଇଗଣ ଗଦାର ଗୋଟିଏ ଫଟୋ ଉଠାଇଲେ ଭଲ ହୁଅନ୍ତା ବୋଲି ତହସିଲିଦାରବାବୁ ପ୍ରକାଶ କଲେ। ମିର୍ଜା ଓ ତାର ପୁଅ ସଙ୍ଗେ ସଙ୍ଗେ ବାଇଗଣ ତୋଳି ଗଦାଇବାକୁ ଲାଗିଲେ। ଇତିମଧ୍ୟରେ ବାବୁମାନେ ସେଇ ବାଇଗଣ ବାଡ଼ିରେ ସବୁ ଏକାଠି ଛିଡ଼ା ହେଲେ , ମଝିରେ ଜ୍ଞାନବାବୁ। ଗ୍ରାମସେବକବାବୁ ସେମାନଙ୍କ ଫଟୋ ଉଠାଇଲେ । ବିଲରେ ଗୋଟିଏ କଣରେ କୁଢ଼ା ହୋଇଥିବା ଦୁଇ ଗଦା ବାଇଗଣର ‍ଫଟୋ ମଧ୍ୟ ନିଆଗଲା। ସରପଞ୍ଚବାବୁ ମିର୍ଜା କୁ ଗୋଟିଏ ଫଟୋ ଉଠାଇବା ପ୍ରସଙ୍ଗ ଉଠାଇଲେ ଓ ବାବୁମାନେ ସେଥିରେ ଆଗ୍ରହ ପ୍ରକାଶ କାଲେ ।ମିର୍ଜାକୁ ପୁଣି ଦୋଛକି ମାରି ଫାଉଡ଼ା ଧରିବାକୁ ପଡ଼ିଲା । ବାଡ଼ିରେ କାମ କରୁଥିବା ମିର୍ଜାର ଫଟୋ ... ମିର୍ଜାର ଛାତି କୁଣ୍ଢେମୋଟ। ଏ ବାବୁମାନେ ସତେ କେତେ ଦିଲ୍‌ଦାର ଲୋକ ସେମିତି ଗୁଣ ନଥିଲେ ଆଲ୍ଲା ତାଙ୍କୁ ହାକିମ କରି ବସାଇଥାନ୍ତେ, ମିର୍ଜା ମନେ ମନେ ଆଲ୍ଲାଙ୍କୁ ଓ ବାବୁଙ୍କୁ କୃତଜ୍ଞତା ଜଣାଇଲା। ବାବୁମାନଙ୍କୁ ଦେଖି ସେଠାରେ ଜମି ଥିବା ଗ୍ରାମବାସୀମାନେ ମିର୍ଜା ଲାଗି ଗର୍ବ ଅନୁଭବ କଲେ। ମିର୍ଜାର ଏ ବାଇଗଣ ବାରି ଉଠିଆ ନ କରିଥିଲେ ଢ଼େଙ୍କୁଣି ଗାଁକୁ କେବେହେଲେ ଏ ବାବୁମାନେ ଆସନ୍ତେ।   

   ବାବୁମାନେ ଫେରିଯିବାକୁ ବସିଲେ ମିର୍ଜା ସେମାନଙ୍କର କୌଣସି ଚର୍ଚ୍ଚା କରିପାରିଲା ନାହିଁ ବୋଲି ଲଜ୍ଜିତ ହେବା ସହିତ ସେମାନଙ୍କ ନିକଟରେ ବାରବାର କସୁର ମାଗି ଗୋଟିଏ ଟୋକେଇରେ ଟୋକେଇଏ  ବଛା ବଛା ବାଇଗଣ ମୁଣ୍ଡେଇ ତାଙ୍କ ପଛେ ପଛେ ଚାଲିଲା। ଗରିବର ଏହି ଉପହାର ଦେଖି ବି.ଡ଼ି.ଓ ବାବୁ ପ୍ରତିବାଦ କଲେ । “ ଏଗୁଡ଼ାକ କଣ?”  ବାବୁମାନଙ୍କ ଭାଷା ଓ ଆଦତ ବୁଝିବାର ଯୋଗ୍ୟତା ମିର୍ଜାର ଥିଲା।

          ବାବୁମାନେ ଆଗେ ଆଗେ , ଟୋକେଇ ମୁଣ୍ଡାଇ ମିର୍ଜା ପଛରେ ପଛରେ। ବାବୁମାନେ ମିର୍ଜାର ବୁଦ୍ଧି ଓ ବିଚାର, ପରିଶ୍ରମ ଆଦି ନାନା ସଦ୍‌ଗୁଣ ଭୂୟସୀ ପ୍ରଶଂସା କରି ଚାଲିଛନ୍ତି। ଏହି ସମୟରେ ଗାଁ ମୁଣ୍ଡ ସେଇ ଥୁଣ୍ଟାଗଛ ପାଖରେ ଛିଡ଼ା ହଇଗଲେ।କେହି ଯିମିତି ତାଳି ମାରି ଠୋ ଠୋ ହସୁଛି। ତହସିଲଦାରବାବୁ ଥୁଣ୍ଟା ଗଛରେ ସେଇ ମଲାଙ୍ଗ ବରଗଛର ଦୋହଲିଥିବା ପତର ଦି’ଟାକୁ ଅନାଇଲେ । “ କେଡ଼େ ଆବାଜ କରୁଛି ଏ ପତ୍ର ଦୁଇଟା’ ।” ସେମାନେ ଆଗକୁ ଚାହିଁଲେ ତାଙ୍କ ପଛରେ ପତ୍ର ଦୁଇଟା ସେହିଭଳି ତାଳିମାରି ଚାଲୁଥାଏ।




+ -

© Jataayu Charitable Trust
Site designed,developed & maintained by Tekons