ସବୁଜ ବିପ୍ଳବ




ମିର୍ଜା ତା’ର ବାଡ଼ି ବାଇଗଣରୁ କିଛି କିଛି ସବୁ ହାକିମ ହୁକୁମାଙ୍କ ଘରେ ନେଇ ଦେଇ ଆସିଛି। ବି.ଡି.ଓ. ବାବୁ ବାଇଗଣ ଖାଇ କହିଲେ- ମିର୍ଜା ତୋ ବାଇଗଣ ତ ବାଇଗଣ ନୁହେଁରେ, ମୋର ମନେହେଲା ମୁଁ ଲହୁଣି ଖାଉଛି।” ସରପଞ୍ଚ କହିଲେ ମିର୍ଜାର ବାଇଗଣ ଘିଅ। ଗ୍ରାମସେବକ ବାବୁ ମିର୍ଜାର ତାରିଫ୍‌ ଚାରିଆଡ଼େ କହିବୁଲିଲେ।ଖାଦ୍ୟ ସଂପ୍ରସାରଣ ଅଫିସର ତାଙ୍କ ସାରର କରାମତିର ଦୃଷ୍ଟାନ୍ତ ଦେଇ ବୁଝାଇଗଲା ବେଳେ ମିର୍ଜା କଥା ସବୁଠି ଦର୍ଶାନ୍ତି। ମିର୍ଜା ସରପଞ୍ଚ ବାବୁଙ୍କ ହାତରେ ତା’ ବାଇଗଣ ଜିଲ୍ଲା କଲେକ୍‌ଟରକୁ ବି ଖୁଆଇ ଦେଇଛି। ତା’ ମାଉସୀ ପୁଅ ଭାଇ ରଜାକ୍‌ ପୁଲିସ୍‌ ସାହେବ୍‌ଙ୍କ ଅର୍ଦ୍ଦଳି ଯେ ତିନିବର୍ଷ ହେଲା ତା’ର ପ୍ରମୋଶନ ଅଟକି ରହିଥିଲା।ରଜାକ୍‌ ମିର୍ଜାର ବିଲ ବାଇଗଣରୁ ଗଣ୍ଠିରାଏ ନେଇ ପୁଲିସି ସାହେବଙ୍କ ଘରେ ଦେଲାରୁ ତା’ର ପ୍ରମୋଶନ ହେଲା।କାନ୍‌ଗୋଇବାବୁ ମିର୍ଜାକୁ ବାଇଗଣ କିଛି ସିଧାସଳଖ ନ ମାଗି ତାକୁ ଧମକ ଦେଲେ, ସେ ସରକାରି ଜାଗାକୁ ଦୁଇ ଜରିବ ମାଡ଼ିଯାଇଛି, ତେଣୁ ତା ନାରେ ଉପରକୁ ରିପୋର୍ଟ କରିବେ , ମିର୍ଜା ତାଙ୍କ ଭାଷା ବି ବୁଝିପାରିଲା ଓ ମନେ ମନେ ଭାବିଲା, ଏ ମଣିଷଗୁଡ଼ାକ ତୁଳନାରେ ତା’ର ବାଇଗଣ ବାଡ଼ିର ମୂକ ଅଚଳ ଜୀବଗୁଡ଼ିକ କେତେ ଭଲ।

          ମିର୍ଜାକୁ ବି.ଡ଼ି.ଓ ବାବୁ, ତହସିଲଦାରବାବୁ, ସରପଞ୍ଚବାବୁ, ଗ୍ରାମସେବକ ବାବୁ ଆଦି ଅନେକ ଥର କହନ୍ତି ତା’ର ବାଇଗଣ ବାଡ଼ି ଦେଖିଯିବେ ବୋଲି । ମିର୍ଜାର ବିଶ୍ବାସ ହୁଏ ନାହିଁ। ତା’ ଗାଁକୁ ଜିପ୍‌ ଯିବା ରାସ୍ତା ନାହିଁ, ବାଲିରେ ସାଇକେଲ ବି ଚାଲିବ ନାହିଁ। ଭୋଟବେଳେ ଧୋବ ଧୋବଳିଆ ବାବୁ ଜଣେ ଅଧେ ଯାହା ଆସନ୍ତି, ନଇଲେ ପାଣି କାଦୁଅ ଚକଟି ବାଲିରେ ଚାଲି ଚାଲି ଦି’ କୋଶ ବାଟ କିଏ ବା ଆସିବ କାହିଁକି? ସେ ଲକ୍ଷ୍ମିଛଡ଼ା ରାଜ୍ୟକୁ?

          ଢ଼େକୁଣୀ ଗାଁର ସବୁଠାରୁ ବିସ୍ମୟକର ଘଟଣା କିନ୍ତୁ ସେଦିନ ଯେବେ ତହସିଲନାରବାବୁ, ବି.ଡ଼ି.ଓ ବାବୁ, ସରପଞ୍ଚବାବୁ, ଗ୍ରାମସେବକ ବାବୁ ଆଉ କେତେକେତେ ଚିହ୍ନାଅଚିହ୍ନା ବାବୁ ସମସ୍ତେ ଏକା ସାଙ୍ଗରେ ଆସି ମିର୍ଜାମିଆଁ ବାଡ଼ିର ଡ଼ିଆଁ ସାମାନାରେ ଜମାୟତ ହୋଇଗଲେ। ମିର୍ଜାମିଆଁ ସେତେବେଳେ ଫାଉଡ଼ାଟିଏ ଧରି ପାଣି ସିଆରକୁ ଆହୁରି ସଳଖ ଓ ଗହିଡ଼ା କରିବାରେ ଲାଗିପଡ଼ି ଥିଲା ଲୁଙ୍ଗିଟାକୁ ଦୋକଛି କାରିଦେଇ । ମିର୍ଜା ଏ ଦୃଶ୍ୟ ଦେଖି କିଛି ବେଳ ପାଇଁ ବିଲ୍‌କୁଲ ହତବାକ୍‌ ହୋଇ ପଡ଼ିଲା ; ଫାଉଡ଼ା ରଖି ଦେଇ ଦୋକଛି ଫିଟାଇ ପକାଇ ବାବୁମାନଙ୍କୁ ଗୋଟିଏ ଗୋଟିଏ ସଲାମ ପକାଇଲା। ଏତେ ବାବୁ ଅକସ୍ମାତ୍‌ ଏ ଅପରାନ୍ତ ଗାଁକୁ ଆସିପାର କାରଣ କଣ ହୋଇପାରେ? ଏ ତ ଇଲେକ୍ସନ ବଖତ ନୁହେଁ- ମିର୍ଜା ମନେ ମନେ ପ୍ରଶ୍ନ କରୁଥାଏ। ସେ ତ ସରକାର ଜାଗାକୁ ମାଡ଼ି ଯାଇ ନାହିଁ, ପିଛିଲା ବନ୍ଦୋବସ୍ତରେ ତା’ ବାପ ନାଁରେ ଥିଲା। ସରକାରୀ ଜମି ତା’ ଜମିକୁ ଲାଗି ନାହିଁ। ନିଜ ପ୍ରଶ୍ନରେ ଉତ୍ତର ଦେଉଥିଲା ମିର୍ଜା।

          ମିର୍ଜାକୁ ସମ୍ବୋଧନ କରି ବି.ଡ଼ି.ଓ. ବାବୁ କହିଲେ, “ ମିର୍ଜାମିଆଁ, କହୁଥିଲୁନା ଆମେ ତୋ ବାଇଗଣ ବାଡି ଦେଖିବାକୁ ଯିବୁ?”

          “ବାବୁମାନେ କେତେ ପରିଶାନ ହେଲେ  ମୁଁ ଗୋଟାଏ ଗରିବ ଲୋକ । ଆଲ୍ଲାଙ୍କ ମେହେରେବାନିରୁ ଆପଣଙ୍କ ପାଦ ଆମ ଗାଁରେ ପଡ଼ିଲା। ଆଲ୍ଲା କା ମେହେରେବାନି।”

ମିର୍ଜା ତଥାପି ବିଶ୍ବାସ କରିପାରୁ ନଥିଲା, ସେମାନେ ଆସିଛନ୍ତି ତା ବାଇଗଣ ବାଡ଼ି ଦେଖିବାକୁ। ବୋଧ ହୁଏ ଆଉ କେଉଁ କାମରେ ଆସିଛନ୍ତି, କାହାରି ଘର କୋରଖି କି ସରକାର ଜଙ୍ଗଲ ନିଲାମ । ବାବୁମାନେ ଆସିଯାଇଛନ୍ତି ଯେ ସେମାନଙ୍କ ବସିବା ଲାଗି ଗାଁରେ ଦୁଇଟା ଚଉକି ନାହିଁ କି ଉଚ୍ଚା ପିଣ୍ଡା ଖଣ୍ଡେ ନାହିଁ, ଚାହା ନାହିଁ କି ଚାହା କପ୍‌ ନାହିଁ। ଆର ଗାଁକୁ କାହାକୁ ପଠେଇଲେ ଆଠ ଦଶଟା ପଇଡ଼ ମିଳନ୍ତା, କିନ୍ତୁ ବାବୁମାନେ କ’ଣ ଏତେ ସମୟ ରହିବେ ଯେ, ସେ ସେଥିପାଇଁ କୋସିସ୍‌ କରିବେ?

          ବାବୁ ପରିହାସ କରୁଛନ୍ତି ବୋଲି ମିର୍ଜା ଯାହା ଭାବୁଥିଲା, ସରପଞ୍ଚବାବୁ ତାହା ପରିଷ୍କାର କରିଦେଲେ। ‘ମିର୍ଜାମିଆଁ, ବାବୁମାନେ ତମ ତାରିଫ୍‌ ବାଇଗଣ ଚାଷ  ଦେଖିବାକୁ ଆସିଛନ୍ତି, ଆମକୁ ତମେ ଧଡ଼ା ମୁହଁରେ ଛିଡ଼ା କରି ରଖିଛ କିଆଁ ? ବାବୁମାନଙ୍କୁ ଟିକିଏ ବାଡ଼ି ବୁଲେଇ ଦେଖେଇ ଦିଅ। ଆମେ ଫେର ଦୁଇକୋଶ ବାଟ ଏ ବାଲିରେ ଯିବୁଟି।”

ଏହା କହି ସରପଞ୍ଚବାବୁ ତାଙ୍କ ଘଣ୍ଟାକୁ ଅନାଇଲେ । ମିର୍ଜା ତା’ର କସୁର ବୁଝିପାରି ବାବୁମାନଙ୍କୁ ଅତି ଆଦରରେ ଡ଼ାକିନେଲା ତା’ର ବାଡ଼ି ଭିତରକୁ ଓ ଗର୍ବ ସହାକାରେ ତା’ର କୃତିତ୍ବ ବୟାନ କରି ଚାଲିଲା। ବାବୁମାନେ ତାକୁ ଉତ୍ସାହିତ କରିବା ଲାଗି ମଝିରେ ମଝିରେ ସାବାସ୍‌ ପଦେ ପଦେ କହି ଦେଉଥାନ୍ତି। ହେଲେ ଜୋତାରେ କୁଦି, ପାଣି ନାଳ ଭାଙ୍ଗେ ଢ଼େରା ଉପୁଡ଼ା ଉପୁଡ଼ି କରି ସେମାନେ ଯେଉଁ କାଣ୍ଡ ଭିଆଉଥାନ୍ତି ସେଥିରେ ମିର୍ଜାକୁ କଷ୍ଟ ହେଉଥାଏ ଓ ସେ ମନେ ମନେ ଭାବୁଥାଏ ପୁଣି ବାଡ଼ିକୁ ତା’ର ପୂର୍ବ ଅବସ୍ଥା ଆଣିବାକୁ ତାକୁ ଦୁଇ ଚାରି ଦିନ ପୁରା ଦମ୍‌ରେ ଖଟିବାକୁ ପଡ଼ିବ।




+ -

© Jataayu Charitable Trust
Site designed,developed & maintained by Tekons