କଟକ ସହର ଚୌଧୁରୀ ବଜାର ସଦର ରାସ୍ତା ଉପରେ। ସେ ବାଟରେ ଯାଏ
-ମ୍ୟୁନିସିପାଲିଟି ଚେୟାରମ୍ୟାନ୍ଙ୍କର ଧଳା ମଟର।
-ମାନ୍ୟବର ମନ୍ତ୍ରୀଙ୍କର କଳା ମଟର।
-ପୂଜ୍ୟ ନେତାଙ୍କର ହଳଦିଆ ମଟର।
ରିକ୍ସାବାଲା ଗାଡ଼ିଟାକୁ ରାସ୍ତା କଡ଼କୁ ଥୋଇ ଦଉଡ଼ି ଆସିଲା, ଆର ପାଖର ପାନବାଲା ଦୋକାନ ଛାଡ଼ି ଉଠିଗଲା, ନଈ ସେ ପାରିରୁ କିରାସିନି ପାଇଁ ଆସିଥିବା ଦି ଜଣ ଲୋକ ଠିଆ ହୋଇଗଲେ, କାଠ ଶଗଡ଼ିଆ ବଳଦ ହ’ କଲା, ଆଠ ଜଣ ସ୍କୁଲପିଲା ଆସି ଜୁଟିଲେ, ବିଡ଼ିବିକା ସାଇକେଲରୁ ଓହ୍ଲାଇ ପଡ଼ିଲା, ଚିରା କୋଟ୍ରେ ରଫୁ କାମ ଅଧା କରି ଗଫୁର ଉଠିଗଲା, ସୋଢ଼ାବାଲା ତା ଗାଡ଼ିଟା ଢ଼ିରା ଲଗାଇ ଦେଇ ଅନାଇ ରହିଲା, ସିନେମାଆଡ଼େ ମୁହାଁଇଥିବା ଫିଟ୍ଫାଟ୍ ଚାରିଟା ଟୋକା ସେଠି ମୁହଁ ମାରିଲେ, ଗୋରା ସୈନ୍ୟ ଦି’ଟା ତାଙ୍କ ରିକ୍ସା ରୋକି ଉତୁରି ଆସିଲେ, ପାଞ୍ଚ ସାତ ମାରୁଆଡ଼ି ଲୁଗା ବିକା ଭୁଲି ଦୋକାନ ଦୁଆରେ ଅନେଇ ରହିଲେ , ଡ଼ାକ୍ତରବାବୁ ଦୋକାନରୁ ଓହ୍ଲାଇ ଆସିଲ, ଗୁଡ଼ିଉଡ଼ା ଛାଡ଼ି ଚାରିଟା ପିଲା ଅଣନିଶ୍ବାସୀ ହୋଇ ପହଞ୍ଚିଲେ, ଜାସ ଫିଟାଇବାକୁ ଦି’ଟା କନେଷ୍ଟବଳ ଭିଡ଼ି ଆସି ଅନେଇ ରହିଲେ, ଶେଠଜୀଙ୍କ ନୂଆ ପେଟର୍ଣ୍ଣ ମଟର ଛିଡ଼ା ହେଲା ଦେଖିବାକୁ-
ପିଲାଟା ନର୍ଦ୍ଦମାର ପଚା ପଙ୍କ ଦେହରେ ମୁଣ୍ଡ ମାଡ଼ି ଦେଇଛି। ନର୍ଦ୍ଦମାର ବହଳିଆ ପାଣି ଓ ଫେଣ ପାଟିରେ ପାଟିଏ ଭର୍ତ୍ତି ହୋଇଛି, ଦି’ ଚାରି ଢ଼ୋକ ପେଟକୁ ଯାଇଛି ବି, ତା’ର ନିଶ୍ବାସରେ ନର୍ଦ୍ଦମା ପାଣି ଭଡ଼ ଭଡ଼ କରୁଛି। ପିଲାଟିର ଗୋଡ଼ ହାତ ନାଠି ହୋଇଯାଇଛି। ପାଖ ଆଖରେ ଲାଲଧୂଳି ଉପରେ ଗୋଡ଼ ଠେସାର ଚିହ୍ନ ପଡ଼ିଛି।
‘କ’ଣ ? କ’ଣ? କ’ଣ ହେଲା?”
“ବାତ ମାରୁଛି।”
“ଆରେ ଉଠେଇଆଣ।”
କିଏ ଉଠାଇବ? ଜନତାର ଆଖି ଏପାଖ ସେପାଖ ଖୋଜିବୁଲିଲା; କିଏ ଉଠାଇବ? ବାବୁ ଭାୟାମାନେ ତ ଉଠାଇବେ ନାହିଁ, ପିଲା ସବୁବା କିମିତି ଉଠାଇବେ, ବାପା ମା’ ଗାଳି ଦେବେ ନାହିଁ ବାଜେ ଲୋକଗୁଡ଼ାକ ଥାଉଁ ଥାଉଁ କନେଷ୍ଟବଳ ବାବୁ କ’ଣ ଉଠାନ୍ତେ, ସତୁରି ଅଶୀ ଯୋଡ଼ା ଆଖି ରିକ୍ସାବାଲା ଉପରେ ପଡ଼ିଲା।
“ବାବୁ ମୁଁ କିମିତି ଉଠାଇବି, କି ଜାତି ବୋଲି କି ଜାତି।”
“ଆରେ ବଚେ ଯୋ ମରଯାତା, ଜାତି ଜାତି ନିକଲ୍ତା, ଛୋଡ଼ୋ।” ଜନତା ୟାକୁବ୍ମିଆଁକୁ ବାଟ ଛାଡ଼ିଦେଲା।
ପିଲାଟା କାହାର କେହି କହିପାରିଲେ ନାହିଁ। ସମସ୍ତେ ତାକୁ ଦେଖୁଛନ୍ତି ଏହି ରାସ୍ତାରେ ‘ବାବୁ’ ‘ବାବୁ’ କହି ଧୋବଲୁଗା ପଛେ ପଛେ ଗୋଡ଼ାଇବାର। କେହି କେହି ଚିହ୍ନିଲେ ଦିନାକେତେ ତଳେ ସେମାନେ ଗୋଟିଏ ଭିକାରୁଣୀ ସାଙ୍ଗରେ ୟାକୁ ଦେଖିଥିଲେ।ତା’ର ମା’ ହେବ ପରା। ସେ ମାଇପିଟାଏ ପଛରେ ଏ ପିଲାଟା ଗୋଡ଼ାଇଥାଏ। ଆଉ ଦି’ଚାରି ଜଣ ଚିହ୍ନିଲେ ଏ ପିଲା, ତା’ ମା’ ବାପା ଆଉ ଗୋଟେ ଝିଅ କଲେଜ ସାମନା ଟିଣିଆ ଗଛ ତଳେ ନିତି ରାତିକି ଭେଟ ହୁଅନ୍ତି ଇଟା ଉପରେ ଆଟିକା ବସାନ୍ତି।
ସେଇ ଗଛ ମୂଳେ ଶୁଅନ୍ତି, ସକାଳୁ କୁଆଡ଼େ ଭିକମାଗି ଯାଅନ୍ତି।ଆଉ ଏବେ ସେ ଗଛ ମୂଳେ ଦେଖା ନାହାନ୍ତି- ଆଉ ଗୁଡ଼ାଏ କିଏ ଜୁଟିଲେଣି।
ଏଇ ଛ’ ସାତବର୍ଷ ପିଲାଟା କଟକ ସହରରେ ନିଜକୁ ମଣିଷ କରିବାକୁ ଧାଇଁଲା ଚୌଧୁରୀ ବଜାର, ବାଲୁବଜାର, ସଦର ରାସ୍ତା ବାବୁଭାୟା ହାକିମହୁକୁମା, ଶେଠ ମହାଜନଙ୍କ ପଛରେ- ‘ ବାବୁ ପଇସାଏ – ବାବୁ ଖାଇନେଇଁ, ବାବୁ ପଇସାଏ-’
ଜୀବନର କ୍ରୁର ମାୟା ତା’ର କ୍ଷୁଦ୍ର ପାଦକୁ କ୍ଷୀପ୍ର କଲା ରିକ୍ସା ପଛରେ ଗୋଡ଼ାଇବାକୁ ସାଇକେଲକୁ କାଟିବାକୁ, ମଟର ପାରିହେବାକୁ।
ବଞ୍ଚିବାର ମୋହରେ ସେ ଆବିଷ୍କାର କଲା ପାର୍କ ପାଖ ଗୁଡ଼ିଆ ଦୋକାନ ଅଇଁଠା ପତର ଢ଼ାବଲ ‘ ଡ଼ନକେବିନ୍’ ର କନ୍ଦି ରାସ୍ତା, ମାରୁଆଡ଼ି ଘର ନଳା।