“ ହଁ, ହଁ, ଲୁଚିକରି। ଖାଡ଼ା ଖାଡ଼ା ଉପାସ- ଚାରିଦିନ ହେଲା- ବଉଁଶ ଯାକ ଉପାସ କଣ କରିବ?”
“କୋଉ ନାଭ ଆଉ ଘରେ ବସି।”
“ଆପଣା ପେଟ ତ ପୋଷିବ ଆଗେ।”
“ହଁ, ତା’ ନୁହେଁ ଆଉ କଣ? ଏଠି ବସି କୋଉଥିକି ପାଏ?”
“ୟେ, ଦେଖିଲେ, ତା’ ଭାରିଯା ମୁଣ୍ଡ ଫାଟି ଯାଇଚି; କାନ ମୁଣ୍ଡା ଯାକ ରକତ, ୟେ ଆଣ୍ଠୁ ଛିଡ଼ି ଯାଉଚି।”
ଲୁହ ଆଉ କାନ୍ଦ।
ମାଇପି ଆଖିର ଲୁହ, ମାଇପି ଛାତିରେ କୋହ।
ଇଷ୍ଟେସନର ଘଣ୍ଟି ବାଜି ଉଠିଲା ଟାଂନ୍, ଟାଂନ୍, ଟାଂନ୍……
“ ଗାଡ଼ି ଆସିଲା”, ଗାଡ଼ି ଆସିଲା”, ଜନତା ମୁସାଫିରଖାନା ଛାଡ଼ି ଚାଲିଲେ।
“ବାପା- ବାପା-”
“ ମୁଁ-” ସନେଇ ପଧାନର କଥାକୁ ଡ଼ୁବେଇ ଦେଲା ସର୍ଦ୍ଦାରର ଗର୍ଜନ। “ଏଠି ଗୋଟାଏ ଫାରସ ନଗେଇଚୁ। ମୋର କିଏ ଏତେ ତମକୁ ନୋଡ଼ି ବୁଲିଥିବରେ। କାଇଁ କାଇଁ ଏତେ ସକ ବାହାରି ପଡୁଚି। ସେ ତ ଯାଇ ଟଙ୍କା ପଠେଇବ, ଭଲରେ ଚଳିବ, କାନ୍ଦ କଉଥି ପାଇଁ! ଆ ଆ ବେଗି-ସେ କିଏ, ତୋ ଝିଅ। ଆସୁଚିନା ବେଗି।
ସନେଇ ପଧାନ ସର୍ଦ୍ଦାରର ପଛେ ପଛେ ଚାଲିଲା। ପଛରେ ତାର କାନ୍ଦ, ପଛରେ ତାର ଲୁହ, ପଛରେ ତା’ର ଚିତ୍କାର। ଫେରି ଚାହିଁବାକୁ ତା’ର ଛାତି ଆଉ ପତେଇଲା ନାହିଁ।
ଗାଡ଼ି ଛାଡ଼ିଲା ଭସ୍ ଭସ୍… ଲୁହାର କାଳିଆ କାଳିଆ ଚକ ଗୁଡ଼ାକ କେଁ କରି ଗୋଟିଏ ରଡ଼ି ଦେଇ ଘୂରିବାକୁ ଲାଗିଲେ।
ଇଷ୍ଟେସନ ହତା ବାହାରେ ଟାଙ୍ଗିର ଗୋଡି ଉପରେ ଦୁଇଟା ମାଇପି ଅଧା ଲଙ୍ଗଳା ହୋଇ ଧାଇଁଥାନ୍ତି ରେଳଗାଡ଼ିରେ କରେ କରେ।
“ବାପା-ବାପା-”
ଲୁହ ଓ କାନ୍ଦ।
ସେଇ କାନ୍ଦ ଶୁଣିବାକୁ; ସେଇ ଦଉଡିଲା ମାଇପି ଦୁଇଟାକୁ ଦେଖିବାକୁ ରେଳଗାଡ଼ିର ଡ଼୍ରାଇଭର୍ ବାହାରକୁ ଅନାଇଲା, ଫାୟାରମ୍ୟାନ୍ ଲମ୍ବା କୋଡ଼ିଟା ଧରି ଦୁଆରମୁହଁରେ ଡ଼ୁଙ୍ଗିଲା।ଫାଷ୍ଟକ୍ଲାସରୁ ଚାରିଟା ସୈନ୍ୟ ରୁମାଲ ହଲେଇଲେ। ପଶ୍ଚିମ ଝରକା ଫାଙ୍କରେ ତିନିଶ ଚାରିଶ ଶୁଖିଲା ଆଖି ଜଳି ଉଠିଲା। ଇଣ୍ଟରକ୍ଲାସ ଦୁଆର ମୁଣ୍ଡରେ କବାଟ ମେଲା କରି ପାଇଜାମା ପିନ୍ଧି ଠିଆ ହୋଇଥିବା ଟୋକାଟା ହସି ହସି ଦୋହଲି ଗଲା, ସାହେବ ଦୁଇଟା କାବା ହୋଇ ସେଇଆଡ଼େ ତକେଇ ଚାହିଁଲେ, ଦଶବାରଟା ହାତ ତାଙ୍କୁ ଡ଼ାକିବାକୁ ହିଲିଲା। ଗାଡ଼ିର ବେଗ ବଢ଼ିଲା। ଚକ ଘୂରିଲା ଆହୁରି ଜୋର୍ରେ- ଗାଡି ଟପି ଚାଲିଲା।
ଖଜୁରିଆର ଅସରଫ ମିଆଁ ନିରାକାରପୁର ହାଟରୁ ପାନ ବିକି ଫେରୁଥିଲା, କାନରେ ଖୋସା ଖଣ୍ଡିଆ ବିଡ଼ିଟି ଲଗେଇ ପାଟିରୁ ଧୂଆଁ ଭସ୍ ଭସ୍ ଦି’ ଥର ବାହାର କରିଦେଲା।
“ କି ଲୋ ମୋ ସାଥିରେ ଯିବୁ। ଆଚ୍ଛା ଥାନରେ ରଖେଇ ଦେବି- ଖାଇବୁ, ପିଇବୁ, ଦିଲ୍ ସେ ରହିବୁ. କିଛି ତକଲିବ୍ ହେବ ନାହିଁ। ଆ ଯିବୁ ଯଦି; ତୁ ଏକଲା ଆ।
ମଲାକୁଣି ପୋଲରେ ଗାଡ଼ି ପଡ଼ିଲା- କଳିକତା ଯାତ୍ରା ଗୁଡ଼ାକ ପାଟି କରି ଉଠିଲେ- ‘ ହରି ବୋଲ’।