ସବୁଜ ବିପ୍ଳବ




“ମା ’ ତୁ ମତେ ପୈଦା କରିଥିଲୁ। ତୋର ଉମର ବେଳେ ମୁଁ ତୋର ନଜଦିକ୍‌ରେ ନ ଥିବି। ଏ କଥା ମୋର ଦିଲ୍‌କୁ ଝଟ୍‌କା ଲାଗିଛି।”

 ମିର୍ଜା ଗାଁରେ ରହିବ ସ୍ଥିର କଲା। ଅଣ୍ଡା ସଂଗ୍ରହ କରି ହାଟକୁ ନେବାଠାରୁ ଆରମ୍ଭ କରି ହଡ଼ା ଦଲାଲି ପର୍ଯ୍ୟନ୍ତ ହରଚିଜ୍‌ରେ ସେ ହାତ ଦେଇ ତା’ର ପାଞ୍ଚ ଜଣିଆ ପରିବାରର ଗୁଜୁରାଣ ମେଣ୍ଟାଇବା ଲାଗି ସ୍ଥାନୀୟ ଅର୍ଥନୀତିରେ ଯାବତୀୟ ପନ୍ଥା ଆବିଷ୍କାର କରିବାରେ ଲାଗି ପଡ଼ିଲା । ମିର୍ଜାର ଏହି ଆବିଷ୍କାର କ୍ରମରେ ଆସିଲା ବାଲିଚର ବାରିପଡ଼ିଆ ଆଠଗୁଣ୍ଠକୁ ଉଠିଆ କରିବାରେ ଯୋଜନା। ଏ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ସେ ଓ ତା’ର ବାରବର୍ଷର ପୁଅ, ଅଠରବର୍ଷର ଝିଅ ଲାଗି ପଡ଼ିଲେ । ନାଗଅଇରି ବଣ ସଫା କରିବାରେ,ବାରି କଡ଼େ କଡ଼େ ଅମରୀ ଡାଳ ପୋତି ବାଡ଼ ଭିଡ଼ିବାରେ, କୁଦକୁ ହାଣି ଜମିକୁ ସମତୁଲ କରିବାରେ । ମିର୍ଜା ଦିଅଁଙ୍କ ପୋଖରୀରୁ ଚାରି ଛଅ ଗାଡ଼ି ପଙ୍କ ଆଣି ସେଠି ପକେଇଛି । ଟୁବି ଗାଡ଼ିଆର ଦଳତକ ଛାଣି ତା ଉପରେ ଗୋବର ପାଣି ଛିଞ୍ଚି, ପତର ଓ କାଦୁଅ ଦେଇ ସେଥିରୁ ଦୁଇ ଗାଡ଼ି କମ୍ପୋଷ୍ଟ ଖତ ବନେଇଛି । ଉଠିପଦା ବ୍ଲକ୍‌ ଅଫିସରୁ ଚାରି କିଲୋ ସାର ଆଣିଛି ହାଟରୁ ଦୁଇ ଚାରି ସୁଗୁଡ଼ା ଛେଳି ଲଣ୍ଡି ସଂଗ୍ରହ କରିଛି। ଫଉଜି ମଉଜା ବଚ୍ଚା ଘର ହଳ ବଳଦ ଆଣି ଖତ ମାଟି ଦେଇ ପଡ଼ିଆକୁ ପାଞ୍ଚ ଓଡ଼ ଚାଷ କରି କମଣ କରିଛି ।ଟୁବି ଗାଡ଼ିଆରୁ ପାଣି ବୋହିବାକୁ ତେଣ୍ଡା ଲଗେଇ ସେଠୁ ତା’ର ବାରି ଯାଏଁ ସରୁ ନାଳଟିଏ ଟାଣିଛି ।

  ମିର୍ଜା ଜଗନ୍ନାଥିଆ ନାହାକ କୁ ପଚାରି ଭଲ ଦିନ ବେଳ ବୁଝିଥିଲା-ତଳି ଲାଗିଲା-ଗଛ ଚେର ଧରିଲା, କୁଆଁ ମେଲିଲା ପତର ଛନଛନିଆ ହେଲା ମିର୍ଜା ପ୍ରତ୍ୟେକଟି ଲକ୍ଷ୍ୟ କରୁଥାଏ । ପ୍ରତିଟି ଗଛ ସତେ ଯେପରି ତା’ର ଝିଅ ଯୋଉଦିନ ତାର ଆଖିରେ ପଡ଼ିଲା ପଶ୍ଚିମ ତରଫର ଏକଣା ଗଛରେ ବାଇଗଣ ଫୁଲ କଢ଼ ଧରିଛି ତା ପାଟିରୁ ବାହାରି ପଡ଼ିଲା ଆନନ୍ଦ ବିହ୍ବଳ ଚିତ୍କାର, “ହେ ଆଲ୍ଲା” ସନ୍ଧ୍ୟାବେଳେ ଦିନର ପାଇଟି ସାରି ସେହି ହାତ ଗୋଡ଼ ଧୋଇ ଯେତେବେଳେ ସେ ଚାଦର ପାରି ନମାଜ ପଢ଼ି ବସେ, ସେତେବେଳେ ଆଲ୍ଲାଙ୍କ ମେହେର୍‌ବାନି ମାଗେ ତାର ଏଇ ବାଇଗଣ ବାଡ଼ିର କଲ୍ୟାଣ ଲାଗି, ପ୍ରତିଟି ଗଛର ସ୍ବାସ୍ଥ୍ୟ ଲାଗି । ବାଇଗଣ ଗଛରେ  ପ୍ରଥମ ଫଳ ଧରିଲା , ମିର୍ଜା ଅନୁଭବ କଲା ସତେ ଯେମିତି ତା’ର ନାତି ହୋଇଛି। ପହିଲି ଦଫା ଫଳ ହାଟକୁ ନେଇ ଯେଉଁ ପଇସା ପାଇଲା, ସେଥିରେ ସେ ସେକ୍‌ ମନାସ୍‌ର ପିରଙ୍କ ପାଖେ ସିରିଣି ଗାଁ ଯାକ ବାଣ୍ଟିଲା । ଥୁଣ୍ଟା ଗଛର ସୈତାନ ଲାଗି ପତର ଠୁଙ୍ଗାରେ କିଛି ଥୋଇଦେଇ ଆସିଲା ବି।

          ସେ ଗାଁ କଥା ଛାଡ଼। ସେ ଅଞ୍ଚଳରେ କେହି ଭାବି ନଥିଲେ ଯେ ବାଲିଚର କୁଦ ଉପରେ ଏପରି ଛନଛନିଆ ବାଇଗଣ କିଆରି ଛିଡ଼ା ହେବ ବୋଲି। ମିର୍ଜା ହାଟପାଳି କି ହାଟପାଳି ବାଇଗଣ ତୋଳେ । ପହିଲି ପହିଲି ସେ ‍ବୋଝରେ ବୋହି ନେଇଯାଉଥିଲା। ପରେ ସେ ଓ ତା’ର ପୁଅ ଦୁହେଁ ଦୁଇଟା ବୋଝ ଧରି ଗଲେ। ତାଙ୍କୁ ବି ବଳକା ହେଲା। ମିର୍ଜା ଭାରୁଆ ଧରି ହାଟକୁ ଗଲା। ମିର୍ଜା ବାଇଗଣ ଗରାଖଙ୍କ ପସନ୍ଦ। ଦେଖି    ବାକୁ ଯେମିତି କଳା ଘୁମୁର ଛନ ଛନିଆ ଆକାର ସେମିତି ପୁଷ୍ଟିଆ। ମିର୍ଜା ହାଟରେ ପହଞ୍ଚିଲା ମାତ୍ରେ କଟକିଆ ବେପାରୀ ଛଞ୍ଚାଣ ପରି ଟାକିଥାନ୍ତି ତା’ର ଭାରଟା କିଣି ନେବାକୁ। ପାଳିକି ପାଳି ମିର୍ଜା ହାତକୁ କୋଡ଼ିଏ ପଚିଶ ଟଙ୍କା ନଗଦ ଆସେ ।

          ମିର୍ଜା ବିଦେଶ ସଫର ବେଳେ ବହୁତ ପଇସା କମେଇଥିଲା, ବହୁତ ଟଙ୍କା  ଉଡ଼େଇଥିଲା; କିନ୍ତୁ ଏ ଆନନ୍ଦ ସେ କେବେ ପାଇନଥିଲା। ତା’ ବାଇଗଣ ବାଡ଼ି ବିଷୟର ପ୍ରଶଂସା କରି କେହି କହିଲେ ସେ ତା’ କୁର୍‌ତା ପାକିଟିରୁ ବିଡ଼ିଟାଏ ଧରେଇ ଦେଇ ଦାର୍ଶନିକ ଭଳି କହେ, ମାଟି ନୁହେଁ ସେ ଭାଇ ମା ଟି? ମା’ଟିକୁ ଯେ ଚିହ୍ନିବ , ମା’ ନିଶ୍ଚେ ତା’ ପେଟକୁ ଦାନା ଦେବେ। ହିଂସକୁଡ଼ା ଲୋକ ମିର୍ଜା କାଟପାଣି କରିଥିବା କଥା କହନ୍ତି। ସେ କଥା ମିର୍ଜା କାନକୁ ଆସିଲେ  ସେ ଠୋକର ଦେଇ କୁହେ କାଟ-ପାଣି କରି ନାହିଁରେ ରକତ ପାଣି କରିଛି।

           ତିନି ଗାଁ ବୁଲି ଅଣ୍ଡା ଗୋଟେଇବାକୁ ମିର୍ଜାମିଆଁକୁ ଆଉ ଫୁରୁସୁତ ନାହିଁ। ହଡ଼ା ଦଲାଲି ସେ ବିଲକୁଲ ଛାଡିଦେଇଛି। ବାଇଗଣ ବାଡ଼ି ତା’ର ଏକମାତ୍ର କର୍ମ କ୍ଷେତ୍ର ହୋଇଛି। ପହିଲେ ଯେତେ ମେହେନତ କରିବାକୁ ପଡ଼ିଥିଲା ଏବେ ଏତେ କରିବାକୁ ପଡ଼ୁନାହିଁ ସତ, ସପ୍ତାହରେ ବି ଦି’ଟା ପାଣି ଦେଲେ ଚଳୁଛି,କିନ୍ତୁ କୋଉ ଗଛ ମୂଳରୁ ମାଟି ଧୋଇଗଲା ସେଠି ପୁଣି ମାଟି ଦେବା, କେଉଁ ଗଛ ମୂଳରେ ମୂଥା ଚେକା ହୋଇ ବାହାରିଛି, ତାକୁ ଓପାଡ଼ିବା, କେଉଁ ଗଛରେ ପିମ୍ପୁଡ଼ି ଲାଗି କଅଁଳ ଅଗି ଖାଇଗଲେ,ସେଠି ଗଇଁଠା ପାଉଁଶ ପକାଇବା , କୋଉଁ ଗଛରେ ଉଇ ଲାଗିଲେ ସେଠି ଉଇଟାଙ୍କୁ ଓପାଡ଼ି ଫୋପାଡ଼ିବା ଏ ସବୁ କାମ କରିବାକୁ ମିର୍ଜାକୁ ଏତେ ଖୁସି ଲାଗୁଛି ଯେ ସେ ବାଇଗଣ ବାଡ଼ି ଛାଡ଼ି ଆଉ କୁଆଡ଼େ ଯାଏ ନାହିଁ। ତା’ର ବାଇଗଣ ବାଡ଼ିର ଝଙ୍କା ମେଲା ଗଛଗୁଡ଼ାକ ସହିତ ତା’ର କେମିତି ଗୋଟିଏ ତାର ଆତ୍ମୀୟତା ଗଢ଼ି ଉଠିଛି। ତା’ର ମନେ ହୁଏ, ସେଗୁଡ଼ାକ ଯେମିତି ତାକୁ ଦେଖି କୁଲୁରୁଛନ୍ତି, ତା’ର ଆଦର ଯତ୍ନ ବୁଝିପାରୁଛନ୍ତି, ମଣିଷ ଭଳି ସେମାନେ ତାକୁ ଭଲ ପାଉଛନ୍ତି, ତା’ର ଦିଲ୍‌ ସହିତ ତାଙ୍କର ଦିଲ୍‌ ବାତ୍‌ଚିତ୍‌ କରୁଛି, ଯାହାର ଆବାଜ କେବଳ ସେ ଶୁଣିପାରେ । ସେମାନେ କହୁଛନ୍ତି ଚଚ୍ଚା, ତୁମେ କେଡେ ଆଚ୍ଛା ଆଦମି, ଆମ ଲାଗି କେତେ କୋସିସ୍‌ କରୁଛ। ଆମେ ଉତରି ଫଳ ଧରିବୁ, ଆଉରି ଫଳିବୁ. ପ୍ରତି ଗଣ୍ଠିରେ ଲେନ୍ଥାଲେନ୍ଥା ହୋଇ ଫଳିବୁ।




+ -

© Jataayu Charitable Trust
Site designed,developed & maintained by Tekons